ନିୟମଗିରିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ମୋନ୍ଥା ପରିସ୍ଥିତିର କଲେ ତଦାରଖ

ବିଷମକଟକ ( ପ୍ରତିଫଳନ ମିଡ଼ିଆ )

ମୋନ୍ଥା ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା କୁ ନାଲି ଚେତାବନୀ ଜାରି କରାଯାଇଅଛି। ଅଧିକ ରୁ ଅଧିକ ବର୍ଷା ଥିବା ଯୋଗୁଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଅଛି ।

ଏଥିପାଇଁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡା ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ବିଷମକଟକ ଓ ମୁନିଗୁଡା ର ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ନିୟମଗିରି ପାହାଡ଼ର ଡାଳିଆକୂଜି, ବୋରିଗୁଡା, ତଳଦ୍ଵାରଗୁଡି, ଉପରଦ୍ଵାରଗୁଡି ଗ୍ରାମାଞ୍ଚଳ ପରିଦର୍ଶନ କରି ସମ୍ଭାବ୍ୟ ବର୍ଷାରୁ ନିୟମଗିରିର ଡ଼ଙ୍ଗରିଆ କନ୍ଧ ଆଦିମ ଜନଜାତିମାନେ କିଭଳି ସୁରକ୍ଷିତ ରହିବେ ତାହା ଉପରେ ଗୁରୁତ୍ଵାରୋପ କରି ସ୍ଥାନୀୟ ବ୍ଲକ ଓ ରାଜସ୍ୱ ପ୍ରଶାସନିକ ଅଧିକାରୀଙ୍କୁ ତତ୍ପରତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଅସୁରକ୍ଷିତ ମନେ କରୁଥିବା ସ୍ଥାନରୁ ଅଧିବାସୀ ମାନଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରଣ କରି କିପରି ସେମାନଙ୍କ ଧନ ଜୀବନ ସୁରକ୍ଷିତ ରହିପାରିବ ସେଥିପ୍ରତି ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ରାୟଗଡା ଗୁରୁତ୍ଵାରୋପ କରିଛନ୍ତି ।

ଏହି କ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପୁସୁଗୁଡା ଅସ୍ଥାୟୀ ଆଶ୍ରୟସ୍ଥଳ ପରିଦର୍ଶନ କରିବା ସହ ଏହାର ଆନୁସଙ୍ଗିକ ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ।ଏହି ଗସ୍ତ ସମୟରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ତହସିଲଦାର କେ. ଭେଙ୍କଟେଶ ରେଡ୍ଡୀ ଏବଂ କ୍ଷେତ୍ର ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ସମସ୍ତ ପରିସ୍ଥିତର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ସିଡିଓ ଶ୍ରୀ ଖେମୁଣ୍ଡୁ କହିଛନ୍ତି।

Spread the love