ବିଭାଗ ଶୂନ୍ୟ ବିଷ୍ଣୁପଦ !
ଭୁବନେଶ୍ୱର ( ପ୍ରତିଫଳନ ମିଡିଆ)
ଆଉ କିଛି ଦିନ ପରେ ରାଜ୍ୟରେ ବିଜେପି ସରକାର ଗଠନ ହେବାର ୧ବର୍ଷ ପୂର୍ଣ୍ଣ ହେବ। ପୂର୍ବତନ ସରକାରଙ୍କ ସମୟରେ ଆଇନ କାନୁନ୍ କୁ ଅବମାନନା କରି ସ୍ବେଚ୍ଛାଚାରି ଶାସନ ଚଳାଇ ଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଦାଗୀ ଅଧିକାରୀ ମାନଙ୍କୁ ଦାୟିତ୍ୱରୂ ନିବୃତ ରଖାଯିବ । ପ୍ରଶାସନିକ ସ୍ତରରେ ସଂସ୍କାର ଆଣି ସରକାରଙ୍କୁ ଲୋକାଭିମୁଖୀ କରିବାକୁ ପ୍ରତିଶୃତି ଦେଇଥିଲେ ସରକାର । ଏଭଳି ପ୍ରଚାର କରି ୨୪ ବର୍ଷର ସରକାର ବିରୋଧରେ ଜନମତ ସୃଷ୍ଟି କରି ଅବିଶ୍ବସନିୟ ଭାବେ ଓଡ଼ିଶାରେ ସରକାର ଗଠନ କଲା ବିଜେପି । ସରକାରକୁ ଆସିବା ପରେ ଅନେକ ଜନହିତ ମୂଳକ ଯୋଜନା ଲାଗୁ କରି ଲୋକଙ୍କ ବିଶ୍ବାସ ଜିଣିବାକୁ ଚେଷ୍ଟା କରିଛି ସତ। କିନ୍ତୁ ବିଭିନ୍ନ ସ୍ତରରେ ଏବେ ବି ଗତ ସରକାରଙ୍କ ଭଳି ଶାସନ ଚାଲିଥିବା ଦେଖିବାକୁ ମିଳୁଛି ।ସେହି ଅଧିକାରୀ ମାନେ ରହି ବିଭିନ୍ନ ସମୟରେ ସରକାରଙ୍କୁ ଅଡ଼ୁଆରେ ପକାଇଲଭଳି କାମ କରୁଛନ୍ତି ।
ସରକାରଙ୍କୁ ଅଡ଼ୁଆକୁ ଟାଣୁଥିବା ଅଦୃଶ୍ୟ ଶକ୍ତି କେନ୍ଦ୍ର କିଏ ?
ବର୍ଷକର ନୂଆ କାର୍ଯ୍ୟକାଳ କଣ ତାର ସମୀକ୍ଷା କରୁଛନ୍ତି ଭୋଟର। କିନ୍ତୁ କ୍ଷମତା ମହଲରେ ନୂଆ ସରକାରଙ୍କୁ ହରଡାଘଣାରେ ପକାଇ ବଦନାମ କରିବାକୁ ଏକ କ୍ଷମତା କେନ୍ଦ୍ର ଗୋଷ୍ଠୀ ଅହରହ ଉଦ୍ୟମ କରୁଥିବା ଅନୁମାନ କରାଯାଉଛି । ସାଧାରଣ ଲୋକଙ୍କ ସରକାର ବୋଲି ଯାହା ଛବି ତିଆରି ହେଉଛି ତାକୁ ଧ୍ବଂସ କରିବାକୁ ଉଦ୍ୟମ ଜାରି ରହିଛି ।
ନୂଆ ସରକାର ଆସିବା ପରେ ନୂଆ ଉନ୍ମାଦନା ଜାଗ୍ରତ ହୋଇଥଲା। ସ୍ବଛତା ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ କିଛି ଅଧିକାରୀଙ୍କ ନ୍ୟସ୍ତ ସ୍ବାର୍ଥ ଉଦ୍ୟମ ପାଇଁ ସରକାର ଏବେ ଆଇଏଏସ ମହଲରେ ଚର୍ଚ୍ଚିତ ହୋଇ ପଡିଛନ୍ତି। ରାଜ୍ୟ ସରକାରଙ୍କ ଅଗୋଚରରେ ଷଡଯନ୍ତ୍ର ଚାଲିଥିବା ଯୋଗୁଁ ସରକାର ନିନ୍ଦିତ ହେଉଛନ୍ତି । ଆଉ କିଛି ଆଇଏଏସ ଗୋଷ୍ଠୀ ଏହି କାମରେ ପୁରୁଣା ସରକାରଙ୍କ ଇଙ୍ଗିତରେ କାମ କରୁଥିବା ସ୍ପଷ୍ଟ ହୋଇପଡିଛି ।
ବିଭିନ୍ନ ଅଭିଯୋଗରେ ମାମଲା ବିଚାର ଥିବା ଅଧିକାରୀଙ୍କୁ ସରକାରଙ୍କ ଗେହ୍ଲାପୁଅ ଭଳି ରଖା ଯାଇଥିବାବେଳେ କୌଣସି ଠୋସ ଅଭିଯୋଗ ନଥାଇ ଅନ୍ୟ ଆଇଏଏସ ଅଧିକାରୀଙ୍କୁ ଛଅ ମାସ ହେଲା ଦାୟିତ୍ବ ଶୂନ୍ୟ କରି ଘରେ ବସେଇ ଦରମା ଦିଆ ଯାଉଛି । ଆମେ କହୁଛୁ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣପଦ ସେଠୀ ଙ୍କ କଥା । ତାଙ୍କ ବିରୋଧରେ କୌଣସି ଏଫଆଇଆର ନଥାଇ ବି ଦାୟିତ୍ବ ପ୍ରଦାନ କରାଯାଉନି। ଏକଥା ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି ନା ନାହିଁ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସବୁ କହିବାର ଯଥେଷ୍ଟ କାରଣ ଅଛି । ଏବେ ଆସନ୍ତୁ ଦେଖିବା କିଛି ବାସ୍ତବ ପ୍ରସଙ୍ଗ।

ପ୍ରଥମେ ଦେଖିବା ଆଇଏଏସ ମନୀଷ ଅଗ୍ରୱାଲଙ୍କ ପ୍ରସଙ୍ଗ । ମାଲକାନଗିରି ଜିଲ୍ଲାପାଳ ଅଫିସର ବ୍ୟକ୍ତିଗତ ସହାୟକ ଦେବେନ୍ଦ୍ର ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ପାଇଁ ୨୨ ଜୁନ୍ ୨୦୨୩ ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇଏଏସ୍ ମନୀଷ ଅଗ୍ରୱାଲ ଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୬/ ୧୨୦-ବି/ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ସେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ୧୯ ନଭେମ୍ବର, ୨୦୨୪ ରେ ସୁପ୍ରିମକୋର୍ଟରେ ମାମଲା ହାରିଯାଇଥିଲେ। ଫଳରେ ତାଙ୍କର ଗିରଫଦାରୀ ଅଡ଼ୁଆ ବଢିଲା। ଏଥିପାଇଁ ଆଗୁଆ ଜାମିନ ପାଇଁ ଆବେଦନ କଲେ। ୨୫ ଏପ୍ରିଲ ୨୦୨୫ ରେ ହାଇକୋର୍ଟରେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଛି। ଏଥିପାଇଁ ମୋହନ ସରକାର ତାଙ୍କୁ କାର୍ଯ୍ୟରୁ ଅନ୍ତର କରିବା କଥା । କିନ୍ତୁ ଆଶ୍ଚର୍ଯ୍ୟର କଥା ନୂଆ ସରକାର ତାଙ୍କୁ ଏକାଧିକ ଦାୟିତ୍ବରେ ଥଇଥାନ କରିଛନ୍ତି।

ମନୀଷ ପି ଆଣ୍ଡ ସି ବିଭାଗରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ ଜାରି ରଖିବା ସହ ସରକାର ତାଙ୍କୁ ମହାନିର୍ଦ୍ଦେଶକ (ପ୍ରଶିକ୍ଷଣ) ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ଓଡ଼ିଶାର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରିଛନ୍ତି। କାରଣ ସେ ଅଦୃଶ୍ୟ କ୍ଷମତା କେନ୍ଦ୍ରର ପ୍ରିୟ ବୋଲି କ୍ଷମତା ମହଲରେ ଆଲୋଚନା ହେଉଛି। ସେଥିପାଇଁ ତାଙ୍କର ସବୁ ଅପରାଧ ମାଫ ।

ସେହିପରି ଆଉ ଜଣେ ସରକାରଙ୍କ ପ୍ରିୟ ହେଲେ ବିଜୟ କେତନ ଉପାଧ୍ୟାୟ, । ଆଇଏଏସ୍ ଉପାଧ୍ୟାୟ ଲାଞ୍ଚ ନେବା ଅଭିଯୋଗରେ ଅତୀତରେ ଗିରଫ ହୋଇଥିଲେ ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି। ରାଜ୍ୟ ଭିଜିଲାନ୍ସ ବିଭାଗ ବିଜୟ କେତନଙ୍କୁ ୩୦ ଡିସେମ୍ବର, ୨୦୧୯ ରେ ଭୁବନେଶ୍ୱରରେ ଗିରଫ କରିଥିଲା ଯେତେବେଳେ ସେ ଓଡ଼ିଶା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିଲେ। ଜାମିନରେ ଅଛନ୍ତି ବୋଲି ଦର୍ଶାଇ ସରକାର ଶ୍ରୀ ଉପାଧ୍ୟାୟଙ୍କୁ ଗୁରୁତ୍ବପୂର୍ଣ୍ଣ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଛି ଏବଂ ତାଙ୍କୁ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ଯ ଦିଆଯାଇଛି। ଓଡିଶା ପ୍ରଶାସନରେ ଉପରୋକ୍ତ ଭଳି ଅନେକ ପ୍ରସଙ୍ଗ ରହିଛି। କିନ୍ତୁ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ପାଇଁ ସରକାରଙ୍କ ଭିନ୍ନ ଆଭିମୁଖ୍ୟ।
ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବେ କି?
ବିଷ୍ଣୁପଦ ସେଠୀଙ୍କ ମାମଲାରେ ଯାହାଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଏଫଆଇଆର ନାହିଁ, ତାଙ୍କୁ ଛଅ ମାସ ପାଇଁ ଘରେ ବସିବାକୁ ପଡିଛି । ଯାହା କୁହାଯାଉଛି ସରକାର କ୍ଲିନ୍ ଚିଟ୍ ପାଇଁ ଜିଦ୍ ଧରିଛନ୍ତି । ଯଦି ବିଷ୍ଣୁପଦଙ୍କୁ ଦାୟିତ୍ବ ପ୍ରଦାନ ପାଇଁ ସରକାର କ୍ଲିନ୍ ଚିଟକୁ ଅପେକ୍ଷା ତେବେ ଅନ୍ୟ ମାନଙ୍କ ପାଇଁ ଏତେ ସହୃଦୟ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ରାଜ୍ୟ ସରକାରଙ୍କ ଅଗୋଚରରେ କୌଣସି କ୍ଷମତା କେନ୍ଦ୍ର ବିଷ୍ଣୁପଦଙ୍କ ବିରୋଧରେ ଜାଣିଶୁଣି ଷଡ଼ଯନ୍ତ୍ର କରୁଛନ୍ତି କି ? ଏମିତି କରି ଜାଣିଶୁଣି ସରକାରଙ୍କୁ ବଦନାମ କରିବାକୁ ଏହି କ୍ଷମତା କେନ୍ଦ୍ର ବ୍ୟୁହ ରଚନା କରିଥିବା ଅନୁମାନ କରାଯାଉଛି ।
ସରକାର ଏହି ପ୍ରସଙ୍ଗ ଗୁଡ଼ିକ ପ୍ରତି ଧ୍ୟାନ ଦେଇ ନ୍ୟାୟ ପୂର୍ଣ୍ଣ ପଦକ୍ଷେପ ଗ୍ରହଣ କଲେ ସମସ୍ତଙ୍କ ପାଇଁ ସମାନ ଆଇନ୍ ଲାଗୁ କରୁଛନ୍ତି ବୋଲି ସରକାର ପ୍ରମାଣିତ ହୋଇପାରିବ । ସରକାର ଲୋକଙ୍କ ନିକଟରେ ନିଜର ସ୍ବଚ୍ଛ ଶାସନର ପ୍ରମାଣ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବି କହିଛନ୍ତି । ନୀତି ନିଷ୍ଠ ସ୍ବଚ୍ଛ, ସରଳ ସାଧା ସିଧା ବ୍ୟକ୍ତିତ୍ଵ ଭାବେ ରାଇଜ ସାରା ଲୋକଙ୍କ ମନ ହୃଦୟ ରେ ସ୍ଥାନ ପାଇଥିବା ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପପୂର୍ବକ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି । ନହେଲେ ଆଗାମୀ ଦିନରେ ପ୍ରାଶାସନିକ ମହଲରେ ଏଥିନେଇ ବିଭ୍ରାଟ ସୃଷ୍ଟି ହୋଇପାରେ। ସରକାରଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି ହୋଇପାରେ ।