ନାଗାବଳୀରେ ଅଘଟଣ,ପ୍ରବଳ ଜଳସ୍ରୋତରେ ଭାସି ଯାଇଥିବା ଯୁବକର ଶବ ଉଦ୍ଧାର ।


ରାୟଗଡା ( ପ୍ରତିଫଳନ ମିଡ଼ିଆ)

ସାମାନ୍ୟ ଅସତର୍କତା ହେଲେ ଜୀବନ ନେଉଛି ନାଗାବଳୀ ନଦୀ।
ରାୟଗଡ଼ା ସହର ଦେଇ ପ୍ରବାହିତ ନାଗାବଳୀ ନଦୀର ପ୍ରଖର ଜଳସ୍ରୋତରେ ଭାସି ଯାଇଥିବା ଜଣେ ଯୁବକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ହାତୀପଥର ନିକଟ ନଦୀ କୂଳରୁ ଏହି ମୃତଦେହ ଉଦ୍ଧାର ହୋଇଛି । ଅକାଳରେ ମୃତ୍ୟୁ ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତ ଯୁବକର ନାମ ସିମାଦ୍ରୀ ମିନିୟକା। ବୟସ–୨୩। ରାୟଗଡ଼ା ସହର ନିକଟବର୍ତ୍ତି କୋତପେଟା ଗ୍ରାମର । ଗତକାଲି ଅପରାହ୍ନ ପ୍ରାୟ ୧୨ଟା ସମୟରେ ସିମାଦ୍ରୀ ତାଙ୍କ ସାଙ୍ଗମାନଙ୍କ ସହିତ ମାଲିଗାଁ ନିକଟରେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଅସାବଧାନତା ଯୋଗୁଁ ନଦୀର ଗଭୀର ଜଳ ମଧ୍ୟକୁ ଖସି ଯାଇଥିଲେ । ପ୍ରବଳ ଜଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ।
ଏହି ଅଘଟଣ ଖବର ପାଇବାପରେ ପରିବାର ଲୋକେ ଚାନ୍ଦିଲି ଥାନାରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ । ଗୋଟାଏ ଦିନ ପରେ ହାତୀପଥର ନିକଟରେ ନଦୀରେ ମୃତଦେହ ଭାସୁଥିବା ନେଇ ପୋଲିସକୁ ସୂଚନା ମିଳିଲା।
କୋତପେଟା ପୂର୍ବତନ ସରପଞ୍ଚ ପ୍ରସାଦ ହୁଇକାଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ମିଶି ମୃତଦେହକୁ ନଦୀରୁ ଉଦ୍ଧାର କରିଛନ୍ତି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ। ଏହି ଦୁଃଖଦ ଅଘଟଣ ପରେ କୋତପେଟା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରତ୍ୟକ ବର୍ଷ ନାଗାବଳୀ ନଦୀ ଗର୍ଭରେ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ତଥାପି ଲୋକଙ୍କ ଭିତରେ ସଚେତନତା ଜାଗରିତ ହୋଇପାରୁନି। ଅକାଳରେ ନଦୀରେ ବୁଡ଼ି ଅନେକ ଙ୍କ ଜୀବନ ଯାଉଛି ।

Spread the love