ମାଟି–ମାନବ ସମ୍ପର୍କର ଜୀବନ୍ତ ଦଲିଲ ହେଉଛି କନ୍ଧ ସଂସ୍କୃତି
————————————————————————-
ଡ଼ ଦ୍ବିତୀ ଚନ୍ଦ୍ର ସାହୁ ପାଇଲେ ଧର୍ତ୍ତି ରାଣୀ ସମ୍ମାନ
ରାୟଗଡ଼ (ପ୍ରତିଫଳନ ମିଡ଼ିଆ )
କନ୍ଧ ଜନଜାତି ଓଡ଼ିଶାର ସବୁଠାରୁ ବଡ଼ ଜନଜାତି ଗୋଷ୍ଠୀ ଓ ଏହି ଗୋଷ୍ଠୀର ସଂସ୍କୃତି ହେଉଛି ଓଡ଼ିଶାର ମାଟି–ମାନବ ସମ୍ପର୍କର ଜୀବନ୍ତ ଦଳିଲ। ଏହି ଜନଜାତିର ଅନନ୍ୟ ସଂସ୍କୃତି ଓ ପରମ୍ପରାକୁ ସାଇତି ରଖିବା ଲାଗି ଜନଜାତିଙ୍କ ପ୍ରୟାସ ନିଶ୍ଚିତ ଭାବରେ ଗୌରବ ବିଷୟ। କନ୍ଧ ଜନଜାତି ସଦା କାଳେ ସଂଗ୍ରାମୀ ଓ ସାହସୀ ଜନଜାତି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ରାୟଗଡା ଜିଲ୍ଲା କୋଲନରା ବ୍ଲକ ମାଉଡ଼ିଗୁଡା ଠାରେ ସହୀଦ ଲକ୍ଷ୍ମଣ ନାୟକ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଧାର୍ତ୍ତି ରାଣୀ ମହୋତ୍ସବ। ଦୁଇ ଦିନ ବ୍ୟାପୀ ଆୟୋଜିତ ଏଇ ମହୋତ୍ସବର ପ୍ରଥମ ଦିନରେ ନିକଟସ୍ଥ ନାଗାବଳୀ ନଦୀରୁ ଜଳ ସଂଗ୍ରହ ସହ ମଞ୍ଚରେ କଳସ ସ୍ଥାପନ ହୋଇଥିଲା। ଗ୍ରାମର ଗୁରୁମାଇ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରିଥିଲେ। ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ କୋଲନରା ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା, ବିଶେଷ ଅତିଥି ଭାବେ ଜନଜାତି ଗବେଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ଯୋଗ ଦେଇଥିବାବେଳେ ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘର ନାରୀ ନେତ୍ରୀ ମତି ଲକ୍ଷ୍ମୀ ପ୍ରାସ୍କା ଓ ସଂଘର ସାଧାରଣ ସମ୍ପାଦକ ଟିବୁ ସାରକା ଯୋଗ ଦେଇ ରାୟଗଡା ଜିଲ୍ଲାର ସାମାଜିକ ଓ ସାଂସ୍କୃତିକ ବିକାଶରେ କନ୍ଧ ଜନଜାତିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ ବୋଲି ଅଭିହିତ କରିଥିଲେ।
ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସାଂସ୍କୃତିକ ଦଳ ଜନଜାତି ନୃତ୍ୟ ପ୍ରଦର୍ଶନ ସହ କୁଇ, ଦେଶିଆ ମେଲୋଡି ଦର୍ଶକଙ୍କ ମନ ମୋହିଥିଲା। ସମସ୍ତ ନୃତ୍ୟ ଦଳ ଓ କଳାକାରଙ୍କୁ ଅତିଥିମାନଙ୍କ ଦ୍ୱାରା ସ୍ମାରକୀ ପ୍ରଦାନପୂର୍ବକ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଜନଜାତି ଗବେଷଣା ଓ ପ୍ରକାଶନ ପାଇଁ ଡ଼ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ଉପଢୌକନ, ସ୍ମାରକୀ ପ୍ରଦାନ ପୂର୍ବକ ଧର୍ତ୍ତି ରାଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମିଟୁ ମିଣିଆକା, ରାମବାବୁ ମିଣିଆକା, ମୁନ୍ନା ହିମିରିକା, କୈଳାସ ମିନିଆକା, ଅଜନ୍ତ ମିଣିଆକା ପ୍ରମୁଖ ସଂଚାଳନ କରିଥିବାବେଳେ ମାଉଡିଗୁଡାଗ୍ରାମବାସୀ ସମସ୍ତଙ୍କୁ ପାରମ୍ପରିକ ନୃତ୍ୟ ଗୀତ ଓ ପୂଜନ ସହ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

