ବାଲଦା ବକ୍ସାଇଟ ଖଣି ପାଇଁ “ବାଲଦା ଓ ବନୁରରେ” ଗ୍ରାମସଭାକୁ ନେଇ ଦ୍ଵନ୍ଦ୍ବ🔹ପ୍ରଶାସନ କହୁଛି ହଁ, ଲୋକଙ୍କ ଅଭିଯୋଗ ନାହିଁ

ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ଗ୍ରାମସଭା

କୋରାପୁଟ ପ୍ରତିଫଳନ ମିଡ଼ିଆ


ଜଙ୍ଗଲ ଜମିରେ ରହିଛି ବାଲଦା ବକ୍ସାଇଟ ଖଣି । ଜଙ୍ଗଲ ଜମି ଥିବାରୁ ଖଣି ଖନନ କାମ ଆଗକୁ ବଢୁୁ ନାହିଁ । ବକ୍ସାଇଟ ଭରା ବାଲଦା ପାହାଡ ପାର୍ଶ୍ବ ବର୍ତ୍ତି ୫ ଟି ପଞ୍ଚାୟତର ଲୋକେ ଖଣି ଖନନ କୁ ବିରୋଧ କରି ଆସୁଛନ୍ତି ।ଜମି ଜଳ ଜଙ୍ଗଲ , ଜୀବନ ଜୀବିକା ର ସୁରକ୍ଷା ସହ ପ୍ରାକୃତିକ ସମ୍ପଦର ଖନନ କୁ ତୀବ୍ର ବିରୋଧ କରି ଆସୁଛନ୍ତି । ଫଳରେ ଖଣିରୁ ବକ୍ସାଇଟ ଖନନ ସମ୍ଭବ ହୋଇପାରୁ ନାହିଁ । ଗ୍ରାମ ସଭା କରି ଲୋକଙ୍କ ସମ୍ମତି ନେଇ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିବା ଆବଶ୍ୟକତା ରହିଛି । ଏଥିପାଇ ଅକ୍ଟୋବର ୯ ତାରିଖ ଦିନ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଅତଣ୍ଡା ପଞ୍ଚାୟତର ବନୁର ଓ ବାଲଦା ପଞ୍ଚାୟତର ସଦର ମହକୁମାରେ ଗ୍ରାମ ସଭାର ଆୟୋଜନ କରାଯାଇଥିଲା । ଗ୍ରାମ ସଭା ଅନୁଷ୍ଠିତ ହୋଇଥିବା ପ୍ରଶାସନ କହୁଛି। ତେବେ ଗ୍ରାମସଭା ସଂପର୍କରେ ସ୍ଥାନୀୟ ଲୋକେ ଜାଣି ନଥିବା କହିଛନ୍ତି।ସକାଳୁ ଜାଣିବା ପରେ ଏହାକୁ ବିରୋଧ କରି ପ୍ରତିବାଦ କରିବା ପାଇଁ ଯିବାବେଳେ ନିର୍ଦ୍ଧାରିତ ସମୟ ରେ କେହି ଅଧିକାରୀ ନଥିଲେ ବୋଲି ନଗେଶ୍ୱରୀ ମାଳି ଡଙ୍ଗର ସୁରକ୍ଷା ମଞ୍ଚ ଅଭିଯୋଗ କରିଛି । ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଙ୍କୁ ଗ୍ରାମସଭା ଆୟୋଜନ କୁ ବିରୋଧ କରି ଲିଖିତ ଅଭିଯୋଗ ଜଣାଇଛନ୍ତି । ଲୋକଙ୍କ ସମର୍ଥନ ନଥାଇ ଅନୁମୋଦନ କରାଗଲେ ଆଇନର ଆଶ୍ରୟ ନେବୁ ବୋଲି ସୁରକ୍ଷା ମଞ୍ଚର ବରିଷ୍ଠ ସଦସ୍ୟ ମାନେ କହିଛନ୍ତି ।

ନିର୍ଦ୍ଧାରିତ ସମୟ ପୂର୍ବରୁ କିଛି ଲୋକଙ୍କୁ ନେଇ କଡା ସୁରକ୍ଷା ମଧ୍ୟରେ ଗ୍ରାମସଭା କରାଯାଇଥିବା ସୂଚନା ମିଳିଛି । ଖଣି ଗଚ୍ଛିତ ଥିବା ବାଲଦା ପାହାଡର ସତ୍ଵଧାରୀ କଳିଙ୍ଗ ଆଲୁମିନା ଲିମିଟେଡ ପାଇଁ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମି ଭାବେ ବ୍ୟବହାର କରି ଖଣି ଉତ୍ତୋଳନ କରିବା ନିମନ୍ତେ ଜଙ୍ଗଲ ଅଧିକୃତ ସ୍ୱୀକୃତି ଆଇନ ୨୦୦୬ ପ୍ରକାରେ ୨ଟି ସ୍ଥାନରେ ବାଲଦା ଓ ବନୁର ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ବାଲଦା ଓ ଅତଣ୍ଡା ପଞ୍ଚାୟତ ସରପଞ୍ଚଙ୍କ ସଭାପତିତ୍ବରେ ପ୍ରଶାସନ ଦ୍ଵାରା କରାଯାଇଥିବା ଗ୍ରାମସଭା ସଫଳ ହୋଇଛି ! ଗ୍ରାମ ସଭାରେ ଲୋକେ ଜଙ୍ଗଲ ଜମିର କିସମ ପରି ବର୍ତନକୁ ସମର୍ଥନ ଜଣାଇଛନ୍ତି ବୋଲି ପ୍ରଶାସନ କହୁଛି । ହେଲେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି । ଗ୍ରାମ ସଭାର ସ୍ଥାନୀୟ ଲୋକେ ନଥିଲେ । ଅଞ୍ଚଳର ଲୋକେ ଏକତ୍ରିତ ହୋଇ ଏହାକୁ ବିରୋଧ କରିଛୁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଲୋକଙ୍କ ମତକୁ ଅଣଦେଖା କରାଗଲେ ଜଙ୍ଗଲର ସୁରକ୍ଷା ପାଇଁ ଲଢିବୁ ।

କଳିଙ୍ଗ ଆଲୁମିନା ଲିମିଟେଡ କୁ ଖଣି ଖନନ କରିବାକୁ ଦିଆଯିବ ନାହିଁ ବୋଲି ସୁରକ୍ଷା ମଞ୍ଚ କହିଛି ।

ପ୍ରଶାସନର ସୂଚନା

ଗୁରୁବାର ବାଲଡ଼ା ପଞ୍ଚାୟତ ନୋଟିସ କ୍ରମାଙ୍କ ୩୫/୨୦୨୫ ଓ ଅତଣ୍ଡା ପଞ୍ଚାୟତ ନୋଟିସ କ୍ରମାଙ୍କ ୬୪/୨୦୨୫ ତା ୨୩/୯/୨୦୨୫ ରିଖ ପ୍ରକାରେ ବାଲଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ ବନୁର ଗ୍ରାମ ସଦର ପିଣ୍ଡି ଠାରେ ବାଲଦା ବକ୍ସାଇଟ ପାହାଡ଼ରୁ ଖଣି ଖନନ ନିମନ୍ତେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମି ଭାବେ ବ୍ୟବହାର କରିବାକୁ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ବାଲଡ଼ାରେ ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ସଭାପତିତ୍ବରେ ପିଈଓ ନବ ହନ୍ତାଳ ଗ୍ରାମସଭା ପରିଚାଳନା କରିଥିଲେ। ମାଜିଷ୍ଟ୍ରେଟ ତହସିଲଦାର ଦେବବ୍ରତ ମହାରଣା, ସହକାରୀ ନିର୍ବାହୀ ଯନ୍ତ୍ରୀ ଝସ କେତନ ବେହେରା, ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବନୁର ଗ୍ରାମରେ ଅତଣ୍ଡା ପଞ୍ଚାୟତ ସରପଞ୍ଚ ସହଦେବ ପାଙ୍ଗି ଗ୍ରାମସଭାରେ ସଭାପତିତ୍ବ କରିଥିବା ବେଳେ ପିଇଓ ଶିମାଦ୍ରି କିର୍ଶାନି ସଭା ପରିଚାଳନା କରିଥିଲେ। ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ମାଧବ ପାଙ୍ଗି, ବିଡିଓ ଦୁର୍ଗା ପ୍ରସାଦ ଦୋରା ସମିତି ସଭ୍ୟ ଦାଉଦ ଖରା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ଦୁଇ ସଭାସ୍ଥଳରେ ଗ୍ରାମସଭା ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ ୨୦୦୬ ମୁତାବକ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ପ୍ରଶାସନ ତରଫରୁ ନନ୍ଦପୁର ବିଡିଓ, ତହସିଲଦାର ଓ ପୁଲିସ ବିଭାଗ ତରଫରୁ କୁହାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ
ଅନ୍ୟପଟେ ଗ୍ରାମସଭା ଆୟୋଜନର ନୋଟିସକୁ ୨୩.୦୯.୨୦୨୫ ରେ ଜାରି କରାଯାଇଥିବା ଦର୍ଶାଯାଇଥିବା ବେଳେ ପ୍ରକୃତରେ ପଞ୍ଚାୟତ କାର୍ଯ୍ୟଳୟରେ ୦୮.୧୦.୨୦୨୫ ତାରିଖ ବୁଧବାର ଅପରାହ୍ନ ୩ ଘଣ୍ଟା ସମୟରେ ମାରି ଥିଲେ । ତା ପରବର୍ତ୍ତୀ ଦିନ ଗୁରୁବାର ସକାଳ ୧୦ ଘଣ୍ଟାରେ ବୈଠକ ଅନୁଷ୍ଠିତ କରାଯିବାକୁ ସୂଚନା ଦେବାକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଛନ୍ତି । ପାହାଡ ପାରି ପାରିପାର୍ଶିକ ଅଞ୍ଚଳର ଗ୍ରାମବାସୀ ନିଜ ନିଜ ଗ୍ରାମରେ ସଭାର ଆୟୋଜନ କରି ପ୍ରତିବାଦ କରିଛନ୍ତି। ପାରିପାର୍ଶ୍ଵିକ ୫ ପଞ୍ଚାୟତର ଗ୍ରାମବାସୀଙ୍କ ଅଜଣାତରେ ଓ ଅନୁପସ୍ଥିତିରେ ଗ୍ରାମ ସଭା କିପରି ହେଲା ଓ କିଭଳି ସଫଳ ହେବ ବୋଲି ମଞ୍ଚ ପ୍ରଶ୍ନ କରିଛି। ବାଲଦା ପଞ୍ଚାୟତର ସମିତି ସଭ୍ୟ ତଥା ନନ୍ଦପୁର ବ୍ଲକ ଅଧକ୍ଷ ସାବିତ୍ରୀ କାର୍ତୁଲ ଓ ପଞ୍ଚାୟତର ୧୧ ୱାର୍ଡସଭ୍ୟ ବୈଠକ ସମ୍ପର୍କରେ ଜାଣିନଥିବା ଓ ବାଲଡ଼ା ଗ୍ରାମସଭାରେ ଅନୁପସ୍ଥିତ ଥିବା କହିଛନ୍ତି। ପଞ୍ଚାୟତ କାର୍ଯ୍ୟଳୟରେ ମରା ଯାଇଥିବା ନୋଟିସ ପ୍ରକାରେ ଗ୍ରାମସଭାରେ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମି ଭାବେ ପରିବର୍ତ୍ତନ କରିବାକୁ ଉଲ୍ଲେଖିତ କରାଯାଇଛି। ଏହା ବିରୋଧରେ ଲିଖିତ ଭାବେ ସରପଞ୍ଚ ଙ୍କୁ ଅଭିଯୋଗ ଦିଆଯାଇଛି ବୋଲି କହିଛନ୍ତି ବାଲଦା ନାଗେଶ୍ଵରୀ ପାହାଡ ସୁରକ୍ଷା ସମିତି ସମ୍ପାଦକ ବିଜୟ ମୁଦୁଲି ।

ଜଙ୍ଗଲ ଅଧିକାର ଆଇନ ୨୦୦୬ ରେ ଖଣିଜ ଖନନ ନିମନ୍ତେ ଜଙ୍ଗଲ କିସମ ପରିବର୍ତ୍ତନ ବା ଡ଼ାଇଭର୍ଶନ ବଦଳରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର, ଗୋଷ୍ଠୀଗତ ଜଙ୍ଗଲ ଅଧିକାର, ଗୋଷ୍ଠୀ ଜଙ୍ଗଲ ସମ୍ଭଳ ଅଧିକାର ନିୟମ ରହିଛି। ଯାହା କୋରାପୁଟ ପ୍ରଶାସନର ବିଚାରାଧୀନ ରହିଛି। ଏକତରଫା ଭାବେ ଗ୍ରାମସଭା କରିବା ବେଆଇନ ବୋଲି କହିବା ସହ ଆଗାମୀ ଦିନରେ ଏହାର ବିରୋଧ ଜୋରଦାର ପ୍ରତିବାଦ କରାଯିବା ।ନ୍ୟାୟ ପାଇଁ ଅଦାଲତର ଆଶ୍ରୟ ନିଆଯିବ ବୋଲି ମୁଦୁଲି କହିଛନ୍ତି। ସତ୍ଵ ଧାରୀ କଳିଙ୍ଗ ଆଲୁମିନା ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ। ଗ୍ରାମସଭା ଆୟୋଜନ ଲାଗି ପ୍ରଶାସନ ତରଫରୁ ୧୨ ମାଜିଷ୍ଟ୍ରେଟ, ୨୦ ରୁ ଉର୍ଦ୍ଧ୍ୱ ବରିଷ୍ଠ ପୋଲିସ ଅଧିକାରୀ ଓ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

Spread the love