କାଶୀପୁର (ପ୍ରତିଫଳନ ମିଡ଼ିଆ)
ଅନୁସୂଚିତ ଜନଜାତିର ଝିଅ ଓ ଅନୁସୂଚିତ ଜାତିର ପୁଅ ଭିତରେ ପ୍ରେମ ଓ ଘର ଛାଡି ଦୁହେଁ ନୂଆ ସଂସାର କରିବାକୁ ଚାଲିଗଲେ। କିନ୍ତୁ ପରିବାର ଓ ବଂଶ ଉପରେ ପଡିଲା ଜାତିର ଚାପ। ଅଜାତିରେ ବିବାହ ହୋଇଥିବାରୁ ଜାତିରୁ ବାସନ୍ଦ କଲେ। ନିଆଁ ପାଣି ହେଲା ବାସନ୍ଦ। ସେଥିରୁ ମୁକ୍ତି ପାଇଁ ପରିବାର ସମେତ ସେଇ ବଂଶର ଚାଳିଶି ସଦସ୍ୟ ମୁଣ୍ଡନ ହୋଇ ପାରମ୍ପରିକ ଜନଜାତି ରୀତିରେ ଶୁଦ୍ଧି ହୋଇଛନ୍ତି।

ଏହି ଶୁଦ୍ଧି ଦୃଶ୍ୟ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ ବାଇଗଣଗୁଡ଼ା ଗାଁରେ। ଜାତି ପ୍ରଥାକୁ ନେଇ ଏହି ଗାଁରେ ଦେଖାଦେଇଛି ଏକ ଭିନ୍ନ ପରିବେଶ। ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ସହ ଆଉ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ପ୍ରେମ ବିବାହ କରିଥିଲେ। ଏହି ଘଟଣାକୁ ନେଇ ଝିଅ ପରିବାରର ୪୦ ଜଣ ସଦସ୍ୟଙ୍କୁ ଜାତି ଲୋକ କଲେ ଟାର୍ଗେଟ। ଶୁଦ୍ଧି ହେବା ପାଇଁ ମୁଣ୍ଡନ କରିବା ସହିତ ପାରମ୍ପରିକ ରୀତିନୀତି ପାଳନ କରିବାକୁ ବାଧ୍ୟ କରାଯାଇଥିଲା। ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଉକ୍ତ ଯୁବକଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଯୁବତୀ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ କୂଳକୁଟୁମ୍ବ ଲୋକେ ଗାଁରେ ଏକ ବୈଠକ କରିଥିଲେ। ଜାତିରେ ରହିବାକୁ ହେଲେ ପରିବାରବର୍ଗଙ୍କୁ ତାଙ୍କ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁଷୁରି ବଳି ଦେବା ସହିତ ମୁଣ୍ଡନ କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଥିଲେ। ଯଦି ଏହାକୁ ନ ମାନନ୍ତି ତେବେ ଗାଁରୁ ବାସନ୍ଦ କରାଯିବ ବୋଲି ତାଗିଦ କରିଥିଲେ। ଗାଁ କୁଟୁମ୍ବ ତଥା ଗାଁ ଲୋକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ କରିଥିଲେ ବୋଲି ସେମାନେ କହିଛନ୍ତି। ଆଉ ବାଧ୍ୟ ହୋଇ ସେମାନେ ଶୁଦ୍ଧିକ୍ରିୟାର ଆୟୋଜନ କରିଥିଲେ। ଏହି କାର୍ଯ୍ୟ କରିବା ପାଇଁ ପରିବାର ବର୍ଗଙ୍କୁ ମାତ୍ରାଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା। ଯୁଗ ଆଜି ଚାର୍ଟ ଜିପିଟି ଏବଂ ଏଆଇର କଥା କହୁଥିବାବେଳେ ରାୟଗଡା ଜିଲ୍ଲା କାଶୀପୁରରେ ଜାତିଆଣର ଉଗ୍ର ମାନସିକତା ଭିତରେ ବୁଡି ରହି ଏଭଳି ଜଟିଳ ଶୁଦ୍ଧିକ୍ରିୟା ଭିତରେ ଗତି କରିବାକୁ ବାଧ୍ୟ ହେଉଛନ୍ତି।

