ରାୟଗଡ ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଆସନ୍ତାକାଲି ଅନାସ୍ଥା ଭୋଟ ଗ୍ରହଣ🔹ଅନାସ୍ଥାବିରୋଧରେ ହ୍ବିପ ଜାରି କଲେ ନବୀନ🔹ବିଜେଡି ଦଳ ହେବ ପ୍ରତାରିତ !

ବିଜେଡ଼ି ନେତା ନାଚାର , କାମ କରିବନି ନବୀନ କିମିଆ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଆସନ୍ତାକାଲି ୯ ତାରିଖ ଦିନ ରାୟଗଡା ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଭୋଟ ଗ୍ରହଣ ପାଇଁ ରାୟଗଡ ଉପ ଜିଲ୍ଲାପାଳକୁ ଦାୟିତ୍ବ ଦେଇଛି ପ୍ରଶାସନ ।
ଏହା ପୂର୍ବରୁ ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ବିଜେଡି କାଉନସିଲରମାନଙ୍କୁ ହ୍ବିପ୍ ଜାରି କରିଛନ୍ତି। ବିଜେଡ଼ି ଦଳର ଉପାଧ୍ୟକ୍ଷାଙ୍କ ବିରୋଧରେ ବିଜେଡ଼ି ଦଳର କାଉନସିଲରମାନେ ଅନାସ୍ଥା ଆଣିଛନ୍ତି । ଏଣୁ ଅନାସ୍ଥା ଭୋଟ ବିପକ୍ଷରେ ଭୋଟ ଦେବାକୁ ସମସ୍ତ କାଉନସିଲରମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ନବୀନ ପଟ୍ଟନାୟକ। କାଉନସିଲରମାନେ ବିଜେଡିର ହୋଇଥିବା ବେଳେ ହ୍ବିପ୍କୁ ଅବମାନନା କଲେ ଓଡିଶା ମୁନିସିପାଲ୍ ରୁଲ୍ ୨୦୧୮ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ଏହି ଜାରି ହୋଇଥିବା ହ୍ବିପରେ ଏକ ନକଲ ଆଜି ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଦାନ କରିଛନ୍ତି।ଭୋଟ ଗ୍ରହଣ କେନ୍ଦ୍ର ରେ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରିବା ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତେବେ ଆସନ୍ତାକାଲି ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ଥାବ ଉପରେ ଭୋଟ ହେବାକୁ ଥିବା ବେଳେ ବିଜେଡି ଦଳର ୧୯ ଜଣ କାଉନସିଲର ଅଜ୍ଞାତବାସରେ ରହିଥିବା ଜଣାପଡିଛି। ଅନାସ୍ଥାକୁ ସମର୍ଥନ କରୁଥିବା ବିଜେଡ଼ି ଦଳର ଅଧିକାଂଶ କାଉନସିଲରମାନେ ରାୟଗଡ଼ା ସହରରେ ନାହାନ୍ତି । ସେମାନେ କେଉଁଠି ଅଛନ୍ତି ଜଣା ପଡୁନାହିଁ । ରାୟଗଡ଼ା ପୌର ପରିଷଦର ୨୪ ଟି ୱାର୍ଡ ମଧ୍ୟରୁ ୨୧ ଗୋଟି ବିଜେଡ଼ି, ୨ ଟି ବିଜେପି ଓ ଗୋଟାଏ କଂଗ୍ରେସ ଦଳର କାଉନସିଲର ରହିଛନ୍ତି ।
ବିଜେଡ଼ିର କାଉନସିଲରମାନଂକୁ ଭୟଭୀତ କରି ବିଜେଡ଼ି ବିରୋଧରେ ଭୋଟ ଦେବାକୁ ଉଦ୍ୟମ କେହି କରନ୍ତି । ତାର ସମ୍ପୂର୍ଣ ତଥ୍ୟ ପ୍ରମାଣ ମିଳିଲେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଆଇନର ଆଶ୍ରୟ ନେବୁ ବୋଲି ପୂର୍ବତନ ମନ୍ତ୍ରୀ ତଥା ରାୟଗଡ ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସାରକା କହିଛନ୍ତି ।

ଅନ୍ଯପଟେ ଗତ ମାସ ୯ ତାରିଖ ଦିନ ବରିଷ୍ଠ ନେତା ଏନ୍.ଭାସ୍କର ରାଓ ବିଜେଡି ଛାଡିଥିଲେ। ବିଜୁ ସ୍ବାଭିମାନ ମଞ୍ଚ ଗଠନ ଘୋଷଣା କରିଥିଲେ । ଭାସ୍କର ରାଓଙ୍କ ସଭାରେ ବିଜେଡ଼ିର ଅଧିକାଂଶ କାଉନସିଲର ଉପସ୍ଥିତ ଥିଲେ । ଭାସ୍କର ରାଓଙ୍କ ପଦକ୍ଷେପକୁ ସମର୍ଥନ କରି ନଥିବା ଓ ବିଜେଡ଼ି ଦଳରେ ରହିଥିବାରୁ ପୌର ଉପାଧକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ବିଜେଡିର ୨୧ ଜଣ କାଉନସିଲରଙ୍କ ମଧ୍ଯରୁ ୧୯ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ।


ହୁଇପ ପତ୍ରରେ କଣ ଲେଖିଛନ୍ତି ନବୀନ

ମୁଁ, ନବୀନ ପଟ୍ଟନାୟକ, ଅଧ୍ୟକ୍ଷ, ବିଜୁ ଜନତା ଦଳ, ଓଡ଼ିଶା ମ୍ୟୁନିସିପାଲ (ସଂଶୋଧନ) ନିୟମାବଳୀ 2018 ର ନିୟମ 46B ଅନୁସାରେ ମୋତେ ଯେ ସମସ୍ତ ଶକ୍ତି ଦିଆଯାଇଛି, ତାହା ଅନୁସାରେ ନିମ୍ନୋକ୍ତ ହୁଇପ୍ ଜାରି କରୁଛି —

“ତୁମେ, ରାୟଗଡା ମ୍ୟୁନିସିପାଲିଟିର ସମସ୍ତ ନିର୍ବାଚିତ ବିଜେଡି ପରିଷଦ ସଦସ୍ୟମାନେ, ରାୟଗଡା ମ୍ୟୁନିସିପାଲିଟି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଡକା ଯାଇଥିବା ବୈଠକରେ ତା ୦୯.୧୦.୨୦୨୫ ରିଖ ସକାଳ ୧୧.୦୦ ରେ ମ୍ୟୁନିସିପାଲିଟି ଅଫିସ, ରାୟଗଡାରେ ଉପସ୍ଥିତ ରହିବେ ଏବଂ ରାୟଗଡା ମ୍ୟୁନିସିପାଲିଟି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବରେ ବିରୋଧରେ ଭୋଟ୍ ଦେବେ।”

ଏହାର ଖିଲାପ କଲେ ନିୟମ ମୁତାବକ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଥିଲେ ବିଜେଡ଼ିର ବିଶ୍ବସ୍ତ, ଏବେ ହେଲେ ଘାତକ

କୌଣସି ନିର୍ବାଚିତ ବିଜେଡି ପରିଷଦ ସଦସ୍ୟ ଏହି ହୁଇପ୍ ଉଲ୍ଲଂଘନ କରିବେ, ସେଥିରୁ ଏହା ସ୍ପଷ୍ଟ ହେବ ଯେ ସେ ଦଳୀୟ ହୁଇପ୍‌କୁ ଇଚ୍ଛାପୂର୍ବକ ଉଲ୍ଲଘଂନ କରିଛନ୍ତି । ଏମିତି ହେଲେ ବିଜୁ ଜନତା ଦଳ ପକ୍ଷରୁ କାଉନସିଲରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରେ । ଏପଟେ ଅଜ୍ଞାତବାସରେ ଥିବା କାଉନସିଲରମାନେ ଅନାସ୍ଥା ସପକ୍ଷରେ ଭୋଟ ଦେବା ଏକପ୍ରକାର ନିଶ୍ଚିତ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଭାସ୍କରଙ୍କ ଅନୁଗତ କୁହାଯାଉଥିବା ଅଜ୍ଞାତବାସରେ ଥିବା କାଉନସିଲରମାନେ ଭାସ୍କରଙ୍କ ଇଙ୍ଗିତରେ ନିଜର ପକ୍ଷ ରଖିବେ। ଏପରି ହେଲେ ପୌର ପରିଷଦର ଶାସନ ବି ଜେଡି ହାତରୁ ଖସିଯିବ । ଆଗାମୀ ସମୟରେ ବିଜେଡ଼ି ପାଇଁ କଡା ଆହ୍ବାନ ହେବ। ଅତୀତରେ ଦଳର ବିଶ୍ୱସ୍ଥ ଥିବା ଲୋ କମାନଙ୍କ ଦ୍ୱାରା ଦଳ ପ୍ରତାରିତ ହେବ ! ଫଳରେ ରାୟଗଡ଼ ବିଜେଡି ରାଜ୍ୟରେ ଦଳ ପାଇଁ ନୂଆ ଫର୍ଦ୍ଦ ଯୋଡିବ। ତେବେ ଆସନ୍ତାକାଲି ସବୁ ସ୍ପଷ୍ଟ ହେବ ।

ଅନାସ୍ଥା ପ୍ରସ୍ତାବ ଦ୍ଵାରା ବିଜେଡିର ସମ୍ମାନ କିନ୍ତୁ ନିଲାମ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏହା ଦଳୀୟ ସଂଗଠନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏବଂ ଜିଲ୍ଲାର କର୍ମୀ ମହଲରେ ଅସ୍ଥିରତା ସୃଷ୍ଟି କରିବ ବୋଲି ରାଜନୀତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ଆଉ ରାୟଗଡା ବିଜେଡିରେ ବିଦ୍ରୋହର ବିଗୁଲ ବାଜିବ ।

Spread the love