ନୂଆ ବର୍ଷରେ ରାୟଗଡା ମଙ୍ଗଳ ବିଭାଗ ପାଇବ 172 ଜଣ ଶିକ୍ଷକ

ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ,ତୁଟିବ ଶିକ୍ଷା ସମସ୍ୟା

ରାୟଗଡା ( ପ୍ରତିଫଳନ ମିଡ଼ିଆ )

ନୂଆ ବର୍ଷରେ ରାୟଗଡା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପାଇଁ ଖୁସି ଖବର। ଜାନୁଆରୀ ପ୍ରଥମ ସପ୍ତାହରେ ନିଯୁକ୍ତି ପାଇବେ 172 ଜଣ ଅତିଥି ଶିକ୍ଷକ। ଏଥିପାଇଁ ରାୟଗଡା ମଙ୍ଗଳ ବିଭାଗ ପକ୍ଷରୁ ଚୟନ ହୋଇଥିବା ଶିକ୍ଷକ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପଠାଯିବା ସହ ଜାନୁଆରୀ 1ତାରିଖରୁ 5 ତାରିଖ ମଧ୍ୟରେ ନିଜ ନିଜ  ବିଦ୍ୟାଳୟରେ ଜଏନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ରାୟଗଡା ମଙ୍ଗଳ ବିଭାଗ ଆବାସିକ ବିଦ୍ୟାଳୟଗୁଡିକରେ ବିଭିନ୍ନ ଶିକ୍ଷକ ପଦବୀ ଖାଲି ପଡ଼ିଥିଲା। ଏହି କାରଣରୁ ବିଦ୍ୟାଳୟ ପରିଚାଳନା ଓ ଅଧ୍ୟୟନରେ ଗୁରୁତର ବିଭ୍ରାଟ ଦେଖାଦେଉଥିଲା। ବିଭିନ୍ନ ସମୟରେ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ଶୁନ୍ୟ ଥିବା ଶିକ୍ଷକ ପଦବୀ ପୂରଣ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାଵୀ ହୋଇ ଆସୁଥିଲା।

ଏହି କ୍ରମରେ 154ଟି ମାଟ୍ରିକ ସିଟି, 02ଟି ଟିଜିଟି, 03ଟି ପିସିଏମ ବିଜ୍ଞାନ ଶିକ୍ଷକ, 4ଟି ସିବିଜେଡ ବିଜ୍ଞାନ ଶିକ୍ଷକ, 8ଟି ହିନ୍ଦୀ, 9ଟି ସଂସ୍କୃତ, ଗୋଟିଏ ଲେଖାଏଁ ଇଂରାଜୀ, ଉଦ୍ଭିଦ ବିଜ୍ଞାନ, ଗଣିତ ଅଧ୍ୟାପକ ଓ ଦୁଇଟି ଲେଖାଏଁ ଓଡ଼ିଆ ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଏହିପରି  ଖାଲି ଥିବା ମୋଟ 187 ପଦବୀ ଗୁଡିକୁ ପୂରଣ ଲାଗି ଆବେଦନ ଆହ୍ବାନ କରାଯାଇଥିଲା। ଏଥିଲାଗି ପ୍ରାପ୍ତ ଆବେଦନକୁ ଯାଞ୍ଚ ପରେ ଉପଯୁକ୍ତ 321 ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ  ଆମନ୍ତ୍ରଣ କରା ଯାଇଥିଲା। ଏକ ଶିଷ୍ଟ କମିଟି ଦ୍ୱାରା ସାକ୍ଷାତକାର ପରେ ମୋଟ 172 ଜଣ ଅତିଥି ଶିକ୍ଷକ ଭାବେ କୃତିତ୍ବ ଲାଭ କରିଥିଲେ। ଇଂରାଜୀ ଅଧ୍ୟାପକ ବ୍ୟତୀତ ଅବଶିଷ୍ଟ ସମସ୍ତ ପଦବୀ ପାଇଁ ପ୍ରାର୍ଥୀ ଚୟନ ହୋଇଥିବା ବେଳେ ଦୁଇ ଜଣ ଲେଖାଏଁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଯୋଗ୍ୟ ବିବେଚିତ ହୋଇଥିଲେ। ଫଳରେ ବିଭାଗକୁ ନୂତନ ଭାବେ 172ଟି ଅତିଥି ଶିକ୍ଷକ ମିଳିବା ସମ୍ଭବପର  ହୋଇପାରିଲା ବୋଲି ରାୟଗଡା ମଙ୍ଗଳ ଅଧିକାରୀ ଅସୀମା ରାଓ ପ୍ରକାଶ କରିଛନ୍ତି। ଜିଲ୍ଲାପାଳଙ୍କ ଅନୁମୋଦନ ପରେ ନିଯୁକ୍ତି ପତ୍ର ପଠା ସରିଛି ଏବଂ ଅତିଥି ଶିକ୍ଷକ ମାନେ ନିଜ ନିଜ ନିଯୁକ୍ତି ସ୍ଥଳରେ ଯୋଗାଦାନ କରିବାକୁ ଶ୍ରୀମତି ରାଓ ନିବେଦନ କରିଛନ୍ତି।

Spread the love