ନିର୍ବାଚନ ହୋଇ ବର୍ଷେ ପୂରିବ। ଆମ ବିଧାୟକଙ୍କ ରିପୋର୍ଟ କାର୍ଡ ଏବେ ଭୋଟର ଜାଣିବାର ଅଛି । ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ କେତେ କାମ କରିଛନ୍ତି, କଣ ସବୁ କାମ କରିଛନ୍ତି ଆମ ନେତା । ବିଧାୟକଙ୍କ କାମରେ ଲୋକେ କେତେ ସନ୍ତୁଷ୍ଟ ଅଛନ୍ତି। ଲୋକଙ୍କ ମତ କଣ ରହିଛି । କେତେ ପ୍ରତିଶତ ଦେବେ ମାର୍କ । ପ୍ରତିଫଳନ ପକ୍ଷରୁ ସଂଗ୍ରହ କରାଯାଇଛି ନେତାଙ୍କ ରିପୋର୍ଟ କାର୍ଡ ।
ରାୟଗଡା ବିଧାୟକ
ରାୟଗଡ ବିଧାୟକ ଆପଲାସ୍ବାମୀ କାଡ୍ରାକା। ଏଥର ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ । ବିଜେଡି ଓ ବିଜେପିକୁ ବାଜିମାତ କରି ଜିତିଥିଲା କଂଗ୍ରେସ । ଫଳାଫଳରେ ଚକିତ ହୋଇଥିଲେ ଖୋଦ୍ ଭୋଟର । ଗତ ଥର ପରି ଏଥର ବି ରାୟଗଡା ଭୋଟର ବିସ୍ମୟ ଫଳ ଦେଇଥିଲେ। ଗତ ନିର୍ବାଚନରେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଜିତିଥିଲେ । ଏଥର କିନ୍ତୁ କଂଗ୍ରେସ ବିଧାୟକ ଆପଲା ସ୍ବାମୀ କାଡ୍ରାକା ଜିତିଲେ । ପ୍ରଥମ ଥର ପାଇଁ ବିଧାୟକ ହେଲେ। ବିଜେଡିରେ ପ୍ରଚୁର ଗୋଷ୍ଠୀ କନ୍ଦଳ, ବିଜେପିର ଦୁର୍ବଳ ସାଂଗଠନିକ ଶକ୍ତି କଂଗ୍ରେସ ବିଜୟର ପ୍ରମୁଖ କାରଣ ଥିଲା । ଏତଦଭିନ୍ନ ଆପଲା ସ୍ବାମୀଙ୍କ ବ୍ୟକ୍ତିତ୍ବ ବିଜୟ ପାଇଁ ଟପ୍ ଅପ୍ ଭଳି କାମ ଦେଲା। ନିରନ୍ତର ସମାଜିକ ସେବା, ଲୋକଙ୍କ ସହ ସୂ ସମ୍ପର୍କ, ଆଦିବାସୀ ସଂଗଠନ ଭିତରେ ଗଭୀର ପ୍ରବେଶ ଏବଂ ପ୍ରତିପକ୍ଷ ଦଳମାନଙ୍କ ପକ୍ଷରୁ ପ୍ରଭାବୀ ପ୍ରାର୍ଥୀତ୍ବର ମରୁଡି ତାଙ୍କ ଜିତିବାକୁ ସହଜ କରିଥିଲା । ପୌର ନିର୍ବାଚନରେ ଭୋଟର ତାଙ୍କୁ ପ୍ରତ୍ୟାଖାନ କରିଥିବା ବେଳେ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ବିଜୟୀ ହେବା ନିଶ୍ଚିତ ଏକ ସଂଯୋଗ । ଏଇ ସଂଯୋଗ ପ୍ରତିପକ୍ଷ ଦଳର ଦୁର୍ବଳତା ହେତୁ ସମ୍ଭବ ହୋଇପାରିଛି । ତେବେ ଗତ ନିର୍ବାଚନରେ ସହଜରେ ବିଜୟ ତାଙ୍କ ପାଇଁ ଲୋକ ସେବା ପାଇଁ ସୁଯୋଗ ପ୍ରଦାନ କରିଛି ।

ଗତ ନିର୍ବାଚନ ଫଳାଫଳ
ସମସ୍ତଙ୍କୁ ଚକିତ କରି କଂଗ୍ରେସର ପ୍ରାର୍ଥୀ ଆପଲା ସ୍ବାମୀ କଡ୍ରାକା ସର୍ବାଧିକ ୮୭୪୮୨ ମତ ପାଇ ଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦୀ ବିଜେଡିର ପ୍ରାର୍ଥୀ ଅନୂସୟା ମାଝୀ ୫୮୨୮୬ ଭୋଟ ଏବଂ ବିଜେପି ପ୍ରତିଦ୍ବନ୍ଦୀ ବସନ୍ତ କୁମାର ଉଲ୍ଲାକା ୨୪୫୪୮ ଭୋଟ ପାଇଥିଲେ । ଆପଲାସ୍ବାମୀ ୨୯୧୮୬ ଭୋଟ ବ୍ୟବଧାନରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ।

ଜନତାଙ୍କ ମତ
ବିଧାୟକ ହେବାର ଏକ ବର୍ଷ ବିତିଲା। ବିଧାୟକ ଲୋକଙ୍କ ନେତା ହୋଇପାରିଛନ୍ତି କି ଏ ସମ୍ପର୍କରେ ପ୍ରତିଫଳନ ପକ୍ଷରୁ ଭୋଟରଙ୍କ ମତାମତ ନିଆଯାଇଥିଲା । ଅଦ୍ୟାବଧି ଶିକ୍ଷିତ ଭୋଟରଙ୍କ ହୃଦୟକୁ ଛୁଇଁ ପାରି ନାହାଁନ୍ତି ବିଧାୟକ । ବର୍ଷେ ଭିତରେ ରାୟଗଡା ବିଧାୟକ ଆଖି ଦୃଶିଆ କିଛି କାମ କରିପାରି ନାହାଁନ୍ତି ବୋଲି ମତ ରଖିଛନ୍ତି। ମେଡିକାଲ୍, ଶିକ୍ଷା, ଗମନାଗମନ, ମୌଳିକ ସୁବିଧା ଯୋଗାଇବା, ରାୟଗଡ ସହରର ବିକାଶ ଦିଗରେ କୌଣସି ନୂତନତ୍ବ ଦେଖି ପାରି ନାହାଁନ୍ତି ବୋଲି କହିଛନ୍ତି ଶିକ୍ଷିତ ଭୋଟର । ଏମିତିକି ନିଜର ବ୍ୟକ୍ତିତ୍ବ ମୁତାବକ ଏଯାଏଁ ଫଳାଫଳ ଦେଇ ପାରି ନାହାଁନ୍ତି ସେ ବୋଲି କହିଛନ୍ତି ଯୁବ ଭୋଟର । ଗାଁର ସମସ୍ୟା ଯେମିତି କି ସେମିତି ଅଛି। କିଛି ବଦଳିନି। ଯେଉଁ ଆଶାରେ ଦେଇଥିଲୁ ସେ ଆଶା ପୂରଣ ହୋଇ ପାରିନି ବୋଲି କହିଛନ୍ତି ଗ୍ରାମାଞ୍ଚଳ ଭୋଟର । କାଶିପୁରରେ ଶିଳ୍ପାୟନ ସମସ୍ୟା, ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ, ସ୍ଥାନୀୟ ଲୋକଙ୍କୁ କଂପାନୀରେ ନିଯୁକ୍ତି ପ୍ରଦାନ ଏବଂ ନୂତନ କମ୍ପାନୀ ସ୍ଥାପନରେ ବିଳମ୍ବ ଏବେ ବି ସମସ୍ୟା ହୋଇ ରହିଛି। ଅନେକ ସମୟରେ ବିଧାୟକ ନିର୍ଦ୍ଧିଷ୍ଟ କମ୍ପାନୀ ପାଇଁ ଆନ୍ଦୋଳନ କରି ନିଜ ସ୍ବାର୍ଥ ସାଧନ କରିଛନ୍ତି ବୋଲି କହିଛନ୍ତି ବହୁ କାଶିପୁର ଭୋଟର । ରାୟଗଡ଼ା ଓଭର ବ୍ରିଜ ସମସ୍ୟା ଲୋକଙ୍କ ମୁଣ୍ଡ ବ୍ୟଥା ହୋଇଛି । ରାୟଗଡା ମେଡିକାଲ ସମସ୍ୟା ଆହୁରି ଗୁରୁତର। ରାୟଗଡ଼ା ସହରର ବାଇପାସ୍ ରାସ୍ତା ଏବେ ବି ସ୍ବପ୍ନ । ନୂତନ ବସଷ୍ଟାଣ୍ଡରେ କୌଣସି ଅଗ୍ରଗତି ନାହିଁ। ରେଳ ବିଭାଗ ସହ ଆଲୋଚନା କରି ଜମି ଅଧିଗ୍ରହଣ ପୂର୍ବକ କଳେବର ବୃଦ୍ଧି ଦିଗରେ ବିଧାୟକଙ୍କ ଭୂମିକା ଆଦୌ ସନ୍ତୋଷଜନକ ନୁହଁ । ନିର୍ବାଚନ ମଣ୍ଡଳୀରେ ଅନେକ ଲୋକ ବିଭିନ୍ନ କାରଣରୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେମାନଙ୍କୁ ସୁରକ୍ଷା ଦେବାରେ ବିଧାୟକ ଅବହେଳା କରିଛନ୍ତି ବୋଲି କହୁଛନ୍ତି ସହର ଭୋଟର। ସୁଗର ଫେକ୍ଟ୍ରି ଜମି ସରକାର ନିଜ ହାତକୁ ଆଣିଥିବା ବେଳେ ପୁଣି ଲିଜ ଜମି ସମସ୍ୟାକୁ କୋର୍ଟକୁ ଟାଣି ନେଇଛି କମ୍ପାନୀ । କମ୍ପାନୀର ଜମିଜମା ସମସ୍ୟା ଅତୀତରେ ନିଜେ ଆପ୍ଳା ସ୍ବାମୀ ବୁଝାବୁଝି କରୁଥିବାରୁ କମ୍ପାନୀର ଏଭଳି ପଦକ୍ଷେପ ପଛରେ ବିଧାୟକଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ସାଧାରଣରେ ଆଲୋଚନା ହେଉଛି । ଜମି ପାଇଁ ବିକାଶ ବାଧକ ସାଜିଛି । ଏଥିନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି । ବିଧାୟକ ବିକାଶରେ ବାଧକ ସାଜୁଛନ୍ତି କାହିଁକି ବୋଲି ଭୋଟର ପ୍ରଶ୍ନ କରିଛନ୍ତି ।
ତେବେ ବିଧାୟକଙ୍କ ସରଳ ଭାବ, ସାଦାସିଧା ବ୍ୟବହାର ଓ ସାଧାରଣ ଲୋକଙ୍କ ସହ ଅକ୍ଲେଶରେ ମିଶିବା ଏବଂ ନୂଆ ହେଲେ ବି ନିର୍ବାଚନ ମଣ୍ଡଳୀର ସମସ୍ୟା ନେଇ ବିଧାନ ସଭାରେ ପ୍ରଶ୍ନ ପଚାରିବା କଥାକୁ ଆଉ କିଛି ଲୋକେ ଗ୍ରହଣ କରିଛନ୍ତି । କଂଗ୍ରେସ ଦଳର ବିଧାୟକ ହୋଇଥିବାରୁ ବିରୋଧୀ ଦଳ ବିଧାୟକ ଭାବେ ଯାହା ଯେତିକି କରିବା କଥା ସେ ଉଦ୍ୟମ କରୁଛନ୍ତି ବୋଲି କହୁଛନ୍ତି ରାୟଗଡ ନିର୍ବାଚନ ମଣ୍ଡଳୀ ଭୋଟର । ତେବେ ନିଜ ମାଟି ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଭଳି ଆକ୍ରମକ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ଆଉ କିଛି ଭୋଟର । ରାଜନୈତିକ ସମୀକ୍ଷକଙ୍କ ମତ ଅଲଗା । ଆପଲା ସ୍ବାମୀଙ୍କ ରାଜନୈତିକ ଗତିବିଧି ଓ ବିଭିନ୍ନ ସମୟରେ ଦେଇଥିବା ମତାମତ ଆଦୌ ଗ୍ରହଣୀୟ ହୋଇପାରୁନି ବୋଲି କହିଛନ୍ତି । ଚଇତି ମଣ୍ଡପରେ ବିଜେପିର କାର୍ଯ୍ୟକ୍ରମକୁ ଖୋଲାଖୋଲି ସମର୍ଥନ କରିବା, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା ଏବଂ ବିଜେଡ଼ି ନେତା ଭାସ୍କର ରାଓଙ୍କ ସପକ୍ଷରେ ମତ ଏମିତିକି ମୋର ରାଜନୀତି ଗୁରୁ ବୋଲି କହିବା ଆଦି କେତେକ ମତ ଓ ମନ୍ତବ୍ୟକୁ ଖୋଦ କଂଗ୍ରେସ ସମର୍ଥକମାନେ ବି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଏହାଦ୍ବାରା ଦଳ କ୍ଷତି ଗ୍ରସ୍ତ ହେଉଛି ବୋଲି ମତ ଦେଉଛନ୍ତି ସମର୍ଥକ । ଆପଲାଙ୍କୁ ନେଇ କଂଗ୍ରେସର ବହୁ ପୁରୁଖା ନେତା ବି ଖୁସି ନାହାଁନ୍ତି । ଦଳ ଭିତରେ କ୍ରମଶଃ ଅସନ୍ତୋଷ ବଢି ଚାଲିଛି ଏବଂ କିଛି କାମ ହୋଇପାରୁନି ବୋଲି କହିଛନ୍ତି କିଛି କଂଗ୍ରେସ ସମର୍ଥକ ।
ବିରୋଧୀଙ୍କ ମତ

ଅନସୂୟା ମାଝୀ, ବିଜେଡ଼ି
ରାଜ୍ୟରେ ବିଜେପି ସରକାର। ଏଠି କଂଗ୍ରେସ ବିଧାୟକ । ଲଢେଇ କରିବାର ସୁଯୋଗ ଥିଲା । କିନ୍ତୁ ଗତ ବର୍ଷ ହେଲା ବିଧାୟକ ରାୟଗଡା ପାଇଁ କିଛି ଆଖି ଦୃଶିଆ କାମ କରି ପାରି ନାହାଁନ୍ତି। ରାୟଗଡ଼ାର ସମସ୍ୟା ବଢ଼ି ଚାଳିଛି। କେହି ଗୁହାରି ଶୁଣିବାକୁ ନାହାଁନ୍ତି। କାଶିପୁରରେ କଂପାନୀ ସମସ୍ୟା ଗୁରୁତର । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନାହିଁ। ଅଞ୍ଚଳରେ କଂପାନୀ ଅଛି । ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । କଂପାନୀ ନିକଟରେ ଆତ୍ମ ସମର୍ପଣ କରି ଦେଇଛନ୍ତି ବିଧାୟକ । ସେ ଜେଏସକୋର ତତ୍ବାବଧାରକ ଅଛନ୍ତି। କାଶୀପୁର ଖଣି ଅଞ୍ଚଳ । କମ୍ପାନୀ,ଠିକାଦାର ଓ ବିଧାୟକ ମିଶିଯାଇଛନ୍ତି । ଅଞ୍ଚଳର ବିକାଶ ,ଲୋକଙ୍କ ସ୍ବାର୍ଥ କୁ ଭୁଲି ଯାଇଛନ୍ତି ବିଧାୟକ । ଏବେ କାଶିପୁର ଅଂଚଳରେ ଲୋକଙ୍କ ବିରୋଧରେ ଯାଇ କମ୍ପାନୀ ସପକ୍ଷରେ କାମ କରୁଛନ୍ତି। ବିଧାୟକ ଲୋକଙ୍କ ସ୍ବାର୍ଥ ବିରୋଧୀ ହୋଇ ପଡିଛନ୍ତି । ଗାଁ ଲୋକଙ୍କୁ ପିଇବାକୁ ପାଣି ମିଳୁ ନାହିଁ, ଚିକିତ୍ସା ମିଳୁନାହିଁ, ବିଦ୍ୟୁତ୍ ନାହିଁ, ଲୋକଙ୍କୁ କାମ ମିଳୁ ନାହିଁ ।କମ୍ପାନୀ ଦ୍ବାରା ଲୋକେ ଶୋଷଣ ଶିକାର ହେଉଛନ୍ତି । ଲୋକଙ୍କ ପାଇଁ ସ୍ବର ଉତୋଳନ କରିବା କଥା ।ହେଲେ ଲୋକଙ୍କ ଆଶା ଓ ଭରସାର ପ୍ରତୀକ ବନନ୍ତେ । ତାହା କରି ପାରିନାହାନ୍ତି ।ଏଣୁ ଲୋକ ଭୋଟ ଦେଇ ପଶ୍ଚାତାପ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରାର୍ଥୀ ଅନସୂୟା ମାଝୀ ।

ବସନ୍ତ କୁମାର ଉଲ୍ଲାକା, ବିଜେପି
ବର୍ଷେ ଭିତରେ ବିଧାୟକ ସମ୍ପୁର୍ଣ୍ଣ ଫେଲ୍ ମାରିଛନ୍ତି । ଅଞ୍ଚଳର ବିକାଶ ପାଇଁ କିଛି ଉଦ୍ୟମ କରି ନାହାଁନ୍ତି । ସେ ଦିଗରେ ବିଧାୟକଙ୍କ ସାମାନ୍ୟତମ ଧାରଣା ବି ନାହିଁ । ବିଜେଡ଼ି ନେତା ଭାସ୍କର ରାଓଙ୍କ ହାତ ବାରିସୀ ସାଜିଛନ୍ତି । ରାୟଗଡାର ବିକାଶ କଥା ଭୁଲି ଯାଇ ଜେଏସକୋ ପାଇଁ ଓକିଲାତି କରୁଛନ୍ତି ବିଧାୟକ । ସେମିତି ନିଜ ସ୍ବାର୍ଥ ପାଇଁ କଂପାନୀ ସପକ୍ଷରେ କାମ କରୁଛନ୍ତି । ବାଲି, ମଦ ଓ ଖଣି ମାଫିଆଙ୍କ ସହ ହାତ ମିଶେଇ ନିଜର ଲାଭ କଥା ଚିନ୍ତା କରୁଛନ୍ତି। କୃଷି, ପାଣି, ରାସ୍ତାଘାଟ ଓ ଜନଜାତି ଭାଇମାନଙ୍କ ହିତ କଥା ସେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ବୋଲି ନିଜର ପ୍ରତିକ୍ରିୟାରେ ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ କୁମାର ଉଲ୍ଲାକା କହିଛନ୍ତି । ରାୟଗଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କିଛି କରି ପାରିନାହାନ୍ତି । କିଛି କରିବା ପାଇଁ ପ୍ଲାନ୍ ବି ରଖୀ ନାହାଁନ୍ତି । ବିଧାୟକ ସୁଯୋଗ କୁ ହାତ ଛଡ଼ା କରିଛନ୍ତି । ଯାହା ବିକାଶ ଘଟୁଛି ବିଜେପି ସରକାରଙ୍କ ଦ୍ବାରା ଚାଲିଛି । ରେଳ ଡିଭିଜନ ହେବ, ଥେରୁବାଲି ଗୁଣୁପୁର ରେଳପଥ ନିର୍ମାଣ ପଦକ୍ଷେପ, ରାୟଗଡ଼ା କୁ ଗୋପାଳପୁର କୁ ୪ଥାକିଆ ରାସ୍ତା ନିର୍ମାଣ ନିଷ୍ପତି ବିଜେପି ସରକାରଙ୍କ କାର୍ଯ୍ୟ । ରାୟଗଡ଼ା ବିଧାୟକଙ୍କ ଭୂମିକା କିଛି ନାହିଁ ବୋଲି କହିଛନ୍ତି ବସନ୍ତ କୁମାର ଉଲ୍ଲାକା ।

ବିଧାୟକଙ୍କ ମତ
ମୁଁ ସଂଗ୍ରାମରୁ ଆସିଛି । ଲୋକଙ୍କ ସମସ୍ୟାର ସମାଧାନ ଓ ଅଞ୍ଚଳର ବିକାଶ ମୋର ଲକ୍ଷ ରହିଛି । ମୋ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଁ ସବୁବେଳେ ଚେଷ୍ଟା କରି ଆସିଛି । ବିଧାନସଭାରେ ପ୍ରଶ୍ନ କରିଛି ।ଲଢେଇ ମଧ୍ୟ କରୁଛି । ଲୋକ ପ୍ରତିନିଧି ଭାବେ ସମସ୍ତଙ୍କୁ ମୋର ସମ୍ମାନ ରହିଛି । ଦଳ ଓ ନୀତି ଦୃଷ୍ଟିରୁ ଅନ୍ୟ ସବୁ ଦଳ ବିରୋଧରେ ମୋର ସଂଗ୍ରାମ ଜାରି ରହିବ । କମ୍ପାନୀ ବିରୋଧରେ , ମାଟି ପାଇଁ ମୋର ସଂଗ୍ରାମ କରୁଛି ଓ ଆଗକୁ ବି ଜାରି ରହିବ। ଲୋକଙ୍କ ସ୍ବାର୍ଥ ପାଇଁ ସର୍ବଦା ଲଢ଼ିବି । ମୁଁ କଂପାନୀର ଦଲାଲ ନାହିଁ । ଲୋକଙ୍କ ସ୍ବାର୍ଥ ବିରୋଧୀ ବିଜେଡି ନେତାମାନେ ହିଁ କମ୍ପାନୀ ଗୁଡ଼ିକର ଅସଲି ଦଲାଲ । କେଉଁ ମାନେ କମ୍ପାନୀରେ କାମ କରୁଛନ୍ତି । କେଉଁ ଦଳର ଲୋକେ, କାହା ଲୋକ କାମ କରୁଛନ୍ତି ରାୟଗଡ଼ା ଓ କାଶୀପୁର ଲୋକ ଭଲ ଭାବରେ ଜାଣିଛନ୍ତି ।ବିଜେପି କ୍ଷମତାରେ ରହି କମ୍ପାନୀର ସ୍ତବକ ପାଲଟିଛି । କଂପାନିର ସିସି ଟିଭି ଯାଞ୍ଚ କଲେ ସତ୍ୟ ଜଣା ପଡ଼ିବ ବୋଲି ବିସ୍ପୋରକ ମତାମତ ଦେଇଛନ୍ତି ରାୟଗଡ଼ା ବିଧାୟକ ଆପଲା ସ୍ବାମୀ କାଡ୍ରାକା।ଏହାସହ ଲୋକଙ୍କର ଓ ଅଞ୍ଚଳର ସ୍ବାର୍ଥ ବିରୋଧୀ କମ୍ପାନୀ ମାନଙ୍କ ବିରୋଧରେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛି । ବିଜେଡ଼ି ଓ ବିଜେପି କମ୍ପାନୀ ବିରୋଧୀ ଆନ୍ଦୋଳନ ରେ ସାମିଲ ହେବେ କି ? ଲୋକଙ୍କ ସହ କିଏ ଅଛି ଆଉ କେଉଁ ମାନେ କମ୍ପାନୀ ମାନଙ୍କ ସହ ଅଛନ୍ତି ଆଗାମୀ ଦିନରେ ମୁଖା ଖୋଲିବ ବୋଲି ବିଧାୟକ କହିଛନ୍ତି ।
ଆଗାମୀ କ୍ୟାଲେଞ୍ଜ
ବିଧାୟକ ଜିତିବା ପରେ ତାଙ୍କ ନିକଟରେ ନିର୍ବାଚନ ମଣ୍ଡଳୀରେ ବିକାଶ ପାଇଁ କୌଣସି ଠୋସ ବ୍ଲୁ ପ୍ରିଣ୍ଟ ନାହିଁ ବୋଲି ଅଭିଯୋଗ ହେଉଛି। ଏ ସଂପର୍କରେ ବିଧାୟକ କେବେ କେଉଁଠି ଲୋକଙ୍କୁ ନିଜର ଭବିଷ୍ୟତ ଯୋଜନା ସମ୍ପର୍କରେ ଅବଗତ କରେଇଥିବା ନଜିର ବି ନାହିଁ। ସେ ବିଧାୟକ ହୋଇଛନ୍ତି ସତ । କିନ୍ତୁ ଲୋକଙ୍କ ନେତା ହେବାରେ ସକ୍ଷମ ହୋଇ ନାହାଁନ୍ତି ବୋଲି ବିରୋଧୀ ମତ ସୃଷ୍ଟି ହେଉଛି । ଅଦ୍ୟାବଧି ବୁଦ୍ଧିଜୀବିଙ୍କୁ ନେଇ ଆଲୋଚନା ସହ ରାୟଗଡ ନିର୍ବାଚନ ମଣ୍ଡଳୀର ବିକାଶ ଲାଗି ରୋଡ ମ୍ୟାପ ପ୍ରସ୍ତୁତ କରିବା ଦିଗରେ ତିଳେ ମାତ୍ର ସ୍ପୃହା ପ୍ରଦର୍ଶନ କରି ନାହାଁନ୍ତି ରାୟଗଡା ବିଧାୟକ। ଏମିତିକି କିଛି ବୁଦ୍ଧିଜୀବି ତାଙ୍କୁ ଲିଖିତ ଭାବେ ନିର୍ବାଚନ ମଣ୍ଡଳୀର ବିକାଶ ଲାଗି ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଦିଗରେ କୌଣସି ଅଗ୍ରଗତି କରି ନାହାଁନ୍ତି ବୋଲି ଅଭିଯୋଗ ଶୁଣିବାକୁ ମିଳିଛି । କେବଳ ସଭା ସମିତି, ବ୍ୟକ୍ତିଗତ ଉତ୍ସବ, ଦଳୀୟ କାର୍ଯ୍ୟକ୍ରମ ଭିତରେ ନିଜକୁ ସୀମିତ ରଖିଛନ୍ତି । ଆଗକୁ ଆହୁରି ଚାରିବର୍ଷ ବାକି ରହିଛି । ଅସଲି ବିରୋଧୀ ଦଳ ଭୂମିକା ନିର୍ବାହ କରିବା ଆବଶ୍ୟକ । ଅଞ୍ଚଳର ସମସ୍ୟା ପ୍ରତି ସମ୍ବେଦନଶୀଳ ହୋଇ ରହିବା ବାଞ୍ଛନୀୟ । ରାୟଗଡାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦରକାର ବୋଲି ଲୋକେ ନିଜର ମତ ରଖିଛନ୍ତି । ବିଧାୟକ ଆଗକୁ କଣ ସବୁ କାର୍ଯ୍ୟ କରିବେ ସେ ଦିଗରେ ଏକ ଶ୍ବେତ ପତ୍ର ପ୍ରକାଶ କରିବାକୁ ଶିକ୍ଷିତ ଭୋଟର ବିଧାୟକଙ୍କୁ କହିଛନ୍ତି । ବିଧାୟକ ମଧ୍ୟ ଏ ମାଟି ଓ ମାଟିର ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଏବଂ ବୁଦ୍ଧିଜୀବୀ ଓ ସଧାରଣ ଲୋକଙ୍କ ସହାୟତା ଲୋଡିଛନ୍ତି।
କିଛି ପ୍ରମୁଖ ସମସ୍ୟା :
ବାଇପାସ୍ ନିର୍ମାଣ, ନାଗାବଳୀ ନଦୀ ଉପର ମୁଣ୍ଡରେ ଆଡ଼ିବନ୍ଧ ନିର୍ମାଣ , ନୂତନ ବସଷ୍ଟାଣ୍ଡର ନିର୍ମାଣ, ମେଡିକାଲ କଲେଜ ସ୍ଥାପନ, ଜନଜାତି ବିଶ୍ବ ବିଦ୍ୟାଳୟ ସ୍ଥାପନ, ଚାରି ଲାଇନ୍ ସଡ଼କ ପଥ, ଦ୍ବିତୀୟ ଓଭର ବ୍ରିଜ ନିର୍ମାଣ, ବସ୍ତି ବାସିନ୍ଦାଙ୍କ ଥଇଥାନ, ବିଦ୍ୟୁତ୍ ଚାଳିତ ଚୁଲା ଥିବା ଶ୍ମଶାନ ଘାଟ, ଷ୍ଟାଡିୟମ୍, କୃଷି ବିଶ୍ବ ବିଦ୍ୟାଳୟର ଶାଖା ସ୍ଥାପନ, ବିଏଡ୍ କଲେଜ ସ୍ଥାପନ, ନୂତନ ରେଳ ପ୍ରଚଳନ, ନୂତନ କଂପାନୀ ସ୍ଥାପନ, କମ୍ପାନୀରେ ସ୍ଥାନୀୟ ନିଯୁକ୍ତି ସମ୍ଭାବନା , ନୂତନ ପାର୍କ ନିର୍ମାଣ, ଏମଏସର ସେଟଲାଇଟ କେନ୍ଦ୍ର ସ୍ଥାପନ ତ୍ୟାଦି । ଏଭଳି ସମସ୍ୟାର ସମାଧାନରେ ବିଧାୟକ ଧ୍ୟାନ ଦେବା ଉଚିତ ।