ରାୟଗଡାରେ ଏମ୍ସର ସାଟେଲାଇଟ କେନ୍ଦ୍ର ସ୍ଥାପନ ପାଇଁ ଦାବୀ
ରାୟଗଡା (ପ୍ରତିଫଳନ ମିଡିଆ)
ଭୁବନେଶ୍ୱର ଏମ୍ସର ଦଶମ ପ୍ରତିଷ୍ଠାନ ସଂଗଠନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଦସ୍ୟ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥଲେ। ଏମ୍ସ ଭୁବନେଶ୍ବରର ସାମଗ୍ରିକ ବିକାଶ, ଉତ୍ତମ ଶାସନ ଏବଂ ଦୃଢ଼ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ପ୍ରମୁଖ ପରାମର୍ଶଗୁଡ଼ିକ ଦୁଇ ସାଂସଦ ପ୍ରଦାନ କରିଥିଲେ। କୋରାପୁଟ ସାଂସଦ ଉଲ୍ଲାକା କୋରାପୁଟ ସଂସଦୀୟ କ୍ଷେତ୍ରରେ ଏମ୍ସର ସାଟେଲାଇଟ କେନ୍ଦ୍ର ଚାଲୁ କରିବାକୁ ପ୍ରସ୍ତାବ ଦେଇଥିଲେ । ବୈଠକରେ ଏହାକୁ ଗ୍ରହଣ କରାଯାଇଥିବା ସାଂସଦ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର କୋରାପୁଟ ସଂସଦୀୟ ଅଞ୍ଚଳରେ ଏମ୍ସର ସାଟେଲାଇଟ କେନ୍ଦ୍ର ସ୍ଥାପନ ହେବ ବୋଲି ଜାଣିବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖୁସିର ଲହର ଖେଳି ଯାଇଛି।

ବୈଠକରେ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ସ୍ଵାସ୍ଥ୍ୟ ପ୍ରତିଷ୍ଠାନକୁ ସୁଦୃଢ଼ କରିବାରେ ଯୋଗଦାନ ଦେବାର ସୁଯୋଗ ଦେଇଥିବାରୁ ସେ ଏମ୍ସ କର୍ତ୍ତୁପକ୍ଷଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । କୋରାପୁଟ ସଂସଦୀୟ କ୍ଷେତ୍ରରେ ନୂତନ ଏମ୍ସ ସାଟେଲାଇଟ୍ କେନ୍ଦ୍ର ସ୍ଥାପିତ ହେଲେ ଜରୁରୀକାଳୀନ ସମୟରେ ଗୁରୁତ୍ବପୁର୍ଣ ରୋଗୀ ତୁରନ୍ତ ଚିକିତ୍ସା ସେବା ପାଇ ପାରିବେ ।

ଏହି ପଦକ୍ଷେପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ ଉନ୍ନତ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ଏକ ପ୍ରମୁଖ ଆଶ୍ୱସ୍ତି ହେବ ବୋଲି ସାଂସଦ ଉଲ୍ଲାକା କହିଛନ୍ତି । ବିଶେଷକରି ଗ୍ରାମାଞ୍ଚଳର ଯେଉଁମାନେ ପ୍ରାୟତଃ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଦୀର୍ଘ ଦୂରତା ଯାତ୍ରା କରିବାକୁ ପଡ଼ନ୍ତି ସେମାନେ ଉପକୃତ ହେବେ । କୋରାପୁଟ ସଂସଦୀୟ କ୍ଷେତ୍ରରେ ସାଟେଲାଇଟ ଏମ୍ସ କେନ୍ଦ୍ର ସ୍ଥାପନ ହେଲେ ଏହା ଓଡିଶାର ଦ୍ବିତୀୟ କେନ୍ଦ୍ର ହେବ । ପୂର୍ବରୁ ବାଲେଶ୍ବରରେ ଏଭଳି କେନ୍ଦ୍ର ସ୍ଥାପନ ହୋଇ କାର୍ଯ୍ୟକ୍ଷମ ହୋଇଛି । ତେବେ ଏହାକୁ ରାୟଗଡାରେ ସ୍ଥାପନ କରିବାକୁ ସାଧାରଣରେ ଦାବୀ ହେଉଛି । ସାଂସଦ ଏଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବା ବୋଲି ଜନସାଧାରଣ ଆଶା ରଖିଛନ୍ତି।