ଲୋକେ ଚାଲୁଥିଲେ, ଏବେ ଚାଲିଲା ପ୍ରଶାସନ 🔹 କାଶୀପୁରର ଅପହଞ୍ଚ ମନୁଷପଦରରେ ଚାଲି ଚାଲି ପହଁଚିଲେ ସିଡିଓ🔹ଲୋକଙ୍କ ସହ କଥା ହେଲେ, ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କାଶୀପୁର (ପ୍ରତିଫଳନ ମିଡ଼ିଆ )

ନିତି ସମସ୍ୟା ଭୋଗୁଛନ୍ତି ଲୋକ। ଅପହଞ୍ଚ ଇଲାକାକୁ ପହଂଚିବାକୁ କେବଳ ଏକ ମାତ୍ର ସାହାରା ପାଦ ଚଲା ରାସ୍ତା। ପାହାଡ଼ ସେପାଖ ଗାଁକୁ ଯିବା ପାଇଁ ଡେଇଁବାକୁ ହୁଏ ଏକାଧିକ ନାଳ। ପାଣି ଭିତରେ ପଶି ଯାଉଛନ୍ତି ଲୋକେ। ଆଉ ଲୋକଙ୍କ ବାସ୍ତବ ସମସ୍ୟା ଜାଣିବା ଲାଗି  ପହଁଚିଥିଲେ ଅଧିକାରୀ। ଲୋକଙ୍କ ପରି ଚାଲି ଚାଲି ଗଲେ। ଗାଁରେ ପହଂଚି ଲୋକଙ୍କ ସହ କଥା ହେଲେ। ଲୋକଙ୍କ ସମସ୍ୟା ବୁଝିଲେ। ସାଥିରେ ଥିବା ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଶିଳ୍ପ ସଂସ୍ଥାର କର୍ମଚାରୀଙ୍କୁ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଲାଗି ପରାମର୍ଶ ଦେଲେ।

ସମସ୍ତେ କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଇ ଘରେ ପରଵ ପାଳନ କରୁଥିବାବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡା  ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ନେତୃତ୍ବରେ ଏକ ଦଳ ଡଙ୍ଗାସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମନୁଷପଦର ଗ୍ରାମକୁ ଗସ୍ତ କରିଥିଲେ ।   ତିନୋଟି ନାଳ ପାରି ହୋଇ ପ୍ରାୟ ଦୁଇ କିଲୋମିଟର ରାସ୍ତା  ଚାଲି ଚାଲି ମନୁଷପଦର ଗ୍ରାମକୁ  ଶ୍ରୀ ଖେମୁଣ୍ଡୁ ଙ୍କ ନେତୃତ୍ବରେ ଜିଲ୍ଲା ତଥା ବ୍ଲକ ପ୍ରଶାସନ ପହଞ୍ଚିଥିଲେ । ମନୁଷପଦର ହେଉଛି ନାହିଁ ନାହିଁ ର ଗାଁ। ଅନେକ ସମସ୍ୟା ଭିତରେ ଗାଁ ସନ୍ତୁଳି ହେଉଛି।  ଗ୍ରାମର ମୌଳିକ ସୁବିଧା ଅସୁବିଧାକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରି ତାର ସମାଧାନ କିଭଳି ହୋଇପାରିବ ସେ ବିଷୟରେ ବିସ୍ତୃତ ଭାବେ ପ୍ରଶାସନିକ ଅଧିକାରୀ  ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ପ୍ରାୟ ଦୁଇ ବର୍ଷ ପୂର୍ବରୁ ଉକ୍ତ ଗ୍ରାମର କିଛି ଲୋକ ଡିପଥେରିଆ ନାମକ ରୋଗରେ ଆକ୍ରାନ୍ତ ହୋଇଥିଲେ  ।

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଖେମୁଣ୍ଡୁ ବିଶେଷ ଭାବରେ ଲୋକଙ୍କ ମୌଳିକ ସମସ୍ଯା ଯଥା ରାସ୍ତା, ପାନୀୟଜଳ, ବିଜୁଳି, ଅଙ୍ଗନବାଡି କେନ୍ଦ୍ର, ସ୍କୁଲର ଭିତିଭୂମି ଓ  ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ହିତାଧିକାରୀମାନଙ୍କ ସୁବିଧା ସୁଯୋଗ ସମ୍ପର୍କରେ ଗ୍ରାମବାସୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଏହି ସମସ୍ଯା ଗୁଡିକ ଜିଲ୍ଲାପାଳ ରାୟଗଡା ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଙ୍କୁ ଅବଗତ କରାଯାଇ ତ୍ଵରିତ ଭାବରେ ଏହାର ସମାଧାନ କରାଯିବ ବୋଲି ଗ୍ରାମରେ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଗ୍ରାମର ଅଙ୍ଗନବାଡି କର୍ମୀ ଠିକ ଭାବରେ ତାଙ୍କର କାର୍ଯ୍ୟ ସମ୍ପାଦନା କରୁନଥିବା ଗ୍ରାମବାସୀଙ୍କ ଠାରୁ ଜାଣିବା ପରେ ଅଙ୍ଗନବାଡି କର୍ମୀଙ୍କୁ ସବୁଦିନ ଠିକ ଭାବରେ ତାଙ୍କ ଦାୟିତ୍ଵ ସମ୍ପାଦନ କରିବା ପାଇଁ ତାଗିଦ କରିଥିଲେ । ଏହି ଗ୍ରସ୍ତ ସମୟରେ ଉତ୍କଳ ଆଲୁମିନା ପକ୍ଷରୁ ଆୟୋଜିତ ଏକ ସ୍ୱାସ୍ଥ୍ୟ ଶିବିରକୁ ଶ୍ରୀ ଖେମୁଣ୍ଡୁ  ଉଦଘାଟନ କରିଥିଲେ  । ଉତ୍କଳ ଆଲୁମିନା ତରଫରୁ ସି. ଏସ. ଆର ମୁଖ୍ୟ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପୀତାମ୍ବର ବେହେରା ଓ ଅନ୍ଯାନ୍ଯ  ବରିଷ୍ଠ କର୍ତୃପକ୍ଷ ଓ ଡାକ୍ତରୀ ଦଳ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ । ଏହି ଗ୍ରସ୍ତ ସମୟରେ କାଶୀପୁର ବ୍ଲକ ପ୍ରଶାସନ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଜୟ କୁମାର ସଏ ଓ କନିଷ୍ଠ ଯନ୍ତ୍ରୀ ଶ୍ରୀ ନିରଞ୍ଜନ ବେହେରା ଉପସ୍ଥିତ ଥିଲେ । ଏବେ ଲୋକଙ୍କ ଦୁଃଖ ଦୂର ହେବ ବୋଲି ଗାଁ ଲୋକଙ୍କ ମନରେ ନୂଆ ଆଶା ସଂଚାର ହୋଇଛି। ମନୁଷପଦର ଗାଁକୁ ଏବେ ନିତିଦିନିଆ ରାସ୍ତା ମିଳିବ ବୋଲି ସମ୍ଭାବନା ଦେଖାଦେଇଛି।

Spread the love