ବିଳମ୍ବରେ ହେଜିଲେ ଲକ୍ଷ୍ମୀପୁର ନେତା ଓ ଜନତା,ବେଦାନ୍ତକୁ ଅଧିକ ବକ୍ସାଇଟ ଦେବା ନିଷ୍ପତ୍ତିକୁ ବିରୋଧରେ ସବୁ ଦଳ

କୋରାପୁଟରୁ ମଦନ ମୋହନ ସାହୁ ,ପ୍ରତିଫଳନ ମିଡ଼ିଆ

କୋଡିଙ୍ଗାମାଳି ପର୍ବତରୁ ବକ୍ସାଇଟ ଖନନ ବୃଦ୍ଧି କରିବା ନିଷ୍ପତ୍ତିକୁ ବିରୋଧ କରି ସବୁ ଦଳ ଏକାଠି ହୋଇଛନ୍ତି। ବାର୍ଷିକ ୬ ମିଲିୟନ ଟନ ବକ୍ସାଇଟ ଖନନ କରାଗଲେ କୋଡିଙ୍ଗା ମାଳି ପାହାଡ଼ରୁ ବକ୍ସାଇଟ ସରିଯିବ। ଫଳରେ କଂସାରିଗୁଡ଼ାରେ ସ୍ଥାପନ ହେବାକୁ ଥିବା ହିଣ୍ଡାଲକୋ କାରଖାନାକୁ ବକ୍ସାଇଟ୍ ନିଅଣ୍ଟ ପଡ଼ିବ।ବେଦାନ୍ତ ପାଇଁ ହିଣ୍ଡାଲକୋ କାରଖାନାର ଭବିଷ୍ୟତ ଅନ୍ଧକାର ହୋଇପଡିବ।ଏଣୁ ଖଣି ଖନନ ବୃଦ୍ଧି ନିଷ୍ପତ୍ତିକୁ ବାତିଲ କରିବାକୁ ଲକ୍ଷ୍ମୀପୁରର ସବୁ ଦଳର ନେତା ଓ ଅଞ୍ଚଳର ଜନତା ଏକାଠି ହୋଇ କୋରାପୁଟ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ଲୋକଙ୍କ ମତକୁ ଗ୍ରହଣ ନକଲେ ଆସନ୍ତା ୧୦ ତାରିଖ ଠାରୁ ଖଣି ଖନନ ଓ ପରିବହନ ବନ୍ଦ କରାଯିବ ବୋଲି ନେତା ମାନେ ଚେତାବନୀ ଦେଇଛନ୍ତି ।

ଲୋକଙ୍କ ମତ ଓ ଅଞ୍ଚଳର ସ୍ବାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ବିଜେପି ନେତା
ପୂର୍ବତନ ବିଧାୟକ କୈଳାଶ କୁଲେଶିକା ।

ବିଳମ୍ୱରେ ହେଜିଛନ୍ତି ଲକ୍ଷ୍ମୀପୁର ଅଞ୍ଚଳର ନେତା ଓ ସାଧାରଣ ଜନତା। କୋଡିଙ୍ଗା ମାଳି ପାହାଡ଼ରୁ ବକ୍ସାଇଟ ଖନନ ଓ ପରିବହନକୁ ବିରୋଧ କରିଛନ୍ତି । କାରଖାନା ନାହିଁ ତ ଓ ଖଣି ନାହିଁ, ନିଯୁକ୍ତି ନାହିଁ ତ ଖଣି ନାହିଁ ତୁରନ୍ତ ୬ ମିଲିୟନ ଖଣି ଖୋଳା ନିଷ୍ଫତିକୁ ସ୍ଥଗିତ କରିବା ସହ କଂସାରି ଗୁଡା ଠାରେ ହିଣ୍ଡାଲକୋ କାରଖାନା ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି କୋଡ଼ିଙ୍ଗାମାଳି ପାରିପାର୍ଶ୍ବିକ ଓ ପ୍ରଭାବିତ ଅଞ୍ଚଳବାସୀଙ୍କ ସହ ସବୁ ଦଳର ନେତା । ସର୍ବଦଳୀୟ ମଞ୍ଚ ତରଫରୁ ଜିଲ୍ଲାପାଳ,ଏସପି ଓ ଡିଆଇଜିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କୋଡ଼ିଙ୍ଗାମାଳିରୁ ବକ୍ସାଇଟ ପରିବହନ ହେବା ଦ୍ଵାରା ଅନେକ ଲୋକ ଦୁଃର୍ଘଟଣାର ଶିକାର ହେବା ସହିତ ମୃତ୍ୟୁ ମୁଖରେ ପଡୁଛନ୍ତି। ବହୁ ମାତ୍ରାରେ ପ୍ରଦୂଷଣ ହେଉଛି ଯାହାଦ୍ୱାରା ଅନେକ ଜନ ସାଧାରଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏହର ପ୍ରତିକାର ପାଇଁ ବାରମ୍ବାର ଆପତ୍ତି ଅଭିଯୋଗ କରାଯାଇଥିବା ସତ୍ତ୍ୱେ ପ୍ରଶାସନ ବିକଳ୍ପ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସର୍ବଦଳୀୟ ନେତା ମାନେ କହିଛନ୍ତି। ଖଣି ଖନନ ଆରମ୍ଭରୁ ହିଁ କୋଡିଙ୍ଗାମାଳି ଖଣି ଖନନକୁ ଅଞ୍ଚଳବାସୀ ଦୃଢ଼ ବିରୋଧ କରି ଆସୁଥିଲେ। କୋଡ଼ିଙ୍ଗାମାଳି ଖଣି ଅଂଚଳରେ ଆଲୁମିନା ରିଫାଇନାରି ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ଆଞ୍ଚଳବାସୀ ଦାବି କରି ଆସୁଥିଲେ । ଦୀର୍ଘ ବର୍ଷ ପରେ ଅଞ୍ଚଳବାସୀଙ୍କ ଦାବିକୁ ବିଚାରକୁ ନେଇ ରାଜ୍ୟ ସରକାର ପ୍ରକ‌ଳ୍ପ ପ୍ରତିଷ୍ଠାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ବର୍ତମାନ ଏହି ଅଞ୍ଚଳରେ ହିଣ୍ଡାଲକୋ ବକ୍ସାଇଟ୍ କାରଖାନାର ନିର୍ମାଣ କାର୍ଯ୍ୟ ଚାଲୁରହିଛି। ବର୍ତମାନକୁ ବାର୍ଷିକ ୩ ମିଲିୟନ ଟନ ଖନନ କରା ଯାଉଥିବା ବେଳେ ତାହାକୁ ଏବେ ୬ ମିଲିୟନ ଟନକୁ ବୃଦ୍ଧି କରିବାପାଇଁ ସରକାର ନିଷ୍ଫତି ନେଇଛନ୍ତି। ଏହାଦ୍ୱାରା କୋଡିଙ୍ଗା ମାଳି ଖଣିରୁ ବକ୍ସାଇଟ ଖାଲି ହୋଇଯିବ । କାରଖାନା ପ୍ରତିଷ୍ଠା ପାଇଁ ବକ୍ସାଇଟ ନିଅଣ୍ଟିଆ ହୋଇପଡିବ। ହିଣ୍ଡାଲକୋ ର ଭବିଷ୍ୟତ ଅନ୍ଧକାର ହୋଇପଡିବ । ବକ୍ସାଇଟ ପାଇ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ନାହିଁ । ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେବେ। ଏଣୁ ୬ମିଲିୟନ ଟନ ବକ୍ସାଇଟ ଖନନ ନିଷ୍ପତିକୁ ବନ୍ଦ କରିବାକୁ ସର୍ବଦଳୀୟ କମିଟି ଦାବୀ ରଖିଛନ୍ତି । ଲୋକଙ୍କ ଦାବୀକୁ କାର୍ଯ୍ୟକାରୀ କରାନଗଲେ ଅଞ୍ଚଳର ସ୍ବାର୍ଥ ରକ୍ଷା ଓ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ସର୍ବଦଳ ପକ୍ଷରୁ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଖଣି ଅଞ୍ଚଳ ରାସ୍ତାକୁ ଅବରୋଧ କରାଯିବ।ଗାଡି ଚଳା ଚଳ ବନ୍ଦ କରାଯିବ ବୋଲି କଂଗ୍ରେସ ନେତା ତଥା ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ବିଜେଡ଼ି ନେତା ପୂର୍ବତନ ବିଧାୟକ ପ୍ରଭୁ ଜାନୀଙ୍କ ସମେତ ଖଣି ଅଞ୍ଚଳର ଜନ ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି

ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଓ ବିଜେପିର କର୍ମକର୍ତାଙ୍କ ସହ କୋଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚର ଅନେକ ସଦସ୍ୟ ଓ ପ୍ରଭାବିତ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Spread the love