ହେରା ପଞ୍ଚମୀରେ ରାୟଗଡା ଓ ଗୁଣୁପୁରରେ ପାଳନ ହୁଏ ଭିନ୍ନ ପରମ୍ପରା

ପ୍ରତିଫଳନ ମିଡ଼ିଆ

 ପତି-ପତ୍ନୀଙ୍କର ରାଗ-ରୁଷା, ମାନ ଅଭିମାନ ସହିତ ଅପୂର୍ବ ପ୍ରେମ ଭାବନା  ହେଉଛି ଏହି ହେରାପଞ୍ଚମୀ ଓ ରଥ ଦକ୍ଷିଣ ମୋଡ଼ ହେବାର ଉପକ୍ରମ।ରାଗରେ ମହାପ୍ରଭୁଙ୍କ ରଥକୁ ଲୁଚି ଲୁଚି ଯାଇ ଭାଙ୍ଗି ପକାନ୍ତି ମାଆ ମହାଲକ୍ଷ୍ମୀ। ପ୍ରକାରନ୍ତରେ ନିଜ ଅଭିମାନକୁ ସ୍ବାମୀଙ୍କ ନିକଟରେ ଜାହିର କରନ୍ତି। ସେଇଠୁ ବୁଝି ଯାଆନ୍ତି କାଳିଆ ଠାକୁର। ଶୀଘ୍ର ଫେରିବାର ପ୍ରତିଶ୍ରୁତି ଦେଇ ମାଆ ଲକ୍ଷ୍ମୀଙ୍କୁ ଇଙ୍ଗିତରେ ଫେରିବାକୁ ସୂଚନା ଦିଅନ୍ତି।

କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ୱରୁପା ରୁକ୍ମଣୀଙ୍କୁ ବିବାହ କରିଥାନ୍ତି । ଶୁକ୍ଲ ଚତୁଦର୍ଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୋଇଥାଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି। ମାତା ଲକ୍ଷ୍ମୀଙ୍କ ସହ ଆଉ ଦେଖା ସାକ୍ଷାତ ହୁଏ ନାହିଁ । ଏଣେ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱରାଗ୍ରସ୍ତ ହୋଇ ଅଣସର ଘରେ ରହିବାକୁ ପଡିଥାଏ ଓ ଚିକିତ୍ସା ସେବା ଚାଲେ। ସୁସ୍ଥ ହେବା ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଦେଇ ବଡଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତ ଗହଣରେ ଗୁଣ୍ଡିଚା ଘରକୁ ରଥଯାତ୍ରାରେ ବାହାରି ପଡନ୍ତି । ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଓଡ଼ିଆ ନାରୀ ଭାବେ ନିଜ ଦୁଃଖ  ସମ୍ପର୍କରେ ଭଗୀନି ବିମଳାଙ୍କୁ କହିଥାନ୍ତି । ଏହାପରେ ବିମଳା ଦେବୀ ଲକ୍ଷ୍ମୀଙ୍କୁ ଆଶ୍ଵାସନା ଦେବାକୁ ଯାଇ କହନ୍ତି -“ ସ୍ୱାମୀ ଯଦି ବିବେକ ଶୂନ୍ୟ ହୋଇଯାନ୍ତି ତେବେ ସ୍ୱାମୀଙ୍କୁ ସତ ପଥ ଦେଖାଇବା ସ୍ତ୍ରୀର ଧର୍ମ।  ରାଗରୁଷାରେ ଶ୍ରୀ ମନ୍ଦିରରେ ରହିବା ଅପେକ୍ଷା  ସ୍ବାମୀ ନିକଟକକୁ ଯିବା ଉଚିତ।” ଏହା ପରେ ମାତା ଲକ୍ଷ୍ମୀ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।

ପତ୍ନୀଙ୍କୁ ଶ୍ରୀମନ୍ଦିରରେ ଏକୁଟିଆ ଛାଡ଼ିଦେଇ ମହାପ୍ରଭୁ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ବୁଲି ଆସିଲେ । ମାଉସୀ ଘରେ ପିଠା-ମିଠା ଖାଇ ମଉଜ ମଜଲିସ କରୁଥିବା କଥା ପତ୍ନୀ ମହାଲକ୍ଷ୍ମୀଙ୍କୁ ଭଲ ଲାଗେନି । ତାଙ୍କୁ ଟିକେ ବୁଲେଇ ନେଲେନି ! ଏହି ଅଭିମାନରେ ରାଗରୁଷା କରନ୍ତି ଲକ୍ଷ୍ମୀ ସାଆନ୍ତାଣୀ । ତେଣୁ ପାଲିଙ୍କି ଚଢି ମା ଲକ୍ଷ୍ମୀ ବାହାରନ୍ତି ଗୁଣ୍ଡିଚା ଘର ଆଡ଼େ । ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ରଖିଥିବା ସବୁ ରାଗକୁ ସୁଜାଇଥାଆନ୍ତି ରଥ ଉପରେ । ମହାଲକ୍ଷ୍ମୀଙ୍କ ଇଙ୍ଗିତରେ ହିଁ ରଥର କିଛି କାଠ ଭଙ୍ଗାଯାଇଥାଏ । ସିଂହାସନରେ ବସି ମହାପ୍ରଭୁଙ୍କୁ ଲୁଚି ଲୁଚି ଦେଖନ୍ତି ଲକ୍ଷ୍ମୀ ସାଆନ୍ତାଣୀ ମନ ପୁରାଇ। ମହାପ୍ରଭୁ ମଧ୍ୟ ଟିକିଏ ମନଭରି ଦେଖିନିଅନ୍ତି ତାଙ୍କ ପ୍ରାଣପ୍ରିୟା ପତ୍ନୀଙ୍କୁ । ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଶୀଘ୍ର ଫେରିବାର ଇସାରା ଦେଇ ମା ସାଆନ୍ତାଣୀଙ୍କ ଉଦ୍ଦେଶ୍ୟରେ ଆଜ୍ଞାମାଳ ପଠାନ୍ତି ।ପରମ୍ପରାନୁଯାୟୀ ହେରାପଞ୍ଚମୀ ପରଦିନ ରଥର ଦକ୍ଷିଣ ମୋଡ଼ ହୋଇ ବାହୁଡ଼ିବାର ଉପକ୍ରମ ଆରମ୍ଭ ହୁଏ।

ରାୟଗଡ଼ ଓ ଗୁଣୁପୁରରେ ଭିନ୍ନ ଏକ ପରମ୍ପରା

 ହେରା ପଂଚମୀରେ ମହାଲକ୍ଷ୍ମୀ ରୋଷରେ ରଥ ଭାଂଗି ଯାଆନ୍ତି। ତେବେ ରଥଯାତ୍ରା ସମୟରେ ଏକ ଭିନ୍ନ ପରଂପରା ରାୟଗଡା ଓ ଗୁଣୁପୁରର ଗୁଣ୍ଡିଚା ମନ୍ଦିରରେ ପାଳନ ହୁଏ । ହେରା ପଂଚମୀରେ ମା ଲକ୍ଷ୍ମୀ ରୋଷରେ ଫେରିବା ପରେ ରାୟଗଡର ଲୋକେ ପରଂପରା ମୁତାବକ ଶାଗ ବିଡା ଗୁଣ୍ଡିଚା ମନ୍ଦିରରେ ଥିବା ଠାକୁରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରନ୍ତି । ରାୟଗଡାର ସବୁ ଘରୁ ମହିଳାମାନେ ଆଡ଼ପ ମଣ୍ଡପରେ ପ୍ରଭୁଙ୍କୁ ଦେଖିବାକୁ ଯାଇ ଶାଗ ବିଡା ଅର୍ପଣ କରନ୍ତି। ଏହା ଏକ ପ୍ରଥାରେ ପରିଣତ ହୋଇଯାଇଛି।ଏତେ ପରିମାଣର ଶାଗ ଗଦା ହୋଇଯାଏ ଯେ ସମସ୍ତେ ଚକିତ ହୋଇପଡନ୍ତି। ପାହାଡ ସମ ସଂଗୃହିତ ଶାଗରୁ ଅପୂର୍ବ ଶାଗ ଭଜା ବ୍ୟଂଜନ ପ୍ରସ୍ତୁତ ହୋଇ ତିନି ଠାକୁରଙ୍କୁ ଭୋଗରେ ଅର୍ପଣ କରାଯାଇଥାଏ। ଆଜି ରାୟଗଡ଼ ଆଡପ ମଣ୍ଡପରେ ହୁଏ ଶାଗ ଭଜା। ଏହି ଭୋଗ ପାଇବା ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଆଗ୍ରହ ରହିଥାଏ ।

ସେହିପରି ଗୁଣୁପୁର ଆଡ଼ପ ମଣ୍ଡପରେ ଏହିଦିନ ଶାଗ ଭଜା ପ୍ରସ୍ତୁତ ହୁଏ। ନବ ଦିନ ଯାତ୍ରାରେ ଠାକୁରଙ୍କ ଭୋଗ ପାଇଁ ଆଡପ ମଣ୍ଡପରେ ଖଡା ସାରୁ, ବାଇଗଣର ଏକ ସ୍ଵତନ୍ତ୍ର ଘାଣ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ତା ସହିତ ଖେଚୁଡ଼ି ଓ ଚାରୁ ଭୋଗ ହୋଇଥାଏ।ଏହାକୁ ଠାକୁରଙ୍କୁ ଅର୍ପଣ କରାଯାଏ। ଏହି ଭୋଗ ପାଇବା ଲାଗି ଭକ୍ତଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖାଯାଇଥାଏ। ଗୁଣୁପୁରର ମନ୍ଦିର ପ୍ରାୟ 300ବର୍ଷ ପୁରୁଣା ବୋଲି ବିଭିନ୍ନ କିମ୍ବଦନ୍ତୀରୁ ଜଣାପଡୁଥିବା ବେଳେ ଏଭଳି ପରମ୍ପରା କୋଉ ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଛି ବୋଲି ଗୁଣୁପୁରର ବୟୋଜ୍ୟଷ୍ଠ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି।

Spread the love