ରାୟଗଡା ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ

ରାୟଗଡା (ପ୍ରତିଫଳନ ମିଡ଼ିଆ )

ରାୟଗଡ଼ ଜିସିଡ଼ି ହାଇସ୍କୁଲ ପଡିଆରେ ଉଦଘାଟିତ ହୋଇଯାଇଛି ରାୟଗଡା ଜିଲ୍ଲାସ୍ତରୀୟ ଦୁଇ ଦିନିଆ ପିଏମଶ୍ରୀ ଉତ୍ସବ। ଜିଲ୍ଲାର 26ଟି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟକୁ ନେଇ ଆୟୋଜିତ ଏଇ ଉତ୍ସବରେ ପିଲାଙ୍କ ସୃଜନକୁ ନେଇ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଜିଲ୍ଲା ଶିକ୍ଷଧିକାରୀ ରାମଚନ୍ଦ୍ର ନାହାକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଯୋଗଦେଇ  ଜିଲ୍ଲାରେ ମୋଟ 26ଟି ପିଏମଶ୍ରୀ ବିଦ୍ୟାଳୟ ଚୟନ ହେବା ଦ୍ୱାରା ବିଦ୍ୟାଳୟର ଭିତ୍ତିଭୂମିର କେବଳ ବିକାଶ ହୋଇନି ବରଂ ପିଲାଙ୍କ ଦକ୍ଷତା ବୃଦ୍ଧି, ସୃଜନ ଶକ୍ତି ତଥା ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶ ଦିଗରେ ଏହାର ନିଆରା କାର୍ଯ୍ୟକ୍ରମସବୁ ସମୃଦ୍ଧ କରିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଶାନ୍ତିଲତା ମୁନି, ସସ୍ମିତା ବେହେରା ଓ ଜିସିଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନମିତା ପ୍ରଧାନ ପ୍ରମୁଖ ଯୋଗଦେଇ ପିଲାଙ୍କ ସୃଜନର ପରିପ୍ରକାଶ ଦିଗରେ ପିଏମଶ୍ରୀ ବିଦ୍ୟାଳୟ ସମୂହର ବିବିଧ କାର୍ଯ୍ୟକ୍ରମ ବେଶ ସହାୟକ ହୋଇପାରିଛି ବୋଲି ମତପ୍ରକାଶ କରିଥିଲେ।  ଆକାଂକ୍ଷୀ ଛାତ୍ର ପରିଷଦ, ଭିଜିନ ଓଡିଶା 2036, ଦୋକାନ ଯାତ୍ରାକ୍ରମରେ ବିଭିନ୍ନ ପିଏମଶ୍ରୀ ବିଦ୍ୟାଳୟ ପକ୍ଷରୁ ଖାଦ୍ୟ ଷ୍ଟଲ, ହସ୍ତକଳା ସାମଗ୍ରୀ, ଶିକ୍ଷଣ ସାମଗ୍ରୀ, ବିଜ୍ଞାନ, ସାହିତ୍ୟ ସୃଜନ, ଜିଜ୍ଞାସା ଆଦି ବିଭାଗର ମୋଟ 45ଟି ପ୍ରଦର୍ଶନୀ ଷ୍ଟଲରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଡିଇଓ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ସମାରୋହକୁ ପରିଚାଳନା କରିଥିଲେ।

ଏହି ଅବସରରେ ଆଦର୍ଶ ସଂସଦ ଅନୁଷ୍ଠିତ ହୋଇଥିଲା। ଡ଼ ଦ୍ବିତୀ ଚନ୍ଦ୍ର ସାହୁ ସମେତ ତିନି ଜଣ ବିଚାରକଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀମାନେ ବାଚସ୍ପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ବିଭାଗୀୟ ମନ୍ତ୍ରୀ,ବିରୋଧୀ ଦଳ ନେତା ଆଦି ଭୂମିକାରେ ଦେଶର ବିଭିନ୍ନ ସମସ୍ୟା ଉତ୍ଥାପନା କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।

Spread the love