ଗୁଣୁପୁର (ପ୍ରତିଫଳନ ମିଡ଼ିଆ)
କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ ଉପସ୍ଥାପନା ‘କାଳିଆ କାହାଣୀ’। ଏଇକ୍ରମରେ ଗୁଣୁପୁରର ତଲାରି ଯାତ୍ରାକୁ ନେଇ ଏଇ ପ୍ରସ୍ତୁତି।

ରାୟଗଡ ଜିଲ୍ଲାର ଗୁଣପୁରରେ ରହିଛି ଦୁଇଟି ମନ୍ଦିର । ଗୋଟିଏ ପୁରାତନ ଓ ଛୋଟ ମନ୍ଦିର । ଅନ୍ୟଟି ନୂତନ ଓ ବଡ । ୧୦୦ ମିଟର ଦୂରତା ଭିତରେ ୨ଟି ମନ୍ଦିର ଏବଂ ଦୁଇଟି ଯାତ୍ରା କେବଳ ରାୟଗଡ ଜିଲ୍ଲା ଗୁଣପୁରରେ ହିଁ ଦେଖିବାକୁ ମିଳେ । ଅଯୋଧ୍ୟାର ଋଷିମାନେ ଆସି ବଂଶଧାରା ନଦୀ କୂଳରେ ପୁରାତନ କାରୁକାଯ୍ୟରେ ଭରା ସାନ ମନ୍ଦିରକୁ ନିର୍ମାଣ କରିଥିଵା ଜଣାଯାଏ । ଜୟପୁରର ମହାରାଜା ଦ୍ଵିତୀୟ ବିକ୍ରମଦେବ ଏଇ ମନ୍ଦିରକୁ ପୃଷ୍ଠପୋଷକ କରିଥଲେ। ସେହିଦିନଠାରୁ ଏଠାରେ ଦୁଇଟି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ବଡରଥକୁ ପୁରୁଷ ଭକ୍ତମାନେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣନ୍ତି । ଏହି ଯାତ୍ରାରେ ପ୍ରଚୁର ପରିମାଣରେ ତଲାରୀ ବିକ୍ରି କରାଯାଉଥିବାରୁ ଏହାକୁ ତଲାରୀ ଯାତ୍ରା ବୋଲି ମଧ୍ୟ କୁହାଯାଏ ।

ଯାତ୍ରାର ଭିଡ ଭିତରେ ମୁଣ୍ଡରେ ତଲାରୀ ଆତଯାତ ହେଉଥିବେ ଅନେକ ଲୋକ । ମୁହଁରେ ଖୁସିର ହସ । ଏଣେ ଗଦା ଗଦା ହୋଇଥିବ । ମାନେ ବାଉଁଶ କିମ୍ବା ତାଳ ପତ୍ରରେ ତିଆରି ଛତ୍ରୀ । ମୁଣ୍ଡାଇ ତାରି ଚାରିପଟେ ଘେରି ରହିଥିବେ ଚାଷୀ ମହିଳା ଶ୍ରମଜୀବି । ମୁଲଚାଲ ଚାଲୁଥିବ । ବେପାର ଛିଡିଲା ପରେ ମୁଣ୍ଡରେ ଥୋଇ ଆଗେଇଚାଲିବେ । ରଥଯାତ୍ରା ବେଳକୁ ଆସିଯାଇଥାଏ ମୌସୁମୀ। ଆରମ୍ଭ ହୋଇଯାଇଥାଏ ବର୍ଷା । ଆଗକୁ ପୁଣି ବର୍ଷା ଋତୁ । ଚାଷବାସ କାମରେ ସମସ୍ତେ ନିୟୋଜିତ ହେବେ । ଚାଷ ଜମିରେ ଝିପି ଝିପି ବର୍ଷାରେ କାମ କରିବା ଲାଗି ମୁଣ୍ଡକୁ ଲୋଡା ଛତ୍ରୀ । ବାଉଁଶ, ଲହି ଓ ଶିଆଳୀ ପତ୍ରରେ ସଜ୍ଜା ହୋଇଥିବା ବାଉଁଶ ତଲାରୀ ହେଉ କି ତାଳ ପତ୍ରରେ ପ୍ରସ୍ତୁତ ତଲାରୀ ବର୍ଷାଦିନେ ଚାଷୀ ଓ ରୁଆ କାର୍ଯ୍ୟରେ ନିୟୋଜିତ ମହିଳା ଶ୍ରମଜୀବିଙ୍କ ପାଇଁ ବେଶ ଦରକାରୀ । ଗୁଣପୁର ରଥଯାତ୍ରା ଏଥିପାଇଁ ଆଣିଦିଏ ସୁଯୋଗ । ଆଦିବାସୀ ତଥା ଚାଷୀମାନେ ଏହି ଯାତ୍ରାରୁ ତଲାରୀ କିଣନ୍ତି । ଖାସ ଏଥିପାଇଁ ଯାତ୍ରାରେ ଅନ୍ୟାନ୍ୟ ପସରା ସାଂଗକୁ ବହୁଳ ଭାବରେ ବିଭିନ୍ନ କିସମର ତଲାରୀର ପସରା ଥାଏ । ତଲାରୀର କିଣାବିକା ଓ ମୁଣ୍ଡରେ ତଲାରୀ ମୁଣ୍ଡାଇ ଯାତ୍ରୀମାନଙ୍କ ଆତଯାତ ଯାତ୍ରାରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥାଏ । ସମୟ ସହ ଆଧୁନିକତାର ସ୍ପର୍ଶରେ ଅନେକ କିଛି ପରିବର୍ତ୍ତନ ହୋଇଯାଇଥିଲେ ଆଜି ବି ଗୁଣପୁରର ରଥଯାତ୍ରାର ସ୍ୱାତନ୍ତ୍ର୍ୟ ରହିଛି ଏବେ ବି ଲୋକେ ଚାହିଁ ବସି ରହିଥାନ୍ତି କେବେ ରଥଯାତ୍ରା ଆସିବ, ତଲାରୀ କିଣାହବ । ଏଇ ଆଗ୍ରହ ଗୁଣପୁରର ରଥଯାତ୍ରାକୁ ଲୋକଙ୍କୁ ଟାଣି ଆଣେ ।

ଖଡା ସାରୁ ଭୋଗ
ଗୁଣୁପୁର ରଥଯାତ୍ରାର ଆଉ ଏକ ବୈଶିଷ୍ଟ୍ୟ ହେଲା ଖଡା ଓ ସାରୁ ଭୋଗ । ଗୁଣ୍ଡିଚା ରହଣି କାଳରେ ଚତୁ୍ଦ୍ଧାମୂର୍ତ୍ତିଙ୍କୁ ଖଡା ଭୋଗ ଦିଆଯାଏ । ଏହା କେବେଠୁ ଆରମ୍ଭ ହେଲା ତାର ସଠିକ ତଥ୍ୟ ନଥିବା ବେଳେ ଦୀର୍ଘ ଦିନରୁ ଏଇ ପରମ୍ପରା ପାଳିତ ହୋଇ ଆସୁଥିବା ଜନଶ୍ରୁତିରୁ ଜଣାଯାଏ। ଖଡା ଓ ସାରୁ ଭୋଗ ସହ ଏଠାରେ ଦହିବରା ଏବଂ ରାଗ ଚଣା ଆଦିକୁ ମଧ୍ୟ ଠାକୁରଙ୍କ ଠାରେ ଭୋଗ କରାଯାଏ । ଏହାକୁ ପାଇବାକୁ ଭକ୍ତଙ୍କ ପ୍ରବଳ ଆଗ୍ରହ ରହିଥାଏ ।

