ଗୁଣୁପୁର (ପ୍ରତିଫଳନ ମିଡ଼ିଆ )
ଖୋଲିଥିଲା ଘରୋଇ ମେଡିକାଲ। ମୋଟା ଅଙ୍କର ଅର୍ଥ ଦାବି କରି ଚାଲିଥିଲା ଚିକିତ୍ସା। ହସପିଟାଲ ଖୋଲିଥିଲେ ସରକାରୀ ଡାକ୍ତର। ଗୋଟେ ପଟେ ଗୁଣୁପୁର ସବଡ଼ିଭିଜାନଲ ମେଡିକାଲ ଅଫିସର ଭାବେ କାମ ଏପଟେ ହସପିଟାଲ ପରିଚାଳନା। ବ୍ୟାପକ ଅନିୟମିତତା ନେଇ ଅଂଚଳବାସୀ ଅଭିଯୋଗ କରି ଆସୁଥିଲା। ଆଜି ଆରମ୍ଭ ହୋଇଥିଲା ମିଳିତ ତଦନ୍ତ।ରାୟଗଡା ଜିଲ୍ଲା ଗୁଣପୁର କପିଳପୁରଠାରେ ଥିବା ଲକ୍ଷ୍ମଣ ଲାବନ୍ୟ ମେଟ୍ରିନିଟି ହୋମ ରିସର୍ଚ ସେଣ୍ଟର ଉପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଟିମ୍ ଚଢାଉ କରିଥିଲା | କ୍ଲିନିକ୍ ବେଆଇନ ଭାବେ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ, ଅଗ୍ନିଶମ ବିଭାଗ ଉପସ୍ଥିତିରେ ଚଢାଉ ଜାରି ରହିଥିଲା।

ବିଭିନ୍ନ ଗୁରୁତ୍ବପୁଣ୍ଣ କାଗଜ ପତ୍ର ଯାଞ୍ଚ ପରେ କ୍ଲିନିକ୍ ବେଆଇନ ଭାବେ ଚାଲିଥିବା ନେଇ ସ୍ପଷ୍ଟ ହୋଇଥିଲା। ଚଢାଉ ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରି ବି . ସରୋଜିନି ଦେବି, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମମତା ସାହୁ ଓ ପି କେ ମିଶ୍ର, ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ପଦ୍ମପୁର୍ ତହସିଲଦାର ଶଙ୍କର ବାଗ ଙ୍କ ଉପସ୍ଥିତିରେ ଚଢାଉ ଜାରି ରହିଥିଲା। ଚଢଉ ସମୟରେ ଗୁଣୁପୁର ଅଗ୍ନିଶମ ବାହିନୀ ଅଧିକାରି ରଜନୀ କାନ୍ତ ଗଉଡ, ଗୁଣୁପୁର ପୋଲିସ୍ ଏସ୍ଡିପିଓ ବାବୁଲି ନାୟକ ଉପସ୍ଥିତ। ଗୁଣୁପୁର ଉପଖଣ୍ଡସ୍ତରୀୟ ମେଡିକାଲର ଦାୟିତ୍ବରେ ଥିବା ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଦୀପ କୁମାର ପଣ୍ଡା ଏହି କ୍ଲିନିକ୍ ପରିଚାଳନା କରୁଥିଲେ। ଏଠାରେ ବେଆଇନ ଭାବେ ଅସ୍ତ୍ରପୋଚାର ସହ ଅଲଟ୍ରାସାଉଣ୍ଡ ଓ ପ୍ରସୁତିଙ୍କ ଡେଲିଭେରି କରାଯାଉଥିଲା। କ୍ଲିନିକର ସାତ ମହଲା କୋଠାର ନଥିପତ୍ର ନଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ଏଭଳି କ୍ଲିନିକ ଚାଲିଥିବାରୁ ଅଞ୍ଚଳରେ ଅଭିଯୋଗ ଉଠିଥିଲା। ଏପରିକି ପ୍ରସୁତି ଏଠାରେ ଡେଲିଭେରି ହେଲା ପରେ ଅନେକ ମାଆଙ୍କ ମୃତ୍ୟ ଘଟିଥିବା ଅଭିଯୋଗ ରହିଛି। ସମସ୍ତ ଘଟଣା ପଦାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ସରକାରୀ ଡାକ୍ତର ହୋଇ ହସ୍ପିଟାଲ ଖୋଲିଥିବାରୁ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଟାନ ନେବ ତାର ମଧ୍ୟ ତଦନ୍ତ କରାଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ଏହି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

