ରାୟଗଡା (ପ୍ରତିଫଳନ ମିଡ଼ିଆ )
ମୁକ୍ତାକାଶ ସାହିତ୍ୟ, ରାୟଗଡ଼ର ପ୍ରଥମ ସ୍ଵନକ୍ଷତ୍ର ସମାରୋହ ଆଜି ପ୍ରେମ ପାହାଡ଼ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ ବିମଳ ଚାନ୍ଦ ପଟ୍ଟନାୟକଙ୍କ ଆବାହକତ୍ବରେ ଆୟୋଜିତ ଏଇ ନିରାଡମ୍ବର କାର୍ଯ୍ୟକ୍ରମରେ କବି ଅରୁଣ ପାଣିଗ୍ରାହୀ, ସୁବାସ ବେହେରା, ସସ୍ମିତା ମିଶ୍ର, ମହାଶ୍ୱେତା ପାଣିଗ୍ରାହୀ, କଲ୍ୟାଣୀ ସାସମଲ, ତ୍ରିବେଣୀ ମିଶ୍ର, ମନୋରଞ୍ଜନ ମିଶ୍ର, ପ୍ରଶାନ୍ତି ସାହୁ, ସସ୍ମିତା ଆଚାର୍ଯ୍ୟ, ଶିଶୁ କବୟିତ୍ରୀ ଦେବକୀ ଗହୀର, ସାଇ ଆଦ୍ୟାଶା ସାସମଲ ପ୍ରମୁଖ ଯୋଗ ଦେଇ ନିଜ ନିଜ ପ୍ରିୟ କବିଙ୍କ କବିତା ପାଠ କରିଥିଲେ । ନୂଆ ପିଢ଼ିର ପିଲାଙ୍କ ମଧ୍ୟରେ ସାହିତ୍ୟ ପଠନ ପ୍ରତି ଆକୃଷ୍ଟ କରିବା ମୁକ୍ତାକାଶ ସାହିତ୍ୟର ଅସଲି ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଥିଲା । ଏଇ ଅବସରରେ ରାୟଗଡ଼ର ବହି ମଣିଷ ଭାବରେ ପରିଚିତ ହୃଷୀକେଶ ରଥଙ୍କୁ ମୁକ୍ତାକାଶ ପାଠକ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା । କବୟିତ୍ରୀ ସସ୍ମିତା ମିଶ୍ର କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ । କବୟିତ୍ରୀ ମହାଶ୍ୱେତା ପାଣିଗ୍ରାହୀ ଅନୁଷ୍ଠାନର ବାର୍ଷିକ ଉପଲବ୍ଧି ଓ କାର୍ଯ୍ୟାବଳୀ ଉପସ୍ଥାପନା କରିଥିଲେ । ଶେଷରେ କବି ଶ୍ରୀଧର ପଟ୍ଟନାୟକ ଉପସ୍ଥିତ ସମସ୍ତ ଗୁଣ ମୁଗ୍ଧ ସାହିତ୍ୟ ପ୍ରେମୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

