ମୋହନା -ରାୟଗଡା- କୋରାପୁଟ ରାସ୍ତାକୁ କ୍ୟାବିନେଟ୍ ଅନୁମୋଦନ, ହେବ ଦୁଇ ଥାକିଆ ପ୍ରଶସ୍ତ ଓ ଆଧୁନିକ ରାସ୍ତା
ରାୟଗଡା (ପ୍ରତିଫଳନ ମିଡ଼ିଆ )
ରାଜ୍ୟ ଓ କେନ୍ଦ୍ରର ବିଜେପି ଡବଲ ଇଂଜିନ ସରକାରଙ୍କ ଦକ୍ଷିଣ ଓଡିଶାକୁ ନୂଆ ବର୍ଷର ଉପହାର। କେନ୍ଦ୍ର କ୍ୟାବିନେଟରେ ମୋହନା -ରାୟଗଡା- କୋରାପୁଟ ଓସାରିଆ ରାସ୍ତା ନିର୍ମାଣକୁ ମୋହର ବାଜିଛି। ଓଡ଼ିଶାରେ NH-326 ର 68.600 କିଲୋମିଟରରୁ 311.700 କିଲୋମିଟର ପର୍ଯ୍ୟନ୍ତ 2 ଲେନ୍ ରାସ୍ତାକୁ ଆଜି କେନ୍ଦ୍ର କ୍ୟାବିନେଟରେ ମୋହର ବାଜିଛି। ଏହି ରାସ୍ତା ନିର୍ମାଣ ହେଲେ ଜୟପୁର- ରାୟଗଡା -ବ୍ରହ୍ମପୁର ଯାତାୟାତ ଆହୁରି ସୁବିଧା ସହ ସମୟ କମିବ। ରାସ୍ତା ହେବ ଫିନ ଫିନ। ଯାତାୟତ ସୁବିଧା ଓ ସହଜ ହେବ। ମାତ୍ର ତିନି ଘଣ୍ଟା ସମୟ ଲାଗିବ।
ଇପିସି ମୋଡ୍ରେ 1,526.21 କୋଟି ଟଙ୍କା ବ୍ୟୟରେ ଦୁଇ ଥାକିଆ ରାସ୍ତାକୁ ପ୍ରଶସ୍ତ ଏବଂ ମଜବୁତ କରିବା ପାଇଁ କ୍ୟାବିନେଟ ଅନୁମୋଦନ କରିଛି। ଏହି ରାସ୍ତା ନିର୍ମାଣ ପରେ ମୋହନା-ରାୟଗଡା କୋରାପୁଟ ମଧ୍ୟରେ ପ୍ରମୁଖ ଅର୍ଥନୈତିକ ଏବଂ ଲଜିଷ୍ଟିକ୍ସ କରିଡରକୁ ସିଧାସଳଖ ଏବଂ ଉନ୍ନତ ସଂଯୋଗ ପ୍ରଦାନ କରିବ। NH-26, NH-59, NH-16 ଏବଂ ରାୟପୁର-ବିଶାଖାପାଟଣା କରିଡର ସହିତ ସଂଯୋଗ କରିବ। ଏହା ସହ ଗୋପାଳପୁର ବନ୍ଦର, ଜୟପୁର ବିମାନବନ୍ଦର ଏବଂ ଅନେକ ରେଳ ଷ୍ଟେସନ୍ ସହିତ ସଂଯୋଗରେ ସୁଧାର ହୋଇପାରିବ। ବିଜେପି କ୍ଷମତା କୁ ଆସିବା ପରେ ଗୋପାଳପୁର-ଥେରୁବାଲି ରେଳପଥ ସହ ଏହି ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ମିଳିଥିଲା। ପୂର୍ବରୁ ଗୁଣୁପୁର- ସିଙ୍ଗାପୁର ଓ ଥେରୁବାଲି- ଗୋପାଳପୁର ରେଳପଥ ଘୋଷଣା ହୋଇ ଥିବା ବେଳେ ଆଜି ଏହି ପ୍ରତିକ୍ଷିତ ରାସ୍ତାକୁ ଆଜି କ୍ୟାବିନେଟ ମୋହର ଲାଗିବା ପରେ ଗଞ୍ଜାମ, ରାୟଗଡ଼, କୋରାପୁଟ, କନ୍ଧମାଳ, ଗଜପତି, ମାଲକାନଗିରି ଭଳି ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶ ସମ୍ଭବପର ହୋଇପାରିବ। ରାୟଗଡା ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରାସ୍ତା ନିର୍ମାଣ ଲାଗି ପ୍ରତିଶ୍ରୁତି ଦେଇଥିଲେ। ଆଜି ସରକାର ପୂରଣ କରିଛନ୍ତି।
କ୍ୟାବିନେଟ ମଞ୍ଜୁରୀ ପରେ ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଲୋକେ କୃତଜ୍ଞତା ଜ୍ଞାପନ କରିଛନ୍ତି।

