ନିଜେ ଚାଲିଗଲେ କିନ୍ତୁ ବଞ୍ଚାଇଲେ 19 ଜଣକ ଜୀବନ

ବସ ଡ୍ରାଇଭର ଶିଖେଇ ଗଲେ ମହାନତା ଓ ନିସ୍ଵାର୍ଥପରତାର ପାଠ

ପରର ଜୀବନ ବଞ୍ଚେଇବାକୁ ନିଜ ଜୀବନକୁ ଲଗେଇଲେ ବାଜି

ବିଶାଖାପାଟଣା (ଯଶୋବନ୍ତ ପାଢ଼ୀ )
ଜାତୀୟ ରାଜପଥରେ ଗଡ଼ି ଚାଲିଥିଲା ବସ ଏବଂ ବସରେ ଯାତ୍ରା କରୁଥିଲେ 19 ଜଣ ଯାତ୍ରୀ। ତେଲେଙ୍ଗାନାର ହାଇଦ୍ରାବାଦରୁ ବାହାରି ଆନ୍ଧପ୍ରଦେଶର ବିଜୟୱାଡା ଅଭିମୁଖେ ଯାଉଥିଲା ବସ। ଠିକ ଏତିକି ବେଳେ ଅଧ ରାସ୍ତାରେ ବସ ଡ୍ରାଇଭରଙ୍କ ଛାତିରେ ହେଲା ଅସହ୍ୟ ଯନ୍ତ୍ରଣା। ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଷ୍ଟିୟରିଂ ଉପରେ ନିଜର ନିୟନ୍ତ୍ରଣ ରଖିଥିଲେ ଡ୍ରାଇଭର। ଆଉ ମରିବା ପୂର୍ବରୁ 19 ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଥିଲେ।
39 ବର୍ଷୀୟ କେ. ନାଗାରାଜୁ ବିଜୟୱାଡାର ଗୋଲ୍ଲାପୁଡିରେ ବାସିନ୍ଦା।ପେସାରେ ସେ ଆନ୍ଧ୍ରପ୍ରଦେଶ ସଡ଼କ ପରିବହନ ନିଗମର ଜଣେ ବସ ଡ୍ରାଇଭର। ନିୟମିତ ଭାବେ ବସ ଚଳାନ୍ତି। ଆଜି ସେ ଆନ୍ଧ୍ର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମର ଗୋଟିଏ ଏସି ବସ ଚଳାଉଥିଲେ। ବସରେ ଥିଲେ 19 ଯାତ୍ରୀ। ବସ ଟି ହାଇଦ୍ରାବାରୁ ବିଜୟୱାଡା ଅଭିମୁଖେ ଯାଉଥିବା ବେଳେ ଚୌଟୁପ୍ପାଲ ନିକଟରେ ତାଙ୍କର ହୃଦଘାତ ହୋଇଥିଲା।
ନାଗରାଜୁ ଗାଡ଼ି ଚଲାଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଅସହ୍ୟ ଯନ୍ତ୍ରଣା ସତ୍ତ୍ୱେ, ନାଗାରାଜୁ ବିଚଳିତ ହୋଇନଥିଲେ। ସେ ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ରଖି ବସକୁ ସର୍ଭିସ୍ ରୋଡକୁ ବୁଲାଇବାରେ ସଫଳ ହୋଇଥିଲେ । ବସଟିକୁ ରାସ୍ତାକଡ଼ରେ ବ୍ରେକ ମାରି ଠିଆ କରିବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ଫଳରେ 19 ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା। ପରେ ନାଗାରାଜୁଙ୍କୁ ଅଟୋ-ରିକ୍ସାରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ତୁରନ୍ତ ଚୌତୁପ୍ପାଲ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ନାଗାରାଜୁଙ୍କୁ ମୃତ ଘୋଷଣା କରିଥିଲେ ।
ବସ୍‌ରେ ଥିବା ଜଣେ ଯାତ୍ରୀ କହିଛନ୍ତି, “ଶେଷ ମୁହୂର୍ତ୍ତରେ, ଡ୍ରାଇଭର ନାଗରାଜୁ ଜଣେ ସଚ୍ଚା ହିରୋ ଥିଲେ। ସେ ଶୀଘ୍ର ସାହାଯ୍ୟ ପାଇବା ପାଇଁ ବସକୁ ନିକଟସ୍ଥ ହସ୍ପିଟାଲ୍‌କୁ ନେଇଯିବାକୁ ଚେଷ୍ଟା କରିପାରିଥାନ୍ତେ। କିନ୍ତୁ ସେ ଯାତ୍ରୀମାନଙ୍କ ଜୀବନକୁ ବିପଦରେ ପକାଇ ନଥିଲେ । ଯଦି ସେ ସାହସ ହରାଇଥାନ୍ତେ, ତେବେ 19 ଜଣ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥାନ୍ତା।

Spread the love