ରାୟଗଡା (ପ୍ରତିଫଳନ ମିଡ଼ିଆ)

ନାଗାବଳୀ ନଦୀ ପୁଣି ନେଲା ଆଉ ଏକ ମୁଣ୍ଡ ! ନଦୀରେ ବୁଡି ପୁଣି ଜଣେ ନିଖୋଜ। ନିଖୋଜ ଯୁବକର ନାମ ଚିନୁ ବାଲୁ। ବୟସ ୩୮। ଘର ରାୟଗଡ଼ା ସହର ଉପକଣ୍ଠ ଗୁରୁମଗୁଡ଼ାରେ। ନଦୀ ଆରପାଖ ଚାଷ ଜମି ଦେଖାରଖା ପାଇଁ ନଦୀ ଦେଇ ଯାଇଥିଲା। ସେପଟୁ ଅପରାହ୍ନ ଘରକୁ ଫେରିବା ବେଳେ ହଠାତ ନଦୀରେ ବର୍ଷାଜଳ ଆସିଯାଇଥିବାରୁ ସେ ସ୍ରୋତରେ ଭାସି ଯାଇଥିବା ପରିବାର ତଥା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଘରକୁ ନ ଫେରିବାରୁ ଖୋଜାଖୋଜି ପରେ ବି ତାର କୌଣସି ସନ୍ଧାନ ଏଯାବତ ମିଳିନାହିଁ। ନଦୀ ତଳ ମୁଣ୍ଡକୁ ସତର୍କ କରାଯାଇଛି। ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବାଲୁକୁ ଖୋଜା ଚାଲିଛି। ଦିନକୁ ଦିନ ନାଗାବଳୀ ନଦୀ କ୍ରମଶଃ ଉଗ୍ର ହେଉଛି। ଚଳିତ ବର୍ଷ କ୍ରମାଗତ ବର୍ଷା ହେଉଛି। ନଦୀରେ ବର୍ଷାଜଳ ମିଶିବାରେ ଲାଗୁଛି। ଅନେକ ସମୟରେ ହଠାତ ନଦୀରେ ବନ୍ୟାଜଳ ଆସିଯାଉଥିବାରୁ ନଦୀ ତଟବର୍ତ୍ତୀ ଲୋକ ଅକାରଣରେ ନଦୀରେ ଭାସି ଯାଇ ମୃତ୍ୟୁକୁ ଆବୋରି ବସୁଛନ୍ତି। ଉପର ମୁଣ୍ଡରେ ନାଗାବଳୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଲାଗି ବାରମ୍ବାର ଦାବୀ ହେଉଥିଲେ ମଧ୍ୟ କୌଣସି ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି। ଖରାଦିନେ ନଦୀରେ ପାଣି ଶୁଖି ଯାଉଥିବାବେଳେ ବର୍ଷା ଦିନେ ଅକାତ ଅକାତ ପାଣି ନଦୀ ତଟକୁ କ୍ଷୟ କରୁଛି ଏବଂ ମୁଣ୍ଡ ପରେ ମୁଣ୍ଡ ଖାଉଛି। ବ୍ୟାରେଜ ନିର୍ମାଣ ହେଲେ ବନ୍ୟାଜଳ ନିୟନ୍ତ୍ରଣ ହୋଇପାରନ୍ତା। ଧନଜୀବନ ରକ୍ଷା ସହ ଜଳସେଚନ ସାଙ୍ଗକୁ ତଟବର୍ତ୍ତୀ ଅଞ୍ଚଳ ସୁରକ୍ଷିତ ରହି ପାରନ୍ତା। କଲ୍ୟାଣସିଂହପୁର ଠାରୁ ସୀମାନ୍ତ କେରଡା ମଧ୍ୟରେ ପ୍ରତିବର୍ଷ ବହୁ ଲୋକ ନଦୀରେ ବୁଡି ମରୁଛନ୍ତି।

(ଫାଇଲ ଫୋଟୋ )
ଏମିତିକି ଚଳିତ ବର୍ଷ ମାଟି ଅତଡା ଖସି ଜଣେ ବାଳକର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଏସବୁ ସତ୍ତ୍ୱେ ସ୍ଥାନୀୟ ଲୋକପ୍ରତିନିଧି କିମ୍ବା କୌଣସି ରାଜନୈତିକ ଦଳ ପକ୍ଷରୁ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ ଲାଗି ଆଖିଦୃଶିଆ ସଂଗ୍ରାମ କରିବା ଦେଖିବାକୁ ମିଳିନି। କୌଣସି ଲୋକଙ୍କ ମୃତ୍ୟୁ ଘଟିଲେ ସାମୟିକ ସମବେଦନା ଜଣାଇ ଚୁପ ରହି ଯାଉଛନ୍ତି ନେତାଗଣ। ଅଞ୍ଚଳର ପ୍ରମୁଖ ଦାବୀ ପୂରଣରେ ପ୍ରତିବଦ୍ଧତା ପ୍ରଦର୍ଶନ କରୁ ନାହାଁନ୍ତି। ଏଣେ ଗତକାଲି ଠାରୁ ନିଖୋଜ ବାଲୁର କୌଣସି ସନ୍ଧାନ ଏ ରିପୋର୍ଟ ଲେଖିବା ଯାଏଁ ମିଳିନି।

