ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )
ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତିକମିଟି ପକ୍ଷରୁ ଜୟନ୍ତୀ ଉତ୍ସବ ପାଳନ ପ୍ରସ୍ତୁତି ବୈଠକ ଭୁବନେଶ୍ବର ସ୍ଥିତ ପୁଣ୍ୟଭୂ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯିବ। ସେହିପରି ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁଙ୍କୁ ମଧ୍ୟ ସ୍ମୃତି କମିଟି ପକ୍ଷରୁ ସମ୍ମାନିତ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ସୁବ୍ରତ ନନ୍ଦ ସୁଚନା ଦେଇଛନ୍ତି।
୧୭ ତାରିଖ ସୋମବାର ସନ୍ଧ୍ୟା ୬ଟା ସମୟରେ ଜୟଦେବ ଭବନ ଠାରେ ଜୟନ୍ତୀ ଉତ୍ସବ ଆୟୋଜିତ ହେବ । ଉତ୍ସବରେ ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନ୍ଜୀବୀ ଦୁଶ୍ୟନ୍ତ ଦାଭେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିବେ । ଓଡ଼ିଶା ରାଜ୍ୟପାଳ ମହାମହିମ ହରି ବାବୁ କମ୍ଭପତି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ ଦାଶ ବେନହୁର୍ ଯୋଗଦେବେ । ଜୟନ୍ତୀ ଉତ୍ସବରେ ପାକ୍ଷିକ ପତ୍ରିକା ‘ଲୋକନୀତି’ର ବିଶେଷ ସଂସ୍କରଣ ସହିତ ଉତ୍ସବର ରୌପ୍ୟ ଜୟନ୍ତୀ ଉପଲକ୍ଷେ ହରିଶ୍ଚନ୍ଦ୍ରଙ୍କ ବକ୍ସିପାତ୍ରଙ୍କ ଉପରେ ଏକ ପୁସ୍ତକ ସଂକଳନ ଉନ୍ମୋଚନ କରାଯିବ । ପ୍ରସ୍ତୁତି ବୈଠକରେ ଶତାୟୁ ପୁରୁଷ ପଦ୍ମଚରଣ ନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ଆଇନଜୀବି ସୁବ୍ରତ ନନ୍ଦ, ସୁବାସ ଦାସ, ଦିଲ୍ଲୀପ ଦାଶଶର୍ମା, ଅମର ପ୍ରସାଦ ମିଶ୍ର, ଉପେନ୍ଦ୍ର ପାଢ଼ୀ, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାସ, ରାଇମୋହନ ପଟ୍ଟନାୟକ, ସୁଧେନ୍ଦୁ ରାଉତରାୟ, ବିକାଶ ଗିରି, ଚିତ୍ତରଞ୍ଜନ କର, ରବି ନାହାକ, ସିରାଜୁଦ୍ଦିନ ଅଲ୍ଲୀ, ଦୟାନିଧ୍ଵ ରାଉତ, ରାମମୂର୍ତି ପାତ୍ର, ଗନ୍ଧର୍ବ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ମୃତି କମିଟି ସମ୍ପାଦିକା ଡ. ଲୋପାମୁଦ୍ରା ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

