କୋରାପୁଟ (ପ୍ରତିଫଳନ ମିଡ଼ିଆ )
ସ୍ୱଦେଶୀ ଉଦ୍ୟୋଗ ଏବଂ ସ୍ଥାୟୀ କୃଷିକୁ ସ୍ୱୀକୃତି ଦେଇ, ଗ୍ରାମୀଣ ଜୀବିକା, ପରିବେଶଗତ ସମନ୍ୱୟ ଏବଂ ‘ ଭୋକାଲ ଫର ଲୋକାଲ’ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଆୟୋଗ ଏହାର ‘ଆକାଂକ୍ଷା’ ପଦକ୍ଷେପ ଅଧୀନରେ କୋରାପୁଟ କଫିକୁ ପ୍ରଦର୍ଶିତ କରିଛି। କୋରାପୁଟ ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ସ୍ବୀକୃତି ଦେଇଥିବାରୁ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି।

କୋରାପୁଟ କଫିକୁ ପ୍ରଶଂସା କରି, ନୀତି ଆୟୋଗ ଏହାର X ହ୍ୟାଣ୍ଡେଲରେ ଲେଖିଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି ଯେ “ପୂର୍ବ ଘାଟରେ 3,000 ଫୁଟ ଉଚ୍ଚରେ ଅବସ୍ଥିତ ଓଡ଼ିଶାର କୋରାପୁଟର ସୁଉଚରୁ ଏକ ଅପୂର୍ଵ ସ୍ୱାଦରେ ସମୃଦ୍ଧ ଏକ ପାନୀୟ ବାହାରିଥାଏ ଯାହା ଐତିହ୍ୟସମ୍ପନ୍ନ। ନାମ ତାର – କୋରାପୁଟ କଫି। କୋରାପୁଟ କଫି – ଉଚ୍ଚ ପାହାଡିଆ ଭୂମିରୁ ଜନ୍ମିତ ଏକ ସ୍ୱାଦ, ପରମ୍ପରାରେ ଆଧାରିତ ଏବଂ ଗର୍ବର ସହିତ ଚାଷ ହୁଏ।”
ଆଦିବାସୀ ବିକାଶ ସମବାୟ ନିଗମ ଓଡ଼ିଶା ଲିମିଟେଡ୍ (TDCCOL) ଦ୍ୱାରା ଆଦିବାସୀ ଚାଷୀଙ୍କଠାରୁ ସିଧାସଳଖ କିଣାଯାଇଥିବା ପ୍ରିମିୟମ୍ ଉତ୍କୃଷ୍ଟ ମାନର କଫି ଆରାବିକା ବିନ୍ସ ପାଇଁ କୋରାପୁଟ କଫିକୁ ପ୍ରଶଂସା କରିଛି ନୀତି ଆୟୋଗ। ଏହା ଚାଷୀମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ଏବଂ ସମ୍ମାନକୁ ସୁନିଶ୍ଚିତ କରୁଛି। ଏହାର ଉତ୍ପତ୍ତିକୁ ଅନୁସନ୍ଧାନ କରି ନୀତି ଆୟୋଗ ଉଲ୍ଲେଖ କରିଛି ଯେ କୋରାପୁଟରେ କଫି ଚାଷ ୧୯୩୦ ଦଶକରେ ଜୟପୁର ରାଜାଙ୍କ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା। ୧୯୫୮ ମସିହାରେ ସରକାରୀ ସହାୟତା ଏବଂ ୧୯୮୯ ରୁ ୨୦୧୬ ମଧ୍ୟରେ ଆଦିବାସୀ ପରିବାର ମାନଙ୍କୁ ବଡ଼ ପରିମାଣରେ ଜମି ବଣ୍ଟନ ମାଧ୍ୟମରେ ଅଭ୍ୟାସକୁ ଆହୁରି ପ୍ରତିଷ୍ଠା ଓ ପରିବର୍ଦ୍ଧିତ କରାଯାଇଥିଲା। ୨୦୧୫-୧୬ ସୁଦ୍ଧା କଫି ଚାଷ କ୍ଷେତ୍ର ୧୪୦୦ ହେକ୍ଟରରୁ ଅଧିକ ବୃଦ୍ଧି ପାଇଥିଲା।

୨୦୧୭ ମସିହାରେ କଫି ବୋର୍ଡ ସହିତ ପ୍ରତିଷ୍ଠିତ କଫି ବିକାଶ ଟ୍ରଷ୍ଟ ତାଲିମ କାର୍ଯ୍ୟକ୍ରମ, ଜମି ପ୍ରବେଶ ଏବଂ ବଜାର ସଂଯୋଗ ମାଧ୍ୟମରେ ପରିବେଶଗତ ସ୍ଥିରତା ଏବଂ ଆଦିବାସୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) କଫି ଚାରା ରୋପଣ, ରକ୍ଷଣାବେକ୍ଷଣ ଏବଂ ଏହି ଅଞ୍ଚଳରେ ଆର୍ଥିକ ଏବଂ ସାମାଜିକ ବିକାଶରେ ଯୋଗଦାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ଏ ସମ୍ପର୍କରେ ନିଜ ପ୍ରତିକ୍ରିୟାରେ କୋରାପୁଟର ଜିଲ୍ଲାପାଳ କୀର୍ତ୍ତି ଭାସନ ଭି କହିଛନ୍ତି, “ଜିଲ୍ଲା ତଥା କୋରାପୁଟ କଫି ସହିତ ଜଡିତ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ନୀତି ଆୟୋଗର ଆକାଂକ୍ଷା କାର୍ଯ୍ୟକ୍ରମରେ ଜଡିତ କରିବାକୁ ଆମେ ପ୍ରସ୍ତାବ ଦାଖଲ କରିଥିଲୁ ଏବଂ ଆମେ ବହୁତ ଖୁସି କୋରାପୁଟ କଫି ଏବେ ନୀତି ଆୟୋଗ ତାଲିକାରେ ସ୍ଥାନ ପାଇଛି।”
ପ୍ରଶାସନ ଚାଷକୁ ବୃଦ୍ଧି କରିବା ପାଇଁ ମହତ୍ୱାକାଂକ୍ଷୀ ଯୋଜନା ରଖିଛି। 2025-26 ପାଇଁ ଜିଲ୍ଲା 4,000 ହେକ୍ଟର ଜମିରେ ଚାରା ରୋପଣ ଏବଂ 800 ହେକ୍ଟର ଜମିରେ କଫି ଚାଷ କରିବାକୁ ଲକ୍ଷ୍ୟ ରଖିଛି। ଉତ୍ପାଦନ ବୃଦ୍ଧି କରିବା ଏବଂ ଖୁଚୁରା ଦୋକାନରେ ଉତ୍ପାଦକୁ ବ୍ୟାପକ ଭାବରେ ଉପଲବ୍ଧ କରିବା ପାଇଁ କଫି ପ୍ରକ୍ରିୟାକରଣରେ ଅଧିକ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବାର ପ୍ରସ୍ତାବ ମଧ୍ୟ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।
ବର୍ତ୍ତମାନ କୋରାପୁଟରେ କଫି ଚାଷ ଅଧୀନରେ 3,500 ହେକ୍ଟର ଜମି ରହିଛି, ଯେଉଁଥିରେ ପ୍ରାୟ 4,300 ଆଦିବାସୀ ଚାଷୀଙ୍କ ଦ୍ୱାରା ପରିଚାଳିତ 778 ହେକ୍ଟର ଘରୋଇ ଚାଷ ଅନ୍ତର୍ଭୁକ୍ତ। ଏକ ସରକାରୀ ଅଧ୍ୟୟନ ଜିଲ୍ଲାରେ 1.46 ଲକ୍ଷ ହେକ୍ଟର ଜମିକୁ କଫି ଚାଷ ପାଇଁ ଉପଯୁକ୍ତ ବୋଲି ଚିହ୍ନଟ କରିଛି। ଯାହା ଘରୋଇ ଏବଂ ବିଶ୍ୱ ବଜାରରେ କୋରାପୁଟ କଫି ପାଇଁ ବିପୁଳ ସମ୍ଭାବନାକୁ ନିଶ୍ଚିତ କରୁଛି। କୋରାପୁଟ କଫି ଜନଜାତିଙ୍କ ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇପାରିବ ବୋଲି ଶ୍ରୀ କୀର୍ତ୍ତି ଭାସନ କହିଛନ୍ତି। ଅପରପକ୍ଷେ ଏହି ସଫଳତା ପାଇଁ କୋରାପୁଟର ବୁଦ୍ଧିଜୀବୀ, ଚାଷୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।


