ଏକ୍ସନ ରିପ୍ଲେ, ପ୍ରେମ ପାଇଁ ବେକରେ ପଡିଲା ଜୁଆଳି, ବଳଦ ହୋଇ ଚାଷ କଲେ

କୋରାପୁଟ (ପ୍ରତିଫଳନ ମିଡ଼ିଆ )

ରାୟଗଡ଼ା  ପରେ କୋରାପୁଟରେ ଏକ୍ସନ ରିପ୍ଲେ । ଘଟଣା ସମାନ। କାରଣ ବି ସମାନ। ଯାହା ଖାଲି ସ୍ଥାନ ପାତ୍ର ଓ କାଳ ଭିନ୍ନ।ଗୋଟିଏ ବଂଶରେ ବାହାହେଲେ ବୋଲି ବେକରେ ପଡିଲା ଜୁଆଳି। ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ବଳଦ ଭଳି ବେକରେ ଜୁଆଳି ପଡ଼ି ହଳ ବୁଲିଲା । ହଳ ଲଙ୍ଗଳ ବୁଲାଇବା ବେଳେ ଯେମିତି ବଳଦକୁ ଜୁଆଳିରେ ଯୋଚା ଯାଏ ସେମିତି ଉଭୟ ପ୍ରେମୀ ଯୁଗଳଙ୍କୁ ଦଣ୍ଡ ଦିଆଯାଇଛି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବୋରିଗି ପଂଚାୟତ ପେଦା ଇଟିଗି ଗାଁରେ ଘଟିଛି ଏଭଳି ଅମାନୁଷିକ ଘଟଣା.। ପ୍ରେମୀ ଯୁଗଳ ଚାଷ କରୁଥିବା  ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ନାଲାମିଟିକି ଗ୍ରାମର 21 ବର୍ଷର ପୁଅ  ହରି ପଡ଼ିକା (ଛଦ୍ମ ନାମ )ଓ  ପେଡାଇଟିକି  ଗ୍ରାମର 19 ବର୍ଷର ଝିଅ ରାସ ପଡ଼ିକା (ଛଦ୍ମ ନାମ)ବୋଲି ସୂଚନା ମିଳିଛି। ଉଭୟେ ସମ୍ପର୍କରେ  ଭାଇ- ଭ‌ଉଣୀ  ହୋଇଥିବାରୁ ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଥିବା ଜଣାପଡିଛି। 

ଦୁହେଁ ଦୀର୍ଘ ଦିନ ଧରି ଭଲ ପାଇଁ ବାହା ହୋଈ ବାହାରକୁ ପଳାଇ ଥିଲେ।  ଗାଁକୁ ଆସିବା ପରେ ପ୍ରାୟଶ୍ଚିତ ପାଇଁ ଗାଁ ମଝୀରେ ସମସ୍ତଙ୍କ ଉପସ୍ଥିତରେ ଉଭୟଙ୍କୁ ଜୁଆଳି ପକାଇ ହଳ କରାଯାଇଛି। ପ୍ରେମିକ ଜଣଙ୍କ ନିଜ ଘରେ ନେଇ ଝିଅକୁ ରଖିଥିଲେ । ଝିଅ ଘର ଲୋକେ ପ୍ରେମିକଙ୍କୁ ଡାକି ବୁଝାଇଥିଲେ। ପ୍ରସ୍ତାବ ହେଲା ପାପରୁ ମୁକ୍ତି ପାଇଁ ପରମ୍ପରା ମାନିବାକୁ ପଡିବ। ତାପରେ ଯାଇ ଏପରି ବିବାହକୁ ଜନଜାତି  ସମାଜ ସମ୍ମତ ଦେବ । 

ପ୍ରେମ ପାଇଁ ଶେଷରେ ରାଜି ହୋଇଥିଲେ ପ୍ରେମୀ ଯୁଗଳ। ଆଉ ଗାଁର ସମସ୍ତେ ଚାରିପଟ ଠିଆ ହୋଇ ଦେଖୁଥିଲେ ମଝିରେ ବଳଦ ହୋଇ ଲଙ୍ଗଳ ବୁଲାଇଲେ ପ୍ରେମୀ ଯୁଗଳ। ହଳ ବୁଲିବା ପରେ ଜଣେ ବୃଦ୍ଧ ଆଦିବାସୀ ଝିଅ ଓ ପୁଅଙ୍କ ମୁଣ୍ଡରେ ଏବଂ ପାଦରେ ଜଳ ପକାଇ ଶୁଚି କରୁଥିବା ଭିଡିଓ ରେ ଦେଖିବାକୁ ମିଳୁଛି।

ଗୋଟିଏ ଦିନ ପୂର୍ବରୁ  ରାୟଗଡ଼ା କଲ୍ୟାଣସିଂହପୁରର କାଞ୍ଜମଯୋଡ଼ା ଗାଁର ଏଭଳି ସମାନ ଢଙ୍ଗରେ ପ୍ରେମୀ ଯୁଗଳଙ୍କୁ ବିଲରେ ହଳ ବୁଲାଇବାକୁ କୁହାଯାଇଥିଲା। କଞ୍ଜାମାଯୋଡି ଗାଁର ପିୟୂସୀ ଓ ପୁତୁରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଠିକ୍ ଏମିତି ମଧ୍ୟଯୁଗୀୟ ବର୍ବରତା ଘଟଣା ସାମ୍ନାକୁ ଆସିଥିଲା । ଗ୍ରାମବାସୀମାନେ ସେମାନଙ୍କୁ ହଳ କରାଇଥିଲେ । ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ପାଇଁ କମିଟି ଗଠନ କରାଯାଇଛି । ତଦନ୍ତ ଚାଲିଥିବା ଜଣାପଡିଛି। ପରିସ୍ଥିତିର ଅନୁଧ୍ୟାନ  କରାଯାଇଏପରି ଅମାନବୀୟ ଘଟଣା କାହିଁକି ସୃଷ୍ଟି ହେଲା ଓ ଏଥିପାଇଁ କିଏ ଦାୟୀ ତାର ତଦନ୍ତ କାର୍ଯ୍ୟ କରାଯାଉଥିବା ରାୟଗଡା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଉ ଠିକ ଏତିକିବେଳେ କୋରାପୁଟରେ ସମାନ ଘଟଣା ଆହୁରି ଚର୍ଚ୍ଚା ବଢ଼େଇ ଦେଇଛି।

Spread the love