କୋଟିଆ ( ପ୍ରତିଫଳନ ମିଡ଼ିଆ )
କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ ଉପସ୍ଥାପନା ‘କାଳିଆ କାହାଣୀ’। ଏଇକ୍ରମରେ କୋଟିଆର ଶ୍ରୀଜଗନ୍ନାଥଙ୍କୁ ନେଇ ଏଇ ପ୍ରସ୍ତୁତି।

କୋଟିଆର ରଥଯାତ୍ରର ସ୍ଵାଦ ନିଆରା । ଉପରେ ଝରୁଥାଏ ଆଷାଢର ଆକାଶର ଅବିଶ୍ରାନ୍ତ ବାରି । ତଳେ ରଥ । ମୃଦଙ୍ଗର ଘଣ୍ଟର ସାଙ୍ଗକୁ ଆଦିବାସୀଙ୍କ ପାରମ୍ପରିକ ” ଥରିଲା ଦେହର ଭଦ୍ର ଭକ୍ତ ଟାଣନ୍ତି ଭେରୀ ତୁରୀର ଧ୍ଵନି ବାଦ୍ୟ ବାଜଣାର ଧ୍ବନି ପରିବେଶର ପ୍ରକମ୍ପ ସୃଷ୍ଟି କରେ ଶ୍ରୀଜଗନ୍ନାଥଙ୍କ ରଥ ଦୋହଲି ଦୋହଲି ଚାଲେ । କଳାଶ୍ରୀମୁଖ ପ୍ରୀତ ଦିନରେ ଅନାଇଁ ରହିଥାନ୍ତି ପ୍ରାଣପ୍ରିୟ ଭକତ ସବୁ । ଆଦିମ ସେ ଯାତ୍ରା। କୋଟିଆର ରଥଯାତ୍ର ଯେଉଁଠି ଭକ୍ତ ଭଗବାନଙ୍କ ଭାବହିଁ ସୁତ୍ର ହୋଇଥାଏ ।
କୋଟିଆରେ ଜଗାର ଆବିର୍ଭାବ
୨୦୦୪ ମସିହା ମଇ ମାସ ଏକ ତାରିଖ । ଭକ୍ତଙ୍କ ଅପୂର୍ବ ଉଲ୍ଲାସ ମଧ୍ୟରେ ତିନିଠାକୁର ନବନିର୍ମିତ ମନ୍ଦିରରେ ପ୍ରବେଶ କଲେ । ଠାକୁର ରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତରେ ତିନିଠାକୁର ରତ୍ନ ସିଂହାସନରେ ବିଜେ କଲେ । ଗଜପତି ମହାରାଜଙ୍କ ଗହଣରେ ଆସିଥିଲେ ସେଦିନ ତାଙ୍କର କୁଳଗୁରୁ ଏବଂ ଓଡିଶାର ବହୁ ଗଣ୍ୟମାନ ବିଜନ ବହୁ ମୁର୍ଦ୍ଧନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମାହିତ ହୋଇଥିଲା ହୋମ ଯଜ୍ଞାଦି ପ୍ରତିଷ୍ଠା କର୍ମ। ସମସ୍ତ କାର୍ଯ୍ୟକ୍ରମ ପରେ କ୍ରମ ଅନୁସାରେ ମହାରାଜଙ୍କ ତିନିଠାକୁରଙ୍କ ମନ୍ଦିର ପ୍ରବେଶାନ୍ତେ ଗଜପତି ଠାରୁ ସମବେତ ଉଦ୍ଦେଶ୍ୟରେ ଆଶୀର୍ବଚନ ସ୍ଵତଃ ପରିସ୍ଫୁଟ ହୋଇଥିଲା । ସେତେବେଳେ ସେ ନିଃଶଙ୍କୋଚରେ ସ୍ଵୀକାର କରିଥିଲେ ” ବାସ୍ତବରେ ଶବର ଦେବତା ଆଜି ଶବରଙ୍କ ଗହଣରେ ବିରାଜମାନ । ପ୍ରିୟଜନଙ୍କ ଡାକରାରେ ସେ ବିମୋହିତ।”

କାଳିଆ କରୁଛନ୍ତି ପରିବର୍ତ୍ତନ
ଏକ ପାର୍ଶ୍ଵରେ ଦେଓମାଳି ପର୍ବତର ପାଦଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଗଳି ନବନିର୍ମିତ ପକ୍କା ରାସ୍ତା । ଅପର ପାର୍ଶ୍ଵରେ କୋଟିଆ ଗ୍ରାମପୁଞ୍ଜ ଅଭିମୁଖେ ଯିବାପାଇଁ ଅନୁରୂପ ରାସ୍ତା । ରାସ୍ତାରେ ସର୍ପିଳ ଗତିରେ ପାହାଡ ଉପରକୁ ଉଠିଲାବେଳେ ଦର୍ଶକ ଉଭୟ ପାର୍ଶ୍ଵର ପ୍ରାକୃତିକ ଦୃଶ୍ୟରେ ବିମୋହିତ ହୋଇ ପଡିବ। ଦେଓମାଳି ଶୃଙ୍ଗର ପାଦଦେଶରେ ଠିଆହୋଇ ଚାରି ଆଡକୁ ଅନେଇଲେ ତଳକୁ ତଳକୁ ଖାଲି ପାହାଡ ଆଉ ପାହାଡ। ତାରି ଭିତରେ କଳାଶ୍ରୀ ମୁଖ।
ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଉତ୍କଳର ସାସ୍କୃତିକ ଇତିହାସରେ ଏହାଥିଲା ନିଶ୍ଚିତ ଭାବରେ ଏକ ଉଲ୍ଲେଖଯୋଗ୍ୟ ଘଟଣା । ସେଦିନର ସ୍କୃତି ସବୁବେଳେ ରୋମାଞ୍ଚ ସୃଷ୍ଟି କରେ। ଭାବବିହ୍ବଳ ଅଗଣିତ ଆଦିବାସୀ ଜନତା ପାଖପଡିଶା ଗାଆଁ ମାନଙ୍କରୁ ଧାଇଁ ଆସିଥିଲେ । ପାହାଡର ଧାରରେ ଠାକୁରଙ୍କ ମନ୍ଦିର ଆଗକୁ ଅଣ ଓସାରିଆ ରାସ୍ତାଟିଏ । ପାହାଡର ପଛକୁ ଗହୀର ଗହର, ଆଖି ପାଉନାହିଁ । ତୀଖ ହୋଇ ଉଠିଛି ପରେ ପୁଣି ପାହାଡ । ମଝିରେ ମଝିରେ ସଂକୀର୍ଣ୍ଣ ଗିରିପଥ ଅଥବା ଜଳବାହୀ ନାଳ । ଅପୂର୍ବ, ସ୍ୱପ୍ନିଳ ଏ ଦୃଶ୍ୟ । ତାରି ଭିତରେ ଏକ ପାହାଡ ପାର୍ଶ୍ଵରେ ଶ୍ରୀଜଗନ୍ନାଥଙ୍କ ଅଧିଷ୍ଠାନ । ଏହାର ପଛପଟକୁ ରହିଛି ଆମ ରାଜ୍ୟର ସୀମା । ସୀମାଟି ଠିକ୍ ଭାବରେ ନିର୍ଦ୍ଧାରିତ ହୋଇପାରିନି ବୋଲି ସଂପ୍ରତି ବିବାଦ ଭିତରେ ରହିଛି ଏହି ଅଞ୍ଚଳ । ତେବେ ଶ୍ରୀଜଗନ୍ନାଥ ଅଧିଷ୍ଠିତ ହେଲାପରେ ଅଭୂତପୂର୍ବ ସେ ଉନ୍ମାଦନା ଏ ଅଞ୍ଚଳରେ ଖେଳିଯାଇଛି । ବିକାଶର ରାସ୍ତା ଉନ୍ମକ୍ତ ହୋଇଛି। ବହୁ ଉନ୍ନୟନମୂଳକ କାର୍ଯ୍ୟ ଅନୁଷ୍ଠିତ ହୋଇ ଚାଲିଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସହ ଚାରୋଟି ମନ୍ତ୍ରୀ ଯୋଗଦାନ କରି ସେଇ ଅଞ୍ଚଳରେ ଅଦ୍ଭୁତ ଶୀହରଣ ଖେଳାଇ ଦେଇଛନ୍ତି।

କୋଟିଆର ରଥଯାତ୍ରା ପରମ୍ପରା
ଯେଉଁ ଦିନ ପ୍ରଥମ ଥର ପାଇଁ କୋଟିଆରେ ଶ୍ରୀଜଗନ୍ନାଥଙ୍କ ରଥ କୋଟିଆ ଗ୍ରାମପୁଞ୍ଜର ଆଦିବାସୀଙ୍କର ହର୍ଷ ଉତ୍ତଫୁଲିତ ବିପୁଳ ସମାବେଶ ଭିତରେ ଏହି ଭବ୍ୟ ନବଯାତ୍ରା ଯେଉଁ ପରିବେଶ ସୃଷ୍ଟିକରିଥିଲା ତାହା ଅନେକଙ୍କ ପାଇଁ ଆଣିଦେଇ ଥିଲା ଏକ ନୂଆ ଅନୁଭବ । ବିଚିତ୍ର ଭାବାବେଶରେ ରଥ ଟାଣୁଥିଲେ ଶହ ଶହ ଆଦିବାସୀ ଜନତା । ଶ୍ରୀଜଗନ୍ନାଥଙ୍କ କନ୍ଧପୂଜକ ବେକରେ ମାଳପକାଇ ଠାକୁରଙ୍କ ପାଖରେ ରଥରେ ବିଚିତ୍ର ଏ ଠାକୁର, ବିଚିତ୍ର ତାରି ଲୀଳା । କେମିତି ଏତେ ସବୁ ସମ୍ଭବ ହୋଇଗଲା । ଅଳ୍ପଦିନ ଭିତରେ କୋଟିଆ ବଦଳିଗଲା । ସେହିଦିନୁ ଠାରୁ ଯାତ୍ରା ହେଉଛି କୋଟିଆରେ । ରଥ ପଛେ ପଛେ ପ୍ରଗତି ଗଡି ଗଡି ଆସୁଛି କୋଟିଆ ଗ୍ରାମ ପୁଞ୍ଜକୁ । ପ୍ରଭୁ ଧନ୍ୟ କରିଛନ୍ତି ଏ ଅଞ୍ଚଳ ଅଧିବାସୀଙ୍କୁ, ଅଗଣିତ ଆଦିସେବକଙ୍କୁ ।
ବର୍ଷକୁ ବର୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏକ କ୍ଷୁଦ୍ର ଅଥଚ ରମଣୀୟ ରଥରେ ଚତୁଦ୍ଧମୂର୍ତି ବିଜେ କରନ୍ତି । ପ୍ରଥମ ବର୍ଷରୁ ହିଁ ଶ୍ରୀଗୁଣ୍ଡିଚା ପରଦିନ ଅର୍ଥାତ୍ ଆଷାଢ ଶୁକ୍ଲ ତୃତୀୟାଦିନ ଏଠାରେ ଯାତ୍ରା ଅନୁଷ୍ଠିତ ହେବା ପରମ୍ପରା ସୃଷ୍ଟି ହୋଇଛି । ଏହାର ଉଦ୍ଦେଶ୍ୟ ହେଲା ଶାବରଙ୍କ ଶ୍ରୀକ୍ଷେତ୍ରରେ ତଥା ପଟ୍ଟାଙ୍ଗୀ ଠାରେ ଶ୍ରୀଗୁଣ୍ଡିଚା ଯାତ୍ରା ନିର୍ଦ୍ଦିଷ୍ଟ ଦିନ ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ ଦିନ ବହୁ ଆଦିବାସୀ କୋଟିଆରେ ଏକତ୍ର ହେବା ସୁବିଧା ହୋଇପାରିବ । ପଟ୍ଟାଙ୍ଗୀ ତହସିଲଦାର ଏହି ଯାତ୍ରାର ଦାୟିତ୍ଵ ନେଇଥାନ୍ତି । ପୁଣି ଶାବର ଶ୍ରୀକ୍ଷେତ୍ରରୁ ଆବଶ୍ୟକୀୟ ଉପକରଣମାନ ପ୍ରତିବର୍ଷ ଜଣେ ପୂଜକଙ୍କ ସହ ପ୍ରେରିତ ହୁଏ । ନିକଟସ୍ଥ ପଟ୍ଟାଙ୍ଗୀ, ସୁନାବେଡା, ଦାମନଯୋଡି ତଥା କୋରାପୁଟର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଯାତ୍ରାରେ ପ୍ରତିବର୍ଷ ଉପସ୍ଥିତ ରହନ୍ତି ।

କୋଟିଆ ରଥଯାତ୍ରାର ସ୍ଵାତନ୍ତ୍ର୍ୟ
କୋଟିଆ ଯାତ୍ରାର ସ୍ୱାତନ୍ତ୍ର୍ୟ ରହିଛି । ପାହାଡ ଉପରେ ଲମ୍ବିଥିବା, ରାସ୍ତାରେ ମହାପ୍ରଭୁଙ୍କ ରଥ ଗଡି ଗଡି ଚାଲେ । ରାସ୍ତାର ବାମ ପାର୍ଶ୍ୱଟି ତୀଖ ଡାହାଣ ପାର୍ଶ୍ୱଟି ଗଡାଣିଆ ପ୍ରାୟ ପ୍ରତିବର୍ଷ ବର୍ଷା ହେଉଥାଏ । ବର୍ଷେ ପ୍ରବଳ ବର୍ଷା । ରଥଯାତ୍ରାକୁ ଉପଭୋଗ କରନ୍ତି ଅଗଣିତ ଭକ୍ତ ବର୍ଷାରେ ଭିଜି ଭିଜି ରଥଟଣା ଥିଲା ବେଳେ ଯେଉଁ ଉନ୍ମାଦନା ଭରାଧ୍ଵନୀ ଯେଉଁ ଭାବବିଭୋର ଭାବରେ ହରି ବୋଲି ଘଣ୍ଟି ମୃଦଙ୍ଗର ନାଦରେ ପାର୍ବତ୍ୟ ଅଞ୍ଚଳରେ ପ୍ରତିଧ୍ଵନିତ ହେଉଥାଏ।

ଗ୍ରାମମାନଙ୍କରୁ ଆସି ରୁଣ୍ଡ ହୋଇଯାନ୍ତି । ପାହାଡ ଉପରେ ଥିବା ସଂକୀର୍ଣ୍ଣ ରାସ୍ତାଟି ଜନଗହଳି ହୋଇପଡେ । ମହାପ୍ରଭୁଙ୍କ କ୍ଷୁଦ୍ର ଅଥଚ ସୁରମ୍ୟ ରଥ ଗଡିଚାଲେ ଗୁଣ୍ଡିଚା ଅଭିମୁଖେ । ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ଏହି ସ୍ଥାନଟିର ଯାତ୍ରା ଦାୟିତ୍ଵ ବହନ କରିଥାନ୍ତି ପଟ୍ଟାଙ୍ଗୀ ତହସିଲଦାର । ଏମନ୍ଦିରର ନିର୍ମାଣରେ, ପ୍ରତିଷ୍ଠାରେ ଶାବର ଶ୍ରୀକ୍ଷେତ୍ରସ୍ଥ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନ କମିଟିଙ୍କ ଉଦ୍ୟମ ଅବିସ୍ମରଣୀୟ । ଆଜି ମଧ୍ୟ ପ୍ରତ୍ୟେକ ଯାତ୍ରାରେ ଯାବତୀୟ ଉପକରଣ ଶାବର ଶ୍ରୀକ୍ଷେତ୍ରରୁ ପ୍ରେରିତ । ଜଣେ ପଣ୍ଡା ସମସ୍ତ ପଦାର୍ଥ ସହିତ ଯାତ୍ରାରେ ଉପସ୍ଥିତ ସ୍ଥିତ ରହନ୍ତି । ପରିଚାଳନା ସଂସ୍ଥାର ସଦସ୍ୟମାନେ ଯାତ୍ରାରେ ପ୍ରତିବର୍ଷ ଯୋଗଦେବାର ପରମ୍ପରା ରହିଛି । ତେବେ ପାହାଡି ରାସ୍ତାରେ ରଥଯାତ୍ରା ଓ ପାହାଡ଼ ତଳେ ଜଗାର ଉପସ୍ଥିତି କେବଳ ଜଗନ୍ନାଥଙ୍କ କରୁଣା ବିନା ଆଦୌ ସମ୍ଭବ ନୁହଁ ଏକଥା ସମସ୍ତେ ହୃଦବୋଧ କରିଛନ୍ତି।

