ରଥ ପାଇଁ ପଥ ହେଉ ପରିଷ୍କାର, ଅଣ୍ଡର ପାଶ ରାସ୍ତାକୁ ଅବରୋଧ ମୁକ୍ତ କରାଯାଉ, ମାଂସ ଦୋକାନ ହଟାଯାଉ : ରାୟଗଡା ସହରବାସୀ

ବର୍ଷା ଋତୁରେ ଦୈନିକ ମାର୍କେଟରୁ ହଇଜା ବ୍ୟାପିବା ଆଶଙ୍କା ବଢ଼ୁଛି, ବେଳ ଥାଉ ଥାଉ ସାବଧାନ ଜରୁରୀ

ରାୟଗଡା ( ପ୍ରତିଫଳନ ମିଡ଼ିଆ )

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହେଉଛି। ବୈଠକ ସରିବାର ଅନେକ ଦିନ ପରେ ବି ରଥଯାତ୍ରାକୁ ନେଇ ପ୍ରଶାସନ ସେପରି ପ୍ରସ୍ତୁତ ନଥିବା ଭଳି ଲାଗୁଛି। ରଥଯାତ୍ରାକୁ ଆଉ ହାତ ଗଣତି କିଛି ଦିନ ରହିଲା। ଅଥଚ ଟ୍ରାଫିକ ଓ ସ୍ୱଚ୍ଛତା ପ୍ରତି ଉଦାସୀନ ରହିଛି ପ୍ରସାଶନ। ରାୟଗଡାର ନୂଆ ଓ ପୁରୁଣା ସହରକୁ ଯୋଗାଯୋଗ ପାଇଁ ରହିଛି ଅଣ ଓସାରିଆ ଏକ ମାତ୍ର ଅଣ୍ଡର ପାଶ ରାସ୍ତା । ସେହି ରାସ୍ତାଟି ଉଠା ଦୋକାନୀ , ଠେଲା ଗାଡ଼ି, ଗାଡ଼ି ପାର୍କିଂ ,ରାସ୍ତା ଉପରେ ବାଲି, ଇଟା ପଡି ଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଶୁଖିଲା , ପୋଚା ସଡା ଜିନିଷ ପଡ଼ି ପୂତି ଗନ୍ଧମୟ ଦୂଷିତ ପରିବେଶ ସୃଷ୍ଟି ହୋଇଛି । କପିଳାସ ଛକ ଠାରୁ ଓଭର ବ୍ରିଜ ତଳ ହୋଇ ଅଣ୍ଡର ପାଶ ରାସ୍ତାଦେଇ ଗଲାବେଳେ ଦୁର୍ଗନ୍ଧରେ ନାକ ଫାଟି ପଢୁଛି। ଏହି ରାସ୍ତାରେ

ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ରଥଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ଉତ୍କଟ ହେବାର ସମ୍ଭାବନା ରହିଛି । ସମସ୍ତ ଅବରୋଧକୁ ହଟାଇ ଅଣ୍ଡର ପାଶ ରାସ୍ତାକୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ସହରବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।

ରଥଯାତ୍ରା ପୂର୍ବରୁ ସହରକୁ ସ୍ୱଚ୍ଛ ରଖିବା, ରାସ୍ତାରୁ ଜବର ଦଖଲ ହଟାଇବା, ଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତି ଅଞ୍ଚଳରେ ଭକ୍ତମାନେ ସୁବିଧାରେ ଦର୍ଶନ କରିବେ। ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ ରାୟଗଡ଼ା ସହରବାସୀ ନିବେଦନ କରିଛନ୍ତି । ବଡଦାଣ୍ଡ ସମେତ ,ଗୁଣ୍ଡିଚା ଘରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରୁ ଜବର ଦଖଲ ହଟାଇବା, ଅଣ୍ଡର ପାସ ରାସ୍ତାରୁ ଉଠା ଦୋକାନୀ, ମାଂସ ଦୋକାନୀକୁ ହଟାଇବା ସହ ଘରୋଇ ବ୍ୟବହାର ପାଇଁ ବେଆଇନ ନିର୍ମାଣ ହୋଇଥିବା ଗାଧୁଆ ଘର, ଶୌଚାଳୟଗୁଡ଼ିକୁ ହଟାଇବାକୁ ରାୟଗଡ଼ ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି । ରଥଯାତ୍ରା ପୂର୍ବରୁ ରାସ୍ତାରୁ ଜବର ଦଖଲ ହଟାଇବା, ନାଳ ନର୍ଦ୍ଦମା କୁ ସଫା ରଖିବା ସହ ସହର ସାରା ସ୍ୱଚ୍ଛତା ଅଭିଯାନ ଆରମ୍ଭ କରି ପରିବେଶକୁ ପରିଷ୍କାର ରଖିବା ସକାଶେ ଜିଲ୍ଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ନାଗରିକ ନିବେଦନ କରିଛନ୍ତି।
ବଡ ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଆଖ ପାଖ ରାସ୍ତାରୁ ମାଂସ ଦୋକାନ ଗୁଡ଼ିକୁ ହଟାଇବାର ଆବଶ୍ୟକତା ରହିଛି। ଗୁଣ୍ଡିଚା ମନ୍ଦିରକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ବହୁ ଭକ୍ତ ମୁଖ୍ୟତଃ ଏହି ରାସ୍ତାକୁ ବ୍ୟବହାର କରୁଥିବା ବେଳେ ସେହି ରାସ୍ତା ଦେଇ ଗଲା ବେଳେ ଭକ୍ତମାନେ ଅଶ୍ୱସ୍ତି ଅନୁଭବ କରୁଛନ୍ତି। ନାକରେ କପଡା ଦେଇ ସାଧାରଣ ଦିନରେ ଯିବାକୁ ପଡୁଛି। ତେବେ ରଥଯାତ୍ରା ବେଳେ ଭକ୍ତ ଯିବେ କିପରି? ଏଠାରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ଯେ ଆଗାମୀ ବର୍ଷା ଋତୁରେ ଏଠାରୁ ସହରକୁ ହଇଜା ବ୍ୟାପିବାର ସମ୍ଭାବନା ରହିଛି। ମୁଖ୍ୟ ରାସ୍ତା ଓ ଅଣ୍ଡର ପାଶ ରାସ୍ତା ଉପରେ ଉଠା ଦୋକାନ ଗୁଡ଼ିକ ବସିଛି ତ ରାସ୍ତା ଉପରେ କାର ,ବାଇକ୍ ରଖି ରାସ୍ତାକୁ ମଧ୍ୟ ସଙ୍କୁଚିତ କରାଯାଇଛି ।

ଏପରିକି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଛକଠାରୁ ଗୁଣ୍ଡିଚା ମନ୍ଦିରକୁ ଓ ପୋଷ୍ଟ ଅଫିସକୁ ସଂଯୋଗ କରୁଥିବା ଅଣ୍ଡର ପାଶ ରାସ୍ତା ଉପରେ ଠେଲା ଗାଡ଼ି, ଉଠା ଦୋକାନୀମାନେ ମାଡ଼ି ବସିଛନ୍ତି। ରାସ୍ତା ଉପରେ ଜବରଦସ୍ତି ଅନେକ ଘରୋଇ ପାଇଖାନା ,ଗାଧୁଆ ଘର ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି । ଏସବୁ ପ୍ରତି ପୌର କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ନୀରବ କାହିଁକି?
ସେହିପରି ଦୀର୍ଘ ଦିନ ଧରି ରାସ୍ତାର ବିଭିନ୍ନ ସ୍ଥାନରେ ବାଲି, ପଥର, ଇଟା , ମେଟାଲ ପଡିଛି । ସେହି ଗଳି ରାସ୍ତାରେ ହନୁମାନ ମନ୍ଦିର ରହିଛି। ହେଲେ ମନ୍ଦିର ପାର୍ଶ୍ଵରେ ଓ ଗୁଣ୍ଡିଚା ଯିବା ରାସ୍ତାରେ କୁକୁଡ଼ା କଟା ଯାଉଛି ଓ ମାଂସ ବିକ୍ରୟ କରାଯାଉଛି । ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏହି ବ୍ୟବସାୟିଙ୍କ ରୋଜଗାର ଦୃଷ୍ଟିରୁ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ ଏବଂ ଦୋକାନ ହଟାଇ ରାସ୍ତା ସଫା କରାଯାଉ। ପୁରୀ ବଡଦାଣ୍ଡରେ ଆମିଷ ମୁକ୍ତ କରାଗଲା ବେଳେ ଏଠାରେ ମନ୍ଦିର ପାର୍ଶ୍ୱରେ ମାଂସ ଦୋକାନର ଭିଡ଼ ଆଧ୍ୟାତ୍ମିକ ପରିବେଶକୁ ନଷ୍ଟ କରୁଛି।

ରଥ ଯାତ୍ରା ଭିଡ଼ ଦୃଷ୍ଟିରୁ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଏସବୁ ସ୍ଥାନକୁ ମୁକ୍ତ ଓ ସ୍ୱଚ୍ଛ ରଖିବା ଜରୁରୀ। ସୁତରାଂ ସେସବୁକୁ ହଟାଇ ରାସ୍ତାକୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି ସହରବାସୀ। ଏହା କରାଗଲେ ଭକ୍ତ ଓ ଶ୍ରଦ୍ଧାଳୁମାନେ ସୁବିଧାର ଯାତାୟାତ କରିପାରିବେ । ସେହିପରି ମନ୍ଦିର ନିକଟରେ ବିରାଟ ବଡ ଗଛ ରହିଛି । ଗଛର ଡାଳ ଗୁଡ଼ିକ ଓହଳି ବିପଦବସ୍ଥାର ରହିଛି । ଓହଳି ଥିବା ଡ଼ାଳ ଗୁଡ଼ିକୁ କାଟି ରାସ୍ତାକୁ ସଫା କରିବାକୁ ଅନୁରୋଧ କରିଛନ୍ତି ।

ରଥ ଯାତ୍ରା ସମୟରେ ଟ୍ରାଫିକ ଭିଡ଼ ରହିବ । ଟ୍ରାଫିକ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଅଣ୍ଡର ପାସ ରାସ୍ତାରୁ ବେଆଇନ ଅବରୋଧ ହଟାଇ ରାସ୍ତାକୁ ମୁକ୍ତ କରାଗଲେ ଯାତାୟାତରେ ସୁବିଧା ହୋଇପାରିବ ଓ ଟ୍ରାଫିକ ସୁପରିଚାଳନା ରେ ସୁଧାର ଆସିପାରିବ ବୋଲି ସହରବାସୀ କହିଛନ୍ତି । ତେବେ ଜବର ଦଖଲ ଉଚ୍ଛେଦ ଓ ସ୍ବଚ୍ଛତା ରଖିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୌର କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ କୁହାଯାଇଛି ।

Spread the love