କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ ଉପସ୍ଥାପନା ‘କାଳିଆ କାହାଣୀ’। ଏଇକ୍ରମରେ ଜୟପୁରର ପ୍ରସିଦ୍ଧ ରଥଯାତ୍ରା କୁ ନେଇ ଏଇ ପ୍ରସ୍ତୁତି।

ଦଶହରା ପରେ ରଥଯାତ୍ରା ହେଉଛି ଜୟପୁର ସହରର ଅନ୍ୟତମ ମୁଖ୍ୟ ଉତ୍ସବ । ରଥଯାତ୍ରା ଦିନ ସବୁଠାରେ ରଥ ଟଣା ଯାଉଥିବାବେଳେ ଜୟପୁରରେ କିନ୍ତୁ ତା ପରଦିନ ରଥ ଟଣାଯାଏ । ମହାରାଣୀ ଗେଷ୍ଟ ହାଉସ୍ ପର୍ଯ୍ୟନ୍ତ ଲମ୍ବିଥିବା ସୁନ୍ଦର ଓ ପ୍ରଶସ୍ତ ରାସ୍ତାଟି ହେଉଛି ହେଉଛି ବଡଦାଣ୍ଡ । ରଥଯାତ୍ରା ବେଳେ ଏହି ରାସ୍ତା ଆକର୍ଷଣୀୟ ହୋଇଉଠେ। ଉଭୟ ପାର୍ଶ୍ଵରେ ଦୋକାନ ବଜାର ବସି ଏକ ପ୍ରକାର ମେଳାର ଅନୁଭବ ଆଣିଦିଏ । ଓଡିଶାର ବିଭିନ୍ନ ସହର ଭଳି ଜୟପୁର ରଥଯାତ୍ରାର ଆରମ୍ଭ ପୁରୀ ମହାରାଜାଙ୍କ ଆଜ୍ଞାରେ ହୋଇଥିଲା ଏବଂ ଶ୍ରୀକ୍ଷେତ୍ର ଭଳି ପବିତ୍ର ଅକ୍ଷୟ ତୃତୀୟାରେ ହିଁ ଏଠାରେ ରଥ ନିର୍ମାଣର ଆରମ୍ଭ ହୋଇଥାଏ । ରାଜାଙ୍କ ଅମଳରେ ମହାରାଜା ନିଜେ ଆସି ରଥ ଅଖର ଆରମ୍ଭ ପୂଜାର୍ଚ୍ଚନା କରି ଶୁଭ ଦିଅନ୍ତି । ରାଜ ପୁରୋହିତ ଦ୍ୱାରା ପୂଜାର୍ଚ୍ଚନା ପରେ ରଥର ଅଖ ଯୋଡା ଆରମ୍ଭ ହୁଏ। ପରବର୍ତ୍ତୀକାଳରେ ରାଜ ପୁରୋହିତ ଏହି କାର୍ଯ୍ୟ କରିଆସୁଛନ୍ତି । ପହଣ୍ଡି ବିଜେ ସମୟରେ ଜୟପୁରର ସାନ୍ତା ସାହି, ଡେରା ସାହି, ସୁନାରୀ ସାହି, ଲାଲ ସାହି ଓ ବ୍ରହ୍ମା ସାହିର ଲୋକେ ଅଂଶଗ୍ରହଣ କରିଥାନ୍ତି । ରାଜାଙ୍କ ସମୟରେ ଜୟପୁରରେ ୪ ଟି ରଥ ନିର୍ମାଣ ହେଉଥିଲା । ତିନୋତି ରଥ ନୂଆ ନଅର ପାଇଁ ଏବଂ ଗୋଟିଏ ପୁରୁଣାଗଡ ରଥଯାତ୍ରା ପାଇଁ ନିର୍ମାଣ ହେଉଥିଲା । ରାଜାଙ୍କ ବେଠିଆମାନେ ରଥକୁ ସାମନା ପଟରୁ ଟାଣୁଥିଲେ। ପୁରୁଣାଗଡଠାରେ ନୀଳକଣ୍ଠେଶ୍ଵର ମନ୍ଦିରଠାରୁ ଦେବୀ କାଳିକା ମନ୍ଦିର ପର୍ଯ୍ୟନ୍ତ ରଥଟଣା ହୁଏ । ଏ ଆଡପ ଘରେ ବାହୁଡା ଯାତ୍ରା ଅନୁଷ୍ଠିତ ହୁଏ । ପହଣ୍ଡି ଦିନ ମହାରାଜା ରୂପା ଝାଡ଼ୁରେ ଛେରା ପହଁରା କରନ୍ତି । ଜୟପୁର ସହରରେ କିନ୍ତୁ ଶ୍ରୀ ଗୁଣ୍ଡିଚା ଦିନରେ ରଥଟଣା ନହୋଇ ତା ପରଦିନ ରଥଟଣା ହୋଇଥାଏ । ଏଥିନେଇ ରହିଛି ଅନେକ କଥା ଓ ଜନଶ୍ରୁତି ।

କଥା ଓ ଜନଶ୍ରୁତି
ରାଜଧାନୀ ନନ୍ଦପୁରରୁ ଜୟପୁର ସ୍ଥାନାନ୍ତରିତ ହେବା ପରେ ପ୍ରଥମେ ଜୟପୁରର ପୂର୍ବ ଦିଗରେ ଅବସ୍ଥିତ ଥିବା ନାକଟି ଡଙ୍ଗରର (ସତୀ ପର୍ବତ) ପାଦ ଦେଶରେ ଦୀର୍ଘ ମାଟି ପାଚେରୀ ନିର୍ମାଣ କରି ଗଡ ନିର୍ମାଣ କରାଯାଇଥିଲା । ମୁଖ୍ୟ ରାସ୍ତାରେ ନୂଆ ନଅର ନିର୍ମାଣ ପରେ ଏହା ସହରରେ ପୁରୁଣାଗଡ ନାମରେ ପରିଚିତ ହେଲା। ପୁରୁଣାଗଡଠାରେ ଅବସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ବେଢା ମଧ୍ୟରେ ଶ୍ରୀ ଜଗନ୍ନାଥ ମନ୍ଦିର ରହିଛି । ପୁରୀ ରଥଯାତ୍ରାକୁ ଅନୁସରଣ କରି ଶ୍ରୀ ଗୁଣ୍ଡିଚା ଦିନ ପୁରୁଣାଗଡଠାରେ ରଥଯାତ୍ରା ପ୍ରଥମେ ଅନୁଷ୍ଠିତ ହୋଇଥିଲା । ସେହି ସମୟରୁ ପୁରୁଣା ଗଡରେ ପ୍ରଥମ ଦିନରେ ଏବଂ ନୂଆ ନଅରରେ ତାପର ଦିନ ରଥଯାତ୍ର ରଥଯାତ୍ରା ପାଳିତ ହୋଇ ଆସୁଛି । କେହି କେହି ମତବ୍ୟକ୍ତ କରନ୍ତି ଯେ ରାଜପରିବାରର ନିକଟ ସଂପର୍କୀୟଙ୍କ କେହି ଜଣେ ମୃତ ହୋଇଯାଇଥିବାରୁ ଅଶୌଚଜନିତ କାରଣରୁ ରଥଟଣା ଗୋଟିଏ ଦିନ ବିଳମ୍ବରେ ହୋଇଥିଲା । ତାପରଠାରୁ ଏମିତି ପରମ୍ପରା ସୃଷ୍ଟି ହୋଇଛି। ଆଉ କିଛି ଗବେଷକଙ୍କ ମତରେ ଜୟପୁର ସହରରେ ପ୍ରଥମ ଯାତ୍ରା ପାଳନ ପାଇଁ ମହାରାଜା ସମ୍ମାନପୂର୍ବକ ଜଣେ ଦୂତ ହାତରେ ଅନୁରୋଧ ପତ୍ର ପୁରୀ ଗଜପତି ମହାରାଜାଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ । ପତ୍ରବାହାକ ପୁରୀ ଗଜପତିଙ୍କ ଅନୁମତି ପତ୍ର ଧରି ଜୟପୁରରେ ପହଁଚିବାରେ ଗୋଟିଏ ଦିନ ବିଳମ୍ବ ହୋଇଯାଇଥିଲା । ଆହୁରି ମଧ୍ୟ ଶୁଣିବାକୁ ମିଳେ ଯେ ପ୍ରଥମ ରଥଯାତ୍ରା ଦିନ ଶୁଭ ସମୟ ଗଡିଯାଇଥିବାରୁ ଏବଂ ଛେରା ପହଁରା ଦିନ ମହାରାଜା ଉପବାସ ପାଳନ କରୁଥିବାରୁ ରଥଯାତ୍ରା ଗୋଟିଏ ଦିନ ବିଳମ୍ବରେ କରାଯାଇଥିଲା । ଭିନ୍ନ ଏକ ସୂତ୍ରରୁ ଶୁଣିବାକୁ ମିଳେ ଯେ ରାଜାଙ୍କ ପାଳିତ ପାଟହସ୍ତୀମାନଙ୍କ ଦ୍ଵାରା ସେତେବେଳେ ରଥଟଣା କାର୍ଯ୍ୟ ହେଉଥିଲା । ଏକଦା ରଥଯାତ୍ରା ଦିନ ଏକ ପାଟହସ୍ତୀର ମୃତ୍ୟୁ ହେବାରୁ ରଥଟଣା ନ ଯାଇ ତା ପରଦିନ ଟଣାଯାଇଥିଲା । ସେହିଦିନଠାରୁ କୁଆଡେ ଆଷାଢ ଶୁକ୍ଳ ଦ୍ଵିତୀୟା ଦିନ ରଥଟଣା ନହୋଇ ପରଦିନ ଅର୍ଥାତ ଆଷାଢ ଶୁକ୍ଳ ତୃତୀୟା ଦିନ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ପରଂପରାରେ ପରିଣତ ହୋଇଗଲା । ସେ ଯାହା ହେଉ ଏଇ ପରମ୍ପରା

ପରିବର୍ତ୍ତନ ଓ ପରମ୍ପରା
ରାଜାଶାସନ ଲୋପ ପରେ ରାଜଦାଣ୍ଡରେ ତିନୋଟି ରଥ ପରିବର୍ତ୍ତେ ୨ଟି ରଥ ଟଣା ପ୍ରଥା ଆରମ୍ଭ ହେଲା ଏବଂ ମହାରାଜାଙ୍କ ସ୍ଥାନରେ ଛେରା ପହଁରା କାମ ରାଜ ପୁରୋହିତ ନେଲେ । ପହଣ୍ଡି ପରଦିନ ରଥଟଣା ହୁଏ। ରଥ ଟଣା ଦିନ ପ୍ରସିଦ୍ଧ ଶିଙ୍ଘ ବାଦ୍ୟ ପ୍ରଦର୍ଶନର ପରଂପରା ଏବେ ବି ପ୍ରଚଳିତ । ରଥଟଣା ହୋଇ ବାଙ୍କମଠସ୍ଥିତ ଆଡପ ମଣ୍ଡପ ଘରେ ପହଁଚେ । ଭଗବାନ ଏଠାରେ ଦଶ ଅବତାର ଧାରଣ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।
ଜୟପୁର ରଥଯାତ୍ରାରେ ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତର ପରଂପରା ରହିଛି । ହେରା ପଂଚମୀ ଦିନ ଆରିସା ଭୋଗ ହେବା ନିୟମ ଅଦ୍ୟାବଧି ପ୍ରଚଳିତ । ରାଜାଙ୍କ ସମୟରୁ ବାହୁଡା ଯାତ୍ରା ଦୁଇ ଦିନ ପାଳିତ ହୋଇ ଆସୁଛି । ବାହୁଡା ଦିନ ରଥ ମାଉସୀ ମା ମନ୍ଦିର ଚୈତନ୍ୟ ମନ୍ଦିର ଛକ ଠାରେ ଗୋଟିଏ ଦିନ ଅଟକି ଯାଏ । ଏଠାରେ ପୋଡ ପିଠା ଭୋଗ ହୁଏ । ତିନି ଠାକୁର ମାଉସୀ ମା ହାତରୁ ପୋଡ ପିଠା ଖାଇଲା ପରେ ତାପର ଦିନ ରଥ ଟଣା ହୋଇ ରାଜ ମହଲ ନିକଟକୁ ଆସିଥାନ୍ତି । ସାମନ୍ତରା ସାହିର ଦଇତାପତିମାନେ ଶ୍ରୀ ଜଗନ୍ନାଥଙ୍କୁ ଏବଂ ସୁନାରୀ ସାହିର ଦଇତାପତିମାନେ ଶ୍ରୀ ବଳଭଦ୍ର ଓ ସୁଭଦ୍ରାଙ୍କୁ ମନ୍ଦିରକୁ ବିଜେ କରାଇଥାନ୍ତି । ତେବେ ସମୟ ସହ ତାଳ ଦେଇ ଯୁଗ ବଦଳି ଯାଇଥିଲେ ବି ଜୟପୁର ରଥଯାତ୍ରାର ସ୍ୱାତନ୍ତ୍ର୍ୟ ଏବେ ବି ବଜାୟ ରହିଛି । ପୁରୀ ସମେତ ସବୁଠି ରଥଯାତ୍ରା ଦିନ ରଥ ଟଣା ଯାଉଥିବା ବେଳେ ଏଠାରେ ତାପର ଦିନ ହେଉଥିବାରୁ ଏଠାରେ ପ୍ରବଳ ଜନ ସମାଗମ ହୁଏ। ବିଭିନ୍ନ ଗୋଷ୍ଠୀର ଜନଜାତି ଲୋକଙ୍କ ଉପସ୍ଥିତି ଏହାର ମହତ୍ତ୍ୱକୁ ବହୁ ଗୁଣିତ କରେ।
( ଫଟୋ ସୌଜନ୍ୟ : ସାମାଜିକ ଗଣମାଧ୍ୟମ )

