ବିଶ୍ଵ ପରିବେଶ ଦିବସରେ ମାଟି ପାଇଁ ଆଦିବାସୀଙ୍କ ଗର୍ଜ୍ଜନ, ଦେଶର ଫୋକସରେ ରହିବ କାଶୀପୁର, ବେଦାନ୍ତ ଓ ଆଦାନୀର ବଢିଲା ଚିନ୍ତା

କାଶୀପୁର (ପ୍ରତିଫଳନ ମିଡ଼ିଆ )

ବିଶ୍ବ ପରିବେଶ ଦିବସରେ ପ୍ରାକୃତିକ ସଂପଦ ସୁରକ୍ଷା ନେଇ ରାୟଗଡା କାଶୀପୁରରେ ହେଉଛି ବଡ ଆୟୋଜନ।  ଏଥିରେ ଦେଶର ବହୁ ବିଶିଷ୍ଟ ପରିବେଶବିତ ଓ ଆନ୍ଦୋଳନକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି। ମାଟି ମାଆକୁ ବଞ୍ଚେଇବା ପାଇଁ କମ୍ପାନୀ ବିରୋଧୀ ଆନ୍ଦୋଳନକାରୀଙ୍କୁ ଉତ୍ସାହିତ ତଥା ମାର୍ଗଦର୍ଶନ ପାଇଁ ଯୋଗଦେବେ ଭାରତର ବିଶିଷ୍ଟ ପରିବେଶବିତ ମେଧା ପାଟେକର। ଦେଶର ସମସ୍ତ ଗଣମାଧ୍ୟମର ନଜରରେ ରହିବ କାଶୀପୁର। 

କାଶୀପୁର ସୁଙ୍ଗେର ହାଟପଦାଠାରେ ଆୟୋଜିତ ସମାବେଶରେ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟେକରଙ୍କ ସହ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ସମନ୍ବୟର ରାଷ୍ଟ୍ରୀୟ ଆବାହକ ଲିଙ୍ଗରାଜ ଆଜାଦ ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଯୋଗ ଦେବେ ବୋଲି  ମା-ମାଟି-ମାଳି-ସୁରକ୍ଷା ମଞ୍ଚ, କାଶିପୁର-ଥୁଆମୂଳ ରାମପୁର ପକ୍ଷରୁ ଏକ ପ୍ରଚାର ପତ୍ର ଜରିଆରେ ଉଲ୍ଲେଖ କରାଯାଇଛି। 

ପ୍ରଚାର ପତ୍ରରେ ଉଲ୍ଲେଖ ଅଛି ଯେ ସମଗ୍ର ବିଶ୍ଵରେ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ଵତାପ ବୃଦ୍ଧି ସବୁଠାରୁ ବଡ଼ ସଂକଟ ରୂପେ ଠିଆ ହୋଇଛି । ଏହାର ମୁଖ୍ୟ କାରଣ ବଡ଼ ବଡ଼ ଧନୀ ଦେଶ ଓ ଧନୀ ବ୍ୟକ୍ତିମାନଙ୍କ ବିଳାସପୂର୍ଣ ଜୀବନ ପାଇଁ ତଥା କମ୍ପାନୀମାନଙ୍କ ମୁନାଫା ପାଇଁ ଅବିସ୍ଫୁରିତ ଖଣିଖନନ ଓ ବିନାଶକାରୀ ଶିଳ୍ପାୟନ । ଜଳ, ଜଙ୍ଗଲ, ଜମି ପରି ପ୍ରାକୃତିକ ସଂପଦ ଗୁଡ଼ିକର ସୁରକ୍ଷା ସହ ପ୍ରଚଳିତ ବିକାଶ ବଦଳରେ ନିରନ୍ତର ବିକାଶ ପାଇଁ ସରକାର ନୀତି ପରିବର୍ତନ ନ କରି ମନ ଇଛା ଖଣି ପାଣି କମ୍ପାନୀକୁ ଦାନ କରୁଛନ୍ତି। 

କାଶୀପୁରର ସିଜିମାଳି ଓ କୁଟୁରୁମାଳିରେ ଖଣି ଖନନ ପାଇଁ ଗ୍ରାମ ସଭାର ବିନା ସମ୍ମତିରେ ରାଜ୍ୟ ସରକାର ବେଦାନ୍ତ ଓ ଆଦାନୀ କଂମ୍ପାନୀକୁ ଦେବା ଆଇନ ବିରୋଧୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ ହୋଇଛି। ସିଜିମାଳି, କୁଟୁରୁମାଳି ଓ ମାଝୀମାଳିର ସୁରକ୍ଷା ପାଇଁ  ଲଢ଼େଇକୁ ଆହୁରି ବ୍ୟାପକ କରିବାକୁ ଏହି ସମାବେଶ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଜଣା ପଡିଛି। ଏହି ଦୁଇ କମ୍ପାନୀକୁ ଖଣି ଖନନ ମିଳିଥିଲେ ମଧ୍ୟ ଲୋକଙ୍କ ବିରୋଧ ଯୋଗୁଁ କମ୍ପାନୀ ଓ ପ୍ରଶାସନକୁ ସେଇ ସବୁ ସ୍ଥାନକୁ ଯିବାକୁ ନାକେଦମ୍ ହେବାକୁ ପଡୁଛି । ସହଜରେ ସେହି ସ୍ଥାନକୁ ଯିବା ସମ୍ଭବ ହୋଇ ପାରୁନାହିଁ। ଏଇ ସମାବେଶରେ ଯୋଗ ଦେଇ କମ୍ପାନୀ ବିରୋଧୀ ଆନ୍ଦୋଳନକୁ ଆଗକୁ ନେବାକୁ ଶପଥ ନେଇ ମାଟି ମାଆ ପାହାଡ଼ ଜଙ୍ଗଲକୁ ସୁରକ୍ଷା ଦେବାକୁ ଜନ ସାଧାରଣଙ୍କୁ ମଞ୍ଚ ପକ୍ଷରୁ ଆହ୍ବାନ ଦିଆଯାଇଛି। ଫଳରେ ବେଦାନ୍ତ ଓ ଆଦାନୀ କମ୍ପାନୀର ଚିନ୍ତା ବଢ଼ିବାରେ ଲାଗିଛି। ଖଣି ଖନନ , ଜଙ୍ଗଲ ଓ ପରିବେଶର ସୁରକ୍ଷା କୁ ନେଇ ଓଡ଼ିଶାର କାଶୀପୁର ରେ ଏକ ସଂଘର୍ଷ ମୟ ପରିସ୍ଥିତି ଉପୁଜିବାର ସମ୍ଭାବନା ସୃଷ୍ଟି ହୋଇଛି ।

Spread the love