ଭୁବନେଶ୍ୱର (ପ୍ରତିଫଳନ ମିଡିଆ)
ଏକ ସୁରକ୍ଷିତ, ସମ୍ମାନଜନକ କର୍ମକ୍ଷେତ୍ର ସୃଷ୍ଟି କରିବାର ପ୍ରତିବଦ୍ଧତା ଅନୁଯାୟୀ, ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ କଟକ ରେଳ ଷ୍ଟେସନରେ “କାର୍ଯ୍ୟସ୍ଥଳରେ ମହିଳାମାନଙ୍କୁ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, 2013 ସମ୍ପର୍କରେ ଏକ ସଚେତନତା ଏବଂ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ୟୁନିକ୍ ମେଡିକାଲ୍ ଆଇଡେଣ୍ଟିଟି କାର୍ଡ (UMID) ଏବଂ ମାନବ ସମ୍ବଳ ପରିଚାଳନା ପ୍ରଣାଳୀ (HRMS) ସମ୍ବନ୍ଧୀୟ ଅଭିଯୋଗ ସମାଧାନ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।
ଏହି ଅଧିବେଶନରେ ସିନିୟର ଡ଼ିଭିଜନାଲ ମେକାନିକାଲ ଇଞ୍ଜିନିୟର (ପରିବେଶ ଏବଂ ଗୃହରକ୍ଷା ପରିଚାଳନା) ତଥା ରେଳମଣ୍ଡଳ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ଅଧ୍ୟକ୍ଷା ଶ୍ରୀମତୀ ସ୍ୱାଧୀନତା ଦାସ ଏବଂ ରେଳମଣ୍ଡଳର ସହାୟକ କାର୍ମିକ ଅଧିକାରୀ ତଥା ICCର କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ ଶୀ-ବକ୍ସ ନୋଡାଲ ଅଧିକାରୀ ଶ୍ରୀମତୀ ତପସ୍ୱିନୀ ମହାନନ୍ଦିଆ ଯୋଗ ଦେଇଥିଲେ । ଉଭୟ ଅତିଥି ଉତ୍ପୀଡ଼ନମୁକ୍ତ କର୍ମକ୍ଷେତ୍ର ନିର୍ମାଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା ବେଳେ POSH ଆଇନ, 2013 ର ବ୍ୟବସ୍ଥାଗୁଡ଼ିକ ସମ୍ବନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।

ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ଗଠନ ଏବଂ ଭୂମିକା ଘଟଣାଗୁଡ଼ିକର ନିବାରଣ, ନିଷେଧ ଏବଂ ପ୍ରତିକାରରେ ନିଯୁକ୍ତିଦାତାଙ୍କ ଦାୟିତ୍ୱ କର୍ମଚାରୀମାନଙ୍କ ପାଇଁ ଉପଲବ୍ଧ ଆଇନଗତ ଢାଞ୍ଚା ଏବଂ ପ୍ରତିକାର ବ୍ୟବସ୍ଥା, କର୍ମଚାରୀ-କେନ୍ଦ୍ରିକ ଅଭିଯୋଗ ସମାଧାନ ବ୍ୟବସ୍ଥା ସମ୍ପର୍କରେ ଅଧିକ ସଚେତନତା ସୁନିଶ୍ଚିତ କରି ୟୁନିକ୍ ମେଡିକାଲ୍ ଆଇଡେଣ୍ଟିଟି କାର୍ଡ – UMID କାର୍ଡ ଏବଂ ମାନବ ସମ୍ବଳ ପରିଚାଳନା ପ୍ରଣାଳୀ-HRMS ସୁବିଧା ସମ୍ପର୍କରେ କର୍ମଚାରୀଙ୍କ ପ୍ରଶ୍ନର ମଧ୍ୟ ସମାଧାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କଟକର ବରିଷ୍ଠ ରେଳବାଇ କର୍ମଚାରୀଙ୍କ ସହ ଅନ୍ୟାନ କର୍ମଚାରୀମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯାହା ମର୍ଯ୍ୟାଦା, ଲିଙ୍ଗ ସମ୍ବେଦନଶୀଳତା ଏବଂ କାର୍ଯ୍ୟକ୍ଷେତ୍ର ସମାନତାକୁ ସୁରକ୍ଷା ଦେବା ପାଇଁ ରେଳମଣ୍ଡଳର ସାମୂହିକ ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦେଶ କରିଥିଲା ।

