କୋରାପୁଟ (ପ୍ରତିଫଳନ ମିଡ଼ିଆ)
କୋରାପୁଟ ଜିଲ୍ଲା ବାଳଦାସ୍ଥିତ ନାଗେଶ୍ୱରୀ ପାହାଡ଼ରେ ବକ୍ସାଇଟ ଗଚ୍ଛିତ ରହିଛି । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଛନ୍ତି। ପ୍ରକୃତି ଓ ପରିବେଶକୁ ଧ୍ବଂସ ନ କରିବାକୁ ପଣ କରିଛନ୍ତି ଅଞ୍ଚଳବାସୀ। କିନ୍ତୁ ଖଣି ରୁ ବକ୍ସାଇଟ ଖନନ ପାଇଁ ଗତ ମାର୍ଚ୍ଚ ମାସରେ ପରିବେଶ ଅନୁମୋଦନ ପାଇଁ ଜନ ଶୁନାଣିକୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ବେ ପରିବେଶ ମଞ୍ଜୁରୀ କିଭଳି ଦିଆଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା । ଗ୍ରାମ ସଭାର ଅନୁମତି ନଥାଇ ଜଙ୍ଗଲ ଜମି ଅଧିକାର କରାଯାଇ ପାରିବ ନାହିଁ । ସମ୍ବିଧାନର ୫ ଅନୁଛେଦକୁ ହତ୍ୟା କରାଯାଉଛି । ପରିବେଶ ମଞ୍ଜୁରୀ ତୁରନ୍ତ ବାତିଲ କରିବା ସହ ଗ୍ରାମସଭା କରାଯାଉ ବୋଲି ଦାବି କରିଛନ୍ତି ।ଆଦାନୀ କମ୍ପାନୀର ସ୍ବାର୍ଥ ପାଇଁ ଆଦିବାସୀଙ୍କ ଅଧିକାରକୁ ଛାଡାଇ ନେବା ଉଦ୍ୟମକୁ ତୀବ୍ର ନିନ୍ଦା କରିଛନ୍ତି ସାମନ୍ତରା । ବିଜେଡ଼ି ସରକାର ଆଦିବାସୀ ବିରୋଧୀ କାମ କରି ପାପ କରିଥିଲେ ।ଏବେ ବିଜେଡିର ପାପ କୁ ପ୍ରଶୟ ଦେଉଛି ବିଜେପି ସରକାର ବୋଲି ସେ ଅଭିଯୋଗ କରିଛନ୍ତି ।
ସରକାର ଓ ପ୍ରଶାସନ କରିଛନ୍ତି ଆଦିବାସୀଙ୍କୁ ପ୍ରତାରଣା । ବିଶ୍ୱାସଘାତ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଆଦିବାସୀ ସଂଗଠନ ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବି ଗୁପ୍ତେଶ୍ୱର ପାଣିଗ୍ରାହୀଙ୍କ ସମେତ ନାଗେଶ୍ଵର ପାହାଡ ସୁରକ୍ଷା ମଞ୍ଚର ସଦସ୍ୟ ଅଜୟ ମୁଦୁଲି, ରାଜେନ୍ଦ୍ର ଖରା, ଲକ୍ଷ୍ମୀ ସୀସା ପ୍ରମୁଖ ଉପସ୍ଥିତ ଥିଲେ । ଆଦିବାସୀଙ୍କ ଦାବୀ କୁ ଅଣଦେଖା କରି ସମ୍ବିଧାନ ପ୍ରଦତ୍ତ ଜଙ୍ଗଲ ଆଇନକୁ ଉଲ୍ଲଂଘନ କରି ବେଆଇନ ଭାବେ ନାଗେଶ୍ୱରୀ ଗୁମ୍ଫା ପାହାଡ଼ରୁ ବକ୍ସାଇଟ ଖନନ କରିବାକୁ ପରିବେଶ ମଞ୍ଜୁରୀ ଦିଆଯାଇଥିବା ଜଣା ପଡ଼ିଛି । ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି । ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ନାଗେଶ୍ୱରୀ ସୁରକ୍ଷା ମଞ୍ଚ, ଡଙ୍ଗର ସୁରକ୍ଷା ମଞ୍ଚ , ଜମି ଜଳ ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା ଜିଲ୍ଲାର ଅନେକ ଆଦିବାସୀ ସଂଗଠନଗୁଡ଼ିକ ପରିବେଶ ମଞ୍ଜୁରୀ ପାଇଁ ଆୟୋଜିତ ଜନ ଶୁଣାଣି ସଭାରେ ପ୍ରବଳ ବିରୋଧ କରିଥିଲେ । ଅଧାରେ ଜନଶୁଣାଣି ବନ୍ଦ ହୋଇଯାଇଥିଲା । ତଥାପି କିଭଳି ଜନ ଶୁଣାଣିକୁ ଲୋକେ ସମର୍ଥନ କରିଛନ୍ତି ବୋଲି ପ୍ରଶାସନ ଓ ସରକାର ଅନୁମୋଦନ ଦେଇଛନ୍ତି । ଆଦିବାସୀଙ୍କ ପ୍ରତି ବିଶ୍ଵାସଘାତ ଓ ପ୍ରତାରଣା କରାଯାଇଛି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।
ସ୍ଥାନୀୟ ଜନଜାତିଙ୍କ ବିରୋଧ ସତ୍ବେ ଖଣି ମାଲିକଙ୍କ ସ୍ବାର୍ଥ ରକ୍ଷା ପାଇଁ ଜଙ୍ଗଲ ଅଧିକାର ଆଇନକୁ ଦୁର୍ବଳ କରିବାକୁ ସରକାର ପ୍ରୟାସ କରୁଛନ୍ତି । କୋରାପୁଟ ଜିଲ୍ଲାରେ ଜନଜାତି ସଂଗଠନ ଓ ଲୋକ ସଂଗଠନମାନେ ସରକାରଙ୍କ ପ୍ରସ୍ତାବିତ ଜଙ୍ଗଲ ଅଧିକାର ଆଇନ (୨୦୦୬)ର ସଂଶୋଧନକୁ ଦୃଢ଼ଭାବରେ ବିରୋଧ କରିଛନ୍ତି । ବର୍ତ୍ତମାନ ୧୪ ପ୍ରକାରର ଅଧିକାର ସ୍ୱୀକୃତ ଥିବା ସମୟରେ ସରକାରଙ୍କ ପ୍ରସ୍ତାବ ଅନୁସାରେ ଆଇନର ଧାରା ୩(୧) ରୁ ସମୁଦାୟ ଜଙ୍ଗଲ ଅଧିକାର ବାହାର କରାଯିବାକୁ ପ୍ରସ୍ତାବ ରହିଛି। ଏହା ପାଳିତ ହେଲେ ଦେଶର ଲକ୍ଷାଧିକ ଜନଜାତି ଓ ଜଙ୍ଗଲ ନିର୍ଭରଶୀଳ ଲୋକ ଆଇନସମ୍ମତ ଅଧିକାରରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି ।

ସଙ୍ଗଠନ ପକ୍ଷରୁ ସତର୍କ କରାଯାଇଛି ଯେ, ଏଭଳି ପଦକ୍ଷେପରେ କୋର୍ପୋରେଟ୍ ଓ କମ୍ପାନୀମାନଙ୍କୁ ଦ୍ରୁତଗତିରେ ଜଙ୍ଗଲ ଓ ଭୂମି ଦିଆଯିବ। ବ୍ୟାପକ ପୁନର୍ବାସ ସମସ୍ୟା ଓ ଦରିଦ୍ରତା ବୃଦ୍ଧି ପାଇବ । ଜଙ୍ଗଲ କ୍ଷୟ ହେବ। ପରିବେଶ ନଷ୍ଟ ହୋଇଯିବ । ସରକାର ତୁରନ୍ତ ସଂଶୋଧନ ପ୍ରସ୍ତାବକୁ ହଟାଇ ଜଙ୍ଗଲ ଜମି ଆଇନକୁ କଡାକଡ଼ି କାର୍ଯ୍ୟକାରୀ କରିବାକୁ ଦାବି ରଖିଛନ୍ତି । ଏହିକ୍ରମରେ ଜିଲ୍ଲା ପ୍ରଶାସନ ଓ ସରକାର ନାଗେଶ୍ୱରି ପାହାଡ଼ରୁ ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ ଅନୁମୋଦନ କୁ ବାତିଲ କରିବାକୁ ଦାବୀ କରିଛନ୍ତି। ନଚେତ ବଡ଼ ଧରଣର ପ୍ରତିବାଦ କରାଯିବ ବୋଲି ଶ୍ରୀ ସାମନ୍ତରା କହିଛନ୍ତି।


