ବେଆଇନ ଇଟା ଭାଟିରୁ 39 ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ରାୟଗଡା ଜିଲ୍ଲା ପ୍ରଶାସନ, ଉଦ୍ଧାର ପାଇଁ ଶ୍ରମିକମାନେ କରିଥିଲେ ନିବେଦନ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ଦୁଇ ଇଟା ଭାଟି ମାଲିକ ଗିରଫ, ବେଆଇନ ଭାବେ ଚାଲିଥିଲା ଇଟା ଭାଟି.

ରାୟଗଡାର ଏକ ଇଟା ଭାଟିରେ କାମ କରିବାକୁ ଆସିଥିଲେ ପଶ୍ଚିମ ଓଡ଼ିଶାର ବୋଡେ଼ନ ଅଞ୍ଚଳର କିଛି ପରିବାର। ଆଶା ଥିଲା ଅର୍ଥ ରୋଜଗାର କରି ଘରକୁ ଫେରିବେ। କିନ୍ତୁ ଏହି ସ୍ବପ୍ନ ଯେମିତି ଦୁଃସ୍ବପ୍ନ ହୋଇଯାଇଥିଲା ଯେତେବେଳେ ଇଟା ଭାଟି ମାଲିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା। ଅଧିକା ସମୟ ଖଟିବାକୁ ଜୋର କରୁଥିଲା। ଶ୍ରମର ମୂଲ ଠିକ ରୂପରେ ପ୍ରଦାନ କରୁ ନଥିଲା। ପରିବାର ସହ ଆସିଥିବା ଶିଶୁମାନେ ବି ଏଥିରୁ ବାଦ ପଡି ନଥିଲେ। ଦେହ ଖରାପ ସତ୍ତ୍ୱେ ମେଡିକାଲକୁ ନିଆ ଯାଉ ନଥିଲା। ଦଲାଲ ମାଲାମାଲ ହୋଇ ଇଟା ଭାଟି ମାଲିକ ନିକଟରେ ସମସ୍ତଙ୍କୁ ଛାଡି ଚାଲିଯାଇଥିଲା। ଏଭଳି ସ୍ଥିତିରୁ ଉଦ୍ଧାର ପାଇଁ ମହିଳାମାନେ ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରାର୍ଥନା କରିଥିଲେ। ଏଭଳି ଖବର ହସ୍ତଗତ ହେବା ପରେ ଆରମ୍ଭ ହୋଇଥିଲା ଅପରେସନ।

ରାଜ୍ୟ ଶ୍ରମ କମିଶନର, ରାୟଗଡା ଜିଲ୍ଲାପାଳଙ୍କ ତ୍ୱରିତ ହସ୍ତକ୍ଷେପ ପରେ ରାୟଗଡା ଉପଜିଲ୍ଲାପାଳ, ରାୟଗଡା ଓ କାଶୀପୁର ଶ୍ରମ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଇଟାଭାଟିରୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଜିଲ୍ଲା ଶ୍ରମ ବିଭାଗର ଅଭିଯୋଗ କ୍ରମେ ଇଟାଭାଟି ମାଲିକ ବିରୋଧରେ ଏତଲା ଦାୟର କରିଥିବା ସୂଚନା ମିଳିଛି। ପରିବେଶ ଓ ପ୍ରଦ୍ୟୁଷଣ ବିଭାଗ ଓ ଖଣି ବିଭାଗର ଅନୁମତି ନଥାଇ ବେଆଇନ ଭାବେ ମାଟି ଖୋଳି ଇଟାଭାଟି ଚଳାଇଥିବାରୁ ଇଟା ଭାଟି ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିସହନାବାଳକ ଙ୍କୁ କାମରେ ନିୟୋଜିତ କରିଥିବା ସହ 50 ରୁ ଉର୍ଦ୍ଧ୍ୱ ଶ୍ରମିକ କାମ କରୁଥୁଲେ କଣ୍ଟ୍ରାକ୍ଟ ଶ୍ରମିକକୁ ନିୟୋଜିତ କରିବା କଥା ତାହାବି ପାଳନ କରାଯାଇନାହିଁ। ଇଟା ଭାଟି ମାଲିକ ଶ୍ରମିକ ମାନଙ୍କୁ ଜୋର ଜବରଦସ୍ତି ଦୈନିକ ଅଧିକ ସମୟ କାମ କରୁଥୁବା ଅଭିଯୋଗ ହୋଇଥିଲା।

ଆବଶ୍ୟକ ଥିବା କୌଣସି ଅନୁମତି ପତ୍ର ନଥାଇ ଖୋଲା ଖୋଲି ଭାବେ ଇଟା ଭାଟି କିଭଳି ଚାଲିଥିଲା ତାକୁ ନେଇ ପ୍ରଶ୍ନ ଉଠୁଛି।ଏହି ଘଟଣା ପରେ ରାୟଗଡା ଜିଲ୍ଲାର ଖଣି ବିଭାଗ ଅଧିକାରୀ ଓ ପରିବେଶ ପ୍ରଦ୍ୟୁଷଣ ବିଭାଗର ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି।
ଏହି ଘଟଣାଟିକୁ କେବିକେ ରିସୋର୍ସ ସେଣ୍ଟରର ନିର୍ଦେଶକ ସୁଶାନ୍ତ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକଙ୍କ ସହଯୋଗ ଲୋଡ଼ିଥିଲେ। ସାମ୍ବାଦିକ ଜଣକ ରାଜ୍ୟ ଶ୍ରମ କମିଶନର ଇନ୍ଦ୍ରମଣୀ ତ୍ରିପାଠୀ ଓ ରାୟଗଡା ଜିଲ୍ଲପାଳ ଆଶୁତୋଷ କୁଳକର୍ଣ୍ଣି ଓ ରାୟଗଡା ଏସପି ଙ୍କୁ ଅବଗତ କରାଇଥିଲେ। ଶ୍ରମ କମିଶନର ଓ ରାୟଗଡା ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଫଳରେ ଇଟା ଭାଟିରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ରାୟଗଡା ଉପଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ ଘଟଣା ସ୍ଥଳକୁ ଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁମଙ୍ଗଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତରିତ କରିଛନ୍ତି। ଅଭିଯୋଗ କରିବାର ସ୍ୱଳ୍ପ ସମୟ ମଧ୍ୟରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି କେବିକେ ରିସୋର୍ସ କେନ୍ଦ୍ରର ନିର୍ଦେଶକ ସୁଶାନ୍ତ ପାଣିଗ୍ରାହୀ। ଏହାସହ ଦାଦନ ସମସ୍ୟା ସମାଧାନ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି। ଏହି ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚା ହୋଇଛି।

Spread the love