ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

କାଶୀପୁରରେ ୫ଟି ବିଦ୍ୟାଳୟର ୫୦୦ କିଶୋରୀଙ୍କୁ ପ୍ରଶିକ୍ଷଣ ପାଇଁ ଲକ୍ଷ୍ୟ
ରାୟଗଡା ( ପ୍ରତିଫଳନ ମିଡ଼ିଆ )

ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ସରକାରୀ ବିଦ୍ୟାଳୟର କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ କିଶୋରୀମାନଙ୍କ ସୁରକ୍ଷା ଓ ଆତ୍ମବିଶ୍ୱାସ ଗଢି ତୋଳିବା ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ସିଏସଆର୍ ତରଫରୁ ଏହି ପ୍ରୟାସ ଆରମ୍ଭ ହୋଇଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏସଡିପିଓ ଶ୍ରୀ ଗୌରହରି ସାହୁ, ଟିକିରି ଥାନା ଅଧିକାରୀ ଶ୍ରୀମତୀ ବିଶ୍ୱବନ୍ଦିନୀ ବାଗ୍, ଦୋରାଗୁଡ଼ା ଥାନା ଅଧିକାରୀ ଶ୍ରୀମତୀ କିରଣ ସାମଲ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଉଗ୍ରସେନ ନାଏକ, ଶ୍ରୀମତୀ ପ୍ରଭା ମିଶ୍ର, ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବକୁଳାରାଣୀ ଦାସ ଏବଂ ସିଏସ୍ଆର୍ ଏଫ୍ଏଚ ଶ୍ରୀମତୀ ଲୋପମୁଦ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ଶିବିର ଜିଲ୍ଲାପାଳ ମହୋଦୟଙ୍କ ସମ୍ମତିକ୍ରମେ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ଏହା କାଶୀପୁର ବ୍ଲକ୍‌ର ପାଞ୍ଚଟି ଉଚ୍ଚ ବିଦ୍ୟାଳୟର ୫୦୦ କିଶୋରୀଙ୍କୁ ତିନିମାସ ଅର୍ଥାତ୍ ୯୦ ଦିନର ପ୍ରଶିକ୍ଷଣ ପ୍ରଦାନ କରାଯିବା ନେଇ ଧାର୍ଯ୍ୟ ହୋଇଛି । ଏହି ଶିବିର ଜରିଆରେ ସ୍ଥାନୀୟ କିଶୋରୀମାନଙ୍କ ମାନସିକ ବିକାଶ, ଶାରୀରିକ ସୁସ୍ଥତା ଓ ଆତ୍ମରକ୍ଷା କୌଶଳ ପ୍ରଦାନ କରାଯିବ। ଉକ୍ତ ଶିବିରରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକମାନେ କିଶୋରୀମାନଙ୍କୁ କାରାଟେ, ତାଇକୋଣ୍ଡୋ ଏବଂ ୱୁସୁ ଭଳି ଯୁଦ୍ଧକଳାର ମୂଳ କୌଶଳ ଶିଖାଇବେ। ଉକ୍ତ ଉଦଘାଟନୀ ସଭାରେ ଅତିଥିମାନେ ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ସମ୍ପର୍କରେ ଉଦବୋଧନ ଦେଇ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଦ୍ବାରା ନାରୀ ସଶକ୍ତିକରଣ, ମହିଳା ଓ କିଶୋରୀମାନଙ୍କ ଉପରେ ହୋଇଥିବା ହିଂସା ନିବାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଏସଡିପିଓ ଶ୍ରୀ ସାହୁ ସାଇବର ସୁରକ୍ଷା ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ।

ଏହାପରେ ପ୍ରଶିକ୍ଷକମାନଙ୍କ ଦ୍ୱାରା ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରାଯାଇଥିଲା ଯାହା ଉପସ୍ଥିତ ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଦ୍ଵାରା ସମଗ୍ର ରାଜ୍ୟରେ କିଶୋରୀ ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ପ୍ରଦାନ ଜରିଆରେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଇଥିବା ସ୍ଥଳେ ଉତ୍କଳ ଆଲୁମିନା ପକ୍ଷରୁ ଅନୁରୂପ କାର୍ଯ୍ୟକ୍ରମ ଜରିଆରେ ପାର୍ଶ୍ଵସ୍ଥ ଗ୍ରାମାଞ୍ଚଳ କିଶୋରୀ ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ କରି ସେମାନଙ୍କୁ ସୁରକ୍ଷିତ ଓ ସଶକ୍ତ ପୀଢ଼ି ଭାବେ ଗଢ଼ି ତୋଳାବା ଉଦ୍ଦେଶ୍ୟ ନେଇ ଏହାକୁ ଆରମ୍ଭ କରାଯାଇଛି । ଏହି ଶିବିର ଆତ୍ମରକ୍ଷା ଓ କିଶୋରୀ ସଶକ୍ତିକରଣ ଦିଗରେ ଅନୁଭବୀ ସଂସ୍ଥା ଗାର୍ଡେନ ଦ୍ଵାରା କାର୍ଯ୍ୟକାରୀ ହେବ। ଉକ୍ତ ଶିବିରରେ ପ୍ଲାଣ୍ଟ ସିଏସଆର୍ ମୁଖ୍ୟ ଶ୍ରୀ ଦିଗନ୍ତ ମହାନ୍ତି, ସିଏସଆର ଟିମ୍ ସଦସ୍ୟ ଶ୍ରୀ ରୂପେନ ପଟ୍ଟନାୟକ, ଶ୍ରୀମତୀ ସତ୍ୟଭାମା ନାୟକ ଓ ଗାର୍ଡେନ ଏନଜିଓର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love