କାଳିଆ ଆସୁଛି। ବଡ଼ ଦାଣ୍ଡରେ ଲାଗିବ ଗହଳି। ପତିତ ଉଦ୍ଧାର ଲାଗି ଏ ଯାତ୍ରାର ମହତ୍ତ୍ୱ ଅନେକ। ପବିତ୍ର ରଥଯାତ୍ରା ଅବସରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ଓ ଅନନ୍ୟ ପରମ୍ପରାକୁ ନେଇ ପ୍ରତିଫଳନର ବିଶେଷ ଉପସ୍ଥାପନା ‘କାଳିଆ କାହାଣୀ’। ଏଇକ୍ରମରେ ପାଇକପଡାର ଶ୍ରୀକ୍ଷେତ୍ରକୁ ନେଇ ଏଇ ପ୍ରସ୍ତୁତି।

ତନ୍ତ୍ର ଉପାସନାର ପୀଠ ପାଇକପଡା। ପାତାଳେଶ୍ଵର ଶୈବପୀଠ ପାଇଁ ଯେତିକି ପ୍ରସିଦ୍ଧ, ଶିବ, ଦକ୍ଷିଣ କାଳୀଙ୍କ ସହ ଜଗନ୍ନାଥଙ୍କ ଏକତ୍ର ଅବସ୍ଥାନ ତଥା ପୂଜାର୍ଚ୍ଚନା ପାଇଁ ସେତିକି ମହିମାମଣ୍ଡିତ । ଏଭଳି ବିରଳ ଦୃଶ୍ୟ ପାଇକପଡା ବ୍ୟତୀତ ସମ୍ଭବତଃ ଅନ୍ୟ କୌଣସି ସ୍ଥାନରେ ନାହିଁ । ଏକତ୍ର ଶିବ, ବିଷ୍ଣୁ ଓ କାଳୀ ପୂଜିତ ହେଉଛନ୍ତି ଏଇ ପୀଠରେ।
ଜନଶ୍ରୁତି
ପାତାଳରୁ ମହାଦେବ ଲିଙ୍ଗ ପ୍ରସ୍ଫୁଟିତ ହୋଇଥିବାରୁ ଏହାକୁ ପାତାଳେଶ୍ଵର କୁହାଯାଏ । ମହାଦେବଙ୍କ ସହ ବିଷ୍ଣୁଙ୍କ ପୂଜାର୍ଚ୍ଚନାର ଆବଶ୍ୟକତା ବୋଧ କରି ଏଠାରେ ଜଗନ୍ନାଥଙ୍କୁ ପୂଜା କରାଯାଉଥିବା ଜଣାଯାଏ । ଜନ ଜନଶ୍ରୁତି ଅନୁଯାୟୀ ବହୁ ପୂର୍ବରୁ ମନ୍ଦିରର ବାହାର ପାର୍ଶ୍ଵରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ତିନୋଟି ଛୋଟ ମୂର୍ତ୍ତି ପୂଜା ପାଉଥିଲେ । ସପ୍ତଦଶ ଶତାବ୍ଦୀର ଭାଗରେ ଜଣେ ଆଦିବାସୀ ନିମ୍ବ କାଠରେ ବିଗ୍ରହ ତିନୋଟି ନିର୍ମାଣ କରିଥିଲେ । ପାରମ୍ପରିକ ପୂଜାର୍ଚ୍ଚନା ପରେ ସେହି ତିନୋଟି ବିଗ୍ରହକୁ ପୂର୍ବ ମୂର୍ତ୍ତିମାନଙ୍କ ସ୍ଥାନରେ ସ୍ଥାପନ କରାଯାଇଥିଲା । ତେବେ ରାଜ ବଂଶାବଳୀରୁ ଜଣାଯାଏ ଯେ ହରି ଓ ହରଙ୍କୁ ଏକତ୍ର ପୂଜା କରିବା ଲାଗି ଜୟପୁର ରାଜାଙ୍କୁ ସ୍ୱପ୍ନାଦେଶ ହେଲା । ତାପରେ ରାଜାଙ୍କ ଉଦ୍ୟମକ୍ରମେ ସେଠାରେ ପାତାଳେଶ୍ଵରଙ୍କ ସମ୍ମୁଖରେ ମୁହାଁ ମୁହିଁ କରି ଗୋଟିଏ ପାର୍ଶ୍ଵରେ ଉପରୋକ୍ତ ତିନୋଟି ବିଗ୍ରହଙ୍କୁ ସ୍ଥାପନ କରାଯାଇଥିଲା। ଗୁମ୍ଫା ଭିତରେ ପୂଜା ପାଉଥିବା ଶ୍ରୀ ପାତାଳେଶ୍ଵରଙ୍କ ସହ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯିବା ଏକ ବିରଳ ତଥା ଅପୂର୍ବ ସଂଯୋଗ ନିଶ୍ଚୟ। ପାଇକପଡା ସହ ଜୟପୁର ଗଡ଼ର ସମ୍ପର୍କ ପ୍ରାଚୀନ। ଏଠାରେ ପୂଜିତା ମାଆ ଦକ୍ଷିଣ କାଳୀଙ୍କ ଆଜ୍ଞା ମାଳ ଗଲା ପରେ ଜୟପୁର ଦଶହରା ପାଳିତ ହେଉଥିଲା। ପୂଜକ ଅଧିଆ ପଡି ମାଆଙ୍କ ଦେହରୁ ଆପେ ଆପେ ଆଜ୍ଞା ମାଳ ଖସିବା ପରେ ତାକୁ ହାତୀରେ ନେଇ ରାଜାଙ୍କୁ ପ୍ରଦାନ କରାଯାଉଥିଲା। ପରେ ଜୟପୁର ପ୍ରସିଦ୍ଧ ଦଶହରା ଆରମ୍ଭ ହେଉଥିଲା। ରାଜା ଶାସନ ଚାଲି ଯାଇଥିଲେ ବି ଏବେବି ମାଆଙ୍କ ଆଜ୍ଞା ମାଳ ଗଲା ପରେ ହିଁ ସେଠାରେ ଦଶହରା ଆରମ୍ଭ ହେବାର ପରମ୍ପରା ପ୍ରଚଳିତ ରହିଛି।

ପ୍ରତିବର୍ଷ ପାଇକପଡାରେ ବହୁ ଆଡମ୍ବର ସହ ରଥଯାତ୍ରା ହୋଇଥାଏ । ଏଠାରେ ରଥଯାତ୍ରାରେ ପୂର୍ବରୁ ବ୍ୟତିକ୍ରମ ପରିଲକ୍ଷିତ ହେଉଥିଲା । ଗୁଣ୍ଡିଚା ଯାତ୍ରାକୁ ଏଠାରୁ ମହାପ୍ରଭୁଙ୍କୁ ନେଇ ରଥରେ ବିଜେ କରାଇ ଟଣାଯାଉଥିଲେ ମଧ୍ୟ ଗୁଣ୍ଡିଚା ମନ୍ଦିର ନ ଥିବାରୁ ରଥଟଣା ବିଗ୍ରହଗୁଡିକୁ ପୁଣି ଯଥାସ୍ଥାନକୁ ଫେରାଇ ଅଣାଯାଉଥିଲା । କିନ୍ତୁ ଗତ ବର୍ଷ ଧରି ଏହି ବିରଳ ପରମ୍ପରାରେ ପୂର୍ଣଛେଦ ଛେଦ ପଡିଛି । ୧୯୮୪ ମସିହାରେ ଏଠାରେ ଏକ ସ୍ଥାୟୀ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇଛି।
ରଥଯାତ୍ରା
ସମ୍ପ୍ରତି ଏଠାରେ ପାରମ୍ପରିକ ପଦ୍ଧତିରେ ରଥଯାତ୍ରା ହେଉଛି । ଜୟପୁର ରାଜାଙ୍କ ଶାସନ କାଳରେ ରାଜାଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରାର ସମସ୍ତ ଦାୟିତ୍ଵ ନିକଟସ୍ଥ ଛଅ ଖଣ୍ଡ ଗ୍ରାମର ଲୋକଙ୍କ ଦ୍ବାରା ସମ୍ପାଦିତ ହେଉଥିଲା। ରଥ ନିର୍ମାଣ ଠାରୁ ରଥ ଟଣା, ନଅ ଦିନ ଧରି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉମାନଙ୍କ ସେବା ସର୍ବୋପରି ପୁନଃମନ୍ଦିରକୁ ଫେରିବା ପର୍ଯ୍ୟନ୍ତ ବେଠିଆ ଖଞ୍ଜିଥିଲେ ଜୟପୁର ରାଜା । ସେମାନେ ଦାୟିତ୍ଵ ତୁଲାଉଥିଲେ । ପରମ୍ପରା ମୁତାବକ ଉପରୋକ୍ତ ଗ୍ରାମବାସୀମାନେ ମିଳିତ ସହଯୋଗରେ ସେବା କାର୍ଯ୍ୟ କରି ଆସୁଛନ୍ତି । ଚଳିତବର୍ଷ ଏଠାରେ ନୂଆ ରଥ ନିର୍ମାଣ କରଯାଇଛି । ଇତିମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଲାଗି ସୁଶୋଭିତ ଜଗନ୍ନାଥ ମନ୍ଦିର ଗୁମ୍ଫାର ଦକ୍ଷିଣ ପାର୍ଶ୍ଵରେ ନିର୍ମାଣ ପୂର୍ବକ ପ୍ରତିଷ୍ଠା କରଯାଇଛି । ନୂଆ ମନ୍ଦିର, ନୂଆ ଗୁଣ୍ଡିଚା ମନ୍ଦିରକୁ ନୂଆ ରଥ ଭିତରେ ଚଳିତ ବର୍ଷର ରଥ ଯାତ୍ରା ହର୍ଷ ଉଲ୍ଲାସର ସହ ଆୟୋଜିତ ହୋଇଛି । ପାଇକପଡା ରଥଯାତ୍ରାରେ ଆଖପାଖର ବହୁ ଆଦିବାସୀଙ୍କ ସମାଗମ ଦେଖିବାକୁ ମିଳେ । କହିବାକୁ ଗଲେ ଏହା ଅନ୍ୟ ଏକ ଶାବର ଶ୍ରୀକ୍ଷେତ୍ର ପ୍ରାୟ ।

