ଛୁଟିରେ ବି କର୍ମ ତତ୍ପର ଅଧିକାରୀ, ରାଜ୍ୟ ପାଇଁ ସୃଷ୍ଟି କଲେ ଉଦାହରଣ, ସରକାରଙ୍କୁ ଦେଖାଇଲେ ବିକାଶ ମଡେଲର ସଫଳ କାର୍ଯ୍ୟକାରିତାର ରାସ୍ତା
ରାୟଗଡା (ପ୍ରତିଫଳନ ମିଡ଼ିଆ)
ଗାଁ ମୁହାଁ ରାୟଗଡା ପ୍ରଶାସନ। ଗାଁର ଅବସ୍ଥା ପରଖିବା ଓ ବ୍ୟବସ୍ଥାର ସୁଧାର ଲାଗି ଦୁର୍ଗମ ଅଞ୍ଚଳରେ ପହଁଚିଲେ ପ୍ରଶାସନ। ପ୍ରଥମେ ଗାଡ଼ିରେ ଗଲେ। ଆଉ କିଛି ରାସ୍ତା ବାଇକରେ ଏବଂ ଶେଷରେ ଚାଲି ଚାଲି ପହଞ୍ଚିଲେ ଗାଁରେ। ବାସ୍ତବତାକୁ ପରଖିଲେ। ଲୋକଙ୍କ ସହ କଥା ହେଲେ। ତୁରନ୍ତ ସମାଧାନ ପାଇ ପଦକ୍ଷେପ ଗ୍ରହଣ କଲେ। ରାୟଗଡାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଯୁବ ପ୍ରଶାସକ ଅକ୍ଷୟ କୁମାର ଖେମୁଣ୍ଡୁ ନୂଆଖାଇ ପର ଦିନ ସରକାରୀ ଛୁଟି ଘୋଷଣା ପରେ ବି ଘରେ ନ ବସି ଦୁର୍ଗମ ଇଲାକାକୁ ଯାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି। ଗାଁ ଲୋକଙ୍କ ବିକାଶ ପାଇଁ ରାୟଗଡ଼ ଜିଲ୍ଲା ପ୍ରଶାସନ ଦୁର୍ଗମ ଗ୍ରାମକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗ୍ରାଉଣ୍ଡ ଜିରୋର ସ୍ଥିତିକୁ ପ୍ରତ୍ୟକ୍ଷ ଅନୁଧ୍ୟାନ ପାଇଁ ରାୟଗଡା ସିଡିଓଙ୍କ ପ୍ରୟାସକୁ ସବୁ ମହଲରେ ଏବେ ପ୍ରଶଂସା କରାଯାଇଛି।
ରାୟଗଡ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାଯତର ଅତ୍ୟନ୍ତ ଦୁର୍ଗମ ଡ଼ଙ୍ଗରିଆ ଅଞ୍ଚଳକୁ ଗ୍ରସ୍ତ କରିଛନ୍ତି।ଛୁଟିଦିନ ତଥା ପ୍ରତିକୂଳ ପାଗ ଥିବା ସ୍ଵତେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରଥମେ ମୁନିଗୁଡା ବ୍ଲକ ସ୍ଥିତ ମୁନିଖୋଲ ଗ୍ରାମ ପଞ୍ଚାଯତ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ I ସେଠାରେ ଉପସ୍ଥିତ ଥିବା ପଞ୍ଚାଯତର ସରପଞ୍ଚ, ପିଇଓ, ଜିଆରଏସ ଏବଂ ପିଏମ ଜନମନ ହିତାଧିକାରୀଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ମିସ୍ତ୍ରୀ , ପଞ୍ଚାୟତ ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ପିଏମ ଜନମନ ଯୋଜନାରେ ଘର ଗୁଡ଼ିକ ଆଗାମୀ ଏକ ମାସ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ୩୦ ସୁଧା କିଭଳି କାର୍ଯ୍ୟ ସମାପନ କରାଯିବ ତାହାର ଏକ ବିସ୍ତୃତ ଖସଡା ପ୍ରସ୍ତୁତ କରିଥିଲେ I

ଏହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବ୍ଲକର କିଛି ପଦାଧିକାରୀଙ୍କ ସହ ବଡ ଡେଙ୍ଗୁଣି ଗ୍ରାମ ଅଭିମୁଖେ ବାହାରିଥିଲେ। ଅଧା ବାଟରେ ଗାଡି ରଖି କିଛି ବାଟ ମୋଟର ସାଇକେଲ ଓ କିଛିବାଟ ଚାଲି ଚାଲି ଯାଇ ବଡ ଡେଙ୍ଗୁଣି ,ସାନ ଡେଙ୍ଗୁଣି ଏବଂ ଶକଟା ଗ୍ରାମର ସ୍ଥିତି ପରଖିଥିଲେ। ବିଶେଷକରି ସରକାରଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପିଭିଟିଜି ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ଗ୍ରାଉଣ୍ଡ ଜିରୋ ରୁ ତଥ୍ୟ ନେଇଥିଲେ। ବର୍ଷାଦିନରେ ରାସ୍ତା ଏକ ପ୍ରମୁଖ ସମସ୍ୟା ହେଉଥିବା ଯୋଗୁଁ ପିଏମ ଜନମନରେ ତିଆରି ହେଉଥିବା ଘର ଗୁଡିକର ଅଗ୍ରଗତି ଧିମା ପଡ଼ିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଉପଲବ୍ଧି କରିଥିଲେ I ହିତାଧିକାରୀମାନେ କିଭଳି ଭାବରେ ଠିକ ସମୟରେ ଘର କାର୍ଯ୍ୟ ସମାପନ କରି ପାରିବେ ଏବଂ ସେଥିପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା ସୁଯୋଗପ୍ରଦାନ କରିବା ପାଇଁ ବ୍ଲକ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମରେ ବିଜୁଳି ଓ ପିଇବା ପାଣିର ବ୍ୟବସ୍ଥା ଥିବା ଦେଖି ଖୁସି ପ୍ରକଟ କରିବା ସହ କିଭଳି ଭାବରେ MGNREGS ମାଧ୍ୟମରେ ପିଭିଟିଜି ହିତାଧିକାରୀ ମାନେ ନିଜର ଛେଳି ,ଘୁଷୁରି, କୁକୁଡା ପାଳନ କରି ନିଜେ ଅର୍ଥନୈତିକ ଦୁଷ୍ଟିକୋଣରୁ ସ୍ଵାବଲମ୍ବୀ ହଇପାରିବେ ତାହା ଉପରେ ଗୁରୁତ୍ଵରୋପ କରିଥିଲେ I
ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ସ୍ଥାନୀୟ ସରପଞ୍ଚ ପାଇକ ଜାକୋକା ,ଏପିଡ଼ି ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗ ଅଧିକାରୀ ପ୍ରଭାତ କୁମାର ଲେଙ୍କା, ପିଇଓ ଦିନେଶ କୁମାର ଶବର, ଜିଆରଏସ ଅଜିତ ନାଗ ଏହି ଅଞ୍ଚଳକୁ ମୋଟର ସାଇକେଲ ଓ ଚାଲି ଚାଲି ନେବାରେ ସହଯୋଗ କରିବା ସହ ଲୋକଙ୍କ ମୌଳିକ ସମସ୍ୟାକୁ ଉନ୍ନୟନ ଅଧିକାରୀଙ୍କ ସମୁଖରେ ଉପସ୍ଥାପନ କରିଥିଲେ I ପରେ ମୁନିଗୁଡ଼ା ବ୍ଲକ କାର୍ଯ୍ୟIଳୟ ଠାରେ ସମୀକ୍ଷା ବୈଠକରେ ଯୋଗ ଦେଇ ଉନ୍ନୟନ କାମରେ ଟିକିନିଖି ସମୀକ୍ଷା କରିଥିଲେ। ଜିଲ୍ଲା ପଦାଧିକାରୀଙ୍କ ଅଚାନକ ଗସ୍ତକୁ ନେଇ ବ୍ଲକ ଓ ପଞ୍ଚାୟତ ପ୍ରଶାସନ ତତ୍ପର ହୋଇ ଉଠିଥିଲା। ଏଥିସହ ଅତି ନିକଟରୁ ଅଧିକାରୀଙ୍କୁ ପାଇ ଡ଼ଙ୍ଗରିଆ କନ୍ଧ ଲୋକେ ଖୁସି ହେବା ସହ ସିଡିଓଙ୍କୁ ନିଜର ମନ କଥା ଖୋଲି କହିଥିଲେ। ସିଡିଓଙ୍କ ଏଭଳି ଗସ୍ତ ଅନ୍ୟ ଜିଲ୍ଲା ଅଧିକାରୀଙ୍କ ପାଇଁ ଉଦାହରଣ ହୋଇଥିବା ବେଳେ ରାଜ୍ୟ ପାଇଁ ନୂଆ ପ୍ରେରଣା ପାଲଟିଛନ୍ତି।

ନୂଆଖାଇ ଛୁଟି ଦିନ ପାଳନ କରୁଛି ସାରା ରାଜ୍ୟ ।ଛୁଟି ଦିନରେ ଦୁର୍ଗମ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ କାଦୁଅ ରାସ୍ତାରେ ଚାଲି ଚାଲି ଗଲେ ରାୟଗଡ ଜିଲ୍ଲା ପରିଷଦ (ସିଡିଓ) ମୁଖ୍ୟ ଉନ୍ନୟନ ଅଧିକାରି ଅକ୍ଷୟ ଖେମୁଣ୍ଡୂ। ଝିପଝିପି ବର୍ଷା ସାଂଗକୁ ପ୍ରତିକୂଳ ପାଗ ସତ୍ବେ ଖେମୁଣ୍ଡୁଙ୍କ ଏଭଳି ଗସ୍ତ ରାଜ୍ୟ ସରକାରଙ୍କ ପାଇଁ ମଡେଲ ନିଶ୍ଚିତ। ଏଭଳି ଉଦ୍ୟମ ସବୁ ଜିଲ୍ଲାରେ ହେବା ଆବଶ୍ୟକ। ଅଧିକାରୀଙ୍କ ସକ୍ରିୟତା ସରକାରଙ୍କ ଲକ୍ଷ୍ୟ ସାଧନ ସହ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା ସଂଚାର ହୋଇପାରିଛି। ଅଧିକାରୀ ମାନେ ଏଭଳି ଗସ୍ତ କରି ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖି ପଦକ୍ଷେପ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ସ୍ବପ୍ନ ସାକାର ରୂପ ନେବ ବୋଲି ସବୁଠି ଚର୍ଚା ହେଉଛି ।

