ରାଜନୀତିରୁ ଉର୍ଦ୍ଧ୍ଵରେ ରହି ଦେଶର ବିକାଶ ପାଇଁ ଅଟଳ ଥିଲେ ବାଜପେୟୀ ।

ପ୍ରତିଫଳନ ମିଡ଼ିଆ

ଅଟଳ ବିହାରୀ ବାଜପେୟୀ ସ୍ମୃତି ସଂସଦ ପକ୍ଷରୁ ରାୟଗଡରେ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ବାଜପେୟୀଙ୍କ ନୀତି, ନିଷ୍ଠା ଓ ଦର୍ଶନରେ ଅନୁପ୍ରାଣିତ ହୋଇ ରାୟଗଡ଼ ଜିଲ୍ଲାର ବିକାଶ ପାଇଁ ସମସ୍ତେ ଏକାଠି ହୋଇ ଆଗକୁ ବଢିବାକୁହେବ । ଦଳ ଓ ମତରୁ ଉର୍ଦ୍ଧ୍ବରେ ରହି ସମସ୍ତଙ୍କୁ ଏକାଠି କରି ଆଗକୁ ଜିଲ୍ଲାର ବିକାଶ ପାଇଁ ସ୍ମୃତି ସଂସଦ କାର୍ଯ୍ୟ କରିବ ବୋଲି ଆୟୋଜକ ୟାଲା ଭେଙ୍କଟଶ୍ୱର୍ ରାଓ ତଥା କୋଣ୍ଡା ବାବୁ କହିଛନ୍ତି ।
ରାଷ୍ଟ୍ର ଗଠନ ପାଇଁ ଅଟଳ ଜୀଙ୍କ ଦୃଷ୍ଟିଭଙ୍ଗି ଓ ନିଷ୍ପତି ନେବାରେ ଦୃଢତା ଯୋଗୁଁ ଭାରତ ବର୍ଷ ବିଶ୍ଵର ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇପାରିଛି । ଏଣୁ ଲକ୍ଷ୍ୟ ହାସଲ ପାଇଁ ଶୃଙ୍ଖଳିତ ଓ ସୁସଂଗଠିତ ହୋଇ ଆଗକୁ ବଢିଲେ ସଫଳତା ନିଶ୍ଚିତ ମିଳେ ଏକଥାକୁ ପ୍ରମାଣିତ କରିଥିଲେ ଭାରତ ରତ୍ନ ବାଜପେୟୀ ବୋଲି ମୁଖ୍ୟ ଅତିଥି , ଅବସର ପ୍ରାପ୍ତ ଶିକ୍ଷକ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଶତାବ୍ଦୀ ବିସ୍ତାରକ ଜନ୍ମେଜୟ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ।

ବିକାଶ ପୁରୁଷ ଥିଲେ ଅଟଳ ବିହାରୀ ବାଜପେୟୀ। ସ୍ମୃତି ଚାରଣରୁ ଉପରକୁ ଉଠି ରାୟଗଡ ଜିଲ୍ଲାର ସାମୁହିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ସଙ୍କଳ୍ପ ନେଲେ ତାହାହିଁ ହେବ ପୁନ୍ୟାତ୍ମାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି । ଜିଲ୍ଲାରେ ଜି ଆଇ ଟ୍ୟାଗ୍ ପାଇଥିବା ଡଙ୍ଗରିଆ ଆଦିବାସୀଙ୍କ ପ୍ରସ୍ତୁତ କପଡ଼ାଗୁନ୍ଦା ସାଲ ଓ ଲାଞ୍ଜିଆ ସୌରା ଙ୍କ ଇଡିତାଲ୍ ଚିତ୍ରକଳାର ସ୍ଥିତିକୁ ପରଖି ତାହା କିପରି ବହୁଳ ଭାବେ ଉତ୍ପାଦିତ ହୋଇ ବ୍ୟବହାର ହେବ ଓ ତୃଣମୂଳ ସ୍ତରରେ ଥିବା ଆଦିବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ ସେଥିପାଇଁ ରାୟଗଡ଼ ନାଗରିକ ସମାଜକୁ ଆଗକୁ ଆସିବାକୁ ହେବ । ଠିକ୍ ସେହିପରି ଗରିବ ଚାଷୀଙ୍କ ଉତ୍ପାଦିତ କ୍ଷୁଦ୍ର ଶସ୍ୟ ଯଥା ମାଣ୍ଡିଆ, ସୁଆଁ, କାଙ୍ଗୁ, ଜନା,ଭଳି ମିଲେଟ ଜାତୀୟ ଫସଲର କିଭଳି ଭାବେ ସ୍ଥାନୀୟ ଛୋଟ ଛୋଟ ହୋଟେଲ୍ ଓ ଠେଲା ଜଳଖିଆ ଦୋକାନୀଙ୍କ ଦ୍ଵାରା ବହୁଳ ବ୍ୟବହାର କରାଯାଇ ଇଡଲି, ଦୋସା, ଚକୁଳି, ମଣ୍ଡା, ଇତ୍ୟାଦି ଖାଦ୍ୟ ପ୍ରସ୍ତୁତ କରାଯିବ ଓ ଏଥିପାଇଁ କିପରି ସରକାରୀ ରିହାତି ଓ ପ୍ରୋତ୍ସାହନ ମିଳିବ ସେବିଷୟରେ ଉଦ୍ୟମ ଲୋଡା । ସପୁରୀ,ପଣସ, ଆମ୍ବ, ତେନ୍ତୁଳି, ଇତ୍ୟାଦିର ପ୍ରକ୍ରିୟାକରଣର ସରଳ ଉପାୟ ବାହାରକଲେ ହିଁ ଚାଷୀ ଉପକୃତ ହୋଇପାରିବ ।ଚାଷୀଙ୍କ ଉନ୍ନତି ହେଲେ ଦେଶର ବିକାଶ ସମ୍ଭବ।ଲୋକଙ୍କ ଓ ସରକାରଙ୍କ ଯୌଥ ଉଦ୍ୟମରେ ଅନେକ କିଛି ସମ୍ଭବ ହୋଇପାରିବ । ଏଥିପାଇଁ ପ୍ରଶାସନ ଓ ସରକାରଙ୍କ ଉପରେ ନିରନ୍ତର ଚାପ ସୃଷ୍ଟି କରିବା ଆବଶ୍ୟକତା ରହିଛି। ଆଜିର ପୁଣ୍ୟ ତିଥିରେ ଏହିଭଳି ଛୋଟ ଛୋଟ ସଂକଳ୍ପ ଆମ ଗାଆଁ, ପଞ୍ଚାୟତ ଲୋକଙ୍କ ଅର୍ଥନୈତିକ ପ୍ରଗତି ଆଣିପାରିବ। ଏହାଦ୍ୱାରା ଜିଲ୍ଲା, ରାଜ୍ୟ ତଥା ରାଷ୍ଟ୍ରକୁ ସମୃଦ୍ଧ କରିପାରିବ। ବାଜପେୟୀଙ୍କ ସଶକ୍ତ ଭାରତ ,ବିକଶିତ ଭାରତ ସ୍ବପ୍ନ ସାକାର ହୋଇପାରିବ ବୋଲି ମୁଖ୍ୟ ବକ୍ତା ବାଦଲ ତା ମତ ବ୍ୟକ୍ତ କରିଥିଲେ ।

ଦେଶବାସୀଙ୍କ ହିତ ଓ ରାଷ୍ଟ୍ରର ପ୍ରଗତି ପାଇଁ ଗୁରୁତ୍ବ ଦେଉଥିଲେ । କାହାରି ଚାପରେ ପ୍ରଭାବିତ ନ ହୋଇ ନିଷ୍ପତ୍ତିରେ ଅଟଳ ରହି ସମସ୍ତଙ୍କୁ ସାଥିରେ ନେଇ କାମ କରୁଥିଲେ ବାଜପେୟୀ । ଅର୍ଥନୈତିକ ପ୍ରଗତି , ଭିତ୍ତିଭୂମିର ବିକାଶ, ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳର ଉନ୍ନତି, କୃଷିର ବିକାଶ, ସଡ଼କପଥ, ରେଳପଥର ଉଲ୍ଲେଖନୀୟ ଉନ୍ନତି ଆଣିଥିଲେ । ଫଳରେ ଭାରତ ବର୍ଷ ସୁଦୃଢ ଦେଶ ଭାବେ ଉଭା ହୋଇପାରିଛି ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଧର୍ମ ଜାଗରଣ ମଞ୍ଚର ସମନ୍ଵୟ ପ୍ରମୁଖ ପ୍ରଭାତ ମହାପାତ୍ର, ବରିଷ୍ଠ ଆଇନଜୀବୀ ବ୍ରଜ ନାୟକ ମତବ୍ୟକ୍ତ କରିଥିଲେ।
ସ୍ମୃତି ସଂସଦର ଆବାହକ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଅଟଳଜୀଙ୍କ ସ୍ମୃତି ସଭାରେ ରାୟଗଡ ଜିଲ୍ଲା ବିଜେପି ସଭାପତି ଏମ ଗୋପୀ ଆନନ୍ଦ, ବିଶିଷ୍ଟ ଆଦିବାସୀ ନେତା କାଳୀରାମ ମାଝୀ, ବସନ୍ତ ଉଲାକା, ଆଦିବାସୀ ମହାସଂଘ ନେତା ଚକ୍ରଧର ବିଡ଼ିକା ପ୍ରମୁଖ ଯୋଗଦେଇ ଦେଶ ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ଅତୁଳନୀୟ ଅବଦାନ ଦେଶର ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି ସ୍ମୃତି ଚାରଣ କରିଥିଲେ । ସଭାରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ମହିଳା ଯୁବ, ଶ୍ରମିକ, ଚାଷୀ, ମୋଟର କର୍ମଚାରୀ, ସଦସ୍ୟମାନେ ଉପସ୍ଥିତ ରହିଥିଲେ । ମଞ୍ଚାସୀନ ଅତିଥିମାନଙ୍କୁ ସଂସଦ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ୍ ପ୍ରଦାନ କରିଥିଲେ।

Spread the love