ନିଶାଡ଼ିଙ୍କ ପୋଲିସକୁ ନାହିଁ ଡର ! ନିଶାଖୋରଙ୍କ କବଳରେ ରାଜଧାନୀ ଭୁବନେଶ୍ଵର ?

କୀର୍ତ୍ତି ଚନ୍ଦ୍ର ସାହୁ,ପ୍ରତିଫଳନ ମିଡ଼ିଆ

ନିଶାପାଇଁ ପଥ ଚାରୀଙ୍କୁ କରୁଛନ୍ତି ଟାର୍ଗେଟ।

ଭୁବନେଶ୍ଵର ରେ ଏକାକୀ ଚାଲିକି ଯାଉଛନ୍ତି କି ? କେଉଁ ମୁହୂର୍ତ୍ତ ରେ ଜୀବନ ଚାଲି ଯିବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ ଭାରି ସତର୍କ ରୁହନ୍ତୁ।ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ ହୋଇପାରେ। ମୋବାଇଲ୍ ହେଉ ଅବା ବ୍ୟାଗ୍ ଟିଏ ହେଉ ।ସେତକ ଛଡ଼ାଇ ନେବା ପାଇଁ ଆପଣଙ୍କ ଉପରେ ହେବ ମରଣାନ୍ତକ ଆକ୍ରମଣ । ଏମିତି ଷ୍ଟାଇଲରେ ଚାଲିଛି ଆମ ରାଜଧାନୀ ଭୁବନେଶ୍ୱର । ବିଶେଷ କରି ସହରକୁ ବାହାରୁ ଆସୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତମାନେ । ଗତ କିଛି ମାସ ମଧ୍ୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।ରେଳ ଷ୍ଟେସନ, ବସଷ୍ଟାଣ୍ଡ, ବସ ରହଣି ସ୍ଥଳ, ଅଞ୍ଚଳରେ ଏଭଳି ଅଘଟଣ ଅଧିକ ଘଟୁଛି । ଏପରିକି ବାଇକରେ ଯାଉଥିବା ବ୍ୟକ୍ତିମାନେ ମଧ୍ୟ ନିସ୍ତାର ପାଉ ନାହାନ୍ତି । ନିଛାଟିଆ ସ୍ଥାନ ମାନଙ୍କରେ ଅଟକାଇ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଲୁଟ କରୁଛନ୍ତି । ବାଇକ୍ ଚାଳକ ଙ୍କ ପକେଟରେ ଟଙ୍କା ନଥିଲେ ଏଟିଏମ୍ ନିକଟକୁ ନେଇ ଟଙ୍କା ବାହାର କରି ଦେବାକୁ ବାଧ୍ୟ କରୁଛନ୍ତି । ନିର୍ଭୟରେ ବେଧଡକ ଭାବେ ଏଭଳି କାଣ୍ଡ ଭିଆଉ ଛନ୍ତି ଲୁଟେରା ଗ୍ୟାଙ୍ଗ ।ଏଭଳି ଘଟଣା ଦିନକୁ ଦିନ ବଢି ଚାଲିଛି । ଏପରିକି ନିରସ୍ତ୍ର ପୋଲିସ କର୍ମଚାରୀ ମାନେ ମଧ୍ୟ ଏକଲା ଘରକୁ ଯିବାକୁ ସୁରକ୍ଷିତ ମଣୁ ନଥିବା ରାଜଧାନୀର ଜଣେ ପୋଲିସ କର୍ମଚାରୀ ସୂଚନା ଦେଇଛନ୍ତି ।ଏଭଳି ଘଟଣାର ଶିକାର ହୋଇଛନ୍ତି ରାୟଗଡ ସହର ଆଦର୍ଶ ଶିକ୍ଷକ ଦ୍ଵିତୀ ଚନ୍ଦ୍ର ସାହୁ ।

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରତିଷ୍ଠିତ ଶିକ୍ଷକ ଓ ସାହିତ୍ୟିକ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ସକାଳ ସାଢେ ୫ଟା ସମୟରେ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ୍ ଲୁଟି ନେଇଛନ୍ତି । ଦ୍ବିତୀଚନ୍ଦ୍ର ସାହୁଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ୬ନମ୍ବର୍ ପ୍ଲାଟଫର୍ମ ବାହାରେ ଆକ୍ରମଣ ହୋଇଛି । ପଚ୍ଛ ପଟୁ ଆସି କାଠ ଫାଳିଆ ରେ ମୁଣ୍ଡକୁ ଆଘାତ କରିଥିଲେ,ଏବଂ ତାଙ୍କ ହାତରୁ ମୋବାଇଲ ଛଡ଼ାଇ ନେଇ ଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ପିସିଆର ଭ୍ୟାନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଥିଲା ।ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ।ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇଛି। ୧୨ ଟି ଷ୍ଟିଚ ପଡ଼ିଛି । ଜୁନାଗଡ଼ ଟ୍ରେନରେ ରାୟଗଡାରୁ ରେଳ ଯାତ୍ରା କରି ଭୁବନେଶ୍ୱର ଆସିଥିଲେ ।

ରାଜ୍ୟ ସରକାରଙ୍କ (SCERT) ରାଜ୍ୟ ଶିକ୍ଷା ଗବେଷଣା ତାଲିମ ପ୍ରତିଷ୍ଠାନର କର୍ମଶାଳାରେ ଯୋଗଦେବାକୁ ଆସିଥିବା ବେଳେ ଅଘଟଣ ଘଟିଛି। ପ୍ଲାଟଫର୍ମ ନମ୍ବର ୬ରୁ କଟକ ରୋଡ଼ ଦିଗକୁ ଓଲା କ୍ୟାବ ଧରିବା ପାଇଁ ଚାଲି ଚାଲି ଯାଉଥିଲେ । ଲକ୍ଷ୍ମୀ ସାଗର ଥାନାରେ ଏତଲା ଦିଆଯାଇଛି ।ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ସବୁବେଳେ ସାଧାରଣ ଲୋକଙ୍କ ଚଳ ପ୍ରଚଳ ରହୁଥିବା ଭୁବନେଶ୍ୱର ରେଳ ଷ୍ଟେସନ୍‌ ବାହାରେ ଏଭଳି ଆକ୍ରମଣ ଘଟଣା ଆଇନ ଶୃଙ୍ଖଳା ପାଇଁ ଗଭୀର ଚିନ୍ତାଜନକ ହୋଇଛି ।

Spread the love