ବର୍ଷା ଜଳ ସଞ୍ଚୟରେ ଉତ୍କର୍ଷତା ପାଇଁ ରାୟଗଡା ଜିଲ୍ଲାକୁ ଜାତୀୟ ପୁରସ୍କାର, ସମ୍ମାନ ଗ୍ରହଣ କଲେ ସିଡିଓ, ରାୟଗଡା ଦେଖାଇଲା ଦେଶକୁ ରାହା

ରାୟଗଡା (ପ୍ରତିଫଳନ ମିଡ଼ିଆ )

ସର୍ବଭାରତୀୟ ସ୍ତରରେ ରାୟଗଡା ଜିଲ୍ଲା ପୁରସ୍କୃତ। ବର୍ଷା ଜଳ ସଂଚୟ ଓ ଜନ ଭାଗିଧାରିତା ପାଇଁ ପୂର୍ବ ଭାରତରେ ପ୍ରଥମ ହୋଇଛି ରାୟଗଡା ଜିଲ୍ଲା। ଦୁନିଆକୁ ନୂଆ ରାହା ଦେଖାଇଛି ଓ ଜଳ ସଞ୍ଚୟ ଦିଗରେ ନୂଆ ଉଦାହରଣ ସୃଷ୍ଟି କରିଛି ରାୟଗଡା ଜିଲ୍ଲା। ଆଉ ଜିଲ୍ଲା ପାଇଁ ଏମିତି ଗୌରବ ଆଣି ଦେଇଛନ୍ତି ରାୟଗଡା ସିଡିଓ। ରାଷ୍ଟ୍ରୀୟ ଜଳ ଶକ୍ତି ମିଶନ ଦ୍ୱାରା ବର୍ଷା ଜଳ ସଂଚୟ ଓ ଯୋଜନାରେ ସାଧାରଣ ଲୋକଙ୍କ ସମ୍ପୃକ୍ତି ରେ ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିଥିବାରୁ ଏଭଳି ପୁରସ୍କୃତ ହୋଇଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଉପସ୍ଥିତ ହୋଇ 2024 ବର୍ଷ ପାଇଁ ରାଷ୍ଟ୍ରୀୟ ଜଳ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇଥିଲା। ରାୟଗଡ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି।

ରାଷ୍ଟ୍ରୀୟ ଜଳ ଶକ୍ତି ଜନ ଭାଗୀଦାରୀ ପୁରସ୍କାର–2024 ଅର୍ଜନ କରିଛି ରାୟଗଡା। ପୂର୍ବଅଞ୍ଚଳ ଜୋନରେ ଶ୍ରେଣୀ-3 ରେ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମର ସଫଳ ରୂପାୟନ ଜିଲ୍ଲାମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ସ୍ଥାନ ପାଇ ଏହି ରାଷ୍ଟ୍ରୀୟ ସମ୍ମାନ ପାଇଛି। ଜଳ ସଞ୍ଚୟ ଓ ଜନସହଭାଗିତାକୁ ନେଇ ଦେଶମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲା ଭଲ କାମ କରି ସର୍ବଶ୍ରେଷ୍ଠ ଜିଲ୍ଲାମାନଙ୍କ ମଧ୍ୟରେ ଓଡ଼ିଶାର ରାୟଗଡା ଜିଲ୍ଲା ଆଉଥରେ ପ୍ରମାଣ କରିଛି। ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲ ଙ୍କ ହାତରୁ ପୁରସ୍କାର ଗ୍ରହଣ କରିଛନ୍ତି ରାୟଗଡାର ସିଡିଓ ତଥା ନିର୍ବାହୀ ଅଧିକାରୀ ରାଷ୍ଟ୍ରୀୟ ଜଳ ଶକ୍ତି ଜନ ଭାଗୀଦାରୀର ନୋଡାଲ ଅଫିସର ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ। ପୁରସ୍କାର ସହିତ ଦିଆଯାଇଛି ସମ୍ମାନପତ୍ର, ଟ୍ରଫି ଓ 25 ଲକ୍ଷ ଟଙ୍କାର ଧନରାଶି।

ଏହା ଜିଲ୍ଲାର ସାମୁହିକ ପ୍ରୟାସର ଫଳ। ପଞ୍ଚାୟତରାଜ ଇଞ୍ଜିନିଅରମାନେ, ମାଇନର ଇରିଗେସନ୍, ଫରେଷ୍ଟ ଓ ୱାଟରସେଡ୍ ବିଭାଗ ମିଶି ଅସାଧାରଣ କାମ କରିଛନ୍ତି ବୋଲି ଶ୍ରୀ ଖେମୁଣ୍ଡୁ ପୁରସ୍କାର ଗ୍ରହଣ କରିବା ପରେ କହିଛନ୍ତି। ରାୟଗଡା ଜିଲ୍ଲାପାଳ ଅଶୁତୋଷ କୁଳକର୍ଣୀ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇ ସହ ଏଇ ସମ୍ମାନ ଜିଲ୍ଲାକୁ ଜାତୀୟ ମଞ୍ଚରେ ଗୌରବାନ୍ବିତ କରିଛି। ଆଗାମୀ JSJB 2.0 ଓ ଅନ୍ୟାନ୍ୟ କ୍ଷେତ୍ରରେ ଏଭଳି କାର୍ଯ୍ୟ ଜାରି ରଖି ଆହୁରି ସମ୍ମାନ ଆଣିବାକୁ ସେ ଆହ୍ୱାନ କରିଛନ୍ତି। ଜଳ ସଞ୍ଚୟ ମାନବଜୀବନର ପ୍ରାଣ। ପାହାଡିଆ ଓ ଅସମତଳ ଜିଲ୍ଲା ଭାବେ ପରିଚିତ ରାୟଗଡା ଜିଲ୍ଲାର ଏହି ସଫଳତା ନିଶ୍ଚୟ ଦେଶର ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଓ ନୂଆ ରାହା ଦେଖାଇଛି।

Spread the love