ବ୍ଲକ ଚଇତି ପାଇଁ ଗଲା ପୂଜା କଳସୀ
ରାୟଗଡ଼ (ପ୍ରତିଫଳନ ମିଡ଼ିଆ )
ଫସଲ ଅମଳ ପ୍ରାୟ ସରି ଆସୁଥିବ। ଶୀତ ଟିକେ ବଢ଼ି ବଢ଼ି ଯାଉଥିବ। ଲୋକଙ୍କ ହାତରେ ଅମଳର ପଇସା ଏବଂ କାମ ଶୁନ୍ୟ। ମଉଜର ବେଳ। ଆଉ ଏମିତି ଏକ ସମୟରେ ରାୟଗଡ଼ ଜିଲ୍ଲାରେ ଆରମ୍ଭ ହୁଏ ଚଇତି ପରବ। ଚଳିତ ବର୍ଷ ରାୟଗଡା ଜିଲ୍ଲାର ଗଣ ପର୍ବ “ଚଇତି” କାଶୀପୁରର ମା ମାଣିକେଶ୍ବରୀଙ୍କ ପୀଠରୁ ଶୁଭାରମ୍ଭ ହୋଇଛି। ଅଧିଷ୍ଠାତ୍ରି ଦେବି ମା ମାଣୀକେଶ୍ବରୀ ଙ୍କ ନିକଟରେ ପ୍ରଥମେ ପୂଜାର୍ଚନା କରାଯାଇଥିଲା। ମାଙ୍କ ପୀଠରୁ ଜ୍ୟୋତି ସଂଗ୍ରହ କରାଯାଇ ମଶାଲରେ ସ୍ଥାପନ କରାଯାଇଥିଲା। ଜିଲ୍ଲାପାଳ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ମଶାଲ ଧରି ଓ କଳସ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ବ୍ଲକ ପଡିଆରେ ଆୟୋଜିତ ସଭାମଞ୍ଚରେ ମଶାଲ ଜ୍ୟୋତି ସ୍ଥାପନା କରାଯାଇଥିଲା। ଆଉ 2025ର ଜିଲ୍ଲା ସ୍ତରୀୟ ଚଇତିର ଶୁଭ ଉଦଘାଟନ ହୋଇଥିଲା।

ଏ ମାଟିର ଆଦିବାସୀ ପରମ୍ପରାର ମାଟି,ଏହି ମାଟିରେ ଅନେକ କଳା ଓ ସଂସ୍କୃତି ଭରି ହୋଇରହିଛି।ଏହାକୁ ସାଉଁଟିବା ପାଇଁ ଚଇତି ଭଳି ମଞ୍ଚର ଆବଶ୍ୟକ ରହିଛି। ସ୍ଥାନୀୟ ଲୋକଙ୍କୁ ନେଇ କଳା ଓ ସଂସ୍କୃତିର ବିକାଶ ଚଇତି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ରାୟଗଡ ଜିଲ୍ଲାପାଳ କହିଥିଲେ। ଆମ ଅଞ୍ଚଳର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ଆଧୁନିଜ ପିଢ଼ିଙ୍କ ନିକଟରେ ପହଂଚାଇବା ଓ ନବପ୍ରତିଭାର ସନ୍ଧାନ ଓ ବିକାଶ ନିମନ୍ତେ ଲୋକ ମହୋତ୍ସବ ଚଇତି ହେଉଛି ଉତ୍କୃଷ୍ଟ ମଞ୍ଚ ବୋଲି ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ୟରେ ଅଭିହିତ କରିଥିଲେ।

ଏହି ଅବସରରେ ପ୍ରଦର୍ଶନି ମଣ୍ଡପ ଖୋଲାଯାଇଥିଲା। ବିଭିନ୍ନ ପଂଚାୟତ ଓ ସ୍କୁଲ କଲେଜର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଳାହାଣ୍ଡିର ଘୁମୁରା ନୃତ୍ୟ ଉପସ୍ଥିତି ଲୋକଙ୍କୁ ବିମୋହିତ କରିଥିଲା। ପାରମ୍ପରିକ ଢେମସା ନୃତ୍ୟରେ ଝୁମିଥିଲେ ଦର୍ଶକ। ଚଇତି ମଞ୍ଚରେ ଜିଲ୍ଲାର ସମସ୍ତ ବ୍ଲକର ଉପସ୍ଥିତ ଥିବା ପଂଚାୟତ, ସମିତି, ବ୍ଳକ ଅଧକ୍ଷ୍ୟ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା। କାଶୀପୁର ବ୍ଲକର ଅନେକ ଯୁବ ପ୍ରତିଭାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ଚଇତି ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣୀ, ରାୟଗଡା ବିଧାୟକ କାଡ୍ରାକା ଆପଲସ୍ବାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କହଁର, ରାୟଗଡା ଉପ ଜିଲ୍ଲାପାଳ ରମେଶ ଜେନା, କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ବ୍ଲକ ଉପାଧ୍ୟକ୍ଷା କୁନି କୁମାରି ନାଏକ କାଶୀପୁର ବ୍ଲକର ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଓ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ।

କାଶୀପୁରର ମା ମାଣିକେଶ୍ବରୀ
କାଶୀପୁର ରାଜପରିବାର ଏବଂ ମା’ ମାଣିକେଶ୍ଵରୀଙ୍କ ମଧ୍ୟରେ ସଂପର୍କ ନିବିଡ । କାଶୀପୁର ଥାଟରାଜାଙ୍କ ଆରଧ୍ୟା ଦେବୀ ହେଉଛନ୍ତି ମା’ ମାଣିକେଶ୍ଵରୀ I ତାଙ୍କର ଆଜ୍ଞା ବିନା ରାଜପରିବାର କୌଣସି କାର୍ଯ୍ୟ କରନ୍ତି ନାହିଁ । ପରଂପରା ମୁତାବକ ରାଜ ପରିବାର ଦାୟାଦ ଦିବ୍ୟନ୍ଦୁ କୁମାର ଦେଓ ପ୍ରଚଳିତ ପରଂପରାକୁ ମାନି ଆସୁଛନ୍ତି । ପେଶାରେ ଏକ ଡାକ୍ତର ହେଲେ ମଧ୍ୟ ମା’ଙ୍କ ପ୍ରତି ରହିଛି ତାଙ୍କର ପ୍ରଗାଢ ଅନୁରକ୍ତି । ସେଥିପାଇଁ ପ୍ରତିବର୍ଷ ଦଶହରା ବଡ ଜାକଜମକରେ ପାଳିତ ହୁଏ କାଶୀପୁରରେ । ମା ଙ୍କ ଦଶହରା ପର୍ବ ବଡ଼ ପ୍ରସିଦ୍ଧ।
ପରଂପରା ମୁତାବକ ଦଶହରା ପାଇଁ ରାଜାଙ୍କଠାରୁ ତାଙ୍କ ଶାସିତ ବିଭିନ୍ନ ଗ୍ରାମର ମୁଖିଆଙ୍କ ନିକଟକୁ ଖବର ପହଁଚାଯାଏ । ପରେ ପାତ୍ରମନ୍ତ୍ରୀ, ଗଇନ୍ତିଆମାନେ ରାଜଉଆସରେ ପହଁଚି ମା’ ମାଣିକେଶ୍ଵରୀଙ୍କ ପାଟଖଣ୍ଡା ସହ ରାଜା ବ୍ୟବହୃତ କରୁଥିବା ବନ୍ଧୁକକୁ ନେଇ ପୂଜା କରନ୍ତି । ରାଜାଙ୍କୁ ପାରଂପରିକ ରୀତିରେ ଫୁଲଚନ୍ଦନ ଦେଇ ବନ୍ଦାପନା କରିବା ପରେ ରାଜା ମାଆଙ୍କ ନିକଟକୁ ଯାଇ ଆଦେଶ ଭିକ୍ଷା କରନ୍ତି । ମାଆଙ୍କ ଆଦେଶ ମିଳିବା ପରେ ପ୍ରକୃତ ଦଶହରା ପରଂପରା ଆରମ୍ଭ ହୁଏ ।
ଜନଶ୍ରୁତି ମୁତାବକ ମା’ ମାଣିକେଶ୍ଵରୀଙ୍କ ଛତର ଭବାନୀ ପାଟଣାରେ, ମସ୍ତକ ଥୁଆମୂଳରାମପୁରରେ, ପାଦ ରାୟଗଡ ଜିଲ୍ଲାର ଖେଦାପଡାରେ ଥିବାବେଳେ ହୃଦୟ କାଶୀପୁରରେ ରହିଛି । ପୂର୍ବେ ଏସବୁ କାଶୀପୁର ରାଜ୍ୟ ଅଧୀନରେ ଥିଲା । କାଳକ୍ରମେ ରାଜ ପରିବାର ମଧ୍ୟରେ ଭାଗିଦାରୀ ପରେ ମା’ଙ୍କ ବିଭିନ୍ନ ଅଂଗକୁ ବିଭିନ୍ନ ସ୍ଥାନକୁ ନିଆଯାଇଥିବା କୁହାଯାଇଛି । ବିଜୟା ଦଶମୀ ଦିନ ମା’ଙ୍କ ମନ୍ଦିରରେ ପୂଜା ସଂପନ୍ନ ପରେ ବନ୍ଧୁଳ ଏବଂ ଖଣ୍ଡାକୁ ମେଲଣ ପଡ଼ିଆକୁ ବାଜା ବାଜଣା ସହ ପଟୁଆରରେ ନିଆଯାଇ ସ୍ଥାପନ କରାଯାଏ । ପରେ ଲାଖ ବିନ୍ଧା ପର୍ବ ଆରମ୍ଭ ହୁଏ । ପରଂପରା ମୁତାବକ ଏକ ଗଛରେ ନିଶାଣ ରଖାଯାଇ ନିର୍ବିଷ୍ଟ ଦୂରତାରୁ ବନ୍ଧୁକ ଦ୍ବାରା ନିଶାଣକୁ ଲାଖ ବିନ୍ଧାଯାଏ । ରାଜା ଅମଳରେ ଏହାକୁ ସମରାଭ୍ୟାସ କୁହାଯାଇଥିଲା । ଏଥିରେ ଯାହାର ଲକ୍ଷ୍ୟ ଅଭେଦ୍ୟ ହେଉଥିଲା ତାକୁ ରାଜା ଶିରିପା ବାନ୍ଧିବା ସହ ପୁରସ୍କୃତ କରୁଥିଲେ । କଳାହାଣ୍ଡି ଜିଲ୍ଲାରେ ବି ଏଇ ପରଂପରା ପାଳନ ହେଉଥିବା ଦେଖିବାକୁ ମିଳେ ।

