ପ୍ରତିଫଳନ ମିଡ଼ିଆ
ରାୟଗଡ ସହରର ପରିଷ୍କାର ପରିଛନ୍ନତା ଓ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ରରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ତଥା ଖତ ପ୍ରସ୍ତୁତି ପ୍ରଣାଳୀକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗୁଡ଼ାରୀ ଏନଏସି ର ପ୍ରତିନିଧି ଦଳ। ରାୟଗଡ ସହରକୁ ସ୍ଵଚ୍ଚ ରଖିବା ଗୁରୁତ୍ୱ ଦେଇ ପୌର ପରିଷଦ କତୃପକ୍ଷ ନିରବିଛିନ୍ନ ଉଦ୍ୟମକୁ ପ୍ରଂଶସା କରିଛନ୍ତି ଗୁଡ଼ାରୀ ଏନଏସି ର ପ୍ରତିନିଧି ଦଳ।

ରାୟଗଡା ପୌର ପରିଷଦ କତୃପକ୍ଷଙ୍କ ନିଷ୍ଠା ଓ ପରିଚାଳନାଗତ ଦକ୍ଷତା ଯୋଗୁଁ ସହରର ପରିବେଶ ସ୍ଵଚ୍ଛ ରହି ପାରୁଛି।ପୌର ପରିଷଦ କତୃପକ୍ଷଙ୍କ ପରିମଳ ସ୍ଵଚ୍ଛତା ରକ୍ଷା ପାଇଁ ପରିଚାଳନଗତ ସଫଳତା କୌଶଳ ଅନୁଧ୍ୟାନ କରିବା ପାଇଁ ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ରାୟଗଡ ଗସ୍ତରେ ଆସିଥିଲେ। ସ୍ଵଚ୍ଛତା ରକ୍ଷା ଜ୍ଞାନ ଆହରଣ ପରିଦର୍ଶନରେ ଆସି ରାୟଗଡା ପୌରପରିଷଦର ବିଭିନ୍ନ ସ୍ୱଚ୍ଛତା ପ୍ରକଳ୍ପ ଅନୁଧ୍ୟାନ କରିଥିଲେ । ପ୍ରତିନିଧି ଦଳରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କ ସମେତ ଉପାଧ୍ୟକ୍ଷ , ୱାର୍ଡ କାଉନସିଲର, ସାନିଟାରୀ ଇନ୍ସପେକ୍ଟର, ଜୁନିୟର ସାନିଟେସନ ଏକ୍ସପର୍ଟ, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର ଓ ସଫେଇ କର୍ମଚାରୀମାନେ ସାମିଲ ଥିଲେ। ରାୟଗଡ଼ ପୌର କାର୍ଯ୍ୟାଳୟରେ ପହଞ୍ଚିବା ପରେ ସମସ୍ତ ଅତିଥିଙ୍କୁ ପରିଷଦର ଅଧକ୍ଷ୍ୟ, ଉପାଧକ୍ଷା, ୱାର୍ଡ କାଉନସିଲର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଥିଲା।ଏହାପରେ ପୌରପରିଷଦ ସମ୍ମିଳନୀ କକ୍ଷରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସହରର ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ୱଚ୍ଛତା ବ୍ୟବସ୍ଥା ସମ୍ପର୍କରେ ମତ ବିନିମୟ କରାଯାଇଥିଲା।

ସହରର ଆହାର କେନ୍ଦ୍ର ଓ ପୁନଃ ବ୍ୟବହାର କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିଥିଲେ। ୱାର୍ଡ ନଂ ୩ ଠାରେ ଅବସ୍ଥିତ ସଂପଦ କେନ୍ଦ୍ର ଏବଂ ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ପରିଦର୍ଶନ କରି ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପୃଥକୀକରଣ ତଥା ଖତ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଶେଷରେ ସମସ୍ତ କର୍ମକର୍ତ୍ତା ଅଣ୍ଟାରିଗୁଡା ସ୍ଥିତ ମଳ ପଙ୍କ ପରିଚାଳନା ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ସେଠାରେ ପ୍ଲାଣ୍ଟର କାର୍ଯ୍ୟଦକ୍ଷତା ଓ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ।ରାୟଗଡ଼ ପୌରପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ଏବଂ ସୁସମନ୍ୱୟରେ ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ଖୁସି ପ୍ରକଟ କରିଛନ୍ତି । ରାୟଗଡ ପୌର ପରିଷଦର ବିଭିନ୍ନ ଅଂଚଳ ପରିଦର୍ଶନ ଦ୍ୱାରା ସେମାନେ ଅନେକ ନୂତନ ଶିକ୍ଷା ଲାଭ କରିଥିବା ବେଳେ ଏହାକୁ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପରିଦର୍ଶନରେ ଆସିଥିବା ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ
ରାୟଗଡ଼ା ପୌର କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଓ ସହଯୋଗ ପାଇଁ ଉଚ୍ଚ ପ୍ରଂଶସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରଂଶସା ଆଗାମୀ ଦିନରେ ଅଧିକ ଦାୟିତ୍ୱବାନ ହେବାପାଇଁ ପ୍ରେରଣା ଯୋଗାଇବ ବୋଲି ରାୟଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର କହିଛନ୍ତି।



