ଓଡିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଜବତ
ଭୁବନେଶ୍ୱର (ପ୍ରତିଫଳନ ମିଡ଼ିଆ )
ମାତ୍ର ତିରିଶି ହଜାର ଲାଞ୍ଚ ଖୋଲି ଦେଲା ଦୁର୍ନୀତିର ପାହାଡ଼ର ଦ୍ୱାର। ଆଉ ଦୁର୍ନୀତିର ଗୁମ୍ଫା ଭିତରେ ସଜେଇ ହୋଇ ରହିଥିଲା ଥାକ ଥାକ ନଗଦ ଟଙ୍କା। ଯେଉଁଠି ଦେଖିବେ ବିଡା ବିଡା ଟଙ୍କା। ଡ୍ର, ବ୍ୟାଗ, ଆଲମିରା ସବୁଠି ଗଦା ହୋଇଛି ଟଙ୍କା। ଗୋଟିଏ ସ୍ଥାନରେ ଏତେ ପରିମାଣର ନଗଦ ଟଙ୍କା ଦେଖି ଭିଜିଲାନ୍ସର ବି ଉଡିଗଲା ହୋସ। ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ହେଲା ଆଉ ଏକ ବିରାଟ କେଳେଙ୍କାରୀ।

କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବିକ୍ରେତାଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯିବା ପରେ ମିଳିଲା ଟଙ୍କାର ଭଣ୍ଡାର। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କ ଆବାସିକ ଫ୍ଲାଟ (ଫ୍ଲାଟ ନମ୍ବର ୩୦୨, ନେଚର୍ସ କ୍ରେଷ୍ଟ ଆପାର୍ଟମେଣ୍ଟ, ଶ୍ରୀ ବିହାର, ପଟିଆ, ଭୁବନେଶ୍ୱର), ଭଦ୍ରକର ମଠସାହିରେ ଥିବା ପୈତୃକ ଘର ଏବଂ କଟକରେ ତାଙ୍କ କାର୍ଯ୍ୟାଳୟ ଚାମ୍ବରରେ ଏକକାଳୀନ ଘର ତଲାସ ଆରମ୍ଭ କରାଯାଇଥିଲା। ଚାଲାଣ ସମୟରେ, ଭୁବନେଶ୍ୱର ସ୍ଥିତ ତାଙ୍କ ଫ୍ଲାଟରୁ ଟ୍ରଲି ବ୍ୟାଗ ଏବଂ ଆଲମିରାରେ ଲୁଚାଇ ରଖାଯାଇଥିବା ୪ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ କରାଯାଇଛି। ନଗଦର ସଠିକ୍ ପରିମାଣ ଜାଣିବା ପାଇଁ ଗଣନା ଜାରି ରହିଛି। ଏତେ ପରିମାଣର ନଗଦ ଉଦ୍ଧାର ହେଉଛି ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ନଗଦ ଜବତ। ଏହା ସହିତ ଅଭିଯୁକ୍ତ ମହାନ୍ତିଙ୍କ ଅଫିସ ଡ୍ରୟର ଏବଂ ତାଙ୍କ ସମ୍ପତ୍ତିରୁ ୧.୨୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ବ୍ୟତୀତ ଏପର୍ଯ୍ୟନ୍ତ ଖୋଳତାଡ ହୋଇଥିବା ଅନ୍ୟ ସମ୍ପତ୍ତିଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ପାହାଳରେ ପ୍ରାୟ ୨୪୦୦ ବର୍ଗଫୁଟ କ୍ଷେତ୍ରଫଳ ସହିତ ଏକ ପ୍ରାସାଦପୂର୍ଣ୍ଣ ଦୁଇ ମହଲା କୋଠା, ପ୍ରାୟ ୧୩୦ ଗ୍ରାମ ସୁନା ମିଳିଛି। ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନ୍ସ କହିଛି।


