ବିଶାଖାପାଟଣା- (ଯଶୋବନ୍ତ ପାଢ଼ୀ)
ହାଇଦ୍ରାବାଦ ରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା କାଭେରୀ ଟ୍ରାଭେଲସ ବସଟି ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲା ସୀମାନ୍ତରେ ଅବସ୍ଥିତ ଚିନ୍ନାଟେକୁରୁ ଗ୍ରାମ ନିକଟରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।ଏହି ଦୁର୍ଘଟଣାରେ ଅତି କମରେ 15 ଜଣ ଯାତ୍ରୀଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି।

ପୋଲିସ ସୂତ୍ର ଅନୁଯାୟୀ, ଶୁକ୍ରବାର ଦିନ (ଅକ୍ଟୋବର 24, 2025) ଦିନ ପ୍ରାୟ 3:00 ସମୟରେ ଏହି ବସଟି ଗୋଟିଏ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା ଏବଂ ବାଇକଟି ବସ ଚକାରେ ଚାପି ହୋଇ କିଛି ଦୂର ଘସି ହୋଇ ଯିବା ଦ୍ୱାରା ସାରା ବସରେ ନିଆଁ ଲାଗିଯାଇଥିଲା।
ଏହି ଦୁର୍ଘଟଣାରେ ବସ ଝରକା ଭାଙ୍ଗି 12 ଜଣ ଯାତ୍ରୀ ଖସି ପଳାଇବାରେ ସଫଳ ହୋଇଥିଲେ ଏବଂ ଡାକ୍ତରଖାନାରୁ ଚିକିତ୍ସାଧିନ ଜଣେ ଯାତ୍ରୀ କହିଛନ୍ତି ଯେ ସେ ଚାରି ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କିନ୍ତୁ ତାଙ୍କ ପରିବାରର କିଛି ସଦସ୍ୟ ନିଆଁରେ ଫସି ଯାଇଥିଲେ।

ବସରେ ପ୍ରାୟ 42 ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ହୃଦୟରୁ ସମବେଦନା ଜଣାଇଛି | ସେ ରାଜ୍ୟ ମୁଖ୍ୟ ସଚିବ କେ. ରାମକୃଷ୍ଣ ରାଓ ଓ ପୋଲିସ୍ ମହାନିର୍ଦ୍ଦେଶକ ଶିବଧର ରେଡ୍ଡୀ ଙ୍କୁ ତୁରନ୍ତ ଏକ ହେଲ୍ପଲାଇନ ସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ | ଗାଡୱାଲ ଜିଲ୍ଲା କଲେକ୍ଟର ତଥା ପୋଲିସ ଅଧୀକ୍ଷକ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

