ଡବଲ ଇଂଜିନ ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ଦୁଇ ପାଦ ଆଗରେ ରାୟଗଡ଼ ପ୍ରଶାସନ
ଵିଷମକଟକ (ପ୍ରତିଫଳନ ମିଡ଼ିଆ )
ବିଶେଷ ଭାବେ ଅନୁନ୍ନତ ଆଦିବାସୀ ଗୋଷ୍ଠୀ ଡ଼ଙ୍ଗରିଆଙ୍କ ଦୁଆର ମୁହଁରେ ପହଂଚିବ ସବୁ ସରକାରୀ ଯୋଜନା। ଏଣିକି ଡ଼ଙ୍ଗରିଆ ଜନଜାତି ଙ୍କୁ ପ୍ରଶାସନର ଦ୍ୱାରସ୍ଥ ହେଵାକୁପଡ଼ିବନି। ପ୍ରଶାସନ ଏଣିକି ତାଂକ ଦୁଆର ମୁହଁକୁ ଯିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଚିନ୍ତନ ଓ ରାଜ୍ୟ ସରକାରଙ୍କ ବିକାଶ ପାଇଁ ସରକାରୀ ଆଭିମୁଖ୍ୟକୁ ସଫଳ ରୂପ ଦେବା ଲାଗି ନିୟମଗିରି ରୁ ରାୟଗଡା ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିନବ ଅଭିଯାନ ଦୁଆରେ ପ୍ରଶାସନ। ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଷମକଟକ ବ୍ଲକ ନିୟମଗିରିର କୁର୍ଲି ପଞ୍ଚାୟତଠାରେ ଉଦଘାଟନ ହୋଇଯାଇଛି ଦୁଆରେ ପ୍ରଶାସନ। ନିୟମଗିରି ରା଼ ଖମ୍ବେସୀ ଗ୍ରାମଠାରେ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରଥମେ ଡ଼ଙ୍ଗରିଆ ଜନଜାତି ଲୋକଙ୍କୁ ଏହି ସୁବିଧା ଯୋଗାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହାର କାର୍ଯ୍ୟକାରିତା କରିବା ନେଇ ଲକ୍ଷ୍ୟ ରଖାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏହିକ୍ରମରେ ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅଧୀନରେ ଥିବା ପିଭିଟିଜି ପଞ୍ଚାୟତ ଓ ସେଥିରେ ବସବାସ କରୁଥିବା ହିତାଧିକାରୀ ମାନଙ୍କୁ ଘର ପର୍ଯ୍ୟନ୍ତ ପେନସନ ପହଞ୍ଚାଇବା ଯୋଜନାର ପ୍ରୟାସ କରାଯାଇଛି I ଏହା ନିୟମଗିରି ର ଶତାଧିକ ଲାଭାନ୍ବିତଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବ I ଏହି ପଦକ୍ଷେପକୁ କେବଳ ଏକ ଦାୟିତ୍ୱ ନୁହଁ, ବରଂ ଏହାକୁ ଯଥେଷ୍ଟ ଗୁରୁତ୍ୱ ଦେଇ ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି। ପିଭିଟିଜି ଅଞ୍ଚଳର ହିତାଧିକାରୀଙ୍କ ନିମନ୍ତେ ପେନସନ ବିତରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଛବି ଥିବା ଡିଜାଇନ ଲଫାଫା ମାଧ୍ୟମରେ ଘରେ ଘରେ ପେନସନ ପହଞ୍ଚାଇବାର ପ୍ରୟାସ କରୁଛି ପ୍ରଶାସନା। ବିଜେପି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ଦୁଆର ମୁହଁରେ ଭେଟିବେ ଲୋକ। ଲୋକଙ୍କ ସରକାରଙ୍କ ଜନହିତ ଯୋଜନାର ସୁଫଳ ଘରେ ବସି ପାଇବେ ଲୋକ। ଏଦିଗରେ ରାୟଗଡା ପ୍ରଶାସନର ଏହି ଉଦ୍ୟମ ରାଜ୍ୟକୁ ନୁଆ ଦିଶା ଦେଖାଇଛି।

ଏନଏସଏପି ଯୋଜନା ଅଧୀନରେ ଡିବିଟି ମାଧ୍ୟମରେ ପେନସନ ରାଶି ଲାଭାନ୍ବିତଙ୍କ ଖାତାକୁ ସିଧାସଳଖ ଯାଉଛି। କିନ୍ତୁ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ହିତାଧିକାରୀ ମାନଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତରୁ ଯାଇ ଆଣିବାକୁ ପଡୁଛି I ଭୌଗୋଳିକ ଦୃଷ୍ଟିରୁ ଓ ଦୂର୍ଗମ ପାହାଡ଼, ଜଙ୍ଗଳ ଅଞ୍ଚଳ ଦେଇ ମାଇଲ୍ ମାଇଲ୍ ଚାଲି ନିକଟସ୍ଥ ପଞ୍ଚାୟତକୁ ଆସିବାକୁ ହିତାଧିକାରୀ ବାଧ୍ୟ ହେଉଛନ୍ତି। କିନ୍ତୁ ଏହି ଅଭିଯାନ ଦ୍ୱାରା ନିୟମଗିରି ଅଞ୍ଚଳର ହିତାଧିକାରୀଙ୍କ “ଘର ପର୍ଯ୍ୟନ୍ତ ପେନସନ ପହଞ୍ଚାଇବା” ର ବାଟ ଆପଣେଇଛି ରାୟଗଡା ପ୍ରଶାସନ।କେବଳ ପେନସନ ନୁହେଁ ବରଂ ଲୋକଙ୍କ ସହିତ ଓ ଲୋକଙ୍କ ପାଇଁ ପ୍ରଶାସନ ରହିଥିବା ବିଶ୍ୱାସ ଜନ୍ମଇବା ସହ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତ ସରକାରୀ ସେବା ପହଞ୍ଚାଇବାର ରାଜ୍ୟ ସରକାରଙ୍କ ଲକ୍ଷ୍ୟକୁ ରାୟଗଡା ଜିଲ୍ଲା ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରକାଶ କରିଛନ୍ତି।
ଏହି ‘ଦୁଆରେ ପ୍ରଶାସନ’ କାର୍ଯ୍ୟକ୍ରମ ମାଧ୍ୟମରେ କୁର୍ଲି ପଞ୍ଚାୟତର ପାଖା ପାଖି ୫୨୦, କାଙ୍କୁବାଡି ର ୩୭୧, ଚାଞ୍ଚଡାଗୁଡା ର ୨୮୦ ଏବଂ ଡାଲିଆକୁଜି ଗ୍ରାମ ପଞ୍ଚାୟତ ର ୨୮୪, ଏଭଳି ଚାରୋଟି ପିଭିଟିଜି ପଞ୍ଚାୟତ ର ପାଖାପାଖି ୧୪୫୫ ରୁ ଅଧିକ ହିତାଧିକାରୀ ଏହି ଯୋଜନା ଦ୍ୱାରା ଲାଭାନ୍ବିତ ହେବେ ବୋଲି ବିଷମକଟକ ବିଡିଓ ଶିବ ପଟନାୟକ ପ୍ରକାଶ କରିଛନ୍ତି I

ଏହି ପଦକ୍ଷେପ ଆମ ଅଞ୍ଚଳ ର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଓ ଏହାକୁ ବାସ୍ତବତା ରେ ପରିଣତ କରିବା ପାଇଁ ସରପଞ୍ଚ ସୁଭର୍ଦନୀ ୱାଡକା ଜିଲ୍ଲା ତଥା ବ୍ଲକ ପ୍ରଶାସନ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ତେବେ ଏହି ପ୍ରୟୋଗ ନିୟମଗିରି ପର୍ବତ ଶୃଙ୍ଖଳାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ଜୀବନରେ ନୂଆ ଆଶା ଓ ଉତ୍ସାହ ଆଣିଥିବା କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ପଂଚାୟତ ସମିତି ଅଧ୍ୟାକ୍ଷା ଯୋଶଦା ହୁଇକା, ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l

