ରାୟଗଡ଼ର ଶ୍ରଦ୍ଧା ଶ୍ରୀକ୍ଷେତ୍ର : ଶରଧାରେ ମଗ୍ନ ଭକ୍ତ ଓ ଠାକୁର

ରାୟଗଡା (ପ୍ରତିଫଳନ ମିଡ଼ିଆ )

କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ ଉପସ୍ଥାପନା ‘କାଳିଆ କାହାଣୀ’। ଏଇକ୍ରମରେ ରାୟଗଡ଼ର ଶ୍ରଦ୍ଧା ଶ୍ରୀକ୍ଷେତ୍ରକୁ ନେଇ ଏଇ ପ୍ରସ୍ତୁତି।

ଶ୍ରଦ୍ଧା ଶ୍ରୀକ୍ଷେତ୍ର

ରାୟଗତ ଶ୍ରୀ ମନ୍ଦିର ନିର୍ମାଣ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ନଥିବାବେଳେ ଅନେକ ଘଟଣାକ୍ରମ ଏହାର ପ୍ରାଚୀନତାକୁ ପ୍ରତିପାଦନ କରୁଛି । ଓଡିଶା ଇତିହାସକୁ ଅବଲୋକନ କଲେ ଶ୍ରୀ ଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡିଶାରେ ପ୍ରବେଶ କରିଥିଲେ । ଶ୍ରୀ ଚୈତନ୍ୟ ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ହେତୁ ଓଡିଶା ଆଗମନକାଳରେ ଅନେକ ସ୍ଥାନରେ ତାଙ୍କରି ପ୍ରଭାବରେ ଚୈତନ୍ୟ ମଠ, ଜଗନ୍ନାଥ ମନ୍ଦିର ସ୍ଥାପନ ହୋଇଥିଲା । ଅତଏବ ଶ୍ରୀ ଚୈତନ୍ୟ ଦଶ ଅବତାର ମଧ୍ୟରୁ ନନ୍ଦପୁରର ମତ୍ସ ତୀର୍ଥ, ଆନ୍ଧ୍ରର ଶ୍ରୀକୁର୍ମମର କଚ୍ଛପ ତୀର୍ଥ ଓ ସୀମାଂଚଳମର ବରାହ ବା ନରସିଂହ ତୀର୍ଥ ସ୍ଥାନକୁ ଯାଇଥିବା ଇତିହାସ କହେ । ଏଇକ୍ରମରେ ଶ୍ରୀ ଚୈତନ୍ୟ ନନ୍ଦପୁର ସାମ୍ରାଜ୍ୟ ଦେଇ ଗଲାବେଳେ ତତକାଳିନ ରାଜା ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ନିଜ ରାୟଗଡ ଗଡ଼ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିବା ଅନୁମାନ କରାଯାଏ ।

ଅପରପକ୍ଷେ ମୁକୁନ୍ଦଦେବଙ୍କ ଅନ୍ତେ ଉତ୍କଳରେ ସ୍ଵାଧୀନ ରାଜାଙ୍କ ଯୁଗ ଶେଷ ହୋଇଥିବାବେଳେ । ୧୫୨୭-୧୫୭୧ ପର୍ଯ୍ୟନ୍ତ ରାୟଗଡ଼ରେ ଶାସନ କରୁଥିବା ବିଶ୍ଵନାଥ ଦେବ ନିଜକୁ ନଉଣା ଗଜପତି ଭାବେ ଘୋଷଣା କରିଥିଲେ । କେବଳ ଘୋଷଣା ନୁହେଁ ନିଜକୁ ଗଜପତିଙ୍କ ଭଳି ଉପସ୍ଥାପିତ ମଧ୍ୟ କରିଥିଲେ । ଏଇ କାରଣରୁ ଗଜପତି ଶ୍ରୀ ଜଗନ୍ନାଥଙ୍କ ଆଦିସେବକ ହୋଇଥିବାରୁ ଆଚରଣ ଓ ବ୍ୟବହାରରେ ନିଜକୁ ନଉଣା ଗଜପତି ବୋଲି ଦର୍ଶାଉଥିବା ବିଶ୍ଵନାଥ ଦେବ ନିଜ ଗଡରେ ଶ୍ରୀ ଜଗନ୍ନାଥ ମନ୍ଦିର ସ୍ଥାପନ କରିଥିବା ଅନୁମାନ କରାଯାଏ ।ବିଶ୍ଵନାଥଦେବକଙ୍କ ତିନି ପୁତ୍ର ମଧ୍ୟରୁ ମୁକୁନ୍ଦଦେବ ନାମରେ ଜଣେ ରାଜା ଶାସନ କରୁଥିଲେ । ମୁକୁନ୍ଦ ଦେବ ଶାସନ କାଳରେ ପାଇକପଡା ମନ୍ଦିର ବିକଶିତ ହୋଇଥିବା କୁହାଯାଏ । ପ୍ରଖ୍ୟାତ ଐତିହାସିକ କେଦାର ନାଥ ମହାପାତ୍ର ଜଗନ୍ନାଥ ସଂସ୍କୃତିର କ୍ରମବିକାଶ ଗ୍ରନ୍ଥରେ ରାୟଗଡ ଶ୍ରୀ ଜଗନ୍ନାଥ ମନ୍ଦିର ୧୭୦୦ ଖ୍ରୀଷ୍ଟାବ୍ଦର ବୋଲି ଉଲ୍ଲେଖ କରିଥିବା ଜଣାଯାଏ।

ରାୟଗଡ ମନ୍ଦିର କୋଉ ଅନାଦି କାଳରୁ ନିର୍ମିତ ନିର୍ମିତ । କହିବାକୁ ଗଲେ ତିନି ଶତାବ୍ଦୀ ପୂର୍ବରୁ ଏହାର ନିର୍ମାଣ କରାଯାଇଥିବା ଅନୁମାନ କରାଯାଇଛି । ତେବେ ଜୟପୁରର ପୁରାତନ ଜଗନ୍ନାଥ , ରାୟଗଡର ପୁରାତନ ଜଗନ୍ନାଥ ମନ୍ଦିର ନବରଙ୍ଗପୁରର ଜଗନ୍ନାଥ ମନ୍ଦିର ଏବଂ ଗୁଣପୁରର ଜଗନ୍ନାଥ ମନ୍ଦିରଏକା ଢାଞ୍ଚା ରେ ବହୁ ମୂଲ୍ୟବାନ ଖୋଦିତ କାଠ ଏବଂ ଝିଙ୍କରରେ ନିର୍ମିତ ହୋଇଥିବାରୁ ଏହି ତିନି ମନ୍ଦିରର ନିର୍ମାଣ କାଳ ପାଖାପାଖି ସେହି ଏକା ସମୟରେ ହୋଇଥିବା ଅନୁମାନ କରାଯାଏ । ତେବେ ଦୀର୍ଘ ବର୍ଷର ଅକ୍ଲାନ୍ତ ପରିଶ୍ରମ ଓ ସମସ୍ତଙ୍କ ସହଯୋଗରେ 2007 ମସିହାରେ ନୂତନ ଶ୍ରୀମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇପାରିଛି।

ରଥଯାତ୍ରାର ବିଶେଷତ୍ଵ

ଏଠିକାର ରଥଯାତ୍ରାର ମଧ୍ୟ ବିଶେଷତ୍ଵ ପରିଲକ୍ଷିତ ହେଉଥିଲା । ରଥଟଣା ଗୋଟିଏ ଦିନରେ ହେଉ ନ ଥିଲା । ମାଉସୀ ମାଁ ମନ୍ଦିର ନ ଥିବାରୁ ରଥଯାତ୍ରା ଦିନ ସନ୍ଧ୍ୟା ମଧ୍ୟରେ ଯେଉଁଠି ରଥ ରହି ଯାଉଥିଲା, ରଥ ରହୁଥିବା ସାମ୍ନା ଘରକୁ ମାଉସୀ ମାଁ ମନ୍ଦିର ବୋଲି ବିବେଚନା କରାଯାଉଥିଲା ଏବଂ ସେହି ଘରର ମାଲିକ ସେଦିନର ଭୋଗ ନୈବେଦ୍ୟ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ ବାଧ୍ୟ ହେଉଥିଲେ । ଗତ କିଛି ବର୍ଷ ଧରି ଏଇ କାର୍ଯ୍ୟ ପୋଲିସ କୋଲନୀ ସଂପାଦିତ କରୁଛି । ରାୟଗଡରେ ଅବସ୍ଥାପିତ ଆଇଆଇସିଙ୍କ ପକ୍ଷରୁ ଏହା କରାଯାଉଛି । ସେହିପରି ଗୁଣ୍ଡିଚା ମନ୍ଦିର ଏକ ନଡା ଛପର ଘରେ ତିଆରି ହୋଇଥିବା ବେଳେ ପରେ ଏହାକୁ ମୁଖ୍ୟ ବଜାର ପାର୍ଶ୍ଵରେ ସ୍ଥାୟୀ ଭାବେ ନିର୍ମାଣ କରାଯାଇଛି । ଯାବତୀୟ ସମସ୍ୟା ସତ୍ତ୍ଵେ ରାୟଗଡର ରଥଯାତ୍ରା ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା । ଆଦିବାସୀଙ୍କ ପାଇଁ ଏହି ଯାତ୍ରା କେବଳ ଯାତ୍ରା ନୁହେଁ । ଭକ୍ତି ଭାବ ସହ ଆଦିବାସୀଙ୍କ ସମାଗମ ଏଇ ଯାତ୍ରାର ମହିମାକୁ ବହୁଗୁଣିତ କରି ଆସିଛି।  ଅତୀତରେ ରାୟଗଡାର ଯାତ୍ରା ଦୁଇ ଦିନ ଧରି ଚାଲୁଥିବାରୁ ଲୋକଙ୍କ ସମାଗମ ଲାଗି ରହୁଥିଲା । ଦୁଇଦିନବ୍ୟାପୀ ରଥଯାତ୍ରାରେ ଆଖପାଖର ଲୋକେ ପ୍ରଚୁର ଆନନ୍ଦ ଅନୁଭବ କରୁଥିଲେ । ସେତେବେଳେ ସାଧାରଣ ଲୋକଙ୍କ ବଡ ସମାବେଶ ପାଇଁ ବିଶେଷ ଉତ୍ସବ ନଥିଲା ରାୟଗଡରେ । ରଥଯାତ୍ରା ଲୋକଙ୍କ ପାଇଁ ସେଇ ଅବସର ଆଣି ଦେଉଥିବାରୁ ପୁରପଲ୍ଲୀର ଆଦିବାସୀ ଅପେକ୍ଷା କରି ରହୁଥିଲେ ରାୟଗଜର ରଥଯାତ୍ରାକୁ ।

ରାୟଗଡ଼ର ରଥଯାତ୍ରା ପାଇଁ ଏକଦା ମୁକୁନ୍ଦପୁର ଅଂଚଳରୁ କାଠ ଆସୁଥିଲା । ଗୁମ୍ମାର ଜନଜାତି ଲୋକେ ଲହିରେ ତିଆରି ରସି ରଥ ଟଣା ପାଇଁ ଯୋଗାଇଥିଲେ । ପାଇକମାନେ ପାରଂପରିକ ଭାବେ ପହଣ୍ଡି ବିଜେ ପାଇଁ ଲୁଗା ବିଛେଇବାରେ ନିୟୋଜିତ ହେଉଥିଲେ । ଗୌଡ ସଂପ୍ରଦାୟର ଲୋକେ ଜଗନ୍ନାଥଙ୍କ ରୋଷଘରକୁ ପାଣି ଯୋଗଉଥିଲେ ଏବଂ ଯାତ୍ରା ସମୟରେ ମାଆ ମହାଲକ୍ଷ୍ମୀଙ୍କ ବିମାନସେବାରେ ନିୟୋଜିତ ରହୁଥିଲେ । ଏବେ ବି କିଛି ଗୌଡ ପରିବାର ଜଗନ୍ନାଥ ମନ୍ଦିରର ପିତଳ ପୂଜା ସାମଗ୍ରୀକୁ ନିତି ସଫା କରିବା କାର୍ଯ୍ୟରେ ନିୟୋଜିତ । ସେହିପରି ରାଜାଙ୍କ ପ୍ରତିନିଧିତ୍ବ କରୁଥିବା ରାଜସ୍ୱ କର୍ମଚାରୀଙ୍କ ସହାୟତାରେ ଧୋବା ଜାତିର ଲୋକ ଏବେବି ଦିହୁଡି ଧରି ଘର ଘର ବୁଲି ରଥଯାତ୍ରାର ନିମନ୍ତ୍ରଣ ଦେଉଥିବା ‌ ଦେଖିବାକୁ ମିଳେ ।

ରାୟଗଡ଼ର ରଥଯାତ୍ରା ସର୍ବଧର୍ମ ସମନ୍ବୟର ପ୍ରତୀକ ହୋଇଥିବା ବେଳେ ଅଦ୍ୟାବଧି ହୋଇଥିବା ରଥଯାତ୍ରାଗୁଡିକରେ ରାୟଗଡରେ ବିଭିନ୍ନ ଭାଷାଭାଷି ଲୋକଙ୍କ ସମାଗମ ସତ୍ତ୍ବେ କେବେ ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ଦୃଷ୍ଟିଗୋଚର ହୋଇନାହିଁ । ଏହା ହିଁ ରାୟଗତର ଶ୍ରୀମନ୍ଦିରର ମହିମାକୁ ପ୍ରତିପାଦିତ କରୁଛି । ଏସବୁ ପରେ ବି ରାୟଗଡ ଭଳି ସୀମାନ୍ତବର୍ତ୍ତୀ ସହରରେ ପ୍ରତିବର୍ଷ ହେଉଥିବା ରଥଯାତ୍ରା ଅଂଚଳରେ ଧାର୍ମିକ ଭାବ ସୃଷ୍ଟି ସହ ସାଂପ୍ରଦାୟିକ ସଦଭାବନା ବଜାୟ ରଖିବାରେ ବେଶ ସହାୟକ ହୋଇପାରିଛି । ମହାପ୍ରଭୁଙ୍କ ବେଶ ଲାଗି ବହୁ ରୂପା ଓ ସୁନା ଅଳଙ୍କାର ରହିଥିବା ସେ ପ୍ରତିବର୍ଷ ମହାପ୍ରଭୁଙ୍କ ସୁନା ବେଶ ଦେଖିବାରୁ ଭକ୍ତ ବଂଚିତ ହେଉଥିଲେ ଭକ୍ତ । ଏହି ଅଳଙ୍କାର ଆଭୂଷଣ ସଂପ୍ରତି ସରକାରୀ ଟ୍ରେଜରୀ ମଧ୍ୟରେ ଗଚ୍ଛିତ ହୋଇ ରହିଥିବା ବେଳେ ପ୍ରଶାସନିକ ଆଗ୍ରହ ଅଭାବରୁ ଶ୍ରୀ ଜୀଉଙ୍କ ଆଭୂଷଣ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ ବୋଲି ସାଧାରଣରେ ଅଭିଯୋଗ ଶୁଣିବାକୁ ମିଳୁଛି । ତେବେ ଗତ କିଛି ବର୍ଷ ଧରି ଏଠାରେ ସୁନାବେଶ ହେଉଛି । ଭକ୍ତଙ୍କ ଭିତରେ ନୂଆ ଉନ୍ମାଦନା ଓ ଉତ୍ସାହ ଜାଗରିତ ହୋଇପାରିଛି ।

(ଫୋଟ ସୌଜନ୍ୟ : ସାମାଜିକ ଗଣମାଧ୍ୟମ )

Spread the love