ଆଳତି ଲାଇଭ ପାଇଁ ମନ୍ଦିର ୟୁ ଟ୍ୟୁବ ଚ୍ୟାନେଲ ଖୋଲିବାକୁ ହେଲା ଦାବୀ
ରାୟଗଡା (ପ୍ରତିଫଳନ ମିଡ଼ିଆ )
ମାଆ ମଝିଘରିଆଣୀ ପୀଠରେ ଆରମ୍ଭ ହେଲା ଇ ହୁଣ୍ଡି। ଏଣିକି ସୁବିଧାରେ ଦାନ କରି ପାରିବେ ଭକ୍ତ। ଘରେ ଥାଇ ବି ମାଆଙ୍କ ଉଦ୍ଦେଶ୍ୟରେ ଦାନ କରିବା ଭକ୍ତଙ୍କ ପାଇଁ ହେଲା ସୁବିଧା।

ଦକ୍ଷିଣ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା ମଝିଘରିଆଣୀ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ପାଇଁ ରାୟଗଡାସ୍ଥ ମାଙ୍କ ପୀଠରେ ହାଜର ହୁଅନ୍ତି। ଦର୍ଶନ ସହ ମନସ୍କାମନା କରନ୍ତି। ଏଠାରେ ମନାସିଲେ ମାଆ ଙ୍କ କରୁଣା ଭକ୍ତଙ୍କ ଉପରେ ଝରି ପଡ଼େ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ସବୁ ଶୁଭ କାମରେ ମାଆ ଙ୍କ ଆଶୀର୍ବାଦ ଲୋଡିଥାନ୍ତି ଭକ୍ତ। ମୁଣ୍ଡନ ବି ହୁଅନ୍ତି। ମାଙ୍କ ପୀଠରେ ଓଡିଶା ସମେତ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡର ଭକ୍ତ ସାମଗମ ହୋଇଥାନ୍ତି। ଶ୍ରଦ୍ଧାରେ ମାଆଙ୍କ ନିକଟରେ ଦାନ ଆକାରରେ ସୁନା, ରୂପା ଟଙ୍କା, ବିଦେଶୀ ମୁଦ୍ରା ଅର୍ପଣ କରନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଦାନ ହୁଣ୍ଡିର ବ୍ୟବସ୍ଥା କରାଯାଇଛି।
ମାଆଙ୍କ ମହିମାମୟ ଇତିହାସ ପୁସ୍ତକ, ପ୍ରାମାଣିକ ଚଳଚ୍ଚିତ୍ର ଓ ଭଜନ ପ୍ରସ୍ତୁତ ହେଉ
ଏବେ ମୋବାଇଲ ତଥା ଇ ପେମେଣ୍ଟର ଯୁଗ। ଆଜିକାଲି ଯିଏ ଯେଉଁଠି ଚାହିଁବ ସ୍କାନ କରି ଅର୍ଥ ଦେଉଛନ୍ତି। ଲୋକଙ୍କୁ ଦେନନେଣ ବ୍ୟାପକ ସୁବିଧା କରିଛି ଇ ପେମେଣ୍ଟ ବ୍ୟବସ୍ଥା। ଏହାକୁ ଦୃଷ୍ଟିରେ ରଖି ମା ମଝିଘରିଆଣୀ ମନ୍ଦିର ପ୍ରଶାସନ ପକ୍ଷରୁ ଇ ହୁଣ୍ଡି ସ୍ଥାପନ କରାଯାଇଛି। ଭକ୍ତଙ୍କ ଲାଗି ଏକ ଇ ହୁଣ୍ଡି ସ୍କାନର ମନ୍ଦିର ଭିତରେ ରଖାଯାଇଛି। ଏଣିକି ଭକ୍ତ ସୁବିଧାରେ ମାଆଙ୍କୁ ଦାନ କରି ପାରିବେ। ପୃଥିବୀର ଯେ କୌଣସି ସ୍ଥାନରୁ ଭକ୍ତ ସିଧାସଳଖ ଅର୍ଥ ଦାନ କରିପାରିବେ। ଫଳରେ ମନ୍ଦିରକୁ ଆସି ପାରୁ ନଥିବା ଭକ୍ତ ମଧ୍ୟ ଘରେ ବସି ଦାନ ଦେଇପାରିବେ। ଏହି ବ୍ୟବସ୍ଥା ପରେ ସମସ୍ତ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଆମେ ଏଇଠି ଇ ହୁଣ୍ଡିର ସ୍କାନରର ଫୋଟୋ ଦେଇଛୁ ମାଆଙ୍କୁ ଦାନ କରିପାରିବେ। ତେବେ ମନ୍ଦିର ଭିତରକୁ ମୋବାଇଲ ପ୍ରବେଶ ନିଷେଧ ଥିବାବେଳେ ଏହି ଇ ହୁଣ୍ଡି ସ୍କାନରକୁ ଏକାଧିକ କରି ମନ୍ଦିର ବାହାର ପରିସରରେ ପ୍ରଦର୍ଶିତ କରିବା ବ୍ୟବସ୍ଥା କରିବା ଆବଶ୍ୟକ। ସେହିପରି ବାର୍ଷିକ ମାଆଙ୍କ ହୁଣ୍ଡିରୁ କୋଟି କୋଟି ଟଙ୍କା ସଂଗ୍ରହ ହେଉଥିବାରୁ ପୃଥିବୀର ବିଭିନ୍ନ ସ୍ଥାନରେ ଥିବା ଭକ୍ତଙ୍କ ସୁବିଧା ଲାଗି ମାଆଙ୍କ ଏକ ୟୁ ଟ୍ୟୁବ ଚ୍ୟାନେଲ ଖୋଲାଯାଇ ପ୍ରତିଦିନ ସକାଳ ଓ ସଞ୍ଜ ଆଳତି ଲାଇଭ ପ୍ରସାରଣ ବ୍ୟବସ୍ଥା କରିବାର ଆବଶ୍ୟକତା ରହୁଛି। ଦେଶର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଚ୍ୟାନେଲ ଖୋଲାଯାଇଥିବା ବେଳେ ଏଠାରୁ ଅନ୍ତତଃ ୟୁ ଟ୍ୟୁବ ଜରିଆରେ ମାଆଙ୍କ ଆଳତିକୁ ଲାଇଭ କରିବା ଜରୁରୀ ମନେ ହେଉଛି। ବିଭିନ୍ନ କାରଣରୁ ମନ୍ଦିରକୁ ଆସି ପାରୁ ନଥିବା ଅନେକ ବୟସ୍କ ଲୋକ ତଥା ଦୂରରେ ଥିବା ଭକ୍ତଗଣ ଏଥିରୁ ଉପକୃତ ହୋଇପାରନ୍ତେ। ମାଆଙ୍କ ଇତିହାସ ସମ୍ପର୍କିତ ପୁସ୍ତକ ପ୍ରକାଶନ, ପ୍ରାମାଣିକ ଚଳଚିତ୍ର, ଭଜନ ପ୍ରସ୍ତୁତର ଆବଶ୍ୟକତା ରହିଛି। କେହି ବାହାର ଆଗନ୍ତୁକ ଆସିଲେ ମାଆଙ୍କ ସମ୍ପର୍କିତ ପୁସ୍ତକ ଖୋଜିଲେ ମିଳୁନି। ମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ମଧ୍ୟ କରାଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ସେହିପରି ସକାଳେ ମାଆଙ୍କ ମନ୍ଦିରରେ ଅନ୍ୟ ଠାକୁରଙ୍କ ଭଜନ ବାଜୁଥିବାବେଳେ ମାଆଙ୍କ ପାଇଁ ଉଦ୍ଦିଷ୍ଟ ଭଜନ ସଙ୍ଗୀତ ପରିବେଷଣ ହେଉ ନଥିବା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରୁଛି। ମନ୍ଦିର ପ୍ରଶାସନ ପକ୍ଷରୁ ଏସବୁ ପ୍ରସ୍ତୁତିରେ କାହିଁକି ଉଦାର ହୃଦୟ ପୋଷଣ କରାଯାଉନି ବୋଲି ଭକ୍ତମାନେ ପ୍ରଶ୍ନ କରୁଛନ୍ତି। ଏଦିଗରେ ପ୍ରଶାସନ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ମନ୍ଦିରର ଢାଞ୍ଚାଗତ ପରିବର୍ତ୍ତନ ଲାଗି ଉଦ୍ୟମ ହେଉଥିବାବେଳେ ବ୍ୟବସ୍ଥା ଓ ମାନସିକତାର ପରିବର୍ତ୍ତନର ଆବଶ୍ୟକତା ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ।

