ଚାଷୀ ଉପରେ ଲଦା ହେଉଛି ହାଇବ୍ରିଡ ବିହନ,ବୁଡ଼ିଯିବ କୋରାପୁଟର ଦେଶୀ ମାଣ୍ଡିଆ କିସମ!

ରାଇମତିଙ୍କ ଦେଶୀ ମାଣ୍ଡିଆ କିସମ ସଂରକ୍ଷଣ ବ୍ୟର୍ଥ !

କୋରାପୁଟ (ପ୍ରତିଫଳନ ମିଡ଼ିଆ)

ବୁଡ଼ିଯିବ କୋରାପୁଟର ଦେଶୀ ମାଣ୍ଡିଆ । ଆଉ କିଛି ବର୍ଷ ପରେ ମିଳିବନି ବିହନ । ଶୁଷ୍କ ଜଳବାୟୁରେ ବେଶ ଭଲ ଉତ୍ପାଦନ ଦେଉଥିବା ଦେଶୀ ମାଣ୍ଡିଆ ବିହନ ହେବ ଦୁଷ୍ରାପ୍ୟ । ସରକାରଙ୍କ ନୂଆ ନୀତି ପାରମ୍ପରିକ ଦେଶୀ ବିହନ ଉପରେ ଅତୁଟ ଭରସା ରଖିଥିବା କୋରାପୁଟର ଆଦିବାସୀଙ୍କ ପେଟରେ ନାତ ପଡ଼ିଛି। ବିଦେଶୀ ବିହନ ପ୍ରେମରେ ସରକାର । ବିଦେଶୀ ବିହନକୁ ଜମିରେ ଲଗାଇବାକୁ ବାଧ୍ୟ କରାଯାଉଛି ।

ବିଦେଶୀ ବିହନ ପ୍ରେମରେ ସରକାର, ଚିନ୍ତାରେ ମାଣ୍ଡିଆ ଚାଷୀ

ଅର୍ଣ୍ଣ ଅଭିଯାନ” ଆଦିବାସୀ ଏବଂ ଜଳବାୟୁ-ପ୍ରତିରୋଧୀ ମାଣ୍ଡିଆ ବିହନର ଗୁରୁତ୍ୱକୁ ଅଣଦେଖା କରାଯାଉଛି।

 ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ  ମାଣ୍ଡିଆ ହେଉଛି ଖାଦ୍ୟର ଏକ ଅତ୍ୟାବଶ୍ୟକ ଶସ୍ୟ ।  ଅବିଶ୍ୱସନୀୟ ପୁଷ୍ଟିକର ମୂଲ୍ୟ ପାଇଁ ମାଣ୍ଡିଆ ବେଶ ଜଣାଶୁଣା। ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ଜନଜାତିଙ୍କ ପୁଷ୍ଟିକର ଆବଶ୍ୟକତା ପୂରଣ କରିବା ଦୃଷ୍ଟିରୁ କୋରାପୁଟର ଜନଜାତିଙ୍କ ପାଇଁ ବିଶେଷ ଭାବରେ ଲାଭଦାୟକ ହୋଇଛି ମାଣ୍ଡିଆ। ଓଡ଼ିଶା ମିଲଟ ମିଶନ ପ୍ରଚଳନ ସହିତ ମାଣ୍ଡିଆ ମଧ୍ୟ ଏହି ଅଞ୍ଚଳର ଚାଷୀମାନଙ୍କ ପାଇଁ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିଛି। କେବଳ କୋରାପୁଟ ଜିଲ୍ଲାରେ ୧୪ଟି ଦେଶୀ କିସମର ମାଣ୍ଡିଆ ରହିଛି । ପ୍ରତ୍ୟେକଟିର ଅନନ୍ୟ ସ୍ଥାନୀୟ ନାମ ରହିଛି । ଜାମ ମାଣ୍ଡିଆ, ଜନ ମାଣ୍ଡିଆ, ଦୁଶେରା ମାଣ୍ଡିଆ, ଭାଲୁ ମାଣ୍ଡିଆ, କାଳିଆ ମାଣ୍ଡିଆ, ବାଟି ମାଣ୍ଡିଆ, ସାନା ମାଣ୍ଡିଆ ଏବଂ ଅନ୍ୟାନ୍ୟ କିସମର ମାଣ୍ଡିଆ ରହିଛି । ବିଭିନ୍ନ ଦେଶୀ କିସମର ମାଣ୍ଡିଆ ସଂରକ୍ଷଣ ପାଇଁ ରାଇମତି ଘିଉରିଆଙ୍କୁ ମିଲେଟ୍ ରାଣୀ ସହ ଓୟୁଏଟି ପକ୍ଷରୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ନିରନ୍ତର  ଗବେଷଣାରୁ ଦେଖାଇଛି ଯେ ଏହି ଛୋଟ  କିସମ ମାଣ୍ଡିଆ ଗୁଡ଼ିକରେ ଫାଇବର, ପ୍ରୋଟିନ୍, ଶକ୍ତି, ଫ୍ଲାଭୋନଏଡ୍ସ, ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଅଧିକ ଯାହା ସେମାନଙ୍କୁ ଅନ୍ୟ କିସମ ଅପେକ୍ଷା ପୁଷ୍ଟିକର ଭାବରେ ଉତ୍କୃଷ୍ଟ କରିଥାଏ। ସବୁଠାରୁ ବଡ କଥା ହେଲା ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିର ସଫଳ ମୁକାବିଲା ପାଇଁ କୋରାପୁଟର ଦେଶୀ ମାଣ୍ଡିଆ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ମାଣ୍ଡିଆକୁ ନେଇ ଓଡ଼ିଶାର ଗର୍ବ ଓ ଗୌରବ ଅଚିରେ ଧ୍ଵଂସ ହେବ

 ତଥାପି ସରକାର ଚଳିତ ବର୍ଷ ଅଦ୍ଭୁତ ପନ୍ଥା ଅବଲମ୍ବନ କରିଛନ୍ତି। ମିଲେଟ ମିଶନ ପାରମ୍ପରିକ ମାଣ୍ଡିଆର ସଂରକ୍ଷଣ ପାଇଁ ବଦ୍ଧ ପରିପକ ବୋଲି କହୁଥିବା ବେଳେ ହାଇବ୍ରିଡ ବିହନର ପ୍ରଚଳନ ସମସ୍ତଙ୍କୁ ଚକିତ କରୁଛି । ଏଭଳି ନିଷ୍ପତି ପଛରେ ଅଭିସନ୍ଧି ରହିଛି ବୋଲି ବହୁ ଚାଷୀ କହିବା ସହ ଆମେ ଏହାକୁ ଜମିରେ ଲଗେଇବୁ ନାହିଁ ବୋଲି ରୋକଠୋକ ଜବାବ ରଖିଛନ୍ତି। ରାଜ୍ୟରେ ମିଲଟ୍ ମିଶନ ଆଠ ବର୍ଷ ସଫଳ ହେବା ପରେ ଦୁର୍ଭାଗ୍ୟବଶତଃ ଶ୍ରୀ ଅର୍ଣ୍ଣ ଅଭିଯାନ ଜରିଆରେ ହାଇବ୍ରିଡ  ବିହନ ଯୋଗାଇବାକୁ ସରକାର ଯାଉଛନ୍ତି । ଓଡ଼ିଶା  ଏବେ ବିହନ ନିଗମ ମାଧ୍ୟମରେ GPU-28/48, GPU-67, KMR-204, DBBM-93/3, SIA-3156, CSV-27, MPMH-17 ଇତ୍ୟାଦି 13ଟି ଉଚ୍ଚ-ଅମଳକାରୀ ଅଣ-ସ୍ୱଦେଶୀ ମାଣ୍ଡିଆ କିସମକୁ ପ୍ରୋତ୍ସାହିତ କରୁଛି। ଏହା ଅବିଭକ୍ତ କୋରାପୁଟ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି ।  ସେମାନେ ଏବେ ଭୟରେ । ଏହି ନୂତନ କିସମଗୁଡ଼ିକ ପୁରାତନ ଲୋକପ୍ରିୟ ମରୁଡ଼ି-ପ୍ରତିରୋଧୀ ଏବଂ ଜଳବାୟୁ-ପ୍ରତିରୋଧୀ ସ୍ୱଦେଶୀ କିସମଗୁଡ଼ିକୁ ଅଚିରେ ମାରିଦେବ। ସମସ୍ତ ଚାଷୀ ମିଳିତ ଭାବରେ ଏହି ଅଣ-ସ୍ୱଦେଶୀ କିସମଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି। ସରକାର  ନୀତିଗତ ପରିବର୍ତ୍ତନ ନକଲେ  ଚାଷୀମାନେ ପ୍ରତିବାଦ ଏବଂ ଧାରଣା ପ୍ରଦର୍ଶନ କରିବାକୁ ଧମକ ଦେଇଛନ୍ତି। ବିଭାଗ ଅଧିକ ଅମଳକ୍ଷମ ହେବା ନାମରେ ଏଭଳି ପ୍ରୟାସ ମାଣ୍ଡିଆକୁ ନେଇ ଓଡ଼ିଶାର ଗର୍ବ ଓ ଗୌରବକୁ ଅଚିରେ ଧ୍ଵଂସ କରିଦେବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି।

Spread the love