ରାଜ୍ୟ ସରକାରଙ୍କ ଫୋକସରେ କୋରାପୁଟ, ବିକାଶର ଗତି ହେବ ତ୍ବରାନ୍ବିତ
କୋରାପୁଟ ( ପ୍ରତିଫଳନ ମିଡ଼ିଆ)
କୋରାପୁଟ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଛନ୍ତି । ସମୟ ଅବଧି ମଧ୍ୟରେ ଯୋଜନା ବାବଦ ଅନୁଦାନର ଖର୍ଚ୍ଚ କରି ପ୍ରକଳ୍ପ ଗୁଡ଼ିକୁ ସମ୍ପୂର୍ଣ୍ଣ କରି ତାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଗୁରୁତ୍ଵ ଦେଇଛନ୍ତି । ଜିଲ୍ଲାର ସାମଗ୍ରୀକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ଓ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟକୁ
ତ୍ଵରାନ୍ବିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ କୋରାପୁଟ ଗସ୍ତ କରିଛନ୍ତି । ଦ୍ରୁତ ବିକାଶ ଲାଗି ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତ ନକ୍ସାର ସମୀକ୍ଷା କରିଛନ୍ତି । ଖୁବ୍ ଶୀଘ୍ର ସେସବୁର କାର୍ଯ୍ଯକାରିତା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି।
ପ୍ରଥମ କରି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କୋରାପୁଟ ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲର
ନିର୍ମାଣଧିନ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ କୋଠା କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ପରେ ପଦ୍ମପୁର ଗସ୍ତ କରି ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ କଫି ନର୍ସରୀ ପରିଦର୍ଶନ କରିଥିଲେ । ସୁନାବେଡ଼ା ଥାନା, ସେମିଳିଗୁଡା ଆର ଆଇ କାର୍ଯ୍ୟାଳୟ, ଭାରତ ମାଳା ରାସ୍ତା କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସେମିଳିଗୁଡା ଠାରେ ଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ କେନ୍ଦ୍ର ପରିଦର୍ଶନ କରି ପିଲାଙ୍କ ସହ ଆଲୋଚନା କରିଥିଲେ ।ପୋଡଗଡ ଗସ୍ତ କରି ଆବାସିକ ଉଚ୍ଚ ବିଦ୍ୟାଳୟ ର ଆନୁଷଙ୍ଗିକ ଭିତ୍ତିଭୂମି ଓ ସୁବିଧା ସୁଯୋଗ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେମିଳିଗୁଡା ନିକଟରେ ପ୍ରତିଷ୍ଠା ହେବାକୁ ଥିବା ଗ୍ରୀନ ପ୍ଲାଇ କାରଖାନା ଅଗ୍ରଗତି ସମୀକ୍ଷା କରିବା ସହ କାର୍ଯ୍ୟର ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଦକ୍ଷତା ବିକାଶ ଓ ଶିଳ୍ପାୟନକୁ ଗୁରୁତ୍ୱ

ପରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ । ହିତାଧିକାରୀଙ୍କ ନିକଟରେ ଯୋଜନା ଗୁଡିକ କିଭଳି ପହଞ୍ଚିବ ସେଥିନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି କୋରାପୁଟ ନୂତନ ବସଷ୍ଟାଣ୍ଡର ଅଗ୍ରଗତି ସମ୍ପର୍କରେ ବିଶଦ ଆଲୋଚନା କରିଥିବା ଜଣା ପଡିଛି। ମୁଖ୍ୟ ଶାସନ ସଚିବ ହେବା ପରେ ଶ୍ରୀ ଆହୁଜାଙ୍କ ଏହା କୋରାପୁଟକୁ ପ୍ରଥମ ଗସ୍ତ। ଏହି ଗସ୍ତ ବେଳେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାର ବିକାଶ ଦିଗରେ ଆବଶ୍ୟକୀୟ ସ୍ବତନ୍ତ୍ର ସହାୟତା ପ୍ରଦାନ ଲାଗି ଜିଲ୍ଲାପାଳ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାମଗ୍ରିକ ବିକାଶ ଦିଗରେ କୋରାପୁଟ ଜିଲ୍ଲା ଜାତୀୟ ସମ୍ମାନ ହାସଲ କରିଥିବା ବେଳେ ଜିଲ୍ଲାର ଦ୍ରୁତ ବିକାଶ ଲାଗି ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଏବେ କୋରାପୁଟ । ମଙ୍ଗଳବାର ସେ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ସେଠାରୁ ସେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।
