ପ୍ରତିଫଳନ ମିଡ଼ିଆ
କୋରାପୁଟରେ ନାଲକୋ ପ୍ରତି ଅଂଚଳର ଆଦିବାସୀଙ୍କ ବିରୋଧଭାସ ବଡୁଛି କୋରାପୁଟ ପ୍ରଶାସନର ଯୋଜନା ବିଫଳ ହେଉଛି । ନାଳକୋର ପଟାଙ୍ଗୀ ଖଣିକୁ ପାଣି ଯୋଗାଣ ପାଇଁ ଜଳ ଅଧିଗ୍ରହଣ କାର୍ଯ୍ୟ କରିବା ଓ ପାଣି ଯୋଗାଣ ପାଇଁ ପାଇପ ଲାଇନ ବିଛାଇବା କାମକୁ ପାରିତ କରିବା ସକାଶେ ପ୍ରଶାସନ ଦ୍ୱାରା ଆୟୋଜିତ ଗ୍ରାମ ସଭାକୁ ଆଦିବାସୀ ବିରୋଧ କରିଛନ୍ତି। ପ୍ରଶାସନର ଉଦ୍ୟମକୁ ସେରୁବନ୍ଧ ସୁରକ୍ଷା ସମିତିର ସମର୍ଥକମାନେ ପ୍ରବଳ ବିରୋଧ କରିଛନ୍ତି। ଫଳରେ ନୂଆଗାଁ ଠାରେ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରାମସଭା ହୋଇପାରିଲା ନାହିଁ। ଗ୍ରାମସଭା କରିନପାରି ଘଟଣା ସ୍ଥଳରୁ ବିଫଳ ହୋଇ ଫେରିଲା ପ୍ରଶାସନ। ଗ୍ରାମସଭା କରାଇ ନାଲକୋ ସପକ୍ଷରେ ରିପୋର୍ଟ ଦେବାକୁ ଉଦ୍ୟମ କରୁଥୁବା ପ୍ରଶାସନର ଉଦ୍ୟମକୁ ବିଫଳ କରିଛନ୍ତି ଅଂଚଳର ଆଦିବାସୀ,ସାଧାରଣ ଲୋକେ ଓ ନିର୍ବାଚିତ ପଂଚାୟତ ପ୍ରତିନିଧି ମାନେ। ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଦେଖି ଡରିଗଲେ ନାଲକୋ ଅଧିକାରୀ।


କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ନାଲକୋ କୁ ମିଳିଛି ବକ୍ସାଇଟ ଖଣି। ପଟାଙ୍ଗୀ ଠାରୁ ପ୍ରାୟ 5 କିମି ଦୂର ଉପର ମୁଣ୍ଡରେ ମାଲକାରବନ୍ଧ ଗାଁ କୁ ଲାଗିକି ରହିଛି ସେରୁବନ୍ଧ ବକ୍ସାଇଟ ଖଣି। ନାଲକୋକୁ ମିଳିଥିବା ସେରୁବନ୍ଧ ଖଣିରୁ ବକ୍ସାଇଟ ଖନନ ପାଇଁ ଅଂଚଳର ଲୋକେ ବହୁ ଦିନ ହେଲା ପ୍ରବଳ ବିରୋଧ କରି ଆସୁଛନ୍ତି। ଫଳରେ ଖଣି କାମ ଆଗକୁ ବଢିପାରୁ ନାହିଁ।
ଖଣି ଖନନ ପାଇଁ ପାଣିର ଆବଶ୍ୟକତା ରହିଛି। ନୂଆଗାଁ ପଂଚାୟତ ର ବଡାପାଡୁ ନିକଟରେ ପ୍ରବାହିତ ହେଉଛି ଚିର ସ୍ରୋତା ଝରଣା. ଝରଣା ର ପାଣି ବ୍ୟବହାର କରିବା ପାଇଁ ନିର୍ମାଣ କରାଯିବ ଡ୍ୟାମ. ଏଥିପାଇଁ ଲୋକଙ୍କ ସମର୍ଥନ ଓ ଗ୍ରାମସଭାର ଅନୁମୋଦନ ର ଆବଶ୍ୟକତା ରହିଛି. ଏଣୁ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଇ ଝରଣାର ପାଣିକୁ ବ୍ୟବହାର କରିବା ପାଇଁ ନାଲକୋସପକ୍ଷରେ ଲୋକଙ୍କ ଦସ୍ତଖସ୍ତ ସଂଗ୍ରହ କରିବାକୁ ଉଦ୍ୟମ କରାଯାଇଥିଲା। ସେହି ଯୋଜନାକୁ ବିଫଳ କରିଛନ୍ତି ସେହି ଅଂଚଳର ଆଦିବାସୀ।
ଲୋକଙ୍କୁ ପିଇବା ପାଇଁ ପାଣି ମିଳୁନାହିଁ, ଜଳ ଥାଇ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇପାରୁ ନାହିଁ। ଚାଷ ଉପରେ ନିର୍ଭର କରି ବଞ୍ଚୁଥୁବା ହଜାର ହଜାର ଆସିବାସୀ ଓ ଚାଷୀ ହାହା କାର ହୋଇ ଜୀବନ ବିତାଉଛନ୍ତି। ସବୁ ସୁବିଧା ଥାଇ ଲୋକଙ୍କ ହିତରେ କାମ କରୁନାହିଁ ପ୍ରଶାସନ।ଆଦିବାସୀଙ୍କ ଜୀବନ ଜୀବିକାକୁ ସୁଦୃଢ କରିବାକୁ ପଦକ୍ଷେପ ଗ୍ରହଣ ନକରି ପ୍ରଶାସନ ନାଲକୋର ଖଣିପାଇଁ ଅଧିକ ଆଗ୍ରହ ଦେଖାଉଛି ବୋଲି ଆଦିବାସୀ ଅଭିଯୋଗ କରିଛନ୍ତି। ସେରୁବନ୍ଧ ଖଣି ଖନନ କରାଗଲେ ପଟାଙ୍ଗୀ ବ୍ଲକର ନୂଆଗାଁ, ମାଳିପୁଟ,ପଟାଙ୍ଗୀ,କୋଟିଆ 4ରୁ ଉର୍ଧ୍ଵ ପଂଚାୟତ ହଜାର ହଜାର ଆଦିବାସୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିବ। ଏଣୁ ଖଣି ଖନନ କରିବାକୁ ଓ ଖଣି ଅଂଚଳକୁ ପାଣି ଯୋଗାଣ କୁ ବିରୋଧ କରୁଛୁ ବୋଲି ସେରୁବନ୍ଧ ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛି। ଲୋକଙ୍କ ମତକୁ ସମ୍ମାନ ଦେଇ ଅଂଚଳର ସ୍ୱାର୍ଥ ରକ୍ଷା ପାଇଁ ସମର୍ଥନ କରୁଛୁ ବୋଲି ନୂଆଗାଁ ପଞ୍ଚାୟତ ସରପଞ୍ଚ ସୁବାଷ ଖରା, ପଟାଙ୍ଗୀ ସରପଞ୍ଚ ଆଲେମ ଫୁଲ, ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା ପ୍ରମୁଖ ମତବ୍ୟକ୍ତ କରିଛନ୍ତି।ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ପାଇଁ ଆଇନ ଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଦମନଯୋଡି ନାଲକୋ କମ୍ପାନୀ ର ଅଧିକାରୀ ମାନଙ୍କ ଅଂଚଳର ଲୋକଙ୍କ ସହ ଜନସମ୍ପର୍କର ଅଭାବ ରହିଛି। ଖଣି ପ୍ରଭାବିତ ଅଂଚଳର ସାଧାରଣ ଲୋକଙ୍କ ନିକଟରେ ବାବୁ ରାଜପଣିଆ ବ୍ୟବହାର କରୁଛନ୍ତି। ଅଧିକାରୀମାନଙ୍କ ଆଚାର ବ୍ୟବହାର ଯୋଗୁଁ ନାଲକୋ କମ୍ପାନୀ ଉପରେ ରାଗ ରହୁଛି ବୋଲି ଅଂଚଳର ଲୋକେ କହିଛନ୍ତି। ବଡ ବଡ଼ିଆ ଓ ପ୍ରଭାବଶାଳୀଙ୍କ ପ୍ରତି ଇଜ୍ଜତ ଦେଉଛନ୍ତି, ସହାନୁଭୂତି ଦେଖାଉଛନ୍ତି। ଆମକୁ ପଚାରୁ ନାହାନ୍ତି ବୋଲି ଲୋକେ କହିଛନ୍ତି। ନାଲକୋ ଅଧିକାରୀଙ୍କ ସୁବିଧାବାଦୀ ମନୋଭାବ ଯୋଗୁଁ ଅଂଚଳର ଆଦିବାସୀମାନଙ୍କ ମଧ୍ୟରେ ଦିନକୁ ଦିନ ନାଲକୋ କମ୍ପାନୀ ବିରୋଧୀ ମାନସିକତା ବଡ଼ୁଥୁବା ଦୃଷ୍ଟି ଗୋଚର ହେଉଛି ।


