କର୍ମୀ ମହଲରେ ପ୍ରବଳ ଉତ୍ସାହ, ସୁଧିରିବ ସ୍ଥିତି ?
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )
ଜଣେ ମୋହନ ମାଝୀ। ରାଜ୍ୟ ମୁଖ୍ୟମନ୍ତ୍ରୀ। ଆଉ ଏବେ ମନମୋହନ ସାମଲ ହେଲେ ବିଜେପି ରାଜ୍ୟ ସଭାପତି। ଡବଲ ମୋହନ ହାତରେ ଓଡ଼ିଶାର ଡୋରୀ। ଦୁଇ ମୋହନ ସରକାର ଓ ଦଳକୁ ଚଲେଇବେ ବୋଲି ଏକପ୍ରକାର ଥୟ ହେଲାଣି। କର୍ମୀ ମହଲରେ ପ୍ରବଳ ଉତ୍ସାହ।
ମନମୋହନ ସାମଲ ରାଜ୍ୟ ସଭାପତି ହେବେ ଏକଥା ବହୁ ଆଗରୁ ଜଣା ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବା ବେଳେ ସ୍ପଷ୍ଟ ସଙ୍କେତ ଦେଇଥିଲେ । ଭୁବନେଶ୍ୱରରେ ରୋଡ ସୋରେ ପ୍ରଧାନମନ୍ତ୍ରୀ ଖୋଲା ଜିପରେ ଠିଆ ହୋଇ ଲୋକଙ୍କ ଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିବା ବେଳେ ମୋଦୀଙ୍କ ଡାହଣ ପାର୍ଶ୍ଵରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାମ ପାର୍ଶ୍ଵରେ ମନ ମୋହନ ସାମଲଙ୍କୁ ଠିଆ କରାଇଥିଲେ । ସେହିଦିନ ଠାରୁ ଜଣା ପଡୁଥିଲା ବିଜେପିର ରାଜ୍ୟ ସଭାପତି ହେବେ ମନମୋହନ ସାମଲ । ଶେଷରେ ତାହା ହିଁ ହେଲା ।
ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ସ୍ପଷ୍ଟ ହୋଇଯାଇଥିଲା । ଦୀର୍ଘ ଦିନର ପ୍ରତୀକ୍ଷା ପରେ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ବ ଦିଆଯାଇଛି । ରାଜ୍ୟ ବିଜେପିର ଚତୁର୍ଥ ଥର ପାଇଁ ସେ ସଭାପତି ପଦବୀ ଅଳଙ୍କୃତ କରିଛନ୍ତି । କେନ୍ଦ୍ରୀୟ ନେତ୍ରୁତ୍ଵଙ୍କ ମନମୋହନଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ବାସ ରହିଥିବା ସ୍ପଷ୍ଟ ହୋଇଛି । ସଭାପତି ଘୋଷଣା ପରେ ରାଜ୍ୟବ୍ୟାପୀ ବିଜେପି ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିବା ଦେଖାଦେଇଛି ।

୨୦୨୪ ନିର୍ବାଚନବେଳର ଉଷ୍ମତା କର୍ମୀ, କାର୍ଯ୍ୟକର୍ତ୍ତା ସମର୍ଥକ ମାନଙ୍କ ମଧ୍ୟରେ ପୁଣି ଉଜ୍ଜୀବିତ ହୋଇଥିବା ଦେଖିବାକୁ ମିଳିଛି । ବିଜେପି ସରକାରକୁ ଆସିଲେ ଅନେକ ପରିବର୍ତ୍ତନ ହେବ ବୋଲି ଆଶା ରଖିଥିଲେ ସମର୍ଥକ । ପ୍ରତିଶୃତି ମୁତାବକ ସାଧାରଣ ଲୋକ ଓ ସମର୍ଥକଙ୍କ ମନ ଜିଣିପାରି ନାହାନ୍ତି ସରକାର । ପ୍ରଶାସନିକ ସ୍ତରରେ ଆଶାନୁରୂପକ ସେଭଳି କୌଣସି ସଂସ୍କାର ବା ପରିବର୍ତ୍ତନ ଆଣିବାରେ ସଫଳ ହୋଇନାହାନ୍ତି ମୋହନ ମାଝୀ ସରକାର । ଏବେବି ଗତ ସରକାରର ଭଳି ଶାସନ ବ୍ୟବସ୍ଥାରେ କୌଣସି ଫରକ ନଥିବା ସାଧାରଣ ଲୋକେ ହୃଦୟଙ୍ଗମ କରୁଛନ୍ତି ।
ମନମୋହନ ସାମଲ ରାଜ୍ୟ ସଭାପତି ନିର୍ବାଚିତ ହେବା ପରେ ଅଚାନକ ସବୁ ମହଲରେ ଉତ୍ସାହ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି।୨୦୨୪ ନିର୍ବାଚନ ପୂର୍ବରୁ ମନମୋହନ ସାମଲଙ୍କୁ ସଭାପତି ଦାୟିତ୍ବ ଦିଆଗଲା । ସଭାପତି ଦାୟିତ୍ୱ ନେବା ପରେ ଓଡ଼ିଶାରେ ସ୍ଥାଣୁ ହୋଇ ରହିଥିବା ବିଜେପି ଦଳ ହଠାତ୍ ଚେଇଁ ଉଠିଥିଲା । ନିର୍ବାଚନ ସମୟ ଯେତିକି ନିକଟତର ହେଉଥିଲା ବିଜେପି ଦଳ ଓ ସଭାପତିଙ୍କ ରଣକୌଶଳ କଣ ରହିବ ତାକୁ ନେଇ ରାଜ୍ୟବ୍ୟାପୀ ଉତ୍ସୁକତା ବଢିଥିଲା । ବିଜେଡ଼ି ଶାସନରେ ଲୋକେ ଅତିଷ୍ଟ ହୋଇଯାଇଥିବା ଓ ବିଜେଡ଼ି ପ୍ରତି ସାଧାରଣ ଲୋକେ ବିମୁଖ ଥିବା ଠଉରେଇ ନେଇଥିଲେ ମନମୋହନ ସାମଲ । ହଠାତ ଘୋଷଣା କଲେ ଓଡ଼ିଶାରେ ମେଣ୍ଟ ହେବ ନାହିଁ ବିଜେପି ଏକାକୀ ଲଢିବ । ସେତେବେଳେ କେହି ବିଶ୍ବାସ କରିନଥିଲେ ଓଡ଼ିଶାରେ ବିଜେଡିକୁ ହରାଇ ବିଜେପି ସରକାରକୁ ଆସିବ ବୋଲି। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନିରଙ୍କୁଶ ଭାବେ ସଂଖ୍ୟା ଗରିଷ୍ଠ ହାସଲ କଲା। ବିଜେପି ଏକାକୀ ସରକାର ଗଠନ କଲା । ମନମୋହନଙ୍କ ଭବିଷ୍ୟବାଣୀ ଶତ ପ୍ରମାଣିତ ହେଲା । ୨୦୨୪ ଠାରୁ ଆରମ୍ଭ ହେଲା ମନମୋହନଙ୍କ ଆଉ ଏକ ସଫଳ ଯାତ୍ରା । ରାଜ୍ୟରେ ତୃଣମୂଳ ସ୍ତରରେ ବିଜେପିର ସଙ୍ଗଠନ ନଥିବା ସତ୍ବେ ସମ ଚିନ୍ତାଧାରା ସମ୍ପନ୍ନ ସଙ୍ଗଠନ ଗୁଡ଼ିକର ପ୍ରବଳ ଚେଷ୍ଟା ଯୋଗୁଁ ବିଜେପି ସରକାରକୁ ଆସି ପାରିଲା । ସଂଗଠନକୁ ଗତିଶୀଳ କରିବାକୁ ହେଲେ ଏବେ ପୁଣି ତୃଣମୂଳ ସ୍ତରରେ ସଙ୍ଗଠନକୁ ସଜାଡିବାକୁ ହେବ । କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିବାକୁ ହେବ । ଏଥିପାଇଁ କାର୍ଯ୍ୟକର୍ତ୍ତା ମାନଙ୍କ ମନ୍ ହୃଦୟକୁ ଜିତିବାକୁ ହେବ । ଏଥିପାଇଁ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ହେବ ।

ସଭାପତିଙ୍କ ପାଇଁ ଆହ୍ବାନ
ମୁଷ୍ଟିମେୟ ସମର୍ଥକଙ୍କ ମଧ୍ୟରେ ସୀମିତ ରହିଥିବା ମଣ୍ଡଳ ଓ ଜିଲ୍ଲା ସଭାପତିମାନଙ୍କୁ ସଜାଗ ଓ ସଚେତନ କରି ସେମାନଙ୍କ ଗୁରୁଦାୟିତ୍ବ ଓ କର୍ତ୍ତବ୍ୟ କଣ ରହିବ ସେଥିନେଇ ସଚେତନ କରିବାର ଆବଶ୍ୟକତା ରହିଛି । ଅନେକ ଜିଲ୍ଲାରେ ଏବେବି କର୍ମକର୍ତା ଓ ପ୍ରଶାସନ ମଧ୍ୟରେ ଯୋଗାଯୋଗ ଓ ସୁସମ୍ପର୍କ ସ୍ଥାପନ ହୋଇ ପାରିନଥିବା ଦେଖିବାକୁ ମିଳୁଛି । ତୃଣମୂଳ ସ୍ତରରେ ସଙ୍ଗଠନ ଓ ପ୍ରଶାସନ ମଧ୍ୟରେ କିଭଳି ସମ୍ପର୍କ ସ୍ଥାପନ କରାଯାଇ ପାରିବ ତାକୁ ଦୃଷ୍ଟି ଦେବାକୁ ହେବ । ମନ୍ତ୍ରୀ ଓ ବିଧାୟକ, ବିଧାୟକ ପ୍ରାର୍ଥୀମାନେ ମଧ୍ୟ ପୂର୍ବ ଭଳି କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ସହ ସଂପର୍କ ରଖି ପାରି ନାହାଁନ୍ତି । ଫଳରେ ରାଜ୍ୟରେ ସରକାର ଥାଇ ମଧ୍ୟ ଦଳ ମଧ୍ୟରେ ସ୍ଥାଣୁତା ସ୍ଥିତି ରହିଥିବା ପରିଲକ୍ଷିତ ହେଉଛି । ନିର୍ବାଚନ ପୂର୍ବ ଓ ପରର ଯେଉଁ ଉତ୍ସାହ ଜନକ ସ୍ଥିତି ଥିଲା , ସରକାର ଗଠନ ପରେ ଧିରେ ଧିରେ ମଉଳିବାକୁ ଲାଗିଲା । ସରକାର ଜନହିତକର ଅନେକ ଯୋଜନା ଲାଗୁ କରିଥିଲେ ମଧ୍ୟ ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ବୟର ଅଭାବରୁ ଲୋକଙ୍କ ନିକଟକୁ ପହଂଚି ପାରୁନାହିଁ। ଅଭିଜ୍ଞତାର ଅଭାବ ହେଉ ଅବା ଅନ୍ୟ ଯେକୌଣସି କାରଣ ହେଉ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲା ପ୍ରଭାରୀମାନେ ନିଜ ଅଞ୍ଚଳ ଓ ଜିଲ୍ଲା ଗସ୍ତ ସମୟରେ ମୁଷ୍ଟିମେୟ କିଛି କର୍ମୀଙ୍କୁ ଛାଡ଼ିଦେଲେ କାହା ସହ ସମ୍ପର୍କ ରଖୁନାହାନ୍ତି ବୋଲି ଅଭିଯୋଗ ମିଳୁଛି । ଦୀର୍ଘ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରି ଆସୁଥିବା ନିସ୍ବାର୍ଥପର କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ସହ ତୃଣମୂଳ ସଂଗଠନରେ ବିଭ୍ରାଟ ଦେଖାଦେଇଛି।
ଗ୍ରାମାଞ୍ଚଳରେ ଥିବା କର୍ମୀ ଓ ସମର୍ଥକମାନଂକ ସହ ସମ୍ପର୍କ ନରଖିବାରୁ ରାଜଧାନୀରୁ ବୁଥ ସ୍ତର ପର୍ଯ୍ୟନ୍ତ ସବୁଠି ସଙ୍ଗଠନ ଓ ସମର୍ଥକଙ୍କ ମଧ୍ୟରେ ସରକାର ଓ ଶାସନ ବ୍ୟବସ୍ଥାକୁ ନେଇ ନୈରାଶ ଭାବ ଜାଗୃତ ହୋଇଛି ।
ଏବେ ପୁଣି ମନମୋହନ ସଭାପତି ହେବାପରେ ହଠାତ୍ ଦଳ ଓ ସଙ୍ଗଠନ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କର୍ମୀ ଓ ସମର୍ଥକ ସକ୍ରିୟ ହୋଇଛନ୍ତି । ରାଜ୍ୟର ପ୍ରାୟ ସମସ୍ତ ପୁରୁଣା କର୍ମକର୍ତା ଓ ସମର୍ଥକମାନଂକୁ ମନମୋହନ ସାମଲ ଭଲ ଭାବରେ ଜାଣିଛନ୍ତି । ନୂତନ କର୍ମକର୍ତାମାନେ ମଧ୍ୟ ରାଜ୍ୟ ସଭାପତିଙ୍କୁ ଅକ୍ଲେଶରେ ମିଶିବାର ସୁଯୋଗ ପାଇଥିବାରୁ ତୃଣମୂଳ ସ୍ତରରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତି ଗଭୀର ଭରସା ଓ ବିଶ୍ବାସ ରହିଛି । ଏହି ଭରସା ଓ ବିଶ୍ବାସକୁ ନେଇ ସରକାର ଓ ସଙ୍ଗଠନ ମଧ୍ୟରେ ଦୂରତାକୁ ହଟାଇ ସମନ୍ବୟ ରକ୍ଷା କରି କାମ କରିବେ ବୋଲି ବିଶ୍ବାସ ରହିଛି । ରାଜ୍ୟ ସଭାପତି ନିର୍ବାଚନ ପରେ ମନମୋହନ ସାମଲ ଓ ମୁ ଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳି ମିଶି କାମ କରିବୁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଦୁହିଁଙ୍କ ଘୋଷଣା ବାସ୍ତବରେ ତୃଣମୂଳ ସ୍ତରରେ ପ୍ରତିଫଳିତ ହେବାର ଆବଶ୍ୟକତା ରହିଛି । ରାଜ୍ୟରେ ବିଜେପି ଦଳର ସଂଗଠନ ଏବେବି ଦୁର୍ବଳ ରହିଛି । ଏହାକୁ ସଜାଡିବାକୁ ବହୁ ପରିଶ୍ରମ କରିବାକୁ ପଡ଼ିବ ।ଏହା ଅଭିଜ୍ଞ ନେତା ରାଜ୍ୟ ସଭାପତି ଭଲ ରୂପେ ହୃଦୟଙ୍ଗମ କରୁଛନ୍ତି । ସାଂଗଠନିକ ସ୍ଥିତିର ପୁନଃ ବିନ୍ୟାସ କରିବା ସହ ଖାଲି ପଡ଼ିଥିବା ମନ୍ତ୍ରୀ ପଦରେ ଆଶାୟୀମାନଙ୍କୁ କିଭଳି ଥଇଥାନ କରାଯାଇପାରିବ । ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସରକାରୀ ଓକିଲ, ମନ୍ଦିର ଟ୍ରଷ୍ଟି ଗୁଡିକରେ ନୂତନ ପରିଚାଳନା କମିଟି ଗଠନ, ବିଭିନ୍ନ ନିଗମ, ଆୟୋଗ ଗୁଡ଼ିକରେ ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଥଇଥାନ କରିବାରେ ପଦକ୍ଷେପ ଗ୍ରହଣ କରିବା ନେଇ ଏବେ ଆଶା ସୃଷ୍ଟି ହୋଇଛି ।
ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ନିର୍ବାଚନରେ ସଫଳତା ପାଇବାକୁ ହେଲେ ଦଳକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ସରକାରଙ୍କ ବର୍ଷ ପୂର୍ତ୍ତି ପରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ରାଜ୍ୟରେ ସକ୍ରିୟ ହୋଇପଡିଛନ୍ତି । ସରକାରଙ୍କ ପ୍ରତିଟି ତ୍ରୁଟିକୁ ବଡ ଆକାରରେ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି । ନିର୍ବାଚନ ସମୟରେ ଯେଉଁଭଳି ବାତାବରଣ ସୃଷ୍ଟି ହେବା କଥା ସେଭଳି ପରିବେଶ ସୃଷ୍ଟି କରୁଛନ୍ତି ବିରୋଧୀ ବିଜେଡ଼ି ଓ କଂଗ୍ରେସ ଦଳ । ଏଥିଯୋଗୁଁ ବର୍ଷକ ମଧ୍ୟରେ ଦଳ ଓ ସରକାରର ସାଧାରଣରେ ଭାବମୂର୍ତ୍ତି ନଷ୍ଟ ହୋଇଛି । ସରକାର ଓ ଦଳ ମଧ୍ୟରେ ସମସ୍ୟା ସମାଧାନ କରିବାରେ ସେଭଳି ପ୍ରଭାବୀ ନେତା ବା ସଙ୍କଟ ମୋଚକ୍ ନଥିବା ଦେଖାଦେଇଛି । ବିରୋଧୀଙ୍କ ଅଭିଯୋଗ ଓ ଆକ୍ରମଣକୁ ପ୍ରଭାବୀ ଢଙ୍ଗରେ ପ୍ରତି ଆକ୍ରମଣ କରି ଯୋଜନାକୁ ବିଫଳ କରିବାରେ ସରକାରୀ ଦଳ ବିଜେପି ସଫଳ ହୋଇପାରି ନାହିଁ । ଏହାର ମୁକାବିଲା କରି ଲୋକଙ୍କ ମଧ୍ୟରେ ସଶକ୍ତ ସରକାର ଭାବେ ଉପସ୍ଥାପିତ କରି ପଞ୍ଚାୟତ ନିର୍ବାଚନ ଜିତିବା ଉଭୟଙ୍କ ପାଇଁ ବଡ ଆହ୍ବାନ ରହିବ।

ଟ୍ରାକକୁ ଫେରିବ ଦଳ ଓ ସରକାର!
କର୍ମୀଙ୍କ ତ୍ୟାଗ ଓ ଅକ୍ଲାନ୍ତ ପରିଶ୍ରମ ପାଇଁ ସରକାର ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଓ ସଭାପତି କହିଛନ୍ତି । କିନ୍ତୁ ସାଧାରଣ କର୍ମୀ ଓ କର୍ମକର୍ତ୍ତାଙ୍କ କଥା ଓ ବ୍ୟଥା କେହି ଶୁଣିବାକୁ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ପାରୁ ନାହାନ୍ତି ସାଧାରଣ କର୍ମୀ । ଅଞ୍ଚଳର ସମସ୍ୟା ସଂପର୍କରେ ଅବଗତ କରିପାରୁ ନାହାନ୍ତି । ରାତାରାତି ମନ୍ତ୍ରୀ ପଦ ପାଇଥିବା ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତ ବେଳେ ଜିଲ୍ଲାର କର୍ମୀମାନଂକୁ ଭେଟୁ ନାହାଁନ୍ତି କି ସମସ୍ତ କର୍ମୀଙ୍କ ସହ ସମ୍ପର୍କ ସ୍ଥାପନ କରି ପାରି ନାହାନ୍ତି । ଆସିବା ଠାରୁ ଯିବା ପର୍ଯ୍ୟନ୍ତ ଅଫିସରଙ୍କ ଗହଣରେ ରହୁଛନ୍ତି ।
ମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମଗୁଡ଼ିକ ସୀମିତ ସ୍ତରରେ ଅଟକି ରହୁଛି। ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁ ନାହିଁ । କିଏ ଆସୁଛନ୍ତି ସାଧାରଣ ଲୋକ ଜାଣି ପାରୁ ନାହାନ୍ତି । ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକରେ ଲୋକଙ୍କ ଉପସ୍ଥିତି କମ ରହୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ଏଭଳି କାହିଁକି ହେଉଛି ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ଥିବା ମନ୍ତ୍ରୀମାନେ ଜାଣିବା ପାଇଁ ଆଗ୍ରହ ସୃଷ୍ଟି କରୁ ନାହାନ୍ତି । କାରଣ ଖୋଜିବାକୁ ବି ଚେଷ୍ଟା କରୁ ନାହାଁନ୍ତି।ଗସ୍ତ କରିବା ସମୟରେ ଅଞ୍ଚଳର ପୁରୁଣା କର୍ମକର୍ତ୍ତା, ବିଭିନ୍ନ ବର୍ଗର ପ୍ରତିନିଧି ବୁଦ୍ଧିଜୀବି, ଛାତ୍ର ସଂଗଠନ, ମହିଳା, ଯୁବ ବର୍ଗ , ସ୍ବେଚ୍ଛାସେବୀ, ସମାଜସେବୀଙ୍କ ସହ ସମ୍ପର୍କ ରଖୁ ନାହାଁନ୍ତି । ଫଳରେ ଏତେ ସବୁ ଭଲ କାମ କରି ସୁଦ୍ଧା ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକ ପ୍ରଚାର ପ୍ରସାର ହୋଇପାରୁନାହିଁ । ଜିଲ୍ଲା ସ୍ତରରେ ଦଳର ସୋସିଆଲ ମିଡ଼ିଆ ପରିଚାଳନା ଅତ୍ୟନ୍ତ ଦୁର୍ବଳ। ଏହାଫଳରେ ସରକାରଙ୍କ ଭଲ କାମ ଗାଁରେ ଥିବା ଲୋକଙ୍କ ନିକଟକୁ ପହଁଚି ପାରୁନି। ସରକାରଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ଲୋକେ ଅନ୍ଧକାରରେ ରହୁଛନ୍ତି ।
ସଭାପତି ନିର୍ବାଚିତ ହେବା ପରେ ଏସବୁକୁ କ୍ରିୟାଶୀଳ କରିବା ପାଇଁ ମନମୋହନ ସାମଲଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। କର୍ମୀମାନଙ୍କ କଥା ଓ ସମସ୍ୟାର ସମାଧାନ କରିବା ପ୍ରତି ଯତ୍ନବାନ ହେବାକୁ ପଡିବ ।
ସରକାର ଓ ସଙ୍ଗଠନ ମଧ୍ୟରେ ସୁସମ୍ପର୍କ ଓ ସମନ୍ବୟ ରଖିବାର ଫଳ ତୃଣମୂଳ ସ୍ତରରେ କିଭଳି ପହଞ୍ଚିପାରିବ ସେ ଦିଗରେ ଉଭୟ ସରକାର ଓ ସଂଗଠନ କାମ କରିବା ଜରୁରୀ ।

