ଆଦିବାସୀ ଦେବତାଙ୍କ ଅନନ୍ୟ କ୍ଷେତ୍ର : ଶାବର ଶ୍ରୀକ୍ଷେତ୍ର 

କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ ଉପସ୍ଥାପନା ‘କାଳିଆ କାହାଣୀ’। ଏଇକ୍ରମରେ କୋରାପୁଟର ଶାବର ଶ୍ରୀକ୍ଷେତ୍ରକୁ ନେଇ ଏଇ ପ୍ରସ୍ତୁତି।

ପ୍ରଥମେ ରଥଯାତ୍ରା ପରେ ମନ୍ଦିର ନିର୍ମାଣ। ଏଭଳି ଘଟଣା ଘଟିଛି କେବଳ କୋରାପୁଟରେ। ନବ ଦିନ ଯାତ୍ରା ପରେ ମନ୍ଦିର କଥା ସମସ୍ତଙ୍କ ମୁଣ୍ଡ କୁ ଛୁଇଁଲା। ପରେ ମନ୍ଦିର ନିର୍ମାଣ ହେଲା। ଏସବୁ ଅଲୌକିକ ଘଟଣା ଯାହା ଘଟି ଯାଇଛି କୋରାପୁଟ ଶାବର ଶ୍ରୀକ୍ଷେତ୍ର ପ୍ରତିଷ୍ଠାକ୍ରମରେ। ମନ୍ଦିରକୁ ପହଞ୍ଚି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ 100 ରୁ ଅଧିକ ପାହାଚ ଅତିକ୍ରମ କରିବାକୁ ପଡ଼ିଥାଏ। ମନ୍ଦିରର ଉଚ୍ଚତା ପ୍ରାୟ 50 ଫୁଟ  ଏବଂ ଏଥିରେ ଦେଉଳ, ଜଗମୋହନ, ନାଟ ମଣ୍ଡପ ଏବଂ ଭୋଗ ମଣ୍ଡପ ସହିତ ଏକ ଚାରି କୋଠରୀ ବିଶିଷ୍ଟ କମ୍ପ୍ଲେକ୍ସ ଅଛି ଯାହା ପରସ୍ପର ସହିତ ନିବିଡ଼ ଭାବରେ ସଂଲଗ୍ନ।

ଅଲୌକିକତା

ଏକଦା ଗୋରା ସରକାରଙ୍କ ଉଚ୍ଚ ସ୍ଥାନ ପ୍ରତି ବିଶେଷ ଆକର୍ଷଣ ଥିଲା । ବ୍ରିଟିଶ ଶାସନ ଅମଳରେ କୋରାପୁଟର ଉଚ୍ଚତା ଯୋଗୁଁ ସେମାନେ ହେଡ କ୍ୱାର୍ଟର କରିଥିଲେ ତା ନୁହେଁ, କୋରାପୁଟ ସହର ମଧ୍ୟରେ ଥିବା ସମସ୍ତ ପାହାଡକୁ ମଧ୍ୟ ବ୍ୟବହାର କରିଥିଲେ । ସର୍କିଟ ହାଉସଠାରୁ ବିଭିନ୍ନ ବିଭାଗର ବଙ୍ଗଳା ସହିତ ସମସ୍ତ ସରକାରୀ ଅଫିସ କୋରାପୁଟର ଛୋଟବଡ ପାହାଡ ଉପରେ ସ୍ଥାପନ ହୋଇଥିଲା । ତେବେ ଭକ୍ତ ଓ ଗବେଷକଙ୍କ ମନରେ ପ୍ରଶ୍ନ ଉଠେ ଭଗବାନଙ୍କ ଇଚ୍ଛାରେ କ’ଣ ସହରର ମଧ୍ୟ ଭାଗରେ ଏକ ସୁନ୍ଦର ପାହାଡଟିଏ ଖାଲି ହୋଇ ରହିଥିଲେ ମହାପ୍ରଭୁଙ୍କ ବିରାଜମାନ ଅପେକ୍ଷାରେ ? ଯେଉଁଠାରେ ଆଜି ଗଢି ଉଠିଛି ଶାବର ଶ୍ରୀକ୍ଷେତ୍ର । ନୀଳଶୈଳ ନାମରେ ଅଭିହିତ ଏହି ପାହାଡରେ ବର୍ତ୍ତମାନ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ଅନ୍ୟ ଦେବ ଦେବୀଙ୍କ ଆସ୍ଥାନ ଗଢି ଉଠିଛି କାନ୍ତ କମନୀୟ ପରିବେଶ ମଧ୍ୟରେ। ଏହା ହିଁ କଳା ଠାକୁରଙ୍କ ଚମତ୍କାରିତା।ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାର ମଧ୍ୟ ସ୍ଵାତନ୍ତ୍ର୍ୟ ରହିଛି। ଲାଠିଙ୍କ ସମାଗମ ସହ ଆଦିବାସୀଙ୍କ ଭୋଗକୁ ରଥରେ ପ୍ରଥମେ ଭୋଗ ଲାଗି କରାଯାଏ। ଆଦିବାସୀ ମୁଖିଆ ଛେରା ପହରା ଦେଲା ପରେ ଆଦିବାସୀଙ୍କ ସମାଗମରେ ରଥଟଣା ହୁଏ।

ମନ୍ଦିର ନିର୍ମାଣ କାହାଣୀ

୧୯୭୨ ମସିହା ମେ ମାସ ୧୬ ତାରିଖରେ କୋରାପୁଟର ଗୋପବନ୍ଧୁ ପାଠାଗାରରେ ତତ୍କାଳୀନ ଏନ ଏ ସି ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ ବୟୋଜ୍ୟଷ୍ଠ ଆଡଭୋକେଟ ଭି. ଏମ୍. ଏ ରାମାରାଓଙ୍କ ଅଧକ୍ଷତାରେ ବସିଥିବା ଏକ ସଭାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଗଠନ କରାଯାଇ ଶାବର ଶ୍ରୀକ୍ଷେତ୍ର ନାମକୁ ସାର୍ଥକ କରିବା ପାଇଁ ଜଗନ୍ନାଥ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଗଲା । କୋରାପୁଟର କେନ୍ଦ୍ର ସ୍ଥଳୀରେ ଥିବା କାଙ୍କଡା ପାହାଡରେ ମନ୍ଦିର ଗଢିବା ପାଇଁ ନିଷ୍ପତ୍ତି କରି ଏହାକୁ ନୀଳଶୈଳ ନାମରେ ନାମିତ କରିବା ସହିତ ପାହାଡ ଉପରେ ପିଚୁଟିଣରେ ଅସ୍ଥାୟୀ ମନ୍ଦିର ନିର୍ମାଣ କରାଗଲା । ପୁରୀ ଶ୍ରୀକ୍ଷେତ୍ରର ଦାରୁରେ ଶ୍ରୀକ୍ଷେତ୍ରର ବିନ୍ଧାଣୀଙ୍କ ଦ୍ଵାରା ତିନି ମୂର୍ତ୍ତି ନିର୍ମିତ ହୋଇ କୋରାପୁଟରେ ପହଞ୍ଚିଲେ । ୧୯୭୨ ମସିହା ଜୁନ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଯଜ୍ଞ କର୍ମାଦି ସହ ଠାକୁରଙ୍କ ଗୁପ୍ତ ପୂଜା ଅନୁଷ୍ଠିତ ହେଲା । ୧୦ ତାରିଖ ଦିନ ପିଚୁଟିଣ ଅସ୍ଥାୟୀ ମନ୍ଦିର ମଧ୍ୟରେ ଠାକୁର ନିଜ ଯୌବନ ଜନ୍ମ ଦେଲେ । ଧୀରେ ଧୀରେ ଅସ୍ଥାୟୀ ମନ୍ଦିର ନଷ୍ଟ ହୋଇଗଲା । ନଗର ଉନ୍ନୟନ ବିଭାଗ ତରଫରୁ ମିଳିଥିବା ୨୫୦୦ ଟଙ୍କା ସହ ଭକ୍ତ ଓ ମନ୍ଦିର କର୍ମକର୍ତ୍ତା ମାନେ ମନ୍ଦିର ନିର୍ମାଣ ପାଇଁ ଦାନ ଗ୍ରହଣ ଆରମ୍ଭ କଲେ । ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଦାନରେ ଆଜବେଷ୍ଟସ୍ ଛାତର ପକା ଘରଟିଏ ତିଆରି ହେଲା । ଠାକୁର ସ୍ଥାୟୀ ମନ୍ଦିର ନିର୍ମାଣ ହେବା ଯାଏ ଏଠାରେ ଅବସ୍ଥାନ କଲେ । ୧୯୭୩ ମସିହା ଜୁଲାଇ ୧୧ ତାରିଖରେ ମୁଖ୍ୟ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ହେଲା । ଦୀର୍ଘ ୪ ବର୍ଷ ପର୍ଯ୍ୟନ୍ତ ମୁଖ୍ୟ ମନ୍ଦିର କେବଳ ମୂଳ ଦୁଆରେ ରହିଯିବା ପରେ ୧୯୭୭ ମସିହାରେ ଦଣ୍ଡକାରଣ୍ୟ ଯୋଜନାର ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ବରେ ଲୋକ ପ୍ରତିନିଧି, ଜିଲ୍ଲାର ଉଚ୍ଚପଦସ୍ଥ କର୍ମଚାରୀ ଓ ଜନସାଧାରଣଙ୍କ ସହଯୋଗରେ ୯ ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ ସମ୍ପର୍କ ହୋଇ ପାରିଲା । ଅଗଣିତ ଭକ୍ତଙ୍କ ଦାନ ମଧ୍ୟରେ ଜୟପୁରରେ ରଘୁନାଥ ନାୟକ ଓ ହାରାମଣି ବେହେରାଣୀଙ୍କ ଦାନ ଅତୁଳନୀୟ । ୧୯୭୮ ମସିହା ମାର୍ଚ୍ଚମାସ ୬ ତାରିଖ ଦିନ ମୁଖ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ସମାପନ ହେଲା ଏବଂ ଜୁନ ୭, ୮,୯ ତାରିଖ ତିନି ଦିନ ଧରି ମୁଖ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ ହେଲା । ପୁରୀର ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟ ସିଂହଦେବ ପ୍ରତିଷ୍ଠା ସଜ୍ଞରେ ପୂର୍ବସ୍ଫୁଟି ହେଲେ । ଧୀରେ ଧୀରେ ପାର୍ଶ୍ଵମନ୍ଦିରମାନ ନିର୍ମାଣ ହେଲା । ୧୯୮୨ ମସିହା ଏପ୍ରିଲ ୨୪, ୨୫ ଓ ୨୬ ତାରିଖ ଦିନି ଦିନ ଧରି ଶାବରଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ହେଲା ଏବଂ ୧୯୮୮ ମସିହା ଜାନୁୟାରୀ ୨୫ ତାରିଖରୁ ୨୯ ତାରିଖ ପାଞ୍ଚ ଦିନ ଧରି ଉପର ବେଢାର ଶ୍ରୀ ହନୁମାନ, ଶ୍ରୀଗଣେଷ, ସୂର୍ଯ୍ୟ, ଲକ୍ଷ୍ମୀ-ନୃସିଂହ, ବିମଳା, ସରସ୍ୱତୀ, ପର୍ଣ୍ଣବଖରୀ, ଲକ୍ଷ୍ମୀ ଓ ନବଗ୍ରହଙ୍କ ମନ୍ଦିର ପ୍ରତିଷ୍ଠା ହେଲା । ବର୍ତ୍ତମାନ ଓଡିଶାର ଶ୍ରୀକ୍ଷେତ୍ର ପୁରୀ ପରେ କୋରାପୁଟ ଏକ ମନ୍ଦିରମାଳିନୀ ପରିବେଶ ମଧ୍ୟରେ ଦ୍ବିତୀୟ ଶ୍ରୀକ୍ଷେତ୍ର ତଥା ଶାବରକ୍ଷେତ୍ର ଭାବେ ବିଦିତ ହୋଇସାରିଛି ।

ପ୍ରମୁଖ ବେଢା

 ହିନ୍ଦୁ ଦେବତାଙ୍କ ପ୍ରାୟ ସମସ୍ତ ପ୍ରମୁଖ ଦେବତା ଯେପରିକି ମହାବୀର ହନୁମାନ, ମହାଗଣେଶ, ସୂର୍ଯ୍ୟ, ଲକ୍ଷ୍ମୀନୃସିଂହ, ବିମଳା, ମହା ସରସ୍ୱତୀ, ପତରସୌରାଣୀ (ଲଲିତାମ୍ବିକେ) ମହାଲକ୍ଷ୍ମୀ, ଏବଂ ନବଗ୍ରହ ଏବଂ ଦୋଳ ମଣ୍ଡପର ଏକ ଭକ୍ତିପୂର୍ଣ୍ଣ ଦୃଷ୍ଟି ଚୋରି କରନ୍ତି।ମୁଖ୍ୟ ବେଢା (ବେଢା)ରେ ପ୍ରଭୁଙ୍କୁ ପରିକ୍ରମା କଲା ବେଳେ ଭକ୍ତ ଦର୍ଶନ କରିପାରିବେ।

ଦ୍ବିତୀୟ ବେଢା

   ଭାରତର ପ୍ରାୟ ପ୍ରତ୍ୟେକ ତୀର୍ଥସ୍ଥଳ (ପୀଠ) ର ଅଧିଷ୍ଠାତ୍ରୀ ଦେବତାଙ୍କ ଆଶୀର୍ବାଦ ଉପଭୋଗ କରିବା ଲାଗି ଦ୍ୱିତୀୟ ବେଢାରେ ସ୍ଥାପିତ ହୋଇଛି  ଅମରନାଥ, କେଦାରନାଥ, ବଷ୍ଣୋଦେବୀ, ପଶୁପତି ନାଥ, ପୃଥିବୀଶ୍ଵର, ଶ୍ରୀ ଗୋବିନ୍ଦା ଜିୟୁ, ଶ୍ରୀ କୃଷ୍ଣ ଜନମଭୂମୀ, ଭୁତନାଥ, ପାୟାଗ ରାଜେଶ୍ୱର, ବ୍ରହ୍ମସିଳା, କାଶୀ ବିଶ୍ୱନାଥ, ବିରଜା, କାଳୀ, କାମାକ୍ଷୀ, ବଦ୍ରିନାଥ, ଦ୍ୱାରକାନାଥ, ରାମଶ୍ୱର, ସୋମନାଥ, ପୁଷ୍କର, ମହାଳାକେଶ୍ୱର, ହରିଦ୍ୱାର, ଭିତଳଲଜୀ, ମୁଖଲିଙ୍ଗମ୍, ଶ୍ରୀକୁର୍ମା, ବାରାହାନୃସିଂହ, ଶ୍ରୀ ବାଲାଜୀ, ଆୟାପ୍ପା, ମୀନାକସି, ଏବଂ ଶ୍ରୀରଙ୍ଗମ୍ | 

ତୃତୀୟ ବେଢା

 ତୃତୀୟ ଶଯ୍ୟା ଓଡ଼ିଶାର ପ୍ରମୁଖ ପୀଠରୁ ଦେବତାମାନଙ୍କ ଆସ୍ଥାନ ରହିଛି। ଏଗୁଡ଼ିକ ହେଉଛି ସିଦ୍ଧ ମହାବୀର, ବଡ଼ଦେବଜୀଉ, ନୀଳମାଧବ, ଆଲାର୍ନାଥ, ରଘୁନାଥ, ଅନନ୍ତବାସୁଦେବ, ବାରାହନାଥା, ମାରଜାରାକେଶରୀ, ନରସିଂହନାଥ, କ୍ଷୀରଚୋରା ଗୋପୀନାଥ, ମହାବିନାୟକ, ଲଡୁବାବା, ଆଖଣ୍ଡଳମଣି, ଗୋକର୍ଣ୍ଣେଶ୍ୱର, ଗୁପ୍ତେଶ୍ୱର, ଚୌଷଠି ଯୋଗିନୀ, ତରା ତାରିଣୀ, ପାଟେଣେଶ୍ୱରୀ, ସୁବର୍ଣ୍ଣମେରୁ, ସିଦ୍ଧ ଭୈରବୀ, ନାରାୟଣୀ, ସାରଳା, ଭଟ୍ଟାରିକା, ସମଲାଇ, ହିଙ୍ଗୁଲା, ତରାତାରିଣୀ (ଘଟଗାଁ), କିଚକେଶ୍ୱରୀ, ଭାଗବତୀ, ମଙ୍ଗଳା, ଚାର୍କିକା, କଟକ ଚଣ୍ଡୀ,  ବାଗଦେବୀ ମାଣିକେଶ୍ବରୀ, ଅର୍ଦ୍ଧସନୀ ଇତ୍ୟାଦି।

ସ୍ୱତନ୍ତ୍ର ବେଢା

 ଆଉ ଏକ ବେଢାରେ ଶବରଙ୍କ  ଦେବତା ମାତରବନମଙ୍କୁ ସମର୍ପିତ ଏକ ଅସାଧାରଣ ମନ୍ଦିର ଦ୍ୱାରା ସଜ୍ଜିତ ହୋଇଛି।   ପୂଜ୍ୟ ମାଙ୍ଗେଇ ଗମାଙ୍ଗଙ୍କ ଦ୍ୱାରା ଏହି ମନ୍ଦିର କଳ୍ପନା କରାଯାଇଥିଲା। ସେହିପରି ମନ୍ଦିର ପକ୍ଷରୁ ବିରାଟ ପାଠାଗାର ଜ୍ଞାନ ମନ୍ଦିର, ଜନଜାତି ସଂଗ୍ରହାଳୟ ଓ ଉଚ୍ଚ ଶିକ୍ଷା ଏବଂ ଗବେଷଣା ପାଇଁ କୋଟସ ନାମରେ ଅନୁଷ୍ଠାନ ଗଢି ଉଠିଛି।

୧୯୭୨ ମସିହାରେ କୋରାପୁଟ ସହର ମଧ୍ୟରେ ମୁଣ୍ଡ ଟେକିଥିବା ସେହି କାଙ୍କରା ପଥର ପାହାଡ଼ ନୀଳଶୈଳରୁ ପବିତ୍ର ଜଗନ୍ନାଥ ପୀଠ ଏବଂ ବର୍ତ୍ତମାନର ଶାବର ଶ୍ରୀକ୍ଷେତ୍ର ଏକ ପୁଣ୍ୟ ତୀର୍ଥପୀଠ ହୋଇ ଗଢି ଉଠିଛି । 

Spread the love