ମାଷ୍ଟର ଖେଳାଳୀ ହେଲେ ମନ -ମୋହନ ଯୋଡି
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )
ଓଡ଼ିଶାର ରାଜନୀତିକ ଇତିହାସରେ ଅକ୍ଟୋବର ୧୧ ତାରିଖର ଅନନ୍ୟ ଗୁରୁତ୍ୱ ରହିଛି। ଏହି ଦିନ ଏକାଧିକ ଘଟଣା ଓଡ଼ିଶାର ରାଜନୀତିକ ଦିଗକୁ ନୂଆ ଦିଶା ଦେଇଛି। ଅତୀତରେ ଅନେକ ରାଜନୈତିକ ଘଟଣା ଓଡିଶା ରାଜନୀତିକୁ ହଲଚଲ କରିଥିବାବେଳେ ଆଜି ବିଜେପି ପୁଣି ବିଜେଡିକୁ ଜବରଦସ୍ତ ଝଟକା ଦେଇଛି। ବିଜେଡି ଅନ୍ୟ ଦଳକୁ କରିଥିବା ଛୁରିକାଘାତର ପ୍ରତିଶୋଧ ନେଇଛି ବିଜେପି। ବରଗଡ଼ର ପୋଲଟିକାଲ ରିକରେସନ ଆଜି ନୂଆପଡାରେ ବିଜେପି କରିଛି। ସବୁବେଳେ ମାଷ୍ଟର ଷ୍ଟ୍ରୋକ ଦେଇ ବାହାବା ନେଉଥିବା ବିଜେଡିକୁ ଏଥର ବିଜେପି ମାଷ୍ଟର ଷ୍ଟ୍ରୋକ ଦେଇଛି। ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀକୁ ବିଜେପି ନିଜ ଦଳରେ ମିଶାଇ ବିଜେଡିକୁ ଚକମା ଦେବାରେ ସଫଳ ହୋଇଛି। ଏଦିଗରେ ମନ -ମୋହନ ଯୋଡି ମାଷ୍ଟର ଖେଳାଳୀ ସାଜିଛନ୍ତି। ଦୀର୍ଘ ଦିନ ପରେ ନବୀନଙ୍କୁ ଘର ବାହୁଡା଼ ଭେଟି ଦେଇଛନ୍ତି ବିଜେପି।ତେବେ ଆଜି ଅକ୍ଟୋବର 11 ହୋଇଥିବା ବେଳେ ଅତୀତରେ ଅନେକ ରାଜନୈତିକ ଘଟଣା ଓଡିଶାକୁ ଚର୍ଚିତ କରିଛି।

୧୯୩୮ ମସିହା ଅକ୍ଟୋବର ୧୧ରେ ଢେଙ୍କାନାଳ ଜିଲ୍ଲାର ଶିଶୁ ବୀର ବାଜି ରାଉତ ବ୍ରିଟିଶ ପୋଲିସଙ୍କ ଗୁଳିରେ ନିହତ ହୋଇଥିଲେ। ମାତ୍ର ୧୨ ବର୍ଷ ବୟସରେ ଦେଶର ସ୍ଵାଧୀନତା ପାଇଁ ତାଙ୍କର ବଳିଦାନ ଓଡ଼ିଶାର ଯୁବ ସଂଗଠନ ଓ ରାଜନୀତିରେ ଅମଳିନ ଛାପ ରଖିଛି। ଏହି ଦିନ ଓଡ଼ିଶାରେ ‘ବାଜି ରାଉତ ଦିବସ’ ଭାବେ ସ୍ମରଣ କରାଯାଏ।
ସେହିପରି ୧୯୯୬ ମସିହାରେ ୧୧ ଅକ୍ଟୋବର ତାରିଖରେ ଓଡ଼ିଶାରେ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନ। ସେହି ଉପନିର୍ବାଚନରେ ଇନ୍ଦୁରାଣୀ ମହାପାତ୍ର (କଂଗ୍ରେସ) ସୋରୋ ଆସନରୁ ଓ ବିଶ୍ୱଭୂଷଣ ହରିଚନ୍ଦନ (ଭାଜପା) ଭୁବନେଶ୍ୱର ଆସନରୁ ବିଜୟୀ ହୋଇଥିଲେ। ଏହି ଦୁଇଜଣଙ୍କ ଶପଥଗ୍ରହଣ ଓଡ଼ିଶାର ରାଜନୀତିକ ଶକ୍ତି ସମୀକରଣକୁ ପରିବର୍ତ୍ତନ କରିଦେଇଥିଲା।

ସେଦିନ ବି ଥିଲା ୧୧ ଅକ୍ଟୋବର ୨୦୨୨। ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପୂର୍ବରୁ ରାଜ୍ୟ ରାଜନୀତିରେ ଚାଣକ୍ୟ ଏବେକାର ରାଜ୍ୟ ସଭାପତି ମନମୋହନ ସାମଲ ସୂର୍ଯ୍ୟବଂଶୀ ସୁରଜଙ୍କୁ କୋଳେଇ ନେଇ ବିଜେଡିର ସବୁ ଅଙ୍କ ଭୁଲ କରିଦେଇଥିଲେ। କୁହାଯାଉଛି ଏହି ଘଟଣା ଓଡିଶା ବିଜେଡି ସରକାର ପତନର ମୂଳଦୁଆ ପଡିଥିଲା। ଦଳ ଏକାକୀ ଲଢ଼ିବାକୁ ଜିଦି କରିଥିଲେ ରାଜ୍ୟ ସଭାପତି ସାମଲ। ପରେ ସାଧାରଣ ନିର୍ବାଚନରେ ସତକୁ ସତ ବିଜେଡି କ୍ଷମତା ହରାଇଲା।
ଆଜି ସେଇ ୧୧ ଅକ୍ଟୋବର ୨୦୨୫ରେ ଓଡ଼ିଶାର ରାଜନୀତି ପୁଣି ଚର୍ଚ୍ଚାରେ ଆସିଛି। ବିଜେଡି ମୁହଁରେ କଳା ବୋଳିଛି ବିଜେପି। ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେଡିର ଜୟ ଢୋଲକିଆଙ୍କୁ ନିଜ ଦଳକୁ କୋଳେଇ ନେଇ, ବିଜେଡ଼ିର ଅଙ୍କ ବିଗାଡି ଦେଇଛନ୍ତି ବିଜେପି। ନୂଆପଡ଼ା ଜିଲ୍ଲାର ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ଔପଚାରିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଆସନ୍ତା ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ତାଙ୍କ ଯୋଗଦାନକୁ ବିଜେଡି ପାଇଁ ବଡ଼ ଚାପ ବୋଲି ରାଜନୀତିକ ମହଲରେ ମନେ କରୁଛି। ଓଡିଶା ରାଜନୀତିକୁ ବେଶ ଭଲ ଭାବେ ପରଖି ପାରୁଥିବା ସାମଲଙ୍କୁ ଓଡ଼ିଶା ରାଜନୀତିରେ ନୂଆ ଚାଣକ୍ୟ ବୋଲି କୁହାଯାଉଛି। ଅପରପକ୍ଷେ ମନ -ମୋହନ ଯୋଡି ଓଡିଶା ରାଜନୀତିରେ ନୂଆ ଧମାକା ଦେଇ ଚାଲିଛନ୍ତି। ଆଗକୁ ଆହୁରି ଅନେକ ବିସ୍ମୟ ଘଟଣା ଘଟିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

