ସ୍ବର୍ଗତ ଗଣପତି ସାହୁ ବହୁ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ସ୍ଥାପନ କରିଥିଲେ
ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ )
ବିଶିଷ୍ଟ ବ୍ୟବସାୟୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ପିତାଙ୍କ ଦେହାନ୍ତ ଘଟିଛି। ଗଞ୍ଜାମ ଜ଼ିଲ୍ଲା ଜଗନ୍ନାଥପୁର ଗ୍ରାମର ଜଣେ ଧର୍ମ ପରାୟଣ, ଭଦ୍ର, ସହୃଦୟ, ମେଳାପୀ, ପରୋପକାରୀ ତଥା ଭଗବତ ବିଶ୍ୱାସୀ ସବୁରି ପ୍ରିୟ ବିଶିଷ୍ଟ ସମାଜସେବୀ ଶଙ୍କଟ ତାରାତାରିଣୀ ରାଇସ ମିଲ ମାଲିକ ଶ୍ରୀ ଗଣପତି ସାହୁ ନିଜସ୍ୱ ବାସଭବନରେ ଗତକାଲି ରାତି 7:40 ମିନିଟରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ତାଙ୍କ ଜୀବଦଶା ମଧ୍ୟରେ ଗଞ୍ଜାମ ଜ଼ିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ମଠ ମନ୍ଦିର ପ୍ରତିଷ୍ଠା ଓ ଉନ୍ନତିକରଣ ଏବଂ ଶିକ୍ଷନୁଷ୍ଠାନ ସ୍ଥାପନ କରିଛନ୍ତି। ବ୍ରାହ୍ମଣ ବୈଷ୍ଣଵ ସାଧୁ ସନ୍ଥଙ୍କୁ ଆତ୍ମଭରି ଭଲ ପାଇବା ସହ ଅସହାୟଙ୍କୁ ଅକୁଣ୍ଠ ଚିତ୍ତରେ ଦାନ କରି ଆସୁଥିଲେ।
ସେ ନିଜସ୍ୱ ଖର୍ଚରେ ଭାରତର ପ୍ରସିଦ୍ଧ ତୀର୍ଥ ସ୍ଥଳ ବୃନ୍ଦାବନରେ ଜଗନ୍ନାଥ, ରାଧାକୃଷ୍ଣ ଓ ଚୈତନ୍ୟଙ୍କ ମନ୍ଦିର ନିର୍ମାଣ କରିବା ସହ ଓଡ଼ିଆ ଲୋକଙ୍କ ରହିବା ପାଇଁ ନଅ ଟି ରୁମ ବିଶିଷ୍ଟ ଗେଷ୍ଟ ହାଉସ ନିର୍ମାଣ କରିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରାଣୀ ପୀଠରେ ଆକର୍ଷଣୀୟ ସିଂହଦ୍ଵାର ନିର୍ମାଣ କରିଥିବା ବେଳେ ଛତ୍ରପୁର ଜଗନ୍ନାଥ ମନ୍ଦିରରେ ବିଶ୍ୱମୂର୍ତ୍ତିଙ୍କ ନିର୍ମାଣ, ଜଗନ୍ନାଥପୁରରେ ଶିବ ମନ୍ଦିର ନିର୍ମାଣରେ ସହାୟତା ପ୍ରଦାନ କରିଥିବା, ଗଞ୍ଜାମ ଜିଲ୍ଲାର କେରାଣ୍ଡିତୋଳା ଗ୍ରାମରେ ଶ୍ୟାମାକାଳୀଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ଖୋର୍ଦ୍ଧା ନିକଟ ଶାଳେଶ୍ୱରଠାରେ ଯଜ୍ଞ ମଣ୍ଡପ ନିର୍ମାଣ କରିଛନ୍ତି। ମନ୍ଦିର, ମଣ୍ଡପ ନିର୍ମାଣ କରି ଆଧ୍ୟାତ୍ମିକ ଭାବ ସୃଷ୍ଟି କରିବା ସହ ସମାଜ ସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ଚିର ସ୍ମରଣୀୟ ହୋଇ ରହିଛି । ଲୋକଙ୍କ ଅସମୟରେ ଠିଆ ହୋଇ ଆର୍ଥିକ ସହାୟତା ପ୍ରଦାନ କରି ଗଞ୍ଜାମ ଜିଲ୍ଲା ରେ ସୁନାମ ଅର୍ଜନ କରିଥିଲେ। ସେହିଭଳି ବାଳିକା ଶିକ୍ଷାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବଡ ରଘୁନାଥପୁର ଗ୍ରାମରେ ସରସ୍ବତୀ ବାଳିକା ହାଇସ୍କୁଲ ପ୍ରତିଷ୍ଠା କରିଥିଲେ। ଆଜି ସେହି ସ୍କୁଲରେ ହଜାର ହଜାର ଝିଅ ପାଠ ପଢି ଉଚ୍ଚ ଶିକ୍ଷିତ ହୋଇପାରିଛନ୍ତି।
ବହୁଗୁଣ ସମ୍ପନ୍ନ ଏଭଳି ଶୋଭନୀୟ ବ୍ୟକ୍ତିତ୍ବ ତଥା ବିଶିଷ୍ଟ ବ୍ୟବସାୟୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ବାପାଙ୍କ ବିୟୋଗରେ ସକଳ ପରିବାରବର୍ଗ ମୁରବି ଶୂନ୍ୟ ହୋଇପଡ଼ିଛନ୍ତି। ମୃତ୍ୟବେଳକୁ ତାଙ୍କ ନିକଟରେ ବଡ଼ ପୁଅ ସୂର୍ଯ୍ୟ ନାରାୟଣ ସାହୁ, ସାନ ପୁଅ ମହେନ୍ଦ୍ର ସାହୁ ସମେତ ଦୁଇ ବୋହୁ ନାତି ନାତୁଣୀ ଉପସ୍ଥିତ ଥିଲେ। ଏହି ଦାରୁଣ ଦୁଃଖରେ ସମାଜର ବିଭିନ୍ନ ବର୍ଗର ଲୋକ ଦୁଃଖ ପ୍ରକାଶ କରିବା ସହ ମର୍ମାହତ ହୋଇ ପଡିଛନ୍ତି। ଶୋକ ବାର୍ତ୍ତାରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କଠାରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ବ୍ରହ୍ମପୁର ଠାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ନାୟକ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ।

